Unknown

 

 

 

 

 

 

 

 

 

 

 

ମୁଁ

ଡକ୍ଟର ଭାବଗ୍ରାହୀ ମିଶ୍ର

 

ମୁଁ

 

ଦୀର୍ଘ ପଇଁଚାଳିଶ ବର୍ଷର ଜୀବନର

ଯାତ୍ରାପଥରେ ‘‘ମୁଁ’’ରୁ ‘‘ସୋଽହଂ’’ର

ଦୂରତ୍ୱ ଜାଣିବା ପାଇଁ ଓ ଅଗଣିତ

ମଣିଷଙ୍କୁ ଜାଣିବା ଶୁଣିବା ଓ ବୁଝିବା

ଦିଗରେ ଯେଉଁ ଲେଖକ, ଅଧ୍ୟାପକ

ଓ ଚିନ୍ତାଶୀଳ ବ୍ୟକ୍ତିମାନେ ପ୍ରତ୍ୟକ୍ଷ

 

ବା ପରୋକ୍ଷ ଭାବରେ ମୋର ସୃଷ୍ଟିଧର୍ମୀ ରଚନାମାନଙ୍କୁ ପ୍ରେରଣା ଯୋଗାଇ ଆସିଛନ୍ତି, ସେମାନଙ୍କ ମଧ୍ୟରେ Professor Clifford Greertz ନିଶ୍ଚିତଭାବେ ଅନ୍ୟତମ । ସେ ମୋତେ ଚିହ୍ନନ୍ତି ନାହିଁ କିମ୍ୱା ମୁଁ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ଭାବରେ ଜାଣେନାହିଁ । ସେ ଓଡ଼ିଆ ପଢ଼ି ପାରିବେ ନାହିଁ କିସ୍ୱା ପଢ଼ି ମନ୍ତବ୍ୟ ପ୍ରକାଶ କରିପାରିବେ ନାହିଁ । କିନ୍ତୁ କେହି ହୁଏତ କେବେ ଏ ରଚନାକୁ ଚାଙ୍କ ଦୃଷ୍ଟିକୁ ଆଣିପାରେ । କିମ୍ୱା ଭବିଷ୍ୟତରେ ଏହାର ଇଂରାଜୀ ଅନୁବାଦ ତାଙ୍କ ଦୃଷ୍ଟିକୁ ଆସିପାରେ–ଏଇ ଭରସାରେ ଓ ତାଙ୍କର ରଚନାବଳୀ ପ୍ରତି ମୋର ଗଭୀର ଶ୍ରଦ୍ଧାଥିବାରୁ ତାଙ୍କ ପାଇଁ ‘‘ମୁଁ’’ ଉତ୍ସର୍ଗ କଲି ।

 

ଦଶହରା, ୧୯୮୧

ଭାବଗ୍ରାହୀ ମିଶ୍ର

Image

 

ବାଇଶଟି ରମ୍ୟ ରଚନା

 

୧.

ଶ୍ରଦ୍ଧା ଚାହୁଁଚି, ଆଶୀର୍ବାଦ ନୁହେଁ

୨.

ଚେତନାର ଅଭିବ୍ୟକ୍ତି

୩.

ଶୃଙ୍ଖଳିତ ବିଦ୍ରୋହୀର ଇସ୍ତାହାର

୪.

ମୁଁ ଗୋଟିଏ ଗୋତି

୫.

ମତେ ତମେ ହତ୍ୟା କଲାପରେ

୬.

ମୁଁ ଜଣେ ପ୍ରତିକ୍ରିୟାଶୀଳ ବ୍ୟକ୍ତି

୭.

ମୁଁ ଯଦି କେବେ ହସେ

୮.

ମୁଁ ଜଣେ ବିରାଡ଼ି ବୈଷ୍ଣବ

୯.

ମୁଁ ଜଣେ ‘‘ନଷ୍ଟ ପୁରୁଷ’’

୧୦.

ମୁଁ ଜଣେ ଆଇଁଷିଣିଆ ଲୋକ

୧୧.

ମୁଁ ଜଣେ ମାର୍କସିଷ୍ଟ ବ୍ରାହ୍ମଣ

୧୨.

ମୁଁ ଗୋଟିଏ ପଶୁ

୧୩.

ମୁଁ ଯଦି ପୁଣି ଜନ୍ମନେବି

୧୪.

ମୁଁ ଜଣେ ଟାଉଟର

୧୫.

ମୁଁ ପାଠପଢ଼ି ହେଲି ନାଶ

୧୬.

ଗୁଲାବ ଗାଲେ ତବ ଗୁଲାଲ ଚୁମାଟିଏ ମାଗୁଛି

୧୭.

ଧ୍ୱନିର ସଙ୍ଗୀତ

୧୮.

ଟିକେଟ୍‍ ମିଳିଲା ନାହିଁ

୧୯.

କିଏ କ’ଣ କହୁଛନ୍ତି ?

୨୦.

ମୁଁ ଜଣେ ଖାଣ୍ଟି ଓଡ଼ିଆ

୨୧.

ମୁଁ ଜଣେ ନାରୀ କବି ଓ ରାଜନୀତିଜ୍ଞ

୨୨.

ମୁଁ ନାଚୁଛି ସାତତାଳ ପଙ୍କର ଭିତରେ

Image

 

ଶ୍ରଦ୍ଧା ଚାହୁଁଚି, ଆଶୀର୍ବାଦ ନୁହେଁ

 

ଘିନୁଆର ଜନକ ଭଗବତୀ ଚରଣ :

ଆଜି ଦିଆଲୀ । ‘‘ବଡ଼ବଡ଼ୁଆ ହେ ଅନ୍ଧାରରେ ଆସ, ଆଲୁଅରେ ଯା...ବାଇଶ ପାହାଚରେ ଗଡ଼ଗଡ଼ଉ ଥା ।’’ ମୁଁ ଆପଣଙ୍କର ବଂଶଜ ନୁହେଁ, ସହକର୍ମୀ ନୁହେଁ, ଆପଣଙ୍କର ଚିନ୍ତାଧାରାର ପୃଷ୍ଠପୋଷକ ନୁହେଁ । ତେଣୁ ମୁଁ ଆପଣଙ୍କୁ ଏ ପୃଥିବୀକୁ ଦିନକ ପାଇଁ, କିମ୍ୱା ମୁହୂର୍ତ୍ତକ ପାଇଁ ଡାକିବି ନାହିଁ–ଆପଣଙ୍କର ଅଭାବରେ ଦେଶର ଘୋର ଅଭାବ ଘଟିବ ବୋଲି ବିଶ୍ୱାସ କରେ ନାହିଁ । ଆପଣ ପରା ଭୂତ-ପ୍ରେତରେ ବିଶ୍ୱାସ କରନ୍ତି ନାହିଁ ! ତେଣୁ ଆପଣଙ୍କୁ ଡାକିବି କେମିତି ? ଆପଣଙ୍କର ଅଶରୀର ‘ଆତ୍ମା’ ଜୀବନରେ ଶାନ୍ତି ପାଇଛି କି ନାହିଁ ଜାଣିନି । ଆପଣ ଏବେ ପ୍ରେତଲୋକରେ ଅଛନ୍ତି କି ପିତୃଲୋକରେ ପହଞ୍ଚି ଗଲେଣି ମୁଁ ଜାଣେନା । ତେଣୁ ଦିଆଲୀର ଏହି ଉତ୍ସବରେ ଆପଣଙ୍କୁ ଡାକି ମୁଁ ଆପଣଙ୍କୁ ଅପମାନିତ କରିପାରିବି ନାହିଁ । ମୋର ମନେହୁଏ, ଆପଣ ପରମ୍ପରାର ବିରୋଧୀ ଥିଲେ, ଧର୍ମଧାରଣା ମୂଳୋତ୍ପାଟନ କରିବାକୁ ଚାହୁଁଥିଲେ । ତେଣୁ ଆପଣଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରି, ଶ୍ରାଦ୍ଧ ବାଢ଼ି ମୁଁ ଆପଣଙ୍କର ଆତ୍ମାକୁ କଷ୍ଟ ଦେବି କାହିଁକି-? ମୋର ଅଧିକାର ରହିଛି, ଆପଣଙ୍କୁ ଉତ୍ତେଜିତ କରିବା ପାଇଁ, ଆପଣଙ୍କୁ ବିଦ୍ରୋହୀ, ବିପ୍ଳବୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଆହ୍ୱାନ ଜଣେଇବା ପାଇଁ । ଏ ଅଧିକାର ମୋର ଜନ୍ମଗତ ଅଧିକାର । ଜଣେ ପଡ଼ୋଶୀ ଭାବରେ ମୁଁ ଏଥିପାଇଁ ଆପଣଙ୍କ ପାଖରେ ଗୁହାରି କରିବି ନାହିଁ, କାକୁତି ମିନତି କରିପାରିବିନି, ଆପଣଙ୍କ ଚିନ୍ତାଧାରାର ଦାସତ୍ୱ ସ୍ୱୀକାର କରିପାରିବିନି । କାରଣ ମୁଁ ସ୍ୱାଧୀନ । ‘ସ୍ୱ’-ଅଧୀନ । ଆପଣଙ୍କ ନିକଟରେ ମୋର ଏହି ସ୍ୱାଧୀନତାକୁ ସମର୍ପଣ କରି ମୁଁ ପରାଧୀନତାର ଶିକୁଳିରେ ନିଜକୁ ବାନ୍ଧିପାରିବି ନାହିଁ । ବରଂ ମୁଁ ଆପଣଙ୍କ ନିକଟରେ ଦାବି କରିବି, ଆପଣଙ୍କୁ ଏଇ ମାଟିରେ ପୁଣି ଆବିର୍ଭୂତ ହୋଇ ମୋ ସହିତ ଯୁଦ୍ଧ କରିବାକୁ ଆହ୍ୱାନ ଜଣେଇବି । ଆପଣ ଆଧୁନିକ ଥିଲେ, ମୁଁ କିନ୍ତୁ ପୁରାତନୀ । ଆପଣ ଧର୍ମ ପରମ୍ପରାର ବିରୋଧୀ, ମୁଁ ତା’ର ଗତିଶୀଳତାର ଜଣେ ସମର୍ଥକ । ଆପଣଙ୍କର ଜ୍ଞାନଗାରିମା, ଚିନ୍ତାଧାରା, ଦିଗଦର୍ଶନକୁ ମୁଁ ମୋ ବିଚାରରେ ଚାଲେଞ୍ଜ କରିବାକୁ ପ୍ରୟାସୀ । ଆପଣଙ୍କୁ ଏ ଯେଉଁ ଯୁଦ୍ଧର ଡାକରା ଆଜି ମୁଁ ଦେଉଛି, ତାହା ଅସୂୟାପ୍ରଣୋଦିତ ନୁହେଁ । ମୁଁ ଆପଣଙ୍କର ଭକ୍ତ ନୁହେଁ, ସ୍ତାବକ ନୁହେଁ–ମୁଁ ଆପଣଙ୍କୁ ଶ୍ରଦ୍ଧାକରେ, ଯେପରି ମୁଁ ଶ୍ରଦ୍ଧାକରେ ଆପଣଙ୍କର ସୃଷ୍ଟି ‘ଘିନୁଆ’କୁ । ଆପଣ ଜଣେ ସ୍ରଷ୍ଟା ହିସାବରେ ମୋ’ଠାରୁ ‘ପ୍ରଣତି’ ଚାହିଁଲେ–ମୁଁ ଜଣାଇବାକୁ ପ୍ରସ୍ତୁତ ନୁହେଁ । କାରଣ ମୋ ବିଚାରରେ ଏ ‘ପ୍ରଣତି’ର ପରମ୍ପରା ଏକ ଧର୍ମଧାରଣାର ପରମ୍ପରାରୁ ସୃଷ୍ଟି । ତେଣୁ ଆପଣଙ୍କର ବିଶ୍ୱାସ ପ୍ରତି ମୁଁ ଅସମ୍ମାନ ଦେଖାଇବି କାହିଁକି ?’

କଥାରେ ଅଛି ‘‘ବିଶ୍ୱାସମୂଳେ ଏ ଜଗତ’’ । ଯେଉଁ ବିଶ୍ୱାସ ଉପରେ ଆପଣଙ୍କର ଗଭୀର ନିଷ୍ଠା ଥିଲା, ତା’କୁ ମୁଁ ସମର୍ଥନ କରେନାହିଁ । କିନ୍ତୁ ଆପଣଙ୍କର ଯେ ଏକ ନିଷ୍ଠା ଥିଲା, ସେହି ନିଷ୍ଠା ପ୍ରତି ମୋର ଗଭୀର ଶ୍ରଦ୍ଧା ରହିଛି । ଆପଣ ବଞ୍ଚିଥିଲେ ହୁଏତ ଏଇ ବିଶ୍ୱାସର ପାର୍ଥକ୍ୟ ନେଇ ଆମ ଭିତରେ ଯୁକ୍ତିତର୍କ ଚାଲିପାରିଥାନ୍ତା–ଏଇ ଯୁକ୍ତିତର୍କରୁ ହୁଏତ ଆମେ ଏକ ଆପୋଷ ସମାଧାନରେ ପହଞ୍ଚି ପାରିଥାନ୍ତେ । ଯଦି ବି ସମାଧାନରେ ପହଞ୍ଚି ପାରିନଥାନ୍ତେ, ତେବେ ବି ମୁଁ ଆପଣଙ୍କୁ ଶ୍ରଦ୍ଧା ଦେଖାଇବାରେ ଅବହେଳା କରିପାରିନଥାନ୍ତି । କାରଣ ମୁଁ ମଣିଷକୁ ଭଲପାଏ । ଯିଏ ମୋ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇ ଆସେ ମୁଁ ତାକୁ ସ୍ୱାଗତ ଜଣାଏ । ଏଦିଗରୁ ଦେଖିଲେ ମୁଁ ଅହଂକାରୀ-। ଆପଣ ଆପଣଙ୍କ ବିଶ୍ୱାସରେ ଯେପରି ଅହଂକାରୀ, ମୁଁ ମୋ ବିଶ୍ୱାସରେ ସେହିପରି ଅହଂକାରୀ–ଆମେ ସମସ୍ତେ ଆମ ବିଶ୍ୱାସରେ ଅହଂକାରୀ । ତଥାପି ମୁଁ ଆପଣଙ୍କୁ ଭଲ ପାଇଥାନ୍ତି, କାରଣ ଆପଣ ଥିଲେ ଜଣେ ନିର୍ଭୀକ ସ୍ରଷ୍ଟା–ଘିନୁଆର ଜନକ । ଧର୍ମପରମ୍ପରାକୁ ତ୍ୟାଗକରି ଆପଣ ଯଦି ଏକ ନୂଆ ସମାଜର ସ୍ୱପ୍ନ ଦେଖୁଥିଲେ; ଧର୍ମ ପରମ୍ପରାକୁ ଗ୍ରହଣ କରି ମୁଁ ସେହିଉଳି ଏକ ନୂଆ ସମାଜର ସ୍ୱପ୍ନ ଏବେ ବି ଦେଖୁଛି । ତେଣୁ ମୁଁ ଓ ଆପଣ, ଆପାତତଃ ପରସ୍ପର ବିରୋଧୀ ହେଲେ ବି, ଆମ ଭିତରେ କିଛିଟା ସାମ୍ୟ ରହିଛି–ଏଇ ସାମ୍ୟବାଦୀ ସାମ୍ୟର ନିକିତିରେ ଆମେ ସ୍ୱପ୍ନବାଦୀ-। ସେଇଥି ପାଇଁ, ଠିକ୍‌ ସେଇଥି ପାଇଁ ମୁଁ ଆପଣଙ୍କୁ ଶ୍ରଦ୍ଧା କରୁଛି ଓ ଏବେ ବି କରେ । କାରଣ ସ୍ୱପ୍ନ ବିନା ସମାଜର ପରିବର୍ତ୍ତନ ସମ୍ଭବ ନୁହେଁ । ଏ ସ୍ୱପ୍ନ ଅନେକଙ୍କ କ୍ଷେତ୍ରରେ ଆଜି ଦୁଃସ୍ୱପ୍ନରେ ପରିଣତି ହୋଇଛି–କିନ୍ତୁ ମୋ କ୍ଷେତ୍ରରେ ନୁହେଁ । ଆପଣ ସ୍ୱପ୍ନ ଦେଖୁଥିଲେ ଆଜିକି ପ୍ରାୟ ୩୧ ବର୍ଷ ପୂର୍ବେ–ଆପଣଙ୍କର ସହକର୍ମୀମାନଙ୍କ ଭିତରୁ ଆଜି ଅନେକ ‘ପ୍ରତିଷ୍ଠା’ ପାଇଛନ୍ତି–କିନ୍ତୁ ସେମାନଙ୍କର ସ୍ୱପ୍ନ ତୁଟିଯାଇଛି । ଆପଣ ଯେଉଁ ପ୍ରତିଷ୍ଠା ପାଇଛନ୍ତି ବୋଲି ଆପଣଙ୍କର ବାବଦୂକମାନେ ବିଚାର କରନ୍ତି, ସେ ମତବାଦ ସହିତ ମୁଁ ଏକମତ ନୁହେଁ । ଆପଣଙ୍କର ସ୍ୱପ୍ନ ଯଦି ଏ ଯାବତ୍ ପ୍ରତିଷ୍ଠା ପାଇନାହିଁ, ଆପଣ ପ୍ରତିଷ୍ଠା ପାଇବେ କିପରି ? ଆପଣ କ’ଣ ସେଇ ଧର୍ମଧାରଣା ବଶବର୍ତ୍ତୀ ଏକ ‘ଅମର ଆତ୍ମା’ ହେବାରେ ସନ୍ତୁଷ୍ଟ ଲାଭ କରିବେ ।

ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନେନାହିଁ–ଯଦିଓ ଆପଣଙ୍କର ବଂଶଧରମମାନଙ୍କ ସହିତ ମୋର ପରିଚୟ କିଛିଟା ରହିଛି । ଆପଣ ମୋ’ଠାରୁ ବସୟରେ ବାଇଶ ବର୍ଷ ବଡ଼ । ଏଇଥି ପାଇଁ ଯଦି ଆପଣ ମୋ’ଠାରୁ ଭକ୍ତି ଆଦାୟ କରିବାକୁ ଚାହାନ୍ତି, ତେବେ ମୁଁ ତାହା ଆପଣଙ୍କୁ ଦେବାକୁ ପ୍ରସ୍ତୁତ ନୁହେଁ । କାରଣ ଏ ବୟସର ବ୍ୟବଧାନଜନିତ ସମ୍ପର୍କ ବା ପରିଚିତି ଓ ଏଇଥିପାଇଁ ସମ୍ମାନ ଖୋଜିବା ଏକ ଧର୍ମଧାରଣାରୁ ଜନ୍ମ । ଆପଣଙ୍କୁ ସେଇ ପରମ୍ପରାରେ ସମ୍ମାନ ଜଣାଇଲେ, ଆପଣଙ୍କର ବିଶ୍ୱାସ ପ୍ରତି ମୁଁ ଅପମାନ କରିବି । ଘିନୁଆକୁ ଓ ତା’ର ସ୍ୱାଧୀନତାକୁ ଏ ସମାଜ ଦିନେ ଅପମାନିତ କରିଥିଲା । ସେଇଥି ପାଇଁ ଆପଣଙ୍କ ଲେଖନୀରେ ମୁଁ ‘‘ଅଶ୍ରୁ’’ ଦେଖିଥିଲି । ମୁଁ ପୁଣି କିପରି ଘିନୁଆର ଜନକଙ୍କର ବିଶ୍ୱାସ ବିରୋଧୀ କାର୍ଯ୍ୟକଳାପ ଭିତରେ ଆପଣଙ୍କୁ ଅପମାନିତ କରିବି । ମୁଁ ଜାଣେ, ଆପଣ ଏହା ପସନ୍ଦ କରିବେ ନାହିଁ ବା କରିନଥାନ୍ତେ । ତେଣୁ ମୁଁ ଆପଣଙ୍କୁ ପ୍ରଣତି ଜଣାଇବି ନାହିଁ । ଆପଣ ପରା ସାଥୀ, କମ୍ରେଡ୍‍–ସାଥୀ ବା କମ୍ରେଡ୍‌ ପ୍ରଣତି ଚାହାନ୍ତିନିତ, ଚାହାନ୍ତି ଶ୍ରଦ୍ଧା ।

ମୁଁ ପୁଣି ଥରେ ଆପଣଙ୍କର ସୁଖଦୁଃଖ, ହସଖୁସିର ପ୍ରତୀକ ‘ଘିନୁଆ’କୁ ମନେପକାଇ, ମୋର ଶ୍ରଦ୍ଧା ଜଣାଉଛି । ଆପଣ ଥିଲେ ଜଣେ ଯୋଦ୍ଧା । ଏବେ ବି ମୋ ମନରେ ଆପଣଙ୍କର ଯୋଦ୍ଧୃ ଭାବ ପ୍ରତି ଶ୍ରଦ୍ଧା ରହିଛି । ଆପଣ ଭାଙ୍ଗିବାକୁ ଚାହୁଁଥିଲେ, କାରଣ ‘ଗଢ଼ିବାର’ ସ୍ୱପ୍ନ ନେଇ ପାଗଳ ଥିଲେ । ସେଇ ସ୍ୱପ୍ନବାଦୀ ମନକୁ ମୁଁ ଶ୍ରଦ୍ଧା ନଜଣାଇବି କେମିତି ?

ଆପଣଙ୍କର ମୃତ୍ୟୁ ହୋଇଗଲା ୧୯୪୩ରେ । ଆପଣ ସ୍ୱାଧୀନତା ପ୍ରାପ୍ତିର ନୂତନ ସୂର୍ଯ୍ୟ ଦେଖିବାକୁ ନାହାନ୍ତି । ମୋ ବିଚାରରେ ଆପଣଙ୍କ ମୃତ୍ୟୁ ହୋଇଛି ଅକାଳରେ, କିନ୍ତୁ ‘କାଳର’ ନିର୍ଦ୍ଦେଶରେ । ଆପଣ ଅଳ୍ପ ବୟସରେ ମରିଯାଇଛନ୍ତି ଖୁବ୍‌ ଭଲ ହୋଇଛି । ବଞ୍ଚିଥିଲେ ଆପଣ ଆଜି ହୁଏତ କାନ୍ଦୁଥାନ୍ତେ, କିମ୍ୱା ବନ୍ଦୀଶାଳାରେ ପଡ଼ି ସଢ଼ୁଥାନ୍ତେ । କିମ୍ବା ଆପଣଙ୍କୁ ଏ ସମାଜ ଏକ ବଦ୍ଧ ପାଗଳରେ ପରିଣତି କରି ସାରନ୍ତାଣି । ପାଗଳାମିକୁ ଏ ସମାଜ ପସନ୍ଦ କରେ ନାହିଁ । ତେଣୁ ଆପଣ ବଞ୍ଚିଥିଲେ, ଦୁଃଖ ପାଇଥାନ୍ତେ, ଆପଣଙ୍କ ସ୍ୱପ୍ନ ପ୍ରତି ମୁହୂର୍ତ୍ତରେ ଭାଙ୍ଗିଯାଉଥିବା ଦେଖି ଆପଣଙ୍କର ଅନ୍ତରାତ୍ମା କାନ୍ଦିଥାନ୍ତା ଗୁମୁରି ଗୁମୁରି । ଆପଣଙ୍କର ଦୁଃଖ ମୁଁ ଦେଖି ପାରିନଥାନ୍ତି–ତେଣୁ ମୁଁ ପୁଣି ଥରେ କହୁଛି ‘‘ଆପଣଙ୍କର ମୃତ୍ୟୁ ଆପଣଙ୍କ ପକ୍ଷରେ ମଙ୍ଗଳକର ହୋଇଛି ।’’ ଆପଣଙ୍କର ଅକାଳ ମୃତ୍ୟୁ ଘଟିଥିବାରୁ ଆପଣଙ୍କ ପ୍ରତି ମୋର ଶ୍ରଦ୍ଧା ବଢ଼ିଯାଇଛି ।

ବେଳେ ବେଳେ ମୋର ମନେହେଉଛି ମୁଁ ଆପଣଙ୍କ ପରି ମରି ଯାଇ ପାରନ୍ତି କି ? କିନ୍ତୁ ଏ ସମାଜରୁ ଏତେ ଶୀଘ୍ର ଅପସରି ଯିବାକୁ ମୋର କାହିଁକି ମନ ବଳୁନି–ମୁଁ ଏବେ ବି ଭାବୁଛି, ମୋ ବାହୁରେ ବଳ ଅଛି, ମନରେ ଦମ୍ଭ ଅଛି, ଆଉ ଏବେ ବି ମୁଁ ସ୍ୱପ୍ନ ଦେଖୁଛି, ଏ ସମାଜର ଏକ ପରିବର୍ତ୍ତନ ଦେଖିବା ପାଇଁ–କିନ୍ତୁ ଭିନ୍ନ ପନ୍ଥାରେ । ଆପଣଙ୍କ ପନ୍ଥା ମୋ ନିକଟରେ ଗ୍ରହଣୀୟ ନୁହେଁ । କାରଣ ମୁଁ ଏକ ଭିନ୍ନ ପରିବେଶରେ ବାସ କରୁଛି । ଏ ଭିତରେ ଏଇ ଜଗତରେ ବହୁ ବାତ୍ୟା ବହିଯାଇଛି । ମୋର ବିଶ୍ୱାସ ଆପଣ ବି ଏଭିତରେ ଆପଣଙ୍କର ପନ୍ଥା ବଦଳାଇ ସାରନ୍ତେଣି । ଆପଣଙ୍କର ଅନେକ ବନ୍ଧୁ, ସହକର୍ମୀ ଏକଥା କରିଛନ୍ତି–ଆପଣ ନକରନ୍ତେ କାହିଁକି ? ଆପଣ ତ ଦେବତା ନୁହନ୍ତି । ଆପଣ ମଣିଷ–ରକ୍ତ ମାଂସର ମଣିଷ, ସ୍ୱପ୍ନବାଦୀ ମଣିଷ, ସ୍ରଷ୍ଟା । ଘିନୁଆର ଜନକ । ତେଣୁ ମୁଁ ଆପଣଙ୍କୁ ପୁଣିଥରେ ଶ୍ରଦ୍ଧା ଜଣାଉଛି ।

ଆଜି ଦିଆଲୀ । ବାହାରେ ଆଲୋକର ସାଜସଜ୍ଜା । ଆଜି କେତେ ‘‘ବଡ଼ବଡ଼ୁଆ ଅନ୍ଧାରରେ ଆସି ଆଲୁଅରେ ଫେରିଯିବେ’’ । ମୁଁ ଜାଣେ ଆପଣ ଆସିବେ ନାହିଁ । ଆପଣଙ୍କର ପିଲାମାନେ ଆପଣଙ୍କୁ ଡାକିଲେ ବି ଆପଣ ଆସିବେ ନାହିଁ । କାରଣ ଆପଣ ଏ ପରମ୍ପରାରେ ବିଶ୍ୱାସୀ ନୁହନ୍ତି । ମୁଁ ଜାଣେ ଆପଣ ଆପଣଙ୍କର ବିଶ୍ୱାସରେ ଅତୁଟ ରହିବାକୁ ଚାହାନ୍ତି । ଆପଣଙ୍କର ଏ ‘‘ଜିଦ୍‌’’ ସହିତ ମୁଁ ଖୁବ୍‌ ପରିଚିତ । କାରଣ ମୁଁ ନିହାତି ଜିଦଖୋର ଲୋକ । ଜିଦଖୋର ଲୋକ ହିଁ ଜିଦ୍‌କୁ ସମ୍ମାନ ଦେଇ ଜାଣେ । ତେଣୁ ହେ ଘିନୁଆର ଜନକ ! ମୁଁ ଆପଣଙ୍କୁ ଶ୍ରଦ୍ଧା ଜଣାଉଛି ଆପଣଙ୍କର ସେଇ ଜିଦ୍‌ପାଇଁ ।

ଆପଣଙ୍କର ପିଲାମାନେ ଡାକିଲେ ଆପଣ ନ ଆସି ପାରନ୍ତି–କାରଣ ସେମାନେ ଆପଣଙ୍କଠାରୁ ଜନ୍ମ । ତେଣୁ ଆପଣ ତାଙ୍କ ଉପରେ ପିତୃତ୍ୱ ଜାହିର କରିପାରନ୍ତି । କିନ୍ତୁ ମୁଁ ଆପଣଙ୍କୁ ଆଜି ଡାକୁଛି–ଆପଣଙ୍କର ବିଶ୍ୱାସଭଙ୍ଗ କରିବା ପାଇଁ ନୁହେଁ–କେବଳ ଆପଣଙ୍କ ସହିତ ମୁକାବିଲା କରିବା ପାଇଁ । ଆପଣ ଯେଉଁ ବେଶରେ ଆସନ୍ତୁ, ମୋର ଭୟ ନାହିଁ । ମୁଁ ଭୂତ-ପ୍ରେତକୁ ଅସ୍ୱୀକାର କରେ ନାହିଁ; କିନ୍ତୁ ଭୟ କରେ ନାହିଁ । ତେଣୁ ମୁଁ ଆଜି ଆପଣଙ୍କୁ ଡାକୁଛି, ଆପଣ ଆସନ୍ତୁ, ଦେଖିଯାନ୍ତୁ ଆପଣଙ୍କର ଚରାଭୂଇଁ ଓଡ଼ିଶାକୁ–କଳିଯାନ୍ତୁ ଓଡ଼ିଆଙ୍କର ପ୍ରଗତି । ଜଣେ ଓଡ଼ିଆ ଭାବରେ, ଜଣେ ପଡ଼ୋଶୀ ଭାବରେ ଆପଣଙ୍କୁ ମୋର ଏଇ ଆହ୍ୱାନ, ଆପଣ ଆସି ଦେଖିଯାନ୍ତୁ ୧୯୭୪ର ଏଇ ଦିଆଲୀ–‘‘ବଡ଼ବଡ଼ୁଆ’’ ଭାବରେ ନୁହେଁ, ଭଗବତୀଚରଣ ପଣିଗ୍ରାହୀ ଭାବରେ । ଅନ୍ଧାରରେ ଆସି ଆପଣଙ୍କର ଆଖି ଆଲୁଅରେ ଜାଲଜାଲୁଆ ହୋଇଯିବ । ଆପଣ ଖାଲି ଦେଖିବେ ଚାରିଆଡ଼େ ଅନ୍ଧାର ଆଉ ଅନ୍ଧାର... ଅନ୍ଧାରର ଏକ ରୋଷଣୀ । ଆପଣ କ’ଣ କେବେ ଅନ୍ଧାରର ରୋଷଣୀ ଦେଖିଛନ୍ତି ? ଆପଣ ଆସନ୍ତୁ–ମୁଁ ଆପଣଙ୍କୁ ସାଙ୍ଗରେ ନେଇ ଦେଖେଇବି ଅନ୍ଧାରର ଏଇ ରୋଷଣୀ–ଦିଆଲୀର ଏଇ ଆଲୋକସଜ୍ଜା ଭିତରେ ଆମେ କେବଳ ଅନ୍ଧାରକୁ ସାମୟିକ ଦୂର କରିବାର ପ୍ରଚେଷ୍ଟା କରି ଚାଲିଛୁ–ସେ ବି ବର୍ଷରେ ଥରେ । କିନ୍ତୁ ଆମ ଭିତରଟା ଅନ୍ଧାରରେ ଜମାଟ ବାନ୍ଧି ରହିଛି ।

ଆଜି ଥରେ ଆସନ୍ତୁ–ଆପଣ ଓ ମୁଁ ବୁଲିବା ଜନପଥରେ, ଗାଁ ଗହଳରେ, ବଣବୁଦାରେ–ହାତରେ ହାତ ମିଳାଇ । କିନ୍ତୁ ମନେରଖନ୍ତୁ, ମୁଁ ଆପଣଙ୍କର ‘ପନ୍ଥା’ର ସମର୍ଥକ ନୁହେଁ-। କାରଣ ମୁଁ ଆପଣଙ୍କ ଅପେକ୍ଷା ୩୧ ବର୍ଷ ଅଧିକ ଦେଖିଲିଣି ଏଇ ପୃଥିବୀକୁ । ସେ ଦୃଷ୍ଟିରୁ, ମୋ ଦେଖିବା ଆପଣଙ୍କଠାରୁ ବୟସରେ ଜ୍ୟେଷ୍ଠ । ତଥାପି ମୁଁ ଆପଣଙ୍କୁ ଶ୍ରଦ୍ଧା କରେ ଓ କରିବି ।

ମୁଁ ଜାଣେ ଆପଣ ଆସିବେନି । କାରଣ ଆପଣଙ୍କର ପିଲାମାନେ ଆପଣଙ୍କୁ ଡାକୁ ନାହାନ୍ତି ବୋଲି, ଆପଣ ଅଭିମାନ କରିବେ । ପ୍ରେତଲୋକରେ ବା ପିତୃଲୋକରେ ବସି ଆପଣଙ୍କର ସହକର୍ମୀମାନଙ୍କ ନିକଟରେ ଦୁଃଖପ୍ରକାଶ କରିବେ । ଆପଣଙ୍କର ପିଲାଏ ଯଦି ଆପଣଙ୍କୁ ନ ପଚାରିଲେ, ଏଥିପାଇଁ ଯଦି ଆପଣ ଦୁଃଖ କରନ୍ତି, ତେବେ ଆପଣଙ୍କୁ ମୁଁ ବିପ୍ଳବୀ କହିବି ନାହିଁ । ତେଣୁ ଆପଣ ବାରି ନିଅନ୍ତୁ–ଦୁଃଖ କରିବେ ନା ବିପ୍ଳବୀର ଉପାଧି ପରିତ୍ୟାଗ କରିବେ । ଆପଣଙ୍କ ଉପରେ ମୁଁ ମୋର ମତ ଚପାଇ ଦେବାକୁ ଚାହୁଁନାହିଁ–କାରଣ ମୁଁ ଗଣତନ୍ତ୍ରରେ ବିଶ୍ୱାସ କରେ । ତେଣୁ ହେ ଘିନୁଆର ଜନକ ! ମୁଁ ପୁଣିଥରେ ଆପଣଙ୍କୁ ଡାକୁଛି–ଆପଣ ଆସନ୍ତୁ, ଆଜି ଦିଆଲୀରେ ଆମେ ସାଙ୍ଗ ହୋଇ ବୁଲିବା, ରାତିର ଅନ୍ଧକାର ଭିତରେ ଘିନୁଆର ରାଜ୍ୟକୁ ଚାଲିଯିବା । ସେଇଠି ଦେଖିବା ଆପଣଙ୍କର ଓ ମୋ ସ୍ୱପ୍ନର ପାର୍ଥକ୍ୟ । ଆପଣଙ୍କର ସ୍ୱପ୍ନ ଭାଙ୍ଗିଯାଇଛି–ମୁଁ ଏବେ ବି ବିସ୍ୱପ୍ନ ଦେଖୁଛି ଯେ ‘ଘିନୁଆ’କୁ କେବଳ ବଞ୍ଚିବାକୁ ପଡ଼ିବ ନାହିଁ, ତାକୁ ବଞ୍ଚେଇବାକୁ ପଡ଼ିବ । ଆପଣ କ’ଣ ଏ କାମରେ ମତେ ସାହାଯ୍ୟ କରିବେ ନାହିଁ–ଥିଲେ ବି ଆପଣଙ୍କର ଓ ମୋର ଘୋଷିତ ପନ୍ଥାରେ ପାର୍ଥକ୍ୟ ।

ଆପଣ ଆସନ୍ତୁ ବା ନ ଆସନ୍ତୁ ମୁଁ ଘିନୁଆକୁ ଭଲଯାଏ, ତେଣୁ ମୁଁ ଏକାକୀ ଯିବି । ଘିନୁଆକୁ ଓ ତା’ର ବଂଶଧରମାନଙ୍କୁ ଦେଖି ଆସିବି । ସେମାନଙ୍କୁ ବଞ୍ଚେଇବା ଯେ ମୋର ଦାୟିତ୍ୱ । ତେଣୁ ଆପଣ ଆଜି ଅଭିମାନରେ ନ ଆସି ପାରନ୍ତି । ମୁଁ ଜାଣେ ଆପଣ କାଲି ଆସିବେ–ପରବର୍ଷ ଦିଆଲୀରେ ଆସିବେ, ମୋ ସହିତ କଥାବାର୍ତ୍ତା କରିବେ, ଆଳାପ ଆଲୋଚନା କରିବେ, ପରମ୍ପରାକୁ ନ ଭୁଲି ‘‘ବୟସ’’ର ସମ୍ମାନ ଆପଣ ମୋଠୁ ଦାବି କରିବେ । ମୁଁ ଦେବାକୁ ପ୍ରସ୍ତୁତ ହୋଇ ରହିଥିବି; କିନ୍ତୁ ଆପଣଙ୍କୁ ସମ୍ମାନ ଦାବି କରିବାକୁ ପଡ଼ିବ । ଆପଣ ତ ଧର୍ମଧାରଣାର ପୃଷ୍ଠପୋଷକ ନୁହନ୍ତି । ଆପଣଙ୍କୁ ସମ୍ମାନ ଦେବ କିଏ ? ଆପଣଙ୍କୁ ସମ୍ମାନ ଦାବି କରିବାକୁ ପଡ଼ିବ-। ତେବେ ଯାଇ ଆପଣ ସମ୍ମାନ ପାଇ ପାରନ୍ତି !

କିନ୍ତୁ ମୁଁ ଆପଣଙ୍କୁ ଶ୍ରଦ୍ଧା କରିଛି ଓ କରିବି । ଜଣେ ନେତା ଭାବରେ ନୁହେଁ, ଜଣେ ସମାଜବାଦୀ ଭାବରେ ନୁହେଁ–ଜଣେ ମଣିଷ ପରି ମଣିଷ ଭାବରେ । ତେଣୁ ହେ ମାନବବାଦୀ ଭଗବତୀ ! ଘିନୁଆର ଜନକ ଭଗବତୀ ! ମୁଁ ଆଜି ମୋ ବିଶ୍ୱାସରେ ଆପଣଙ୍କୁ ଶ୍ରଦ୍ଧା ଜଣାଉଛି–‘‘ଆପଣ ବାଇଶ ପାହାଚରେ ଗଡ଼ଗଡ଼ଉ ଥାନ୍ତୁ ।’

୧୯୭୫, ୧୯୭୬ କିମ୍ୱା ୧୯୮୪ କେବେ ନିଶ୍ଚୟ ଆପଣ ଆସିବେ, ଦିଆଲୀରେ–ହଁ, ଏଇ ଦଆଲୀରେ–ଦେଖିଯିବାକୁ ଆପଣଙ୍କର ପ୍ରିୟଜନମାନଙ୍କୁ ! ମୁଁ ସେଇ ଦିନକୁ ଅପେକ୍ଷା କରି ରହିଛି । ଆଜି ଆପଣଙ୍କୁ ଶ୍ରଦ୍ଧା ଜଣାଉଛି, ପୁଣି ସେ ଦିନ ଆପଣଙ୍କୁ ମୋର ଶ୍ରଦ୍ଧା ଜଣାଇବି–ଘିନୁଆର ଜନକ ଭଗବତୀଚରଣ ଭାବରେ ।

ଘିନୁଆ ଯଦି ନ ବଞ୍ଚେ, ଆପଣ ବଞ୍ଚିପାରିବେ ନାହିଁ । ଘିନୁଆକୁ ବଞ୍ଚେଇବାକୁ ମୁଁ ଶପଥ ନେଇଛି–ଆଜିର ଏ ଦିଆଲୀରେ ଆପଣ ମୋର ପନ୍ଥାକୁ ଘୃଣା କରିପାରନ୍ତି–କିନ୍ତୁ ମୋତେ ଘୃଣା କରିପାରିବେ ନାହିଁ । କାରଣ ଆପଣଙ୍କର ଲକ୍ଷ୍ୟ ଓ ମୋର ଲକ୍ଷ୍ୟ ଏକ–ପନ୍ଥା ଯଦିଓ ଭିନ୍ନ ।

ତେଣୁ ହେ ଘିନୁଆର ଜନକ ଭଗବତୀ ! ଆପଣଙ୍କୁ ମୁଁ ୧୯୭୪ର ଦିଆଲୀରେ ଶ୍ରଦ୍ଧା ଜଣାଉଛି । ଆପଣଙ୍କଠାରୁ ପ୍ରତିବଦଳରେ ଶ୍ରଦ୍ଧା ଚାହୁଁଚି, ଆଶୀର୍ବାଦ ନୁହେଁ ।

ଶ୍ରଦ୍ଧା ଚାହୁଁଚି......ଆଶୀର୍ବାଦ ନୁହେଁ......ଶ୍ରଦ୍ଧା ଚାହୁଁଚି......ଆଶୀର୍ବାଦ ନୁହେଁ...... ।

ଆପଣଙ୍କର

ଭାବଗ୍ରାହୀ ମିଶ୍ର

(ଆଧୁନିକ, ୧୯୭୪)

Image

 

ଚେତନାରେ ଅଭିବ୍ୟକ୍ତି

 

ମୁଁ କିଏ ?

 

ଆଠବର୍ଷ ପରେ ଆମେରିକାରୁ ଫେରି ଓଡ଼ିଶା ଭୂଇଁରେ ପହଞ୍ଚିବା ପ୍ରାୟ ଆଠ ମାସ ହୋଇଗଲା । ଏହି ଆଠମାସ ଭିତରେ ବହୁ ରାଜନୈତିକ ନେତା, ସମ୍ୱାଦପତ୍ର ସମ୍ପାଦକ, ଇଞ୍ଚିନିୟର, ଅଧ୍ୟାପକ, ଚାଷୀ, ମୂଲିଆ, ରିକ୍‌ସାଚାଳକ, ଟ୍ୟାକ୍‌ସି ଡ୍ରାଇଭର, ଶିକ୍ଷିତ ବେକାର ଯୁବକ, ଆଶାୟୀ ନେତା, ବିଫଳ ମନୋରଥ ସାମ୍ବାଦିକ, ‘‘ଘରୋଇ’’ ନାଗରିକଙ୍କ ସାଙ୍ଗରେ (ଏ ତାଲିକା ସମ୍ପୂର୍ଣ୍ଣ ନୁହେଁ–କେବଳ ଉଦାହରଣ) କଥାବାର୍ତ୍ତା, ଫୁସ୍‌ଫାସ, ରଙ୍ଗମଞ୍ଚୋଚିତ ବାହାସ୍ଫୋଟ, କାକୁତି ମିନତି, ଦାବି ଇତ୍ୟାଦି ଇତ୍ୟାଦି ଅନେକ କରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ (ଆଦି ଯେତେ ‘ଇକ’ ପ୍ରତ୍ୟୟାନ୍ତ ଶବ୍ଦର ସମାରୋହ ଆପଣ କରିପାରନ୍ତି) ଜୀବନର ଗତି, ପ୍ରଗତି ବା ଦୁର୍ଗତିର ଏକ ବ୍ୟକ୍ତିକ କଳନା କରିବା ଆରମ୍ଭ କରିଛି । ଏହି କଳନା କେତେବେଳେ ସମାଜବିଜ୍ଞାନର ମାପ କାଠିରେ, ଅଥବା କେତେବେଳେ ମାନବବିଜ୍ଞାନୀ ଦୃଷ୍ଟିକୋଣରୁ । କେତେବେଳେ ମତେ ବେଶ୍‌ ଶୁଣେଇ ଦବାକୁ ପଡ଼ିଛି, କେତେବେଳେ ଲଜ୍ଜ୍ୟାରେ ମୁହଁ ତଳକୁ କରିବାକୁ ପଡ଼ିଛି, କେତେବେଳେ ଆପୋଷ ମିଳାମିଶାରେ ତାତ୍‌କାଳିକ ନ୍ୟାୟ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବାକୁ ପଡ଼ିଛି । ଏଇସବୁ କାମରେ କେତେବେଳେ ଆସିଛି କ୍ଷୋଭ, ହତାଶା, ଜେତାର ଆନନ୍ଦ, ପରାଜିତର ଗ୍ଳାନି ଆଦି ଅନେକ । ମୋର ଏ ଯେଉଁ ଆଠମାସିଆ ଅନୁଭୂତି, ଦଶମାସିଆ ହେବାକୁ ଆହୁରି ଦୁଇମାସ ବାକି ଅଛି । କିନ୍ତୁ ଶାରୀରିକ ଓ ମାନସିକ ଚେତନା ତ କ୍ୟାଲେଣ୍ତରର ତାରିଖକୁ ଅପେକ୍ଷା କରେନା–ବିଶେଷତଃ ଭାରତୀୟ ସଂସ୍କୃତିରେ ଯେଉଁଠି ସମୟର କଳନା କରିବାର, ସମୟକୁ ଯୋଜନାର ପରିଧି ଭିତରେ ମାଡ଼ି ମକଚି ପୂରେଇବାର ଚେଷ୍ଟା ଏବେ ବି ଚାଲିଛି–ସଫଳ ହେବା ତ ଅନେକ ସମୟ ସାପେକ୍ଷ । ୟା’କୁ ହିଁ କହନ୍ତି ଅଧୁନିକ ଜୀବନ ସହିତ ପରମ୍ପରା ଜନିତ ଅଭ୍ୟାସର ସଂଘର୍ଷ । ଏ ସଂଘର୍ଷ ଓଡ଼ିଶାରେ ଆରମ୍ଭ ହେଲାଣି ୧୯୩୬ରୁ । ଭାଷା ସଂଘର୍ଷରୁ ଏହାରି ଜନ୍ମ । ଏହାର ଶେଷ କେଉଁଠି ତା’ର କଳନା କରିବା ମୋ ପକ୍ଷରେ ସମ୍ଭବ ନୁହେଁ । କାରଣ ମୁଁ ଭବିଷ୍ୟବାଦୀ ନୁହେଁ । ତେବେ ମୁଁ କିଏ ?

 

ଏବେ କିଛିଦିନ ହେବ ଓଡ଼ିଶାର (ବୃହତ୍ତର ଭାରତୀୟ ଓ ଆନ୍ତର୍ଜାଜୀୟ ପରିପ୍ରେକ୍ଷୀରେ) ରାଜୈତିକ ଜୀବନର ଗଣାପୋଛା କରିବାକୁ ଚେଷ୍ଟା କରୁଛି–ତାରି ଭିତ୍ତିରେ ମୁଁ କିଏ’ର ଉତ୍ତର ଲୋଡ଼ା ପଡ଼ିଛି । ଧରନ୍ତୁ ମୁଁ ମୋ ନିଜ କଥା କହୁଛି । ସେଥିରେ କ୍ଷତି ବା କ’ଣ । ‘ମୁଁ’ ସେଇ କଥାକୁ ପ୍ରଥମ ବଚନରେ, ବହୁବଚନରେ, ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ ବା କ୍ଳୀବ ଲିଙ୍ଗିରେ (Neutral ଅର୍ଥରେ ! ) ବା ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ବା ତୃତୀୟ ପୁରୁଷରେ କହିବାକୁ ଚାହେଁ । କିମ୍ୱା ଏସବୁକୁ ଗୁଣି, ହରି, ମିଶାଇ ଫେଡ଼ାଇ, ମୋ ମନକୁ ପାଇଲ ଭଳି ଭାଷାରେ, ପୁଣି ମୋର ‘ଶକ୍ତି ସାମର୍ଥ୍ୟ’ ଜରିଆରେ ପ୍ରକାଶ କରିବାକୁ ଚାହେଁ । ପ୍ରକାଶ କରିବାର ଏହି ଯେଉଁ ଆଠମାସିଆ ବେଦନା, ତା’କୁ ଆପଣ ବା ତୁମେ ବା ତୁ, ଏହି ତିନୋଟି ଶ୍ରେଣୀର ଲୋକେ କିମିତି ଗ୍ରହଣ କରିବେ; କିମିତି ବିଚାର କରିବେ, ନ ଜାଣି ନ ଶୁଣି କି ମନ୍ତବ୍ୟ ଦେବେ ବା ଜାଣି ଶୁଣି ନ ଜାଣିଲାର ‘ଭାନ୍‌’ (ବଙ୍ଗଳା ହୋଇଗଲା–କ୍ଷତି କ’ଣ, Executive Engineer ତ ନିର୍ବାହୀ ଯନ୍ତ୍ରୀ ହେଲେଣି) କରି, ଆଖି ନଚେଇ ମୁରୁକି ହସି, ଦାନ୍ତଚିପି କଥା କହିବେ, ‘‘ଅଥବା ଅନ୍ଧାର’’ ଭିତରେ ଲୁଚି ଛପି ରହି ଆଲୋକ ପାଇଥିବାର, ଶ୍ରେଣୀହୀନ ସମାଜ ଗଠନର ବ୍ୟାଖ୍ୟା କରିବେ–ସେଟା ଆପଣଙ୍କର, ତୁମର, ତୋର ବିଚାରଧାରା; ସେଟା ମୋର ନୁହେଁ । ମତ ମିଳିଲେ କଥାଭାଷା ହେବା, ସୁଖ ଦୁଃଖ ହେବା, ବଙ୍ଗୀୟରୀତିରେ ଆଲିଙ୍ଗନ, କିମ୍ବା ପାଶ୍ଚାତ୍ୟ ରୀତିରେ କରମର୍ଦ୍ଦନ ବା ‘ଭାରତୀୟ’ ରୀତିରେ ‘‘ନମସ୍କାର ଆସନ୍ତୁ, ବସନ୍ତୁ, ମୁଁ କ’ଣ କରିପାରେ’’ ଆଦିର ସମାରୋହ ଭିତରେ ସମୟ କଟିବ । ନ ମିଳିଲେ ଆପଣ ଆପଣଙ୍କ ଘରକୁ ଯିବେ, ତମେ (ତୁମେ କହିଲେ ଟିକେ ଓଜନିଆ ହେଇ ଯାଉଛି) ଯୁଆଡ଼େ ଯାଉଛ ଯାଅ । ‘‘ତୁ ଅବଶ୍ୟ ଆଉଥରେ ଆସିବୁ’’ କିମ୍ୱା ‘‘ତୁ ନ ଆସିଲେ ଚଳିବ ନାହିଁରେ’’–ଆମ ଜୀବନର (ରାଜନୈତିକ) ଧାରା ଗଡ଼ି ଚାଲିଛି । ଏବେ ରାଜୀବନୀତି, ପଶାଖେଳ, ବାଡ଼ିଆ ବାଡ଼େଇ ଭିତରେ କି ଫରକ ଅବା । ଏଠି କେହି ଖେଳୁଛି ଜିତିବା ପାଇଁ, କେହି ଖେଳୁଛି ଜାଣି ଶୁଣି ହାରିବା ପାଇଁ କିନ୍ତୁ ଅପରକୁ ତା’ ସାଙ୍ଗରେ ହରେଇବା ପାଇଁ ବା ଅନ୍ୟ କିଏ ଖାଲି ତୁଚ୍ଛା ଖେଳିବା ପାଇଁ । ସେଠି ଜିତିବାର ବା ହାରିବାର ପ୍ରଶ୍ନ ନାହିଁ । ହାରିଲେ ଦୁଃଖ ନାହିଁ, ଜିତିଲେ ଆନନ୍ଦ ନାହିଁ । ୟେ କେବଳ ‘ଜିଦ୍‌’ର ଗୋଲକଧନ୍ଦା ।

 

ତେବେ ‘ମୁଁ’ କିଏ ?

 

ମୁଁ ଭାବଗ୍ରାହୀ ମିଶ୍ର–ଓରଫ ଡକ୍ଟର ଭାବଗ୍ରାହୀ ମିଶ୍ର, ଡାକ ନାମ ଧୂନ, ବସୟ ୪୦ ବର୍ଷ–ମୁଁ ଏକ ଚାଳିଶ କହିବାକୁ ଚାହେଁ, କିନ୍ତୁ ମୋ ସ୍ତ୍ରୀ ତା’ ମତେ କୁହାଇ ଦେବେନି ବୋଲି ବଦ୍ଧ ପରିକର । ଯଦି ସେ ଅନୁମତି ଦିଅନ୍ତେ ତେବେ ମୁଁ ଆଉ ପାଦେ ଆଗେଇ ଯାଇ ତା’କୁ ୪୨ କରିବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ । (କାରଣ ଚୀନ ରୀତିରେ ୧୦ ମାସର ଗର୍ଭସ୍ଥିତି ମଧ୍ୟ ଗଣନା କରିବା କଥା, କାରଣ ସେଇଠୁଁ ଜୀବନର ଆରମ୍ଭ, ପ୍ରଥମ ପ୍ରକାଶ) । ପୁଣି ମୁଁ ଜଣେ ପ୍ରତିଭାଶାଳୀ ବ୍ୟକ୍ତି, କିମ୍ୱା ଜଣେ ଟାଉଟର, ଜଣେ ହତାଶ ପ୍ରେମିକ, ଜଣେ ଶୁଦ୍ଧ ନାଗରିକ ବା ସାଧାରଣ ଲୋକ । ସେଦିନ ଆମ ଗାଁର ବିକଳ ଅବଧାନେ ମୋ ଘରେ ପହଞ୍ଚିଲେ । ଉଦ୍ଦେଶ୍ୟ ମତେ ଦେଖିଯିବେ, ଭଲମନ୍ଦ ବିଚାର କରି ମତେ ମୋ ଭବିଷ୍ୟ ଜୀବନର ବାଣୀ ଶୁଣେଇ ଦେଇ ଯିବେ । ଯାହାକୁ ଭିତ୍ତି କରି ମୁଁ ‘ଶ୍ରେଣୀହୀନ ସମାଜ ଗଠନର’ ପରିକଳ୍ପନାକୁ ଦ୍ରୁତ ଗତିରେ ବା ଧୀର ମନ୍ଥର ଗତିରେ ଆଗେଇ ନେଇ ପାରିବି । ମୋ ରାଶି ନକ୍ଷତ୍ର କଥା ଜାଣିବାକୁ ଚାହାନ୍ତି–ମୂଳା ଧନୁ ୧୯।୯, ‘ତ୍ରୟୋସ୍ପର୍ଶ ତିଥି’ରେ ୪୦।୪୧।୪୨ ବର୍ଷ ପୂର୍ବେ ଜନ୍ମ–‘ଶୁଭ ମୁହୂର୍ତ୍ତ’ରେ । ବାପ ମା ଦଦେଇ ଜେଠେଇ, ଗାଁବାଲଙ୍କ ଆନନ୍ଦ ଭିତରେ । କିନ୍ତୁ କିଏ ଜାଣିଥିଲା ଏଇ ଶୁଭ ମୁହୂର୍ତ୍ତର ପରିପ୍ରକାଶ, ଆଉ କେତେକଙ୍କ ଜୀବନରେ ‘ଅଶୁଭ’ର ଇଙ୍ଗିତ ଆଣିଦେବ ?

 

ମୁଁ ପୁଣି ଦୀର୍ଘକାୟ ୫ ଫୁଟ ୧୦ ଇଞ୍ଚ ଅଧେ କହିଲେ, ଲୋକେ ସନ୍ଦେହ କରନ୍ତି, ନାଁ ମ ଛଅପୁଟ ହୋଇଥିବ ! ପୁଣି କେତେ ‘ମିଟର’ ବୋଲି ଲୋକେ ପଚାରିଲେ ମୁଁ ଅବାକ୍‌ ହବାଛଡ଼ା ଉପାୟ ନାହିଁ । କାହାକୁ ଏଇଟା ମନେ ହେବ ମୋ ବୁଦ୍ଧିହୀନତା ବା ‘ପଣ୍ତିତ ପଣିଆ’ର ଅଭାବ ବୋଲି । ହଁ ଭୁଲି ଯାଇଥିଲି ‘ଆମଘର’ ଆମ ଗାଁରେ ‘ପଣ୍ତିତ ଘର’ ବୋଲି ଜଣା । ବାପାଙ୍କ ନାଁ କହିଲେ ବା ଦଦେଇଙ୍କ ନାଁ କହିଲେ ବା ମୋ ନାଁ କହି ଆମ ଘର ଖୋଜିଲେ ଲୋକେ କାବାହୋଇ ଆପଣଙ୍କର, ତମେର ବା ତୋ ମୁହଁକୁ ଚାହିଁବେ । କେବେ ସିନା ମୋ ଗୋଁସବାପା ଦର୍ପଣୀ ରାଜାଙ୍କର ସଭାପଣ୍ତିତ ଥାଇ ‘ଗୀତା’ର ଭାଷ୍ୟ କଥା ଚର୍ଚ୍ଚା କରୁଥିଲେ, ରାଜାଙ୍କୁ ଉପଦେଶ ଛଳରେ, ବ୍ରାଦ୍ମଣ ପଣିଆର ଜ୍ଞାନ ଗାରିମା ବଳରେ ଚମତ୍କୃତ କରୁଥିଲେ, କିନ୍ତୁ ମୋ ବାପା ଇଞ୍ଜିନିୟର, ଦଦେଇ କିରାଣୀ, ମୁଁ– ? କିନ୍ତୁ ଆମ ଘର ଏବେ ବି ‘ପଣ୍ତିତ ଘର’ । ଆମେ ଏବେ ବି ବ୍ରାହ୍ମଣ–ବିଶେଷତଃ ମୁଁ କୁଆଡ଼େ ଗୋଟାଏ ବଡ଼ ଭାରୀ ‘ବାହ୍ମୁଣିଆ’ ଲୋକ (ଏ କଥା ଥଟ୍ଟାରେ ପରିହାସରେ ସେଦିନ ଜଣେ ‘କରଣ ବନ୍ଧୁ’ ସାହିତ୍ୟିକ ବନ୍ଧୁ କହିଗଲେ) । ତେଣୁ ଦେଶ ପ୍ରଚଳିତ ଧାରାରେ, ସମାଜ ବିଜ୍ଞାନର ସତ୍ୟ ଦୃଷ୍ଟିରେ ମୁଁ ବି ଜଣେ ବ୍ରାହ୍ମଣ । ସେତିକିରେ ପରିଚୟ ଶେଷ ହେଲା ନାହିଁ-। ମୁଁ ଯଜୁର୍ବେଦୀ, କୌତ୍ସସ ଗୋତ୍ର-ସମ୍ଭବ । ବ୍ରାହ୍ମଣଙ୍କର କର୍ମ ହେଲା–ଅଧ୍ୟୟନ, ଅଧ୍ୟାପନ, ଯଜନ, ଯାଜନ, ଦାନ, ପ୍ରତିଗ୍ରହ । ଏ ଛ’ଟି କର୍ମରୁ ପ୍ରଥମୋକ୍ତ ଦୁଇଟି କର୍ମ ମୁଁ କିଛିକାଳ କରିଛି । ସେ ହିସାବରେ ବିଚାର କଲେ ମୁଁ ଟଙ୍କିକିଆ ବାହ୍ମୁଣ ନୁହେଁ । (ହେଲେ ବି ଟଙ୍କାଟା ‘ତିରିଶ ପଇସା’) ଗଣିତ ଶାସ୍ତ୍ର ଦେଇ ହିସାବ କଲେ ମୋ ବାହ୍ମୁଣ ପଣିଆର ଦାମ ୧୦୦/୬=୧୬.୬ * ୨=୩୩.୨-। ବାକିଟା କ’ଣ–ମୁଁ ଲେଖକ, ସାହିତ୍ୟିକ (?) ବୈୟାକରଣିକ (ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କ ଭାଷାରେ), କବି (୪।୬ଟି କବିତା ପ୍ରକାଶ ପାଇଛି), ରାଜନୈତିକ ଲୋକ (କୌଣସି ଦଳର ପ୍ରାଥମିକ ସଭ୍ୟ ନଥାଇ), ବକ୍ତା (ବକ୍ତୃତାର ବିଷୟବସ୍ତୁ ସମ୍ପର୍କରେ ଆଗରୁ ଚିନ୍ତା ନ କରି), ଓଡ଼ିଆ ଅଧ୍ୟାପକ (ଅର୍ଥାତ୍‌ ‘ଓଡ଼ିଆ’ ଭାଷା ଓ ସାହିତ୍ୟର), ମାନବ ବିଜ୍ଞାନ ଅଧ୍ୟାପକ, ଲୋକ ସଂସ୍କୃତିର ଗବେଷକ, ସମାଜବାଦୀ (ଜଣେ ବନ୍ଧୁଙ୍କ ବ୍ୟାଖ୍ୟାରେ) [–କିନ୍ତୁ ମୋ ବାପା ସମାଜବାଦୀ ନଥିଲେ]–ଏକ୍‌ଜିଦିଆ (ପ୍ରଶାସକଙ୍କ ଭାଷାରେ, କାରଣ ମୁଁ ଖୋସାମତ୍‌, ତୋଷାମଦ୍‌ କରି ଶିଖିନି, ଯଦିଓ ଅନେକ ମତେ ଏ ବୟସରେ ତାହା ଶିଖିବାକୁ ପରାମର୍ଶ ଦେଇଛନ୍ତି) ପୁଣ ସେଦିନ ଜଣେ ବନ୍ଧୁ କହିଲେ, ତମେ ଗୋଟାଏ ସର୍ବୋଦୟିଆ ‘ଗଧ’ ବା ଗାନ୍ଧିବାଦୀ ।

 

ଏସବୁକୁ ମିଶେଇ ଦେଖିଲେ ମୁଁ କିଏ ? ମୁଁ କ’ଣ ସୋଽହଂ–ହଁ ବେଳେ ବେଳେ ସେ ଚେତନା ମୋ ଭିତରେ ବି ଧସେଇ ପଶେ–‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’’–ଆହା ! ଅନ୍ଧ କନ୍ଧ (ପୁଣି କବି) ଭୀମା ଭୋଇ ତାଙ୍କ ଜାତି କ’ଣ, ପରିଚୟ କ’ଣ ? ସାରଳା ଦାସ କ’ଣ ଚାଷୀଥିଲେ ନା ମୁନି (ସେ ପୁଣି କି ଜାତି !) ତେବେ ମୁଁ ପୁଣି କିଏ ? ଗୋଟାଏ ଧପ୍‍ପାବାଜ, ଭଣ୍ତ ପ୍ରତାରକ, ରକ୍ତମାଂସରେ ଗଢ଼ା (ମୁଁ ଭଲା କୁଟା, କାଦୁଅ ରଙ୍ଗ ତୁଳୀରେ, କଳାକାରର ସ୍ପର୍ଶରେ ହୋଇଥାନ୍ତି ଗଢ଼ା) ମଣିଷ ! ନାଁ ନାଁ ସେ କଥା ହୋଇ ପାରିବ ନାହିଁ । ମୁଁ ନିଶ୍ଚୟ ପ୍ରଗତି, ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର, ସଂଯୁକ୍ତ ସମାଜବାଦୀ, କମ୍ୟୁନିଷ୍ଟ, (ଶାସକ) କଂଗ୍ରେସ, (ସଙ୍ଗଠନ) କଂଗ୍ରେସ–କିଛି ଗୋଟାଏ ହୋଇଥିବି । ସବୁଯାକ ଏକାସାଙ୍ଗରେ ଦେଖିଲେ–ୟେ ସମସ୍ତେ କ’ଣ ସେହି କଥା କହୁଛନ୍ତି ! ବଡ଼ ବଡ଼ କଥା ‘‘ଗଣତନ୍ତ୍ର’’ ପୁଣି ‘‘ସମାଜବାଦ’’–‘ବଡ଼’ ଲୋକଙ୍କୁ ଉତ୍ତର ନାହିଁ–ସ୍ୱର୍ଗକୁ ନିଶୁଣି ନାହିଁ । ଗଣତନ୍ତ୍ରରେ ସମାଜବାଦରେ ‘ବଡ଼’ କୁଆଡ଼ୁ ଆସିଲେ, ସ୍ୱର୍ଗ କାହିଁ ? ସ୍ୱର୍ଗ ତ ବିଧାନସଭା, ନଚେତ୍‍ ଲୋକସଭା, ନଚେତ୍‌ ରାଜ୍ୟସଭା । ଆହା ! ସମାଜବାଦରେ ପହଞ୍ଚିବାକୁ ଆଉ ଦୁଇ ଆଙ୍ଗୁଳି ବାକି ରହିଗଲା ।

 

ତେବେ ମୁଁ କିଏ ? ମୁଁ ଗୋଟାଏ କୁଆଡ଼େ ‘‘ମଣିଷ’’ ? ସେ ‘‘ମାଟିର’’ ନାଁ ‘‘ଆଜିର ?’’ ଆହା ! କବି କହିଗଲେ ‘‘ଯନ୍ତ୍ର ତତେ କି ମନ୍ତ୍ର ଦେଇଛି ମାଟିର ମଣିଷ ଆରେ । ମୁଗ୍‌ଧ ତୋହର ଚିତ୍ତଗହନେ ଚିନ୍ତି ପାରୁନୁ ବାରେ । ଅନା ଅନା ଫେରି ଥରେ, ମଳିନା ଏମାଟି ପରେ ।’’ ଏଇ ମାଟିରେ ମୋର ଜନ୍ମ । ଗୋଟାଏ ଅପନ୍ତରା ଗାଁରେ, ସେଠିକି ଏବେ ଇଲ୍ଲେଟ୍ରିକ ଗଲାଣି । କିନ୍ତୁ ମୁଁ ଯେ କେପ୍‌ କେନେଡ଼ି ସ୍ପେଶ୍ ସେଣ୍ଟରରୁ ବୁଲି ଆସିଛି । ‘ବଡ଼ ବଡ଼’ ସାହାବଙ୍କ ସାଙ୍ଗରେ ହାତ ମିଳେଇ ଆସିଛି, ଭାରତୀୟ ସଂସ୍କୃତିର ବ୍ୟାଖ୍ୟ କରି ଆସିଛି । କାହିଁ ସେ ସଂସ୍କୃତି, କାହିଁ ସେ ଭାରତ ବର୍ଷ ? ୟେ କ’ଣ ସେହି ଭରତଙ୍କର ଭାରତ ବର୍ଷ । ୟା’କୁ ଭାଙ୍ଗି ଦେବାକୁ ପଡ଼ିବ । ଭରତ ଥିଲେ ଜଣେ ରାଜପୁତ୍ର-ସାମନ୍ତବାଦୀ ତାଙ୍କ ନାଁ ସହିତ ଜଡ଼ିତ ଏ ଦେଶର ନାମ ପରିବର୍ତ୍ତନ ନ କଲେ ଆମେ ସମାଜବାଦ କରିବା କିମିତି ?

 

ତେବେ ମୁଁ ପୁଣି କିଏ ? ଏବେବି ମୋର ଗାର୍ହସ୍ଥ୍ୟ ଜୀବନ ସରିନି, ମୁଁ ପୁଣି କାହିଁକି ସନ୍ୟାସ କଥା ଚିନ୍ତା କରିବି ? ମୋ ସାଙ୍ଗ ଲୋକେ ୬୦, ୬୫, ୭୦, ୭୫, ୮୦, ବର୍ଷରେ ବି ରାଜନୀତି କରନ୍ତି–ଭାରତୀୟ ସଂସ୍କୃତି, ରାମାୟଣର ଆଦର୍ଶ ବଖାଣନ୍ତି, ପ୍ଲେଟୋ, ଆରିଷ୍ଟଲଙ୍କଠାରୁ ଆମ ଚାର୍ବାକ୍‌, କୌଟିଲ୍ୟଙ୍କ ଶାସ୍ତ୍ରଜ୍ଞାନ ‘‘ବେଶୀ’’ ଉଚ୍ଚ କୋଟୀର କହନ୍ତି । ସେଇମାନେ କାଲି ଥିଲେ ହୁଏତ ଗାଁ ଟାଉଟର, ପଞ୍ଚାଏତ ସମିତି ଚେୟାରମାନ, ଦୁଧ ବିକାଳି, ଦହି ବିକାଳି, ଭୂଦାନ କର୍ମୀ ଅଧ୍ୟାପକ, ଡାକ୍ତର । ବେଦ ଉପନିଷଦ ପଢ଼ିଛନ୍ତି, ଚୈତନ୍ୟଙ୍କର ପ୍ରେମାମୃତ ପାନ କରି ବି ଚୈତନ୍ୟୋଦୟ ହୋଇନି । ଯେଉଁ ବୟସରେ ବାନପ୍ରସ୍ଥାଶ୍ରମ ବା ସନ୍ୟାସ ଧର୍ମ କରିବା କଥା ସେ ବସୟରେ ‘ମେଲେଟିଏ’ ହବା ପାଇଁ କାଗଜର ସମ୍ପାଦକଟିଏ ହବା ପାଇଁ, କୌଣସି କମିଟିର ସଭ୍ୟ (ଅସଭ୍ୟ କିଏ–ପାଶ୍ଚାତ୍ୟ ଦୃଷ୍ଟିରେ ଆମ ହରିଜନ, ଅମୃତର ସନ୍ତାନ, ପରଜା, ସାନ୍ତାଳ ଇତ୍ୟାଦି ଇତ୍ୟାଦି) ହବା ପାଇଁ କି କାକୁତି ମିନତି । ତାଙ୍କ ପାଟିରୁ ଯଦି ‘ଲାଳ’ ନିର୍ଗତ ହେଉଛି; ମୋର ବି ଭୁଲଟାଏ କ’ଣ ହୋଇଗଲା ।

 

ହଁ ! ମୁଁ ସୋଽହଂ–କିନ୍ତୁ ଡକ୍ଟର ଭାବଗ୍ରାହୀ ମିଶ୍ର (ଆମେରିକା ଫେରନ୍ତା) ଜଣେ ରାଜନୈତିକ ଲୋକ– । Lipset ‘‘ଙ୍କ ଭାଷାରେ ମୁଁ ଗୋଟାଏ Political Man’’–ଅଥବା ମୋ ନିଜ ଭାଷାରେ ଗୋଟାଏ ‘‘ରାଜନୈତିକ ପଶୁ’’ (Political animal), ଯେମିତି ମୁଁ ଗୋଟାଏ Social Animal, Biological Animal । ଯେମିତି ମୁଁ ବାହ୍ମୁଣ, ଶୁଭ୍ର ତନୁ ବଳିଷ୍ଠ ଚେହେରା–ଯେମିତି ମୁଁ ନିପଟ ଗାଉଁଲି, ଯେମିତି ମୁଁ ସାମନ୍ତବାଦୀ (ଭରତଙ୍କ ଭାରତ) ସେମିତି ମୁଁ ସମାଜବାଦୀ ।’’

 

ଆହା ! ବିଚାରା ‘‘ଓଡ଼ିଆଟାଏ ।’’

 

(ନବରବି, ୧୯୭୬)

Image

 

ଶୃଙ୍ଖଳିତ ବିଦ୍ରୋହୀର ଇସ୍ତାହାର

 

ମୁଁ ଶୃଙ୍ଖଳିତ । କିନ୍ତୁ ଶୃଙ୍ଖଳାରେ ଭରା ମୋର ମନ, ହୃଦୟ ଓ କର୍ମର ପ୍ରେରଣା । ଏ ଶୃଙ୍ଖଳାରେ ବିଶୃଙ୍ଖଳା ସୃଷ୍ଟି କରିଚାଲିଛ ତମେମାନେ, ହେ ମୋର ପ୍ରିୟ ଦେଶବାସୀ । ତମେ ମୋତେ ବାନ୍ଧି ରଖିବାକୁ ଚାହଁ । ମୋ ହାତ ଗୋଡ଼ରେ ବେଡ଼ି ପିନ୍ଧାଇବାକୁ ଚାହଁ । କାରଣ ମୁଁ ‘ମୁକ୍ତି’କୁ ଭଲଯାଏ–ସ୍ୱାଧୀନ ଚିନ୍ତାର ସମର୍ଥକ, ଅନୁଶାସିତ ମନର ପୃଷ୍ଠପୋଷକ । ମୁଁ ଶାସିତ ହେବାକୁ ଚାହେଁ, କିନ୍ତୁ ଦୁଃଶାସନ ଦ୍ୱାରା ନୁହେଁ । ମୁଁ ଶୃଙ୍ଖଳିତ ହେବାକୁ ଚାହେଁ କିନ୍ତୁ ବିଶୃଙ୍ଖଳା ଦ୍ୱାରା ନୁହେଁ ।

ମତେ ତମେ ମାରି ଦେଇ ପାରିବ ଅନାୟାସରେ, ପଳେ ପଳେ ହତ୍ୟା କରି । ମୋରି ରକ୍ତରେ ତମେ ଚିତା ଘେନିବାର ଗୌରବ ଅନୁଭବ କରିବ । ଏ ଗୌରବ ତମ ଅହଂର ଗୌରବ, ତମ କ୍ଷମତାନିଶାର ଗୌରବ । ତମ ଅସଂସ୍କୃତିର ଗୌରବ । ତମ ଯୌବନର, ଯୌବନର ନିଶା, ଯୌବନାତିକ୍ରାନ୍ତ ମନର ପେଷା । ତମେ ମାର୍ଜାର ଭଳି ନିଜର ଶିଶୁକୁ ଭକ୍ଷଣ କରିବାରେ ଆନନ୍ଦିତ-! ତମେ ମାଂସାଶୀ–ତମେ ମଣିଷ ମାଂସ ଭଲପାଅ । ମଣିଷକୁ ଅହିଂସା ମାର୍ଗରୁ ବିଚ୍ୟୁତ କରିବାକୁ ତମେ ଭଲପାଅ । କୋଟି କୋଟି ଲୋକଙ୍କର ଜୀବନ, ସେମାନଙ୍କର ମାନବିକତା, ସେମାନଙ୍କର ଦୈନ୍ୟ, ସେମାନଙ୍କର ଅଭାବ ଅଭିଯୋଗକୁ ତମେ ତାତ୍ସଲ୍ୟ କରି, ତୁମର ଗୌରବ ଗାରିମାକୁ ପ୍ରକଟିତ କରିବାକୁ ଚେଷ୍ଟା କର । କରିଚାଲିଛ ଅବିରତ, ଅନବରତ । ତମେ ଇତିହାସକୁ ଭୁଲିଗଲେ ଚଳିବ ନାହିଁ । ମଣିଷକୁ ତମେ ‘‘ମହାନ’’ କରିବାରେ ଅନ୍ତରାୟ ସୃଷ୍ଟି କର । ତମେ ମଣିଷ ରୂପୀ ମାଙ୍କଡ଼ । ଏଇ ମାଙ୍କଡ଼ାମୀରେ ତମେ କେତେ ଦିନ ମାତି ରହିବ ? ତମର ଏ ମାଙ୍କଡ଼ାମୀକୁ ଏ ମଣିଷ ସମାଜ ଆସିଲାଣି, ପୁରି ଆସିବ, ତମେ ତାକୁ ଅଟକାଇ ପାରିବ ନାହିଁ–ପ୍ରତିରୋଧ କରି ପାରିବ ନାହିଁ । କାରଣ ତମେ ଯେଉଁ ଆଶୀର୍ବାଦ ପାଇଥିଲ, ତାକୁ ପଦାଘାତ କରିଛ । ମହାପ୍ରସାଦକୁ ତମେ ଗୋଡ଼ରେ ଆଡ଼େଇ ଦେଇଛ । ସେଇ ମା’ଙ୍କ ପ୍ରସାଦ, ସେଇ ମହାପ୍ରସାଦ ତୁମର ଏବେ ପ୍ରତିକୂଳ ।

ହତ୍ୟାକରି ଦେଶ ଗଠନ କରାଯାଏ ନାହିଁ–ଅନ୍ତତଃ ଭାରତ ବର୍ଷରେ ଏହା ସମ୍ଭବ ନୁହେଁ-। ଏ ସଂସ୍କୃତିକୁ ତମେ ଚିହ୍ନିନା । ଏ ସଂସ୍କୃତି କେବଳ ବେଦର ନୁହେଁ, ଭାଗବତର ନୁହେଁ, କୋରାନର ନୁହେଁ, ବାଇବେଲର ନୁହେଁ । ଏହା ଏକ ଶୃଙ୍ଖଳାର ସଂସ୍କୃତି । ଏକ ଅନୁଶାସନର ସଂସ୍କୃତି । ଏହା ଆଚାର୍ଯ୍ୟମାନଙ୍କର ସଂସ୍କୃତି, ଗୁରୁକୁଳ ଆଶ୍ରମର ସଂସ୍କୃତି । ଏହା ନୀରବତାର ସଂସ୍କୃତି ପୁଣି ଏହା ପ୍ରତିବାଦର ସଂସ୍କୃତି–ବିଦ୍ରୋହ ସଂସ୍କୃତି, ପୁଣି ଶୃଙ୍ଖଳବଦ୍ଧ ବିଦ୍ରୋହୀର ସଂସ୍କୃତି–ସତ୍ୟାଗ୍ରହର ସଂସ୍କୃତି ।

ବିଦ୍ରୋହୀ ମୁଁ, ହଁ ମୁଁ ବିଦ୍ରୋହୀ । ଏ ବିଦ୍ରୋହ ତୁମ ବିରୁଦ୍ଧରେ ନୁହେଁ, ତୁମ କ୍ଷମତା ବିରୁଦ୍ଧରେ ନୁହେଁ, ତୁମ ଅତ୍ୟାଚାର ବିରୁଦ୍ଧରେ, ଅନାଚାର ବିରୁଦ୍ଧରେ, କାପୁରୁଷତା ବିରୁଦ୍ଧରେ, ତୁମର ଚିତ୍ତଚାଞ୍ଚଲ୍ୟ ବିରୁଦ୍ଧରେ, ତୁମର ଶକ୍ତିହୀନତା ବିରୁଦ୍ଧରେ । ତୁମର ଦୁର୍ବଳତା ବିରୁଦ୍ଧରେ । ତୁମର ଏ ଦୁର୍ବଳତା ବିରୁଦ୍ଧରେ, ମୋର ଏ ବିଦ୍ରୋହ । ଏଇ ବିଦ୍ରୋହ କରି ମୁଁ ଇତିହାସରେ ଅମର ହେବାର କଳ୍ପନା କରିନାହିଁ । ତୁମର ଦୁଃଖ, ଶୋକ, ହତାଶା, ଦୁର୍ବଳତା ପ୍ରତି ମୋର ସମବେଦନା ରହିଛି । ତୁମର ଈର୍ଷାକୁ ମୁଁ କ୍ଷମା କରି ଆସିଛି । କାରଣ ମୁଁ ବୁଝିଛି ଯେ କ୍ଷମାରୁ ହିଁ କ୍ଷମତା ସମ୍ଭବ । କ୍ଷମତାରୁ ନୁହେଁ । କ୍ଷମତାରୁ କ୍ଷମା ଶିଖି ପାରିଥିଲେ ତମେ ଯଶସ୍ୱୀ ହୋଇ ପାରିଥାନ୍ତ, ହେ ମୋର ପ୍ରିୟ ଦେଶବାସୀ । କିନ୍ତୁ ତୁମେ ବୈଶ୍ୟ । ବ୍ୟବସାୟ ମନୋବୃତ୍ତି ନେଇ କେହି କ୍ଷମତାର ବ୍ୟବହାର କରି ଶିଖେନି । ତମକୁ ଶିଖାଇଲେ ବି ତମେ ଶିଖିବ ନାହିଁ କାରଣ ତମ ଭିତରେ ଅବିଦ୍ୟା, ଅଶିକ୍ଷା ଅଜ୍ଞାନତା ତମକୁ ଗ୍ରାସ କରି ସାରିଛି । ଏବେ ତମର ଅବସର ଲୋଡ଼ା । ସମୟର ବିନିଯୋଗ ପାଇଁ–ଉପଯୁକ୍ତ ବିନିଯୋଗ ପାଇଁ–ଶିକ୍ଷା କରିବା ପାଇଁ, ଶିକ୍ଷିତ ବୋଲି ଗର୍ବ କରିବା ପାଇଁ ନୁହେଁ, ଶିକ୍ଷାଦେବାର ଅହମିକା ପାଇଁ ନୁହେଁ ।

ତମ ଜୀବନରେ ଏ ପରିରର୍ତ୍ତନ ସମ୍ଭବ ? କିଛି ସେଥିପାଇଁ ଚେଷ୍ଟା କରିବାକୁ ପଡ଼ିବ । ଏ ଚେଷ୍ଟା ପାଇଁ ପ୍ରସ୍ତୁତ ହୋଇ ପାରିଲେ ତମେ ପରିବର୍ତ୍ତିତ ହୋଇ ପାରିବ । କାରଣ ଏଇ ସଂସ୍କୃତିରେ ଦସ୍ୟୁ ରତ୍ନାକର ବାଲ୍ମିକୀ ହୋଇଥିବା କଥା ଇତିହାସ କହେ ।

ମୁଁ ବିଦ୍ରୋହୀ...ହଁ ! ମୁଁ ବିଦ୍ରୋହୀ...ଶୃଙ୍ଖଳିତ ବିଦ୍ରୋହୀ, କିନ୍ତୁ ଶୃଙ୍ଖଳାବଦ୍ଧ । ଏ ଶୃଙ୍ଖଳା ମୁଁ ବହୁ କଷ୍ଟର ଶିକ୍ଷା କରିଛି । ଏ ଶିକ୍ଷାର ଶେଷ ନାହିଁ, ଶେଷ ହୋଇନାହିଁ–ହେବନାହିଁ ବୋଧହୁଏ । କାରଣ ଶିକ୍ଷାର ଇତି ନାହିଁ, ଶେଷ ନାହିଁ, ସମାପ୍ତି ନାହିଁ । ଏହା ଚିର ସବୁଜ, ଏଥିପାଇଁ ପ୍ରସ୍ତୁତି ଦରକାର, ଜୀବନ କାଳର ପ୍ରସ୍ତୁତି । ସେଇ ପ୍ରସ୍ତୁତି ଥିବାରୁ ମୁଁ ନିଜକୁ ଘୋଷଣା କରୁଛି ଜଣେ ବିଦ୍ରୋହୀ ଭାବରେ, ହଁ ! ବି.......ଦ୍ରୋହୀ ଭାବରେ । ଦେଶଦ୍ରୋହୀ ଭାବରେ ନୁହେଁ । କାରଣ ତମେ ଦେଶକୁ, ଏ ମାଟିକୁ ଯେତିକି ଭଲପାଅ, ମୋର ଭଲ ପାଇବା ତା’ଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ ଓ ସେଥିପାଇଁ ମୁଁ ଜଣେ ବିଦ୍ରୋହୀ.....ଶୃଙ୍ଖଳିତ ବିଦ୍ରୋହୀ ଆଉ ମୋର ଏଇ କଥନିକା ସେଇ ଶୃଙ୍ଖଳିତ ବିଦ୍ରୋହୀର ଇସ୍ତାହାର । ଦେଶବାସୀଙ୍କ ଉଦ୍ଦେଶ୍ୟରେ ୟେ ମୋର ଚରମ ପତ୍ର । ନରମ ପତ୍ର । ନମ୍ରତାର ଚରମ ରୂପ । ଚରମ ଘୋଷଣାର ନମ୍ର ନିବେଦନ । ନିବେଦିତର ପ୍ରଳାପ ।

ଏ ପ୍ରଳାପ ଯଦି କେବେ ତମ କର୍ଣ୍ଣ କୁହରରେ ପ୍ରବେଶ କରେ ତେବେ ତମେ ହେ ମୋର ପ୍ରିୟ ଦେଶବାସୀ, ଏହାକୁ ଆଡ଼େଇ ଦେଇପାର । କାରଣ ବ୍ୟଥାବିଧୂର ହୃଦୟର ଭାବକୁ ଗ୍ରହଣ କରି ପାରିଥିଲେ ତମକୁ ଏ ଇସ୍ତାହାର ମୁଁ ପଠାଇ ନ ଥାନ୍ତି ।

ତମେ ସିନ୍ଧୁ ଦେଖିଛ, ସିନ୍ଧୁର ଗର୍ଜନ ଶୁଣିଛ, ଜୁଆର ଦେଖିଛି, ଭଟ୍ଟା ଦେଖିନାହିଁ । ବିନ୍ଦୁ ଦେଖିନାହଁ । ମୁଁ ବିନ୍ଦୁ ଦେଖିଛି, ସିନ୍ଧୁ ବି ଦେଖିଛି । ବିନ୍ଦୁର ନିସ୍ତବ୍ଧତା ଦେଖିଛ ଓ ସେଇ ନିସ୍ତବ୍ଧତା ଭିତରେ ସିନ୍ଧୁର ଗଭୀରତା ଦେଖିଛି, ଗର୍ଜନ ବି ଶୁଣିଛି ।

ବିନ୍ଦୁରେ ସିନ୍ଧୁ ଓ ସିନ୍ଧୁରେ ବିନ୍ଦୁ ଦେଖିଥିବାରୁ ମୁଁ ତୁମକୁ ଶୁଣାଉଛି ମୋର ଇସ୍ତାହାର । ମୋର ନମ୍ର ନିବେଦନ, ଅକୁଣ୍ଠିତ ବେଦନାର ଗୀତି, ଅଯାଚିତ ହୃଦୟର ଉଦବେଳନ । କାରଣ ମୁଁ ଶୃଙ୍ଖଳିତ, ଶୃଙ୍ଖଳାରେ ଶୃଙ୍ଖଳିତ ଓ ଜଣେ ଶୃଙ୍ଖଳିତ ବିଦ୍ରୋହୀ ।

ତମେ ଇତିହାସ କଥା କହୁଛ–ଦଶବର୍ଷର, ପଚିଶ ବର୍ଷର, ଶହେ ବର୍ଷର । ମୁଁ କହୁଛି ମନ୍ୱନ୍ତରର କଥା । ଏଇ ମନ୍ୱନ୍ତର ଭିତରେ ଇତିହାସ ତ ବିନ୍ଦୁଟିଏ । ପୁଣି ଏଇ ଇତିହାସ ଭିତରେ ତ ମନ୍ୱନ୍ତରର ସୁପ୍ତ ବୀଜ ରହିଛି ।

ହେ ମୋର ପ୍ରିୟ ଦେଶବାସୀ ! ଇତିହାସ ଓ ଧର୍ମଶାସ୍ତ୍ର ଭିତରେ ତମେ କେବେ ସଂଘର୍ଷ କଥା ଶୁଣିଛ । ଦୁଇ ବିଚାରଧାରାର ମତାନୈକ୍ୟ, ବିରୋଧ କଥା ଶୁଣିଛ । ଏଇ ବିରୋଧର ସନ୍ଧି କଥା ଶୁଣିଛ ।

ସେ ସନ୍ଧିର ପ୍ରଥମ ସର୍ତ୍ତ ହେଉଛି ଧର୍ମଶାସ୍ତ୍ରର ଅନୁଶାସନ । ତୁମେ କେବେ ଧର୍ମଶାସ୍ତ୍ରର ନୀତି ଓ ଇତିହାସର କାନୁନ୍‌ ଭିତରେ ବିରୋଧାଭାସ ଲକ୍ଷ୍ୟ କରିଛ । ଏ କାନୁନ୍‌ ଯୁକ୍ତିର କାନୁନ୍‌, କର୍ତ୍ତୃତ୍ୱର ନୀତି ନୁହେଁ । ଯେଉଁ କର୍ତ୍ତ୍ୱତ୍ୱର ସତ୍ତା ଭିତରେ ଲୁଚି ରହିଛି ପିତୃତ୍ୱର ଶକ୍ତି ଓ ମାତୃତ୍ୱର କରୁଣା । ସେଇ କର୍ତ୍ତୃତ୍ୱ ‘ସତ୍ୟ’ର କର୍ତ୍ତୃତ୍ୱ–ଇତିହାସର ନୁହେଁ, ଧର୍ମଶାସ୍ତ୍ରର ।

ହେ ମୋର ପ୍ରିୟ ଦେଶବାସୀ ! ମୁଁ ସେଇ ‘କର୍ତ୍ତୃତ୍ୱ’କୁ ଶ୍ରଦ୍ଧା କରେ, ସମ୍ମାନ କରେ, ସେଇ କର୍ତ୍ତୃତ୍ୱ ମୋର ‘ଭକ୍ତି’ ପାଇପାରେ । କିନ୍ତୁ ଏବେ ଏ ଭକ୍ତି ଏକ ଶୃଙ୍ଖଳିତ ବିଦ୍ରୋହୀର । ଦ୍ରୋହୀର ନୁହେଁ, ଦେଶଦ୍ରୋହୀର ନୁହେଁ ।

ତେଣୁ ମୁଁ ତୁମକୁ ଏ ଚରମ ପତ୍ର ଦେଉଛି । ‘‘ଚରମ ପତ୍ର ଘେନ ଭଗବାନ ଚରମ ପତ୍ର ଘେନ’’–ଏ ନମ୍ର ଚରମ ପତ୍ର । ତୁମେ ପଢ଼ି ଦେଖ–ଏ ଇସ୍ତାହାରକୁ ତମେ ଗ୍ରହଣ କରି ପାରିବ କି ନାହିଁ ? କରିନପାରିଲେ ମୁଁ ଦୁଃଖ ପ୍ରକାଶ କରିବି ନାହିଁ । ଦୁଃଖ ପାଇଲେ ବି ଏହା ଯନ୍ତ୍ରଣାଦାୟକ ନୁହେଁ । ଏହା ସେଇ ଶୃଙ୍ଖଳାର ଶିକ୍ଷା, ଅନୁଶାସନର ଦୀକ୍ଷା ।

ସେଇ ଦୀକ୍ଷାରେ ଦୀକ୍ଷିତ ମୁଁ ଜଣେ ଶୃଙ୍ଖଳାବଦ୍ଧ ବିଦ୍ରୋହୀ । ମୁଁ ଚାଣକ୍ୟ, କୌଟିଲ୍ୟ । ଗୁପ୍ତଯୁଗର କୌଟିଲ୍ୟ, କୁଟିଳତାର ପୂଜାରୀ, ଜଣେ ଶୃଙ୍ଖଳିତ ବିଦ୍ରୋହୀ ଓ ୟେ ହେଉଛି ମୋର ଇସ୍ତାହାର । ଚରମ ଇସ୍ତାହାର । ପ୍ରଣବର ଇସ୍ତାହାର, ଧ୍ୱନିର ସଙ୍ଗୀତ, ଓଁକାରର ଇତିବୃତ୍ତି–ମନ୍ୱନ୍ତରର ଗାଥା ।

 

(ଆସନ୍ତାକାଲି ଜୁନ୍‌ ୧୯୭୬)

Image

 

ମୁଁ ଗୋଟାଏ ‘‘ଗୋତି’’

 

ଏବେ ଚାରିଆଡ଼େ ହୁରି ପଡ଼ିଛି ଯେ ‘ଗୋତିପ୍ରଥା’ ଉଠିଗଲା ବୋଲି । ଯାହାହଉ ମଣିଷଗୁଡ଼ାକ ଏଣିକି ମଣିଷ ଭଳି ବିଚାର ପାଇବେ । ଟିକେ ଖୋଲା ପବନ, ଖାଲିପକେଟ୍‌, ଆଉ ନିର୍ମଳ ହୃଦୟ ଧରି ବୁଲାଚଲା କରି ପାରିବେ । ଗାଈ ବାଛୁରୀ ହଳେ ଦି’ ହଳ ରଖି ପାରିବେ । ଘର ସଂସାର ପାତି ପାରିବେ ଆଉ ଆଗ ଅବିମିଶ୍ରିତ (ଅପମିଶ୍ରିତ କଥା ଆଦୌ କହୁନି) ଅର୍ଥନୀତି ଭିତରେ ନିଜ ମନ ନିଶ୍ୱାସ ନେଇ ପାରିବେ ।

 

ଭଗବାନଙ୍କୁ କୋଟି କୋଟି ଜୁହାର ଯେ ଏଣିକି ଆଉ ‘ସାଇବେରିଆ’ର ଭୂତ ଏମାନଙ୍କୁ ଗ୍ରାସ କରିବନି । ସାଇବେରିଆଗୁଡ଼ାକ ଆଇନ ଆଖିରେ ନଦାରଦ ହେଇଗଲା । ଏଣିକି ମଣିଷ ହବ ମଣିଷ । ପୁଣି ମଣିଷ ପିରିକା ମଣିଷ । ଜୟ ଜଗଦମ୍ୱା ।

 

ଆଉ ମୁନିବଗୁଡ଼ାକ ବି କୁଆଡ଼େ ବଦଳି ଗଲେଣି । ତାଙ୍କ ହୃଦୟ ପରିବର୍ତ୍ତନ କରିଦେଲା ଏଇ ଆଇନ, ଗୋତି ବିଚ୍ଛେଦ ଆଇନ । କିଏ କାହାକୁ ଆଉ କିଣି ପାରିବେନି କ୍ରୀତଦାସ କରିପାରିବେନି । କେଡ଼େ କାମୁଟାଏ ହୋଇଗଲା, କିନ୍ତୁ ଆଜ୍ଞା ମୋ ମୁନିବଙ୍କୁ କିଏ ଆଖି ଦେଖେଇବ, ସିଏତ ଶିବଙ୍କର ସାପ । ଗରୁଡ଼ କ’ଣ ସ୍ୱୟଂ ବ୍ରହ୍ମା ବି ତାଙ୍କପାଖରେ ଛାଡ଼ ପାଇବେନି-। ସେ ତ ସାକ୍ଷାତ ମହାରାଣୀ, ଜଗନ୍ନାଥଙ୍କ ଦେଶରେ ନବ କଳେବର ହୁଏତ; ସେଇଥି ପାଇଁ ମୋର ମୁନିବ, ତାଙ୍କ ଚାକରବାକର ସବୁ ନବକଳେବର ହେଇଯାଇଛନ୍ତି । ଆଇନ୍‌ଟା ଗରାଗରା କରି ବିଧାନ ସଭାରେ ପାସ୍‍ କରେଇ ନେଲେ । କାହିଁକିନା ସେଠି ବି କିଛି ଲୋକ ମୋରି ଭଳି ଏବେ ଗୋତି ଖଟୁଛନ୍ତି । ଆଇନ ସିନା ହେଇଗଲା, କିନ୍ତୁ ମୋ ମୁନିବଙ୍କ ମନ ମାନିଲେ ସିନା ‘ଗୋତିଙ୍କୁ’ ସବୁ ଛାଡ଼ ମିଳିବ । ଆଉ କାହା କଥାରୁ ମତେ ମିଳେ କ’ଣ ? ମୋରି କଥା ମୁଁ କହୁଛି, କାଳେ ସମ୍ପାଦକ ଆପଣେ ଦୟାକରି ଛାପି ଦେବେ ତ, ଏ ଅଧମ ‘ଗୋତି’ ଉପରେ ବିଜ୍ଞ ଲୋକଙ୍କର, ବିଧାୟକଙ୍କର ଆଖି ପଡ଼ିଯିବ । ତାଙ୍କ କୃପା ବାରିରୁ କାଣିଚାଏ ମୋ ଆଡ଼େ କାଳେ ଛିଡ଼ିକି ଆସିବ । ଏଇ ଭରସାରେ ମୋ କାହାଣୀ କହୁଛି ।

 

ମୁଁ ଗୋଟାଏ ‘ଗୋତି’ । ମୋ ମସଲାଦିଆ ମୁଣ୍ତଟା କିଣି ନେଇଛନ୍ତି ମୋ ମୁନିବ । ସେ ମୁନିବଙ୍କ ଇତିହାସ କହି ଲାଭନାହିଁ । ଏଇ କେତେ ବରଷ ଆଗରୁ ସେ ଯେତେ ବେଳେ ଜନତା ଜନାର୍ଦ୍ଦନଙ୍କ ଶ୍ରେଣୀରେ ଚଢ଼ି ଏକାମ୍ର ନଗରର ଧୋବ ଧାଉଳିଆ କୋଠାରେ ଗୋଟାଏ କିରାଣୀହବାକୁ ବସିଥିଲେ ସେତେବେଳେ ତାଙ୍କୁ ପରୀକ୍ଷା କରି ପରୀକ୍ଷକ ନମ୍ୱର ଦେଇଥିଲେ ଶହେରୁ ଅଠର । ସେ କିରାଣୀ ହଉ ହଉ ଏବେ ମହାରାଣୀ । ଆଉ ଗ୍ରହ ଚକ୍ରରେ ପଡ଼ି ସେ ଆଜି କୁଆଡ଼େ ମୋର ମୁନିବ ଏ ମୁନିବଙ୍କ ପାଖରେ ମୁଁ ଆଉ ମୁଣ୍ତ ବିକି ପାରିବିନି, ମୋର ପାଉଣାପତ୍ର ତୁଟେଇ ଦେଲେ, ମୁଁ ନୂଆ ମୁନିବ ଖୋଜିବି । କି ଟିକେ ଖୋଲା ପବନ ପିଇ ବଞ୍ଚିବି ଏଇ କଥା ଜଣେଇ ମୁଁ ଦରଖାସ୍ତଟିଏ ପେଶ୍‌ କରିଦେଲି ମହାରାଣୀଙ୍କ ପାଖରେ ୧୯୭୩ ମସିହାରେ । ହଇ ଆଜ୍ଞା ମୋର ଦିନ ତାରିଖ ହେତୁ ଅଛି । ସେଇଟା ହଉଛି ଡିସେମ୍ୱର ମାସ ୧୫ ତାରିଖ ୧୯୭୩ ମସିହା । ମୁଁ ଆଜ୍ଞା ଟିକେ ନିର୍ବୁଦ୍ଧିଆ ଲୋକ । ମୁଣ୍ତରେ ମୋର ମସଲା କମ୍‌ । ସେଇଥି ପାଇଁ ମୁନିବ ମହାରାଣୀଙ୍କୁ ଜଣେଇ ଶୁଣେଇ କହି ଦେଲି ଯେ ମୁଁ ଆଉ ଆଜ୍ଞା ଏ ‘ଗୋତିଗିରି’ କରି ପାରିବିନି । ମୁଁ ତ ଶହେରୁ ଅଠର ରଖିନି କେତେ ବେଶୀ ନମ୍ୱର ରଖିଛି । କେତେ ବଡ଼ ବଡ଼ କାମ କରିଛି । ତେଣୁ ମୁଁ ଆଉ ଆପଣଙ୍କର ବୋଲକରା ହେଇ ପାରିବିନି । ମୁଁ ତ ରହିବିନି, ରହିବିନି, କହିଛିତ ରହିବିନି, ତମେ ମତେ ୨।୪ ଟଙ୍କା ଅଧିକା ଦେଇ ଟେଳେ ଦି’ଟେଳେ ଅଫିମ ଲୋଭ ଦେଇ ରଖିବ କହିଲେ ବି ମୁଁ ରହିବିନି । କିନ୍ତୁ ରହିବିନି ପଛେ ରହିବିନି କହିବିନି କିଆଁ କହିବିନି ? କହତ ଭଲା ନ କହି ନ କହି ରହିଯିବି, ବୋଲି ଭାବିଛନ୍ତି ମୋ ମୁନିବ ସାକ୍ଷାତ ମହାରାଣୀ ।

 

କିନ୍ତୁ ମୁଁ ତ କହିଛି, ରହିବିନି, କହିବିନି କିଆଁ କହିବିନି ? କିନ୍ତୁ ସମ୍ପାଦକ ଆପଣେ ଆପଣଙ୍କୁ ମା ଜାଗୁଳେଙ୍କ ରାଣ । ମୋ କଥା ଆଜ୍ଞା ଟିକେ ଛାପି ଦେବେ । ଆପଣଙ୍କୁ ଆପଣଙ୍କ ରାଣ ରହିଲା ଆଜ୍ଞା । ୧୯୭୩ ଗଲା, ୭୪ ଗଲା, ୭୫ ଗଲା, ଏବେ ୭୬ ଅଧା ହେଲାଣି ମତେ ମହାରାଣୀ ଛାଡ଼ିବେନି ବୋଲି ଧମକ ଦେଉଛନ୍ତି । ‘ଗୋତି’ ପ୍ରଥା ପଛେ ଉଠିଯାଉ ମୋ ଭଳିଆ ‘ଗୋତିଟିଏ’ ସିଏ କୁଆଡ଼େ ପାଇବେନି । ତେଣୁ ହଳଦୀ କିଆରୀରେ ମୋ ମୁଣ୍ତଟି ବଳି ନ ପକେଇ ସେ ଛାଡ଼ିବେନି । ତାଙ୍କର ଜିଦ୍‌ । ମୁଁ ରହିବିନି, ରହିବିନି, ରହିବିନି । ସିଏ ଛାଡ଼ିବେନି, ଛାଡ଼ିବେନି ଛାଡ଼ିବେନି । କହିଲେ ଆଜ୍ଞା । ସତ କହୁଛି, ଆପଣ ଆଜ୍ଞା କେତେ ଲୋକଙ୍କର କଥା ବୁଝି ଦଉଛନ୍ତି-। କୋଉ ବଡ଼ ବଡ଼ ଅଫିସର, ଏମେଲ ମନ୍ତ୍ରୀ ଫନ୍ତ୍ରୀଙ୍କି କହି କେତେ ବଡ଼ ବଡ଼ କାମ କରେଇ ଦଉଛନ୍ତି । ବନ୍ଧ୍ୟା ଲୋକେ ବି ପୁତ୍ରବତୀ ହଉଛନ୍ତି ଆପଣଙ୍କ ଦୟାରୁ, ଆଜ୍ଞା, ଏ ‘ଗୋତିଟିକୁ’ ଟିକେ ଆପଣ ମୁକୁଳେଇ ଦେବେନି ।

 

ମୁଁ ଆଜ୍ଞା ସତରେ ଗୋଟାଏ ‘ଗୋତି’ । ମୋ ମୁଣ୍ତଟା କିଣି ନେଇଛନ୍ତି, ମୋର ମୁନିବ ମହାରାଣୀ । ଏ ‘ମୁଣ୍ତକାଟ’ ହେବ ପଛକେ, ଛାଡ଼ ପାଇବନି । ୟେ ଆଜ୍ଞା ତାଙ୍କ ଜିଦ୍‌ ମୁଁ କିନ୍ତୁ ଆଉ ରହିବିନି । ରହିବିନି ଯଦି କହିବିନି କିଆଁ କହିବିନି ।

 

ହାତୀ ଦେବି, ଛତି ଦେବି କହି କହି ଚାଲିଛନ୍ତି କାହିଁ କେତେ ବରଷ ହେଲା । କୁଆଡ଼େ ତାଙ୍କ ପେଇଁ ପେଁକାଳୀ ବଜେଇ ଦେବି । ମୁଁ ଆଜ୍ଞା ସେ କାମକୁ ପାରିବିନି । ମତେ ଜୋର ଜବରଦସ୍ତ କଲେ ସତ କହୁଛି ଆଜ୍ଞା ମୁଁ ଜହର ଖାଇ ମରିବି ପଛେ ମୁଁ ତାଙ୍କ ପାଖରେ ଆଉ ବେଶୀଦିନ ‘ଗୋତି’ ରହି ପାରିବିନି ।

 

ସମ୍ପାଦକ ଆପଣେ । ଟିକେ ମୋ କଥା ଘେନା କରିବେ, ବିଧାୟକମାନଙ୍କୁ ଟିକେ ଆଜ୍ଞା ବୁଝେଇ କହିବେ ମୁଁ ଏଇ ଖାରବେଳ ଜଙ୍ଗଲରେ ବସିଛି । ମୋ ମୁଣ୍ତଟା ‘ଗୋତି’ ପଡ଼ିଛି ସେଇ ଯୋଉ ବଡ଼ କୋଠା, ତାରି ଭିତରେ ଯୋଉ କେତେ ଖୋପ, ସେଇ ଖୋପ ଭିତରେ ଯୋଉ ମହାରାଣୀ ତାଙ୍କ ପାଖରେ । ସେ ମତେ ଛାଡ଼ିବେନି, ମୁଁ କିନ୍ତୁ ରହିବିନି ଆଜ୍ଞା ରହିବିନି, ଚାରିଆଡ଼େ ପରା ‘ଗୋତି’ଗୁଡ଼ାକ ଛାଡ଼ ପାଇ ଯାଉଛନ୍ତି । ମୋ କଥା ଟିକେ ଆଜ୍ଞା ସୁପାରିଶ କରିବେନି । ବକ୍‌ସିସ୍‍ ଫକ୍‌ସିସ୍‌, ହାତଗୁଞ୍ଜା ଅଣ୍ଟାଗୁଞ୍ଜାତ ଦେଇପାରିବିନି । ମହାପୁରୁଙ୍କୁ କହିବି ସେ ଆପଣଙ୍କ ବଡ଼ତି କରନ୍ତୁ ।

 

ତେଣୁ ଆଜ୍ଞା ଟିକେ ମୋ କଥା ଛାପିଦେବେ, ଆପଣଙ୍କର କାଗଜ କାଳିଖରଚ ଯଦି କହିବେତ ଆଜ୍ଞା କୁଆଡ଼ୁ ମାଗିଯାଚି ଭରଣା କରିଦେବି । ଆଜ୍ଞା ଟିକେ ଅନୁଗ୍ରହ କରି ଛାପିଦେବେ-। ଆପଣଙ୍କର କଲମର ବଡ଼ତି ହବ ଆଜ୍ଞା । ଟିକେ ଅନୁଗ୍ରହ ଦେଖେଇବେନି । ମୁଁ ଆଜ୍ଞା ଏବେବି ଗୋଟାଏ ‘ଗୋତି’ । ୧୯୭୬ ମସିହାରେ ଏବେବି ଗୋଟାଏ ‘କ୍ରୀତଦାସ’ ଆପଣଙ୍କର ମହାରାଣୀଙ୍କର । କ’ଣ ଆଜ୍ଞା ମୋ କଥା ଟିକେ ଶୁଣିବେନି । ଆପଣଙ୍କର ଦୟା...ଯେତେହେଲେ ମୁଁ ତ ଗୋଟାଏ ‘ଗୋତି’ । ମୁଁ ବା ଆଉ କ’ଣ କରିପାରନ୍ତି ?

 

(ପ୍ରଗତିବାଦୀ, ଏପ୍ରିଲ, ୧୯୭୬)

Image

 

ମତେ ତମେ ହତ୍ୟା କଲା ପରେ

 

ତମେ ମତେ ହତ୍ୟା କଲା ପରେ ବି ମୁଁ ବଞ୍ଚିବି । ହେ ପ୍ରଶାସକବର୍ଗ । ହେ ରାଜନୈତିକ ନେତା । ହେ ଜାତିସ୍ମର ଜାତିଆଣ ଭାବର ପଟ୍ଟପୁରୋଧା, ପଙ୍ଗୁ ଅଥର୍ବ, ମେରୁଦଣ୍ତହୀନ ଅମଲାତାନ୍ତ୍ରିକ ଗୋଷ୍ଠୀର କର୍ଣ୍ଣଧାର । ତୁମକୁ ମୁଁ ସାବଧାନ କରିଦେଉଛି ଯେ ମତେ ତମେ ହତ୍ୟା କଲାପରେ ବି ମୁଁ ବଞ୍ଚିବି । କେବଳ ବଞ୍ଚିବା ପାଇଁ ମୁଁ ବଞ୍ଚିନାହିଁ । ମୃତ୍ୟୁକୁ ଭୟକରି ମୁଁ ବଞ୍ଚିନାହିଁ । ହା ଅନ୍ନର ଚିତ୍କାର ଭିତରେ ମୁଁ ପ୍ରାଣବିକଳରେ ବଞ୍ଚିନାହିଁ । ଜ୍ଞାନର ଅହମିକା ନେଇ ମୁଁ ବଞ୍ଚିନାହିଁ । ପ୍ରଜ୍ଞାର ଏକ ଅପୋଗଣ୍ତ ଶିଶୁ ଭାବରେ ମୁଁ ବଞ୍ଚିନାହିଁ । ମନର ମୟୂରୀ ପଛରେ ଧାଇଁ ମୁଁ ବଞ୍ଚିନାହିଁ-। ମୁଁ ବଞ୍ଚିଛି ଏକ ବ୍ୟକ୍ତିତ୍ୱ ନେଇ । ସେ ବ୍ୟକ୍ତିତ୍ୱ ଆଦର୍ଶକୁ ବାସ୍ତବରେ ରୂପାୟିତ କରେ । ସେ ବ୍ୟକ୍ତିତ୍ୱ ବ୍ୟକ୍ତିକୁ ଅତିକ୍ରମ କରି ବହୁଜନର କଲ୍ୟାଣକାମୀ ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିବାର କେବଳ ସ୍ୱପ୍ନ ଦେଖେ ନାହିଁ, ସେ ସ୍ୱପ୍ନକୁ ସଫଳ କରିବାର ବ୍ରତ ନେଇ ପ୍ରତିଷ୍ଠିତ । ଧାରକରା ବୁଦ୍ଧିନେଇ, ଚତୁରଶେଣର ଉକ୍ତି ନେଇ ସେ ବଞ୍ଚିରହିବାକୁ ଘୃଣା କରେ । ଇତିହାସରୁ ଧାରନେଇ, ବହୁ ଦେଶ ଦର୍ଶନର ଅହମିକା ନେଇ, ଜ୍ଞାନ-ଗର୍ବର ପ୍ରବଞ୍ଚନା ନେଇ ସେ ବଞ୍ଚେନାହିଁ ।

 

ସେ ବ୍ୟକ୍ତିତ୍ୱ ଅନେକ ଦିନ ଆଗରୁ ମରି ସାରିଥାନ୍ତା–ମରି ପାରିଥାନ୍ତା–ମରି ପାରିଥିଲେ ଆଜି ତାହାର ଦ୍ୱାବିଂଶତୀ ଶ୍ରାଦ୍ଧୋତ୍ସବ ତମେ ପାଳନ କରୁଥାନ୍ତ । କେଉଁ ରାସ୍ତାକଡ଼ରେ ମାର୍ବଲ ମୂର୍ତ୍ତିଟିଏ ତମେ ହୁଏତ ସ୍ଥାପନ କରିଥାନ୍ତ–ସ୍ମରଣିକାଟିଏ ଛାପିଥାନ୍ତ–ସଭା ମଞ୍ଚରେ ତମେ କୁମ୍ଭୀର କାନ୍ଦଣା କାନ୍ଦିଥାନ୍ତ । ଦିବସର ଆଲୋକରେ ଗାନ୍ଧୀ, ଗୋପବନ୍ଧୁ, ମାର୍କସ, ଲେନିନର ଦ୍ୱାହି ଦେଇ ରାତ୍ରିର ଅନ୍ଧକାରରେ ତମେ ତାକୁ ପଣ୍ୟ ରୂପେ ବିକ୍ରି କରିପାରିଥାନ୍ତ । ବାରମ୍ୱାର ତା’ର ବ୍ୟକ୍ତିତ୍ୱକୁ ହତ୍ୟା କରିବାକୁ ତମେ ଚେଷ୍ଟା କରିଛ–ଏବେବି ତମେ ସେ ଚେଷ୍ଟାରୁ ବିରତ ନୁହଁ । କାରଣ ତମେ ଏ ଜୀବନର ସ୍ୱପ୍ନ ନେଇ, ଆଭିଜାତ୍ୟର ସ୍ୱପ୍ନନେଇ, ଅର୍ଥର ଗାରିମା ନେଇ, ପଦବୀର, କ୍ଷମତାର ଅନ୍ଧ ଖୋସାମତିର ଶରବ୍ୟ ହୋଇ କ୍ୟାଲେଣ୍ତର ପୃଷ୍ଠାରେ ଦିନ କାଳ ନକ୍ଷତ୍ରରେ ଗଣତି ନେଇ, ଇତିହାସରେ ଅମର ହେବାର ସ୍ୱପ୍ନ ନେଇ ପାଗଳ ।

 

ମୋ ବ୍ୟକ୍ତିତ୍ୱ ବି ପାଗଳ । ସେ ପାଗଳାମି ଏକ ଅନାଗତ ଭବିଷ୍ୟତର ସମ୍ଭାବନାକୁ ନେଇ ପାଗଳ । ତମେ ଅନୁଚାରିତ ନୀରବତା ଭିତରେ ନିଜର ସ୍ୱରୂପକୁ ଖୋଜିବାକୁ ଉଦ୍‌ବିଗ୍ନ । ମୁଁ ସବାକ୍‌ ଶବ୍ଦର କମ୍ପନ, ଦୋଳନ, ଅନୁରଣନ, ଭିତରେ ମୋ ବ୍ୟକ୍ତିତ୍ୱର ସ୍ୱରୂପକୁ ବାରମ୍ୱାର ପରୀକ୍ଷା କରିବାରେ ବ୍ୟାପୃତ । ତମେ ନିର୍ବାକ୍‌ ଅବାକ୍‌–ମୁଁ ପ୍ରଗଳ୍‍ଭ, ସବାକ୍‌, ତମେ ନୀରବତାକୁ ଭଲପାଅ, ଅନୁଚାରିତ ବେଦନାକୁ ଲୁଚାଇବାକୁ ଚେଷ୍ଟା କର–ପ୍ରସ୍ତ ପ୍ରସ୍ତ କାର୍ପାସ ବସ୍ତ୍ରରେ ଢାଙ୍କିବାକୁ ଚେଷ୍ଟାକର । ମୁହଁରେ ତୁଣ୍ତି ବାନ୍ଧି, ଆଖିରେ ଅନ୍ଧପୁଟୁଳି ବାନ୍ଧି ତମେ ସମାଜର କଲ୍ୟାଣକାମୀ ।

 

ତୁମ ଅନ୍ତରକୁ ତୁମେ କେବେ ନୀରିକ୍ଷଣ କରିଛ, ବିଶ୍ଳେଷଣ କରିଛ । ନେତୃତ୍ୱ ଓ ନେତୃତ୍ୱର ବିରୋଧାଭାସ କଥା କେବେ ଚିନ୍ତା କରିଛ, ତମେ ସ୍ୱପ୍ନ ଦେଖ, ସେ ହୁଏତ ତୁମର ଦିବା ସ୍ୱପ୍ନ କିମ୍ୱା ତୁମର ସ୍ୱପ୍ନ ଭଙ୍ଗ ହେଉଛି ବାରମ୍ୱାର–ଆଜିକି କାହିଁ କେତେ ବର୍ଷ ଧରି । କାରଣ ତମେ ତମକୁ ଏକ ମହତ୍ତର ସତ୍ତା ନିକଟରେ ବିଲୀନ କରିପାରି ନାହଁ । ତମେ ସେହି ମହତ୍ତର ସତ୍ତାଠାରୁ ଆଶୀର୍ବାଦ ଚାହିଁନ–ସେହି ମହତ୍ତର ସତ୍ତାର ଜ୍ୟୋତି ତୁମ ଅନ୍ତରରେ ପ୍ରବେଶ କରି ପାରିନାହିଁ । ତୁମେ କେବଳ ଜ୍ଞାନରାଜ୍ୟରେ ହିଁ ତାହାକୁ ଗ୍ରହଣ କରିଛ–ହୁଏତ ଭକ୍ତି ରାଜ୍ୟରେ ସେ ସତ୍ତା ତୁମର ଏବେ ସାଥୀ ହୋଇ ପାରିନାହିଁ । କିନ୍ତୁ କର୍ମ ଜଗତର ସ୍ୱପ୍ନରେ କେବେ ତମେ ଏହି ମହତ୍ତର ସତ୍ୟର ଉବଲବ୍‌ଧି କରିଛ । ତୁମର ଅନ୍ତରାତ୍ମାର ନିର୍ଦ୍ଦେଶକୁ ତୁମେ କେବେ କର୍ମଭୂମିରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିଛ । ତୁମେ ହୁଏତ କହିପାର ଯେ ତା’ର ‘ସମ୍ଭାବନା’ ତୁମ ନିକଟରେ, ତୁମ ସ୍ୱପ୍ନରେ ଧରା ଦେଇ ପାରିନାହିଁ । ‘ସମ୍ଭାବନା’ ଉପରେ ନିର୍ଭର କରି ତମେ ସେ ଜ୍ୟୋତି ଲାଭ କରି ପାରିବ ନାହିଁ । ସେ ସତ୍ତାର ନିକଟବର୍ତ୍ତୀ ହୋଇ ପାରିବ ନାହିଁ । ସେ ସତ୍ତାର ଅନୁଭବ ବିନା, ସେହି ସତ୍ତାର ଉପଲବ୍‍ଧି ବିନା, ସେହି ସତ୍ତାର ଆତ୍ମସାତ୍‌ ବିନା, ତମେ ନିଜର ବ୍ୟକ୍ତିତ୍ୱକୁ ବଞ୍ଚେଇ ରଖିବାକୁ ଚେଷ୍ଟା କରିଛ । ସେ ଚେଷ୍ଟାରେ ତମେ ସଫଳ ହୋଇଛ ବୋଲି କେବେ ଅନ୍ତରରେ ଉପଲବ୍‌ଧି କରିଛ ? ତମେ କେବଳ ଦିନ କାଟୁଛ, ଦିନ କାଟିବା ପାଇଁ । ତମ ଘରର ଅଳୁନ୍ଧୁ ଭିତରେ ବୁଢ଼ିଆଣୀ ଜାଲ ଭିତରେ ତମେ ତମକୁ ଆବଦ୍ଧ ରଖିବାକୁ ଚେଷ୍ଟା କରି ଚାଲିଛ । ତମେ ଉର୍ଣ୍ଣନାଭ । ନିଜ ଜାଲରେ ନିଜେ ବାନ୍ଧି ହୋଇ ପଡ଼ିଛ । ସେହି ଜାଲରେ ବାନ୍ଧିହୋଇ, ତୁମେ ମୁକ୍ତି ଖୋଜିଲେ ପାଇବ କିପରି ? ତେଣୁ ତୁମେ ଜଣକ ପରେ ଜଣକୁ ହତ୍ୟା କରି ଚାଲିଛ । ସେଇ ଯୋଜନାରେ ତୁମେ ମତେ ହତ୍ୟା କରିବାକୁ ଚେଷ୍ଟା କରି ଚାଲିଛ । ଯୋଜନାବଦ୍ଧ ଭାବରେ ତମର ଏ ପ୍ରଚେଷ୍ଟାକୁ ମୁଁ ପ୍ରତିରୋଧ କରିଚାଲିଛି; ପ୍ରତିରୋଧ କରିଚାଲିବି-। ହୁଏତ ତୁମେ ମତେ ହତ୍ୟା କରିବାରେ ସକ୍ଷମ ହେବ । ସେଥିପାଇଁ ତୁମେ ଦିନେ କ୍ଷଣକ ପାଇଁ ଉତ୍‌ଫୁଲ୍ଲିତ ହେବ । କିନ୍ତୁ ସେ ଉତ୍‌ଫୁଲ୍ଲତା–ତୁମର ଅନ୍ତରର ଉପଲବ୍‌ଧି ନୁହେଁ । ତୁମେ ପୁଣି ଭୟ କରିବ, ମୋରି ଭଳି ଆଉ ଆଉମାନଙ୍କର ବ୍ୟକ୍ତିତ୍ୱକୁ ।

 

ମୋ ବ୍ୟକ୍ତିତ୍ୱ ସହସ୍ରବୀର୍ଯ୍ୟ । ତମକୁ ସ୍ୱପ୍ନରେ ଜାଗରଣରେ; ଚିନ୍ତନରେ ପ୍ରତିରୋଧ କରିବ, ପ୍ରତିବାଦ ଜଣେଇବ, ମୁକାବିଲା କରିବ, କାରଣ ଏ ବ୍ୟକ୍ତିତ୍ୱ ଇତିହାସରେ ବିଶ୍ୱାସ କରେନାହିଁ । ଇତିହାସ ସୃଷ୍ଟି କରିବାରେ ବିଶ୍ୱାସ କରେ । ଏ ବ୍ୟକ୍ତିତ୍ୱ ପଣ୍ୟ ସାମଗ୍ରୀ ନୁହେଁ ଯେ ତୁମେ ୟାକୁ କ୍ରୟ କରିପାରିବ । ଏ ବ୍ୟକ୍ତିତ୍ୱ ଏକ ମହତ୍ତର ସତ୍ତାର, ଏକ ମହତ୍ତର ଶକ୍ତିର, ଏକ ମହତ୍ତର ଉଦ୍ଦେଶ୍ୟର, ଏକ ମହତ୍ତର ଲକ୍ଷ୍ୟର ଅନୁସନ୍ଧିତ୍ସୁ । ଏ ଯାତ୍ରାପଥରେ ମଧ୍ୟ-ରାତ୍ରୀର ମହୋତ୍ସବ ଏକ ବିନ୍ଦୁମାତ୍ର । ଏ ବିନ୍ଦୁକୁ ଅତିକ୍ରମ କରି ଆଗେଇବାକୁ ଏ ବ୍ୟକ୍ତିତ୍ୱ ସତତ ଚେଷ୍ଟିତ । ତେଣୁ ତମେ ମତେ ହତ୍ୟା କଲା ପରେ ବି ମୁଁ ବଞ୍ଚିବି–ମୋର ବ୍ୟକ୍ତିତ୍ୱ ବଞ୍ଚିବ, ମୋର ଆଦର୍ଶ ବଞ୍ଚିବ । କାରଣ ମୁଁ ସେହି ମହତ୍ତର ସତ୍ୟର ଅନୁସନ୍ଧାନ କରୁଛି । ସେହି ସତ୍ୟକୁ, ସେ ସତ୍ତାକୁ ଏଇ ସମାଜରେ ଅନୁପ୍ରବେଶ କରାଇବା ପାଇଁ ଅନ୍ତରର ଆହ୍ୱାନ ପାଇଛି । ସେ ଆହ୍ୱାନକୁ ମୁଁ କ’ଣ ଏଡ଼ି ଦେଇପାରେ ? ସେଇଥି ପାଇଁ ମୁଁ ବିଶ୍ୱବ୍ରହ୍ମାଣ୍ତ ଘୂରିବାକୁ, ଆକାଶ, ପାତାଳ, ସ୍ୱର୍ଗ, ମର୍ତ୍ତ୍ୟ, ଭୂଲୋକ ଦ୍ୟୁଲୋକରେ ଝଙ୍କାର ସୃଷ୍ଟି କରିବାକୁ ପାଗଳ, ଏବଂ ମୁଁ ସେ ସତ୍ତାକୁ ଭୂଲୋକକୁ ଆଣିବାକୁ ଆଜୀବନ ଚେଷ୍ଟା କରି ଚାଲିବି ।

 

ତାହାହିଁ ମୋ ବ୍ୟକ୍ତିତ୍ୱର ସ୍ୱରୂପ–ଅନ୍ତତଃ ମୁଁ ନିଜକୁ ନିଜେ ଯେପରି ଦେଖିଛି, ତାହାହିଁ ମୋ ଯାତ୍ରା ପଥର ଭୂମିକା । ସେଇ ଭୂମିକା ନେଇ ମୁଁ ଜାଗତିକ ଭାଷାରେ ଜଣେ ପ୍ରଗତିବାଦୀ ସମାଜବାଦୀ–ଜଣେ ରାଜନୈତିକ କର୍ମୀ–ଜଣେ ସମାଜସେବୀ, ଜଣେ ଲେଖକ, ଜଣେ ବକ୍ତା, ଜଣେ ଶିକ୍ଷକ ଜଣେ ମଣିଷ ।

 

ତେଣୁ ମତେ ତମେ ହତ୍ୟା କଲାପରେ ବି ମୁଁ ବଞ୍ଚିବି–ମୁଁ ନ ବଞ୍ଚିଲେବି ମୋର ବ୍ୟକ୍ତିତ୍ୱ ବଞ୍ଚିବ, ମୋର ଜାତି ବଞ୍ଚିବ, ମୋର ସଂସ୍କୃତି ବଞ୍ଚିବ, ମୋର ଭାଷା ବଞ୍ଚିବ । ମୋର ଅଶରୀର ଆତ୍ମା ତମ ସହିତ ମୁକାବିଲା କରିବ । ତମକୁ ପୁଣି ଭୟଭୀତ କରେଇବ । ତମେ ନାଚିବ ପାଗଳ ହୋଇ । ତମେ ପ୍ରଳାପ କରିବ । ତମେ କମଳା ବାୟାଣୀକୁ ଦେଖିଛ । କ୍ୟାପିଟାଲ ସିନେମା ହଲ ନିକଟରେ ବହୁଦିନ ତଳେ ସେ ଯେଉଁ ନାରୀଟି ଚିତ୍କାର କରୁଥିଲା । ସେ ଚିତ୍କାର କେବେ ଶୁଣିଛ–ସେ ଆର୍ତ୍ତନାଦ ମୋ କର୍ଣ୍ଣକୁହରରେ ଏବେବି ଅନୁରଣିତ ହେଉଛି । ମୁଁ ତୁମକୁ ସେ ବେଶରେ ଦେଖିବାକୁ ଚାହେଁ ନାହିଁ । ସେଇଥି ପାଇଁ ତୁମକୁ ଏବେ ଚେତେଇ ଦେବାକୁ ଚାହେଁ, ତୁମକୁ ତୁମର ପଥ ବଦଳାଇବାକୁ ପଡ଼ିବ । ହତ୍ୟାର ପନ୍ଥାକୁ ତ୍ୟାଗକରି ପ୍ରେମର ପଥକୁ ଫେରିବାକୁ ପଡ଼ିବ । ସଂଘର୍ଷର ପଥକୁ ତ୍ୟାଗକରି ସହଯୋଗର ପଥକୁ ଖୋଜିବାକୁ ପଡ଼ିବ । ତୁମେ ଏ କଥାକୁ ଭ୍ରୂକ୍ଷେପ ନ କଲେ ବି, ତମକୁ ଏଇ ରାସ୍ତାଦେଇ ଫେରିବାକୁ ପଡ଼ିବ । ତା’ ନ ହେଲେ ତମେ ତମ ନିଜ ପନ୍ଥାରେ ନିଶ୍ଚିହ୍ନ ହୋଇଯିବ । ଇତିହାସ ତମକୁ ବଞ୍ଚେଇ ପାରିବ ନାହିଁ ।

 

ତେଣୁ ତମେ ମତେ ଆଜି ହତ୍ୟା କଲାପରେ ବି ବାରମ୍ୱାର ହତ୍ୟା କରିବାକୁ ଚେଷ୍ଟା କଲେବି ମୁଁ ବଞ୍ଚିବି, ମୁଁ ମଲେ ବି ମୋର ବ୍ୟକ୍ତିତ୍ୱ ବଞ୍ଚିବ । ମୋର ପ୍ରତ୍ୟେକ ରକ୍ତ କଣିକାରୁ ଜନ୍ମଲାଭ କରିବ ଶତ ଶତ ସହସ୍ର ସହସ୍ର ବ୍ୟକ୍ତିତ୍ୱ । ସେ ବ୍ୟକ୍ତିତ୍ୱ ତୁମର ପ୍ରତିରୋଧ କରିବ, ତୁମର ମୁକାବିଲା କରିବ । ମୋର ମରିବାର ବେଳା ଆସିଗଲା । ୧୯୭୫ ଏପ୍ରିଲ୍‌ ପହିଲାରେ, ଓଡ଼ିଶା ଅଣଚାଳିଶ ବର୍ଷରେ ପଦାର୍ପଣ କରିବ । ସେଇ ଦିବସର ଅବ୍ୟବହିତ ପୂର୍ବରୁ ମୁଁ ମରି ସାରିଥିବି ।

 

କିନ୍ତୁ ତମେ ବି ନଥିବ । ଏ ମୋର ଯୋଜନାର ଫର୍ଦ୍ଦ ନୁହେଁ–ଅନ୍ତରର ବାଣୀ । ତାହାହିଁ ମୋର ରାଜନୈତିକ ଜୀବନରେ ଏକ ନକ୍‌ସା । ସେ ନକ୍‌ସା ମୋର ଅନ୍ତରର ତାଗିଦାରେ ମୁଁ ତିଆରି କରିଛି । ସେ ନକ୍‌ସାରେ ପ୍ରତ୍ୟେକ ବିନ୍ଦୁ, ପ୍ରତ୍ୟେକ ରେଖାରେ ମୁଁ ସେଇ ମହତ୍ତର ସତ୍ତାର, ଜ୍ୟୋତିର ପ୍ରବେଶ ଲକ୍ଷ୍ୟ କରିଛି । ସେଇଥି ପାଇଁ ମୁଁ ତୁମକୁ ଆହ୍ୱାନ କରୁଛି ତମେ ତମର ପନ୍ଥା ତ୍ୟାଗ କର, ପଥ ପରିବର୍ତ୍ତନ କର ।

 

ତମେ ମୋତେ ହତ୍ୟା କଲାପରେ ବି ମୁଁ ବଞ୍ଚିବି–ମୋର ବ୍ୟକ୍ତିତ୍ୱ ବଞ୍ଚିବ ଓ ମୋର ସହକର୍ମୀ, ସମଧର୍ମୀମାନଙ୍କର ବ୍ୟକ୍ତିତ୍ୱ ବଞ୍ଚିରହିବ ।

 

ତେଣୁ ତମେ ମତେ ହତ୍ୟା କଲାପରେ ବି ମୁଁ ବଞ୍ଚିବି–କାରଣ ମୁଁ ଜଣେ ପ୍ରଗତିବାଦୀ, ଜଣେ ସମାଜବାଦୀ, ଜଣେ ରାଜନୈତିକ ବ୍ୟକ୍ତି ।

 

(ସମାବେଶ, ଜାନୁୟାରୀ, ୧୯୭୫)

Image

 

ମୁଁ ଜଣେ ପ୍ରତିକ୍ରିୟାଶୀଳ ବ୍ୟକ୍ତି

 

ଆପଣମାନଙ୍କ ଭିତରୁ ଅନେକ ଲୋକ ନିଉଟନ୍‌ଙ୍କ କଥା ଶୁଣିଥିବେ । ସେ ଜଣେ ପଦାର୍ଥ ବିଜ୍ଞାନୀ ଥିଲେ । ବିଜ୍ଞାନର ଇଲାକାରେ ଗବେଷଣା ଏକ ପ୍ରଧାନ ଅସ୍ତ୍ର । ଏଇ ଅସ୍ତ୍ର ସାହାଯ୍ୟରେ ବହୁ ବୈଜ୍ଞାନିକ ସମସ୍ୟାର ସମାଧାନ ହୋଇ ଯାଇଥାଏ । ଏମିତିଆ କଥା ନିଉଟନ୍‍ ବିଶ୍ୱାସ କରୁଥିଲେ । ଏ ବିଶ୍ୱାସଟି ଏକ ବୈଜ୍ଞାନିକ ବିଶ୍ୱାସ ଏଥିରେ କିଏ କେଉଁ ଭୂଖଣ୍ତରେ ଜନ୍ମଲାଭ କରନ୍ତି, ତା’ ସହିତ କୌଣସି ସମ୍ପର୍କ ନାହିଁ । ଦୁଇରେ ଦୁଇ ମିଶିଲେ ଚାରି ରୁଷିଆରେ, ଚୀନରେ, ଆମେରିକାରେ, ଇଂଲଣ୍ତରେ ସବୁଠି ଏଇ ଏକ ସିଦ୍ଧାନ୍ତ । ହୁଏତ ଓଡ଼ିଶାରେ ଏହା ତିନି କିମ୍ୱା ପାଞ୍ଚ ହେଇ ଯାଇ ପାରେ । କାରଣ ଏଠି ତିନି ତୁଣ୍ତରେ ଛେଳି କୁକୁର ହୁଏ ଆଉ ପାଞ୍ଚ ତୁଣ୍ତରେ କୁକୁର ବି ସମ୍ରାଟ ବା ସାମ୍ରାଜ୍ଞୀ ହୋଇଯାଇ ପାରେ ।

 

ମୁଁ ଓଡ଼ିଶାବାସୀଙ୍କ ଚିନ୍ତାଧାରା ସହିତ ପରିଚିତ । ତେଣୁ ଏଠି ଦୁଇରେ ଦୁଇ ମିଶିଲେ ଚାରିହୁଏ ବୁଝେଇ ବି ଲାଭ ନାହିଁ । କାରଣ ଏଠି ସମାଜବାଦ ଚାଲିଛି ପ୍ରାୟ ତିରିଶ ବର୍ଷ ହୋଇଗଲା ଓ ଏଇ ସମାଜବାଦୀ ସମାଜରେ ତିନି ତୁଣ୍ତରେ ଛେଳି କୁକୁର ହେବା ଓ ପାଞ୍ଚ ତୁଣ୍ତରେ କୁକୁର ସାମ୍ରାଜ୍ଞୀ ହେବା ବି ହେଇ ଚାଲିଛି । କାରଣ ଏଠି ନିଉଟନ୍‌ଟିଏ ଜନ୍ମ ହେଇ ପାରିନି କିମ୍ୱା ଆଉ ବିଶାଶହେ ବର୍ଷରେ ହବ କି ନାହିଁ ସନ୍ଦେହ ।

 

କିନ୍ତୁ ନିଉଟନ୍‍ଙ୍କର ଗୋଟିଏ ଆଇନ୍‌ ଏଠି ଖୁବ୍‌ କାମ ଦେଖେଇଛି । ପଦାର୍ଥ ବିଜ୍ଞାନର ଏଇ ଆଇନ୍‍ର ତୃତୀୟ ଦଫାରେ ଗୋଟିଏ ସୁନ୍ଦର କଥା ରହିଛି । ସେଠି କୁହାଯାଇଛି ‘‘ପ୍ରତ୍ୟେକ କାର୍ଯ୍ୟର ବିପରୀତ ଓ ସମଶକ୍ତି ସମ୍ପନ୍ନ ପ୍ରତିକ୍ରିୟା ରହିଛି ।’’ ଅର୍ଥାତ୍‍ ଯେଉଁ କାର୍ଯ୍ୟଟି ଘଟେ ବା ଘଟେଇ ଦିଆଯାଏ ବା କରାଯାଏ ବା କରେଇ ଦିଆଯାଏ ସେ ‘‘କ୍ରିୟାଟି’’ର ବିପରୀତ କ୍ରିୟାଟି ହେଲା ‘‘ପ୍ରତିକ୍ରିୟା’’ । ଯେମିତି ଯେସାକୁ ତେସା, ହାରାମଜାଦାକୁ ଟାଙ୍ଗିଆ ପଶା । ଯିଏ ଯେମିତି କାମ କରେ ସିଏ ସେମିତି ପ୍ରତିଫଳ ପାଏ । ସିଏ ଯେଉଁ ‘କ୍ରିୟା’ ସମ୍ପାଦନ କରେ ସେ ସେହିପରି ‘‘ପ୍ରତିକ୍ରିୟା’’ର ସମ୍ମୁଖୀନ ହୁଏ । ଯିଏ ଶ୍ଳୀଳତା (ଏହାର ଆଭିଧାନିକ ଅର୍ଥ ଭଦ୍ରତା) ବର୍ଜନ କରେ, ସିଏ ଅଶ୍ଳୀଳତାର ଶରବ୍ୟ ହୁଏ । ତେଣୁ ପ୍ରତିକ୍ରିୟାଶୀଳ କେଉଁମାନେ ? ଯେଉଁମାନେ ‘କ୍ରିୟା’ର ସମଶକ୍ତି ସମ୍ପନ୍ନ ଓ ବୀପରିତ ପ୍ରତିକ୍ରିୟା ସମ୍ପାଦନ କରି ପାରନ୍ତି, ସେଇମାନେ । ସେଇ ବିଚାରରେ ମୁଁ ଜଣେ ପ୍ରତିକ୍ରିୟାଶୀଳ । ଆପଣମାନେ ଯେଉଁ କ୍ରିୟା ସମ୍ପାଦନ କରି ଚାଲିଛନ୍ତି, ତାହାରି ବିପରୀତ କ୍ରିୟା ସମ୍ପାଦନ କରି ମୁଁ ପ୍ରତିକ୍ରିୟାଶୀଳ ।

 

ଆପଣ ଯଦି ଗର୍ବ କରନ୍ତି ଯେ ‘‘ଦେଶ୍‌କି ଲିୟେ’’ ଆପଣ ସବୁ କଥା କରୁଛନ୍ତି, ଏପରିକି କି ଲାଉ ଚୋର, କଖାରୁ ଚୋରଙ୍କୁ ଧରି, ବଡ଼ ଚୋରଙ୍କୁ ଘଣ୍ଟ ଘୋଡ଼େଇବା ଆପଣଙ୍କର ଧର୍ମ ଓ କର୍ମ, ତେବେ ମୋର ପ୍ରତିକ୍ରିୟା ହେଉଛି ଲାଉ ଚୋର, କଖାରୁ ଚୋରଙ୍କୁ ଛାଡ଼ି, ବଡ଼ ଚୋରଙ୍କୁ ଧରିବା । ଆପଣ ଯଦି କଳାବଜାରୀ ମୁନାଫାଖୋରଙ୍କୁ ଧରିବାକୁ ଚାହାନ୍ତି, ତେବେ ମୁଁ ବି କଳାବଜାରୀ ମୁନାଫାଖୋରଙ୍କୁ ‘‘ରାସ୍ତାରେ ଫାଶୀ ଖୁଣ୍ଟରେ’’ ଝୁଲେଇ ଦବାକଥା ଗତ ତିରିଶ ବର୍ଷ ହେଲା ଶୁଣି ଆସିଛି । ଆଉ ଏହାରି ଭିତରେ ଯେଉଁମାନେ ମାସିକ ଦେଢ଼ ହଜାର ଟଙ୍କା ଦରମାରେ ୭।୮ ବର୍ଷ ‘‘ଚାକିରି’’ କରି କୋଟିପତି ହେଇ ପାରନ୍ତି (ବିନା ବ୍ୟବସାୟରେ–ଅବଶ୍ୟ ରାଜନୀତିକୁ ଆପଣ ଯଦି ବ୍ୟବସାୟ କିମ୍ୱା ‘‘ଶିଳ୍ପ’’ ବୋଲି ଭାବି ନ ନିଅନ୍ତି ।) ତେବେ ଆପଣ ନିଜକୁ କଳାବଜାରୀ, ମୁନାଫାଖୋର ବୋଲି ଘୋଷଣା କରିବାକୁ ଆପଣଙ୍କ ପ୍ରଚାର ବିଭାଗ ସିନା ବାରଣ କରିବ, ମୁଁ କିଆଁ କରିବି ? ମୁଁତ ପ୍ରତିକ୍ରିୟାଶୀଳ । କାରଣ ଆପଣଙ୍କର କାର୍ଯ୍ୟ କଳାପର ମୁଁ ଉତ୍ତର ଦେବା ହିଁ ମୋର ପ୍ରତିତ୍ରିୟା ଓ ସେଇଥି ପାଇଁ ମୁଁ ପ୍ରତିକ୍ରିୟାଶୀଳ । ଖାସ୍‌ ସେଇଥି ପାଇଁ ପ୍ରତିକ୍ରିୟାଶୀଳ ରହିଛି ଓ ରହିବି ।

 

‘‘ଯେ ସ୍ଥାନେ ଯେମନ୍ତ ମିଳଇ’’ ଆମର ଆପ୍ତ ବାକ୍ୟ । ଏଠି ଆପଣଙ୍କର କାର୍ଯ୍ୟକଳାପ ଓ କ୍ରିୟା ଯେମନ୍ତ, ମୋର ପ୍ରତିକ୍ରିୟା ସେମନ୍ତ । ତେଣୁ କ୍ରିୟାରୁ ପ୍ରତିକ୍ରିୟା, ଯେସାକୁ ତେସା ଆଉ ହାରାମ ଜାଦାକୁ ମୁଁ ଜଣେ ପ୍ରତିକ୍ରିୟାଶୀଳ ।

 

(ପ୍ରଗତିବାଦୀ, ୧୯୭୬)

Image

 

ମୁଁ ଯଦି କେବେ ହସେ

 

ମୁଁ ଯଦି କେବେ ହସେ...... ହଁ...ମୁଁ ଯଦି ।

ଗତଥର ମୁଁ ମଲାପରେ, ରମା କଥା ମନେପଡ଼ିଲା, ରମା କଥା, ହଁ ମ ସେଇ ରମା, ବାବୁଲି ବୋଉ ରମା, ଯାହାକୁ ମୁଁ ଭଲ ନ ପାଇ ବାହା ହେଇଥିଲି ଅଗ୍ନିକୁ ସାକ୍ଷୀ ରଖି, ବେଦୀ ଉପରେ ବସି । ପରେ ପରେ ରେଜେଷ୍ଟ୍ରି ବି କରେଇ ନେଇଥିଲି । ସମସ୍ତେ ଜାଣିବାକୁ ସେ ମୋର ଧର୍ମପତ୍ନୀ, ଅର୍ଦ୍ଧାଙ୍ଗିନୀ, ସହଧର୍ମିଣୀ, ଓଡ଼ିଆ ନ ଜାଣିଥିବା ଲୋକଙ୍କ ଭାଷାରେ ଓ୍ୟାଇଫ୍‌ କିମ୍ୱା ଅତ୍ୟାଧୁନିକଙ୍କ ଭାଷାରେ ମିସେସ୍‌ ମହାପାତ୍ର । ସେ ମୋର ଚାରୋଟି ସନ୍ତାନର ଜନନୀ । ଅନ୍ୟ କାହାର ‘ପତ୍ନୀତ୍ୱ’ ସେ ଭୁଲରେ ମଧ୍ୟ ସ୍ୱୀକାର କରି ନାହାନ୍ତି । ଏକ ‘ପତିବ୍ରତ’ ତାଙ୍କର ନିଶା ନହେଲେ ବି ପେଷା । ତେଣୁ ଗତଥର ମୁଁ ମଲାପରେ ସେ ପେଷାଦାରୀ ଭାବରେ ଆଖିରୁ ଲୁହ ଗଡ଼େଇଛନ୍ତି, ହାତରୁ ଖଡ଼ୁ ଉତାରିଛନ୍ତି, ଆଜାନୁଲମ୍ୱିତ କେଶଗୁଚ୍ଛକୁ କର୍ତ୍ତନ କରି ‘ବବ୍‌’ ହେଆର ରଖିଛନ୍ତି ।

ପୁରୁଷ ଲୋକଙ୍କ ସହିତ ଆଖି ମିଳିଗଲେ କାୟା ଅସ୍ପୃଶ୍ୟ ହୋଇଯିବ ବୋଲି ସେ ‘ଗଗ୍‌ଲସ’ ପିନ୍ଧନ୍ତି । କିନ୍ତୁ ଏବେ ବି ‘ଗୋଗୋ’ ଦେଖି ନାହାନ୍ତି । ଷ୍ଟ୍ରିପଟି ନାଚ ଦେଖିଲେ ମନ ତାଙ୍କର କୁରୁଳି ଉଠୁଥିବ, ତନୁରେ ତାଙ୍କର ଶିହରଣ ଖେଳି ଯାଉଥିବ । କିନ୍ତୁ ସେ ସର୍ବସାଧାରଣଙ୍କ ସମ୍ମୁଖରେ ନିଜକୁ ଏମିତି ଧରା ପକେଇବାକୁ ଚାହାନ୍ତି ନାହିଁ । ତେଣୁ ଓଢ଼ଣାଟି ଭଲ ଭାବରେ ମୁଣ୍ତ ଉପରକୁ ଟାଣି ନିଅନ୍ତି, ନିଜର ବସ୍ତ୍ରରାଶିକୁ ସଂଯତ କରି ବସନ୍ତି ଓ ଏବେ ଛେଦା ଶାଢ଼ି ପିନ୍ଧିବା ତାଙ୍କର ଅଭ୍ୟାସରେ ପରିଣତ ହେଲାଣି ।

ସେ ଏବେ ସମୟ କଟେଇବାକୁ ମଧ୍ୟେ ମଧ୍ୟେ ତାଙ୍କର ପୁରାତନ ଗତାୟୁ ପତିମାନଙ୍କର ବନ୍ଧୁମାନଙ୍କୁ ଭେଟନ୍ତି । ସୁଖ ଦୁଃଖ ହୁଅନ୍ତି । ବେଳେବେଳେ ଅସହଣି ଲୋକେ ତାଙ୍କୁ ଥଟ୍ଟା ପରିହାସ କରନ୍ତି, ତାଙ୍କ ନାଁରେ ଗୁଜବ ରଟନା କରନ୍ତି । କିନ୍ତୁ ଏ ସବୁକୁ ଭ୍ରୂକ୍ଷେପ ନ କରି ସେ ଆଗେଇ ଚାଲନ୍ତି ଓ ଚାଲିଛନ୍ତି । କାରଣ ସେ ମତେ ଭୁଲିବାକୁ ଚେଷ୍ଟା କରୁଛନ୍ତି ।

ଗତଥର ମୁଁ ମଲାପରେ, ପୁଣି ଯେପରି ପୁନର୍ଜନ୍ମ ନ ନିଏ ସେଇଥି ପାଇଁ ସେ ଚେଷ୍ଟା କରି ଚାଲିଛନ୍ତି, ଗୁଣୀ ଗାରେଡ଼ି, ଚଣ୍ତୀ ସାଧନା, ଗୁପ୍ତଚର ସଙ୍ଗଠନ–ଏସବୁ ଭିତରେ ସେ ମୋର ଅସ୍ତିତ୍ୱକୁ ଚିରଦିନ ଲୋପ କରି ଦେବାକୁ ଚାହାନ୍ତି । କାରଣ ସେ ମୋର ପତ୍ନୀ ବୋଲି ପରିଚୟ ଦେବାକୁ ଆଉ ଇଚ୍ଛାପ୍ରକାଶ କରୁନାହାନ୍ତି ।

ସେ ଏବେ ସ୍ୱାଧୀନା, ନାରୀତ୍ୱ, ମାତୃତ୍ୱ, ଜାୟାତ୍ୱ, ଭଗୀନିତ୍ୱ ସବୁକୁ ତ୍ୟାଗ କରି ସେ ଜାଗ୍ରତ, ଉତ୍ତିଷ୍ଠତଃ ।

ତେଣୁ ଗତଥର ମୁଁ ମଲାପରେ ଦୂରରୁ ତାଙ୍କର ଏ ରୂପକୁ ଦେଖି ମୁଁ ବିହ୍ୱଳିତ ହୋଇ ପଡ଼ୁଥିଲି । ମନେ ହେଉଥିଲା ଏଇ ଅଶରିରୀ ଆତ୍ମା ମୋର, ରାତ୍ରୀର ଗଭୀର ଅନ୍ଧକାର ଭିତରେ ତାଙ୍କ ପାଖରେ ପହଞ୍ଚିଯାନ୍ତା । ତାଙ୍କୁ ମନେ ପକେଇ ଦବାକୁ ଗତ ଜନ୍ମ କଥା । ଯେଉଁ ଜନ୍ମରେ ସେ ଥରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ରକ୍ଷା ପାଇ ଯାଇଥିଲେ, ଯେପରି ଗତଥର ମୁଁ ମଲାପରେ ବି ବଞ୍ଚିଗଲି, ଭଗବାନଙ୍କର ଲମ୍ୱା ହାତ ମୋ ମୁଣ୍ତକୁ ଛୁଇଁଥିଲା ବୋଲି । ମୋର ବାଳ ପାଚି ପାଚି ଆସୁଥିଲା । ଚାଳିଶା ଅତିକ୍ରମ କରି ତିନି ବର୍ଷ ଅଧିକ ହୋଇ ଯାଇଥିଲା । ସେତେବେଳକୁ ସେ ମୋଠୁଁ ବୟସରେ ଦୁଇବର୍ଷ ବଡ଼ ଥିଲେ । କିନ୍ତୁ ଆମର ବିବାହ ହୋଇଥିଲା ପାରମ୍ପରିକ ରୀତିରେ ।

ଏ ବଡ଼ ସାନ ବୟସ ଭେଦାଭେଦକୁ ଆମେ ଭୁଲି ଯାଇଥିଲୁ । କାରଣ ସେତେବେଳେ ପୁରୁଷ ଓ ନାରୀଙ୍କ ଭିତରେ ଏତେ ସାମାଜିକ କଟକଣା ନଥିଲା । ସମସ୍ତେ ସମସ୍ତଙ୍କୁ ନିଃସଙ୍କୋଚରେ ଭେଟି ପାରୁଥିଲେ । ସେମିତି ଆମେ ପରସ୍ପରକୁ ଭେଟିଥିଲୁ । କିନ୍ତୁ ସେ ଟିକିଏ ଏକଜିଦିଆ ଥିଲେ । ସେଥିପାଇଁ ସେ ଅଭିମାନରେ, ରାଗରେ, ରୋଷରେ ‘ଉପନିଷଦ’ର କେଉଁ ପଂକ୍ତି ଉଦ୍ଧାର କରି ସର୍ବଦା ‘ପୁରୁଷାୟିତ’ରେ ହିଁ ସନ୍ତୁଷ୍ଟ ହେଉଥିଲେ । ନାରୀ ଜାଗରଣ କାଳରେ ଏ ଆକାଂକ୍ଷାକୁ ମୁଁ ସହି ନେଇଥିଲି । କାରଣ ଏଥିରୁ ସେ ଆନନ୍ଦ ପାଉଥିଲେ । ତାଙ୍କୁ ଏଇ ଆନନ୍ଦରୁ ବଞ୍ଚିତ କରିବାକୁ ମୁଁ ଚାହିଁ ନଥିଲି । କିନ୍ତୁ କ୍ରମଶଃ ତାଙ୍କର ଏ ଆଗ୍ରହ, ନିଶାରେ ପରିଣତ ହୋଇଗଲା । ଓ ଏଇ ନିଶାରୁ ତାଙ୍କର ମାନସିକ ବିକାର ଦେଖାଗଲା ଓ କ୍ରମଶଃ ସେ ନିଜକୁ ମୋର ଧର୍ମପତ୍ନୀ ବୋଲି ପାଶୋରି ଦେବାକୁ ବସିଲେ ।

ମୁଁ ଯେତେ ବୁଝେଇଲେ ବି ସେ ବୁଝିବାକୁ ରାଜି ହେଲେ ନାହିଁ । ଯେତେ ପରାମର୍ଶ ଦେଲେ ବି ସେ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କଲେ ନାହିଁ । କାରଣ ସେତେବେଳେକୁ ସେ ‘ପୁରୁଷାୟିତ’ ରୀତିକୁ ନିଜର ଅହମିକାରେ ନିଜର ଆଧିପତ୍ୟ ବୋଲି ବିଚାର କରି ନେଇଥିଲେ ।

ଏବେ ସେ ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ସଂକଳ୍ପବଦ୍ଧ ନହେଲେ ମଧ୍ୟ, ଇଚ୍ଛା, ଆଗ୍ରହର ସୂଚନା ଦେଲେଣି–କିନ୍ତୁ ମୁଁ ତାଙ୍କୁ ବିଶ୍ୱାସ କରି ପାରୁନାହିଁ ଯେ ସେ ପୁଣି ମୋର ଧର୍ମପତ୍ନୀ ହୋଇ ପାରିବେ, କାରଣ ସେ ଅନେକ ଆଗେଇ ଯାଇଛନ୍ତି । ମୁଁ ତାଙ୍କୁ ‘ପୁରୁଷାୟିତ’ର ସୁଯୋଗ ଦେଇ ତାଙ୍କର ଅହମିକାକୁ ଇନ୍ଧନ ଯୋଗାଇଛି ।

ଏବେ ଚକ ବଦଳିବା ଆରମ୍ଭ ହୋଇଛି, ପହି ବଦଳିବା ଆରମ୍ଭ ହୋଇଛି । ମହୀ ବଦଳିବା ବାକି ରହିଛି । କିନ୍ତୁ ଗତଥର ମୁଁ ମଲା ପରେ ବି ଏବେ ଯେତେବେଳେ ମୋର ବିଗତ ଜନ୍ମର ଧର୍ମପତ୍ନୀଙ୍କୁ ଦେଖୁଛି, ଚାହୁଁଛି, ନିରେଖୁଛି, ସେତେବେଳେ ସେ ଧରା ଦେବାକୁ ମନ ବଦଳେଇବା ଭଳି ଅଙ୍ଗଭଙ୍ଗୀ କରୁଛନ୍ତି, ଅଭିନୟ କରୁଛନ୍ତି, ଚତୁର ପଣିଆରେ ଜଣେଇ ଦବାକୁ ଚାହୁଁଛନ୍ତି ଯେ ସେ ଗୋଟାକଯାକ ମୋର । ଖାଣ୍ଟି ଷୋଳଅଣା ବା ଶହେ ପଇସିଆ ତାଙ୍କର ପ୍ରୀତି ଅମଳିନ ରହିଛି । ‘‘ପତି ପରମଗୁରୁ’’ ବ୍ରୋଚ ପିନ୍ଧିବାକୁ ସେ ବ୍ରତ କରି ନେଇଥିଲା ପରି ମନେ ହେଉଛି କିନ୍ତୁ ସେ ‘‘ଏକ ପତିବ୍ରତରେ’’ ବିଶ୍ୱାସ ରଖିଥିବା ଭଳି ମନେ ହେଉନାହିଁ । ବହୁ ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସେ ଆଜି ଅତି ଏକୁଟିଆ, ନିଃସଙ୍ଗ । ତେଣୁ ‘ପୁରୁଷାୟିତ’ର ଆନନ୍ଦରୁ ସେ କ୍ରମଶଃ ସ୍ୱାଭାବିକ ‘ରତିବିଳାପ’ ଶୁଣିବାକୁ ଆରମ୍ଭ କଲେଣି । ସେହି ସ୍ୱାଭାବିକତା ଟିକକ ସେ ଫେରି ପାଇଲେ, ସେ ମୋ ପାଖରେ ଧରାଦେବେ । ଅବଶ୍ୟ ମଧ୍ୟେ ମଧ୍ୟେ ତାଙ୍କର ପୂର୍ବ ପ୍ରକୃତି ମନେ ପଡ଼ିଯାଇ ପାରେ । ସେଥିପାଇଁ ତାଙ୍କୁ ମୁଁ କ୍ଷମା ଦେବାକୁ ଚାହିଁଲେ ବି ସେ କ୍ଷମାର ପାତ୍ରୀ ହେବା ଦରକାର । ନ ହେଲେ ମୁଁ କରୁଣା କେଉଁ ପାତ୍ରରେ ଢାଳିବି ?

ଏ କ୍ଷମା କେବଳ ବାଚନିକ ନ ହୋଇ ଆନ୍ତରିକ ହେବା କାମ୍ୟ ଓ ଏହା କେବଳ ହୋଇପାରିବ ‘ହୃଦୟ ପରିବର୍ତ୍ତନ’ ଫଳରେ । ଏ ‘ହୃଦୟ ପରିବର୍ତ୍ତନ’ ପାଇଁ ସେ ପ୍ରସ୍ତୁତ ତ ?

ଅପ୍ରସ୍ତୁତ ହେବାର କୌଣସି କାରଣ ମୁଁ ଖୋଜି ପାଉ ନାହିଁ । କାରଣ ଗତଥର ମୁଁ ମଲା ପୂର୍ବରୁ ସେ ମୋର ପତ୍ନୀ ଥିଲେ, ପୁଣି ଥିଲେ ଧର୍ମପତ୍ନୀ । ସେ ସେକଥା ଭୁଲି ଯାଇପାରିଥାନ୍ତି । ଦେହର ଉତ୍ତାପ, ମନର ବିକାର, ସ୍ନାୟୁର ଦୁର୍ବଳତା, ନାରୀସୁଲଭ ଅହଙ୍କାର ଏସବୁ ତାଙ୍କୁ ତାଙ୍କ ‘ପତ୍ନୀତ୍ୱ’କୁ ପାଶୋରି ଦେବାକୁ ପ୍ରଭାବିତ କରିଥାଇପାରେ ।

ଏବେ ବୟସ ତାଙ୍କର ବଢ଼ିଗଲାଣି । ମସ୍ତିଷ୍କର କୁଞ୍ଚିତ କେଶରାଶି ଏବେ କିଞ୍ଚିତ ପରିମାଣରେ ଶୁକ୍ଳ ହେଲାଣି । ଉନ୍ନତ ବକ୍ଷୋଜ ଏବେ ଅବଦମିତ । ଯୌବନର କାନ୍ତିରେ ଏବେ ମଳିଚା ପଡ଼ିଲାଣି । ଚକ୍ଷୁର ଜ୍ୟୋତି ଏବେ କମି ଆସିଲାଣି, ସେଥିପାଇଁ ସେ ‘ପରଚକ୍ଷୁ’ ବ୍ୟବହାର କଲେଣି । ମଧ୍ୟେ ମଧ୍ୟେ ସେ ଗୀତା ଭାଭଗତ ବାଣୀ ଉଦ୍ଧାର କଲେଣି । ସେ କ’ଣ ଏବେ ତପସ୍ୱିନୀ ପାଲଟିଗଲେ ନା କ’ଣ ? ମୁଁ ମେହେର କବି ନୁହେଁ, କିମ୍ୱା ନାଥଯୋଗୀ ନୁହେଁ । ତେଣୁ ତାଙ୍କର ଏ ରୂପର ପ୍ରଶସ୍ତି ଗାଇବାକୁ ମୋ କଣ୍ଠରେ ଭାଷା ଜୁଟୁ ନାହିଁ ।

କିନ୍ତୁ ତଥାପି ମୁଁ ତାଙ୍କୁ ଭଲ ପାଇଛି ଓ ଏବେ ବି ଭଲ ପାଇବାକୁ ଚେଷ୍ଟା କରୁଛି । କାରଣ ମୁଁ ଗତଥର ମଲ ପୂର୍ବରୁ ସେ ମୋର ଧର୍ମପତ୍ନୀ ଥିଲେ । କିନ୍ତୁ ଏ ଭଲ ପାଇବାରେ ଦେହର କାମନା ନାହିଁ, ଯୌବନର ଉଦ୍ଦାମତା ନାହିଁ; ରତିକ୍ରୀଡ଼ାର ସଫଳ ଆବେଗ ବା ଅସଫଳ ବିଷାଦ ନାହିଁ । ମୁଁ ତାଙ୍କୁ ଭଲ ପାଉଛି, କାରଣ ସେ ଦୁର୍ବଳ, ବିଗତ ଯୌବନା ଓ ସେ ଜଣେ ନାରୀ ବୋଲି । ମୁଁ ଆହୁରି ଭଲ ପାଇଛି ସେ ଏବେ ଧରା ଦେବାକୁ ସୂଚନା ଦେଇଛନ୍ତି ବୋଲି । ତାଙ୍କୁ ମୁଁ ‘ପୁରୁଷାୟିତ’ ରତିରେ ଆନନ୍ଦ ଦେବାକୁ ଅନିଚ୍ଛୁକ ବୋଲି ସେ ବୋଧହୁଏ ବୁଝି ପାରିଲେଣି । କିମ୍ୱା ସେ ଏବେ ଅପରାଜିତା ରହି ବି ‘ପରାଜିତା’ର ଅଭିନୟ କରୁଛନ୍ତି । କିନ୍ତୁ ସେ ଏବେ ସ୍ୱାଭାବିକ ରତି ଚାହିଁଲେଣି । ଏ କ୍ଷୁଧାରୁ ତାଙ୍କୁ ମୁକ୍ତି ଦେବାକୁ ପଡ଼ିବ, ସେଥିପାଇଁ ମତେ ବାଧ୍ୟ ହୋଇ ତାଙ୍କର ଅନୁରୋଧ ରକ୍ଷା କରିବାକୁ ପଡ଼ିବ ।

ସେ ଏବେ ଅନ୍ତତଃ ପ୍ରକାଶ୍ୟରେ ସ୍ୱୀକାର କରିବାକୁ ବସିଲେଣି ଯେ ଗତଥର ମୁଁ ମଲା ପୂର୍ବରୁ ସେ ମୋର ‘ଧର୍ମପତ୍ନୀ’ ଥିଲେ ବୋଲି । ଏବେ ସେଇ ଦାବି ନେଇ ସେ ଉପସ୍ଥିତା । ତେଣୁ ତାଙ୍କୁ ମୁଁ ଗ୍ରହଣ କରି ନେଉଛି ।

ଏଇ ଭାବଟିକକ ଗ୍ରହଣ କରିବା ପାଇଁ ମୁଁ ଅପେକ୍ଷା ରଖିଥିଲି । ଏବେ ସେ ଏ ଭାବର ଅଭାବ ଉପଲବ୍‌ଧି କରିବେ ନାହିଁ ବୋଲି ଆଶା । ଅବଶ୍ୟ ଯଦି ତାଙ୍କର ପୂର୍ବ ପ୍ରକୃତି ପୁଣି ପ୍ରକାଶ ନ ପାଏ । ମଣିଷ ପ୍ରକୃତି ମଲେ ତୁଟେ । ଗତଥର ମୁଁ ମଲା ପୂର୍ବରୁ ମୋର ପ୍ରକୃତି ତୁଟି ଯାଇଛି । କିନ୍ତୁ ତାଙ୍କର... ?

କାରଣ ସେ ନାରୀ ଓ ମୁଁ ପୁରୁଷ । ଅଥବା ମୁଁ ପୁରୁଷ ଓ ସେ ନାରୀ । ଏଇ ନାରୀ ପୁରୁଷ, ପୁରୁଷ ନାରୀ ଭେଦରୁ ଅର୍ଦ୍ଧନାରୀଶ୍ୱର ଅବସ୍ଥା ଆଉ କେତେକାଳ ବାକି ରହିଲା ? ଏଇ ଅବସ୍ଥା ଦେଇ ତ ଆମକୁ ଅତି ମାନସ ସ୍ତରକୁ ଯିବାକୁ ପଡ଼ିବ । ଗତଥର ମୁଁ ମଲା ପୂର୍ବରୁ ଏଇ ସ୍ତରରେ ପହଞ୍ଚି ପାରି ନଥିଲି । ଏଥର ହୁଏତ ତାଙ୍କୁ ପାଇଲେ ବା ତାଙ୍କ ସହିତ ଏଇ ସ୍ତରରେ ପହଞ୍ଚି ହେବ ।

ଜୟ ଶ୍ରୀମା, ଶ୍ରୀମାଙ୍କର ଜୟ ହେଉ । ଜୟ ହେଉ ବିଦେଶିନୀ ଏଇ ନାରୀଙ୍କର–ପୁଣି ନାରୀ ଶକ୍ତିର । ୟେ ମୋର ବି ଜୟ ଜୟକାର । କାରଣ ବୈଷ୍ଣବୀୟ ରୀତିରେ ମୋ ଭିତରେ ବି ନାରୀତ୍ୱ ଲୁଚି ରହିଛି ଓ ତାଙ୍କ ଭିତରେ ବି ‘ପୁରୁଷତ୍ୱ’ର ‘‘କାୟା ପ୍ରବେଶ’’ ଘଟିଛି । ତେଣୁ ୟେ ତାଙ୍କର ବି ଜୟ ଜୟକାର ।

ତେଣୁ ମୁଁ ପୁରୁଷ ହୋଇ ବି ନାରୀ ଓ ସେ ନାରୀ ହୋଇ ବି ପୁରୁଷ । ବିବାଦ ମେଣ୍ଟିଗଲା । ମାନ ଭଞ୍ଜନ ହୋଇଗଲା ।

ଏବେ ଆମେ କ୍ଳାନ୍ତ । ତେଣୁ ମୁଁ ହସିବାକୁ ଆରମ୍ଭ କରିଛି । ହଁ ! ହସିବାକୁ ଆରମ୍ଭ କରିଛି ।

(ଆସନ୍ତା କାଲି, ମେ, ୧୯୭୬)

Image

 

ମୁଁ ଜଣେ ବିରାଡ଼ି ବୈଷ୍ଣବ

 

ମୁଁ ସେଦିନ ଏକାବଳୀ ଅଳଙ୍କାର ବହିଟି ଖୋଜୁଥିଲି । ଅଳଙ୍କରଣ ଶୈଳୀ ଶିଖିବା ପାଇଁ, ଦେଖିବା ପାଇଁ, ଦେଖେଇବା ପାଇଁ, ପରଖିବା ପାଇଁ ଓ ପରଖେଇବା ପାଇଁ, ଖାସ ସେଇଥି ପାଇଁ ମୁଁ ଖୋଜୁଥିଲି ଏକାବଳୀ ଅଳଙ୍କାର ।

 

ଏ ଅଳଙ୍କାର ପାଣ୍ତୁଲିପିଟି ଖୋଜିବା ପାଇଁ ମୋର ବଡ଼ କର୍ମକର୍ତ୍ତାଙ୍କ ଆଦେଶ ଓ ନିର୍ଦ୍ଦେଶ । ସେଇଥି ପାଇଁ ମୁଁ ଖୋଜୁଛି, କଟକରେ ଖୋଜୁଛି, ଭୁବନେଶ୍ୱରରେ ଖୋଜୁଛି, ଖୋଜୁଛି ପୁରୀର ବେଳା ଭୂମିରେ । ମୁଁ ସେଇ ମନମୋହନ ଯିଏ ଅଳଙ୍କାର ପଦ୍ଧତି ଶିଖିବାକୁ ଭଲପାଏ । ମୁଁ ସେଇ ମଦନମୋହନ, ମୁଁ ସେଇ ଶିବାନନ୍ଦ, ଗୈରୀକ ବସନଧାରୀ ଜଣେ ବ୍ରାହ୍ମଣ ଓ ବୈଷ୍ଣବ ପରି ଆଚରଣ ପ୍ରକାଶ କରେ । ଆଖି ବୁଜି ବୁଜି ମୁଁ ଦୁଧ ପିଇଯିବାକୁ ଚେଷ୍ଟାକରେ । କିନ୍ତୁ ମୋର ଆଚରଣରେ ଏହା ଧରା ପଡ଼ିଯାଏ । ସେଇଥି ପାଇଁ ଏଇ ଆଚରଣକୁ ସଞ୍ଜତ କରିବା ପାଇଁ, ବ୍ୟବାହାରକୁ ଶୃଙ୍ଖଳାବଦ୍ଧ କରିବା ପାଇଁ ଅବୋଧ ଭାଷାକୁ ବୋଧଗମ୍ୟ କରିବାପାଇଁ ମୁଁ ଖୋଜୁଛି ଏକାବଳୀ ଅଳଙ୍କାର । ଏଇ ଗ୍ରନ୍ଥରେ ‘ଶୃଙ୍ଗାରରସ’ର ଯେଉଁ ବର୍ଣ୍ଣନା ଓ ବିଶ୍ଳେଷଣ ରହିଛି ତାହା କୁଆଡ଼େ ସମଗ୍ର ପୃଥିବୀରେ ଅଦ୍ୱିତୀୟ । ଖାସ୍‌ ସେଇଥି ପାଇଁ ମୁଁ ଖୋଜୁଛି ଏକାବଳୀ ଅଳଙ୍କାର । ବୁଝିବା ପାଇଁ ନୁହେଁ, ପରଖିବା ପାଇଁ, ଦେଖିବାପାଇଁ ନୁହେଁ ଅନୁଭବ କରିବା ପାଇଁ–ସେଇ ବର୍ଣ୍ଣନ ପ୍ରକରଣର ଇତିହାସ ଓ ତା’ର ପଶ୍ଚାତ୍‌ ଭାଗରେ ଥିବା ମନର ବିକାରକୁ । ଏଇ ବିକାରକୁ ସାକାର କରିବାପରେ ମୁଁ ଅଣାକାର ବ୍ରହ୍ମର ସନ୍ଧାନ କରିବି, କିନ୍ତୁ ଏବେ ମୁଁ ଅଘୋରୀ, ଯାଯାବର । ତେଣୁ ସାକାରର ପୂଜାରୀ ଓ ଖାସ୍‌ ସେଥିପାଇଁ । ମୁଁ ଖୋଜୁଛି ଏକାବଳୀ ଅଳଙ୍କାର ଗ୍ରନ୍ଥ ।

 

ଶିଖିବାପାଇଁ ଶିଖେଇବାପାଇଁ, ଦେଖିବାପାଇଁ ଦେଖେଇବାପାଇଁ ପରିଖିବା ପାଇଁ ଓ ପରଖେଇବା ପାଇଁ,–ମୁଁ ଏକାବଳୀ ଅଳଙ୍କାର ଗ୍ରନ୍ଥର ସନ୍ଧାନରତ ଜଣେ ଆଳଙ୍କାରିକ ଓ ବଣିଆ । କାରଣ ମୁଁ ଆମିଷାଶୀ ଓ ମୁଁ ଜଣେ ବିରାଡ଼ି ବୈଷ୍ଣବ ।

 

(ଢଗର, ୧୯୭୭)

Image

 

ମୁଁ ଜଣେ ‘‘ନଷ୍ଟ ପୁରୁଷ’’

 

ସେଦିନ ଏକ ସଭାମଞ୍ଚ ଉପରୁ ଏକ ଡାକରା ଶୁଣିଥିଲି, ଏକ ଚାଲେଞ୍ଜ, ଏକ ପ୍ରଗତିଶୀଳ (?) ମନୋଭାବର ବିସ୍ଫୋରଣ । ଏଇ ଶବ୍ଦର ବିସ୍ଫୋରଣ ଆଉ କାହା ମନରେ ପ୍ରତିଧ୍ୱନି ତୋଳିଥିଲା କି ନାହିଁ, ଆଉ କାହାର କାନକୁ ତାବଦା କରିଥିଲା କି ନାହିଁ ଜାଣିନି । କରିଥିଲେ ବି ଗୁପଚୁପ ବା ଚୁପ୍‍ଚାପ୍‍ ସେଇ ମନ୍ତବ୍ୟକୁ ଚା’ କପରେ ଝଡ଼ ସଦୃଶ କେହି ଫୁତ୍‌କାରରେ ଉଡ଼ାଇ ଦେଇଥିବେ କିମ୍ୱା ଯଦି ବାଧିଥିବ ତେବେ ବାଧିବା ଜାଗା ଦେଖେଇ ହବ ନାହିଁ । ତେଣୁ ଗୁମୁରି ଗୁମୁରି କାନ୍ଦିବା ଛଡ଼ା ଆଉ ସାରକଥା କ’ଣ ବା ବାକି ରହିଯାଇଥିବ ?

ଏଇ କ୍ରନ୍ଦନକୁ ଚାପି ଚାପି ମୁଁ ଆଜି ଏକ କ୍ରନ୍ଦନର ବିସ୍ଫୋରଣ ସୃଷ୍ଟି କରିବି ବୋଲି ତ୍ରିବାର ସତ୍ୟ କରିଛି । ନାରୀ କେବଳ କୁଳଟା ହୋଇ ନପାରେ ପୁରୁଷ ବି । ଏଥିରେ ଆଶ୍ଚର୍ଯ୍ୟ ହେବାରେ କ’ଣ ଅଛି ? ସେ ସମ୍ପର୍କରେ କେହି କିଛି କହୁନଥିବାରୁ, ନାରୀନେତ୍ରୀ ଜଣଙ୍କ ମନରେ ଖୁବ୍‍ ବାଧକା ଲାଗିଥିବ । ତେବେ ଓଡ଼ିଶା ଭୂଇଁରେ କାହାଣ କାହାଣ ଲେଖକ ଥିବାବେଳେ ଏ ଅଧମ ବିଦେଶାଗତ ପ୍ରାଣ ଏଭଳି ପ୍ରଶ୍ନର, ଚାଲେଞ୍ଜର ମୁକାବିଲା କରିବାକୁ ମନ ବଳେଇଲା କାହିଁକି ? ତା’ର ସୂକ୍ଷ୍ମ ଉତ୍ତର ହେଉଛି ମୁଁ ଜଣେ ‘ନଷ୍ଟ ପୁରୁଷ’ । ନଷ୍ଟ ପୁରୁଷ ନିଜର ଜୀବନ କାହାଣୀ କହି ଯେପରି ପୌରୁଷ ଅନୁଭବ କରିପାରେ, କୌଣସି ଔପନ୍ୟାସିକ ବା କଥାକାର ସେ ପୁରୁଷଟିଏ ତିଆରି କରିବା ସମ୍ଭବ କି ନୁହେଁ କେବଳ ସେହିମାନେ ହିଁ କହି ପାରିବେ । ମୁଁ ଔପନ୍ୟାସିକ ନୁହେଁ, ଗାଳ୍ପିକ ନୁହେଁ, କଥାକାର ନୁହେଁ । ତେଣୁ ସେମାନଙ୍କ ଭଳି କାହାଣୀଟିଏ ସଜେଇ ଗୁଜେଇ, ଅଧା କଳ୍ପନା, ଅଧା ଜୀବନ, ବାକି ପୁଳାଏ ସ୍ୱପ୍ନ, ପୁଳାଏ କ୍ରନ୍ଦନ, ପୁଳାଏ ‘ଆହା’ ‘ଓହୋ’ର ସମିଶ୍ରଣରେ ଗୋଟାଏ ନଷ୍ଟ ପୁରୁଷର ଚରିତ୍ର ଆପଣମାନଙ୍କ ଆଗରେ ଉପସ୍ଥାପନ କରିପାରିବି ନାହିଁ । ମୁଁ ଯାହା କହିବି, ସେ ମୋ ନିଜ କାହାଣୀ ସତକଥା, ଗାଲୁଗପ ନୁହେଁ । ଅବଶ୍ୟ ସତର ଯେତେ ବ୍ୟାଖ୍ୟା ଓ ସଂଜ୍ଞା ନିରୂପିତ ହୋଇ ସାରିଛି, ସେ ସବୁକୁ ଆଖି ଆଗରେ ରଖି ମୁଁ କହିବାକୁ ଚାହେଁ ଯେ ମୁଁ ଜଣେ ନଷ୍ଟ ପୁରୁଷ । ଜଗତ ଯଦି ମିଥ୍ୟା ଓ ବ୍ରହ୍ମ ଯଦି ସତ୍ୟ, ତେବେ ମୁଁ ଜଣେ ‘‘ନଷ୍ଟ ପୁରୁଷ’’ ଏକଥା ମଧ୍ୟ ସତ୍ୟ ଓ ଯେଉଁ ନାରୀ ଜଣକ ଏଭଳି ଏକ ନଷ୍ଟ ପୁରୁଷର ସାହସିକ ଦମ୍ଭୋକ୍ତିକୁ ଆବିଷ୍କାର କରିପାରିନଥିଲେ, ସେ ବି ସତ୍ୟ । ‘ସତ୍ୟ’ ସହିତ ସତ୍ୟର ଲଢ଼େଇରେ ସତ୍ୟର ହିଁ ବିଜୟ । ତେଣୁ ଏଠି ସେ ନାରୀ, ମୁଁ ପୁରୁଷ ଏସବୁ ଅଲୋଡ଼ା ଯୁକ୍ତି, ଅପ୍ରାପ୍ତବୟସ୍କ ଚିନ୍ତାଧାରା (ବୟସ ବଢ଼ିଗଲେ କେବଳ କେହି ପ୍ରାପ୍ତବୟସ୍କା ହୁଅନ୍ତି ନାହିଁ) ।

ନାରୀ କୁଳଟା ହେବା, ବ୍ୟଭିଚାରିଣୀ ହେବା ଯୁଗପତ୍‌ ସତ୍ୟ, ପୁରୁଷ (ମୋ ଭଳି) ‘‘ନଷ୍ଟ’’ ହେବା ବା ‘‘ନଷ୍ଟାମୀ’’ କରିବା (ଯେଭଳି ଦୁଷ୍ଟାମୀ) ସେଇଭଳି ସତ୍ୟ । ଏ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କଲେ ବି ବ୍ରହ୍ମ ଯେଭଳି ପ୍ରକଟିତ ହୁଏ ସଚରାଚର, ସେଇଭଳି ତୁଣ୍ତ ବାଇଦରେ ମୋର ନଷ୍ଟାମି ପ୍ରକଟିତ ହୋଇ ଚାଲିବ ସହସ୍ର ସହସ୍ର କୋଶ, ଯୋଜନ ଯୋଜନ ତା’ର ପରିବ୍ୟାପ୍ତି ।

ନାରୀକୁ କୁଳଟା କଲା କିଏ ? ବ୍ୟଭିଚାର ଶିଖେଇଲା କିଏ ? ସ୍ୱକୀୟା, ପରକୀୟା ଭେଦରେ କେଉଁଟି ସତ୍ୟ, ମଧୁର ଓ ଶୃଙ୍ଗାରୋଜ୍ଜଳ । କେଉଁ ପୀରତିର ରୀତିରେ ରତିଶାସ୍ତ୍ର ଶତଜିହ୍ୱ-। ଶତଧା ପରିସ୍ଫୁଟ ସେଇ ସ୍ୱର୍ଗୀୟ ପ୍ରେମର ଧାରା । କେଉଁଟି ଆଗ ଓ କେଉଁଟି ପଛ–ପ୍ରେମ ନା କାମ, କାମ ନା ବିବାହ । ବିବାହ ନା ବିଚ୍ଛେଦ ନା ବିଚ୍ଛେଦାନ୍ତରର ଅନୁରାଗ । ଏସବୁ ସତ୍ୟ, ସତ୍ୟ, ପରମ ସତ୍ୟ–କାରଣ ଆମେ ସମସ୍ତେ ସତ୍ୟ, ଯେଭଳି ସତ୍ୟ ପରମ ବ୍ରହ୍ମ ଓ ସତ୍ୟ ଆମର ଯୌଗିକ ଜୀବନ, ମୁହୂର୍ତ୍ତକର, କେତୋଟି ଘଣ୍ଟାର, ଚକ୍ଷୁ ବିନିମୟର, ଇସାରାର, ପରଶର ଅଥବା ଗୋଟାଏ ଜୀବନ କାଳର ବା ଜନ୍ମ ଜନ୍ମାନ୍ତରର । ନାରୀ ଯଦି କୁଳଟା ତେବେ ସେ ମୋରିପାଇଁ, ମୁଁ ଯଦି ନଷ୍ଟପୁରୁଷ ତେବେ ସେ ତାଙ୍କରି ପାଇଁ–ସେଇମାନେ ଯେଉଁମାନେ ମତେ ଡାକରା ଦେଇଥିଲେ, ଲଜ୍ଜାରେ ଅବଦମିତ ମୁଖଭଙ୍ଗୀ ଭିତରେ ପେଡ଼ି ପେଡ଼ି କଥା କହି ଚାଲିଥିଲେ କିମ୍ୱା ବାରମ୍ୱାର ମୋର ସାନିଧ୍ୟ ଲୋଡ଼ିଥିଲେ–ବଣ ଜଙ୍ଗଲରେ, କ୍ଲବରେ, ସଭାମଞ୍ଚରେ, ନାଟ୍ୟମଞ୍ଚରେ, ପ୍ରେକ୍ଷାଳୟରେ, ଗ୍ରନ୍ଥାଗାରରେ ଅନ୍ଦି କନ୍ଦି ଖୋଜି ଖୋଜି ଯେଉଁମାନେ ନୟାନ୍ତ ହେଉଥିଲେ, ଟିକେ ସାନିଧ୍ୟ ପାଇଁ, ଟିକେ ପରଶ ପାଇଁ, ବୁନ୍ଦାଏ ଲୁହ ନିଗାଡ଼ିବା ପାଇଁ, କୁମ୍ଭୀର କାନ୍ଦଣା ପାଇଁ, ହା-ହୁତାଶ, ଆହୋ, ଓହୋ, ଖିଲିଖିଲି ହସ, ଚୁପ୍‌ଚାପ୍‍ ଇଙ୍ଗିତ...ଇତ୍ୟାଦି ଇତ୍ୟାଦି ପାଇଁ । ଏସବୁ କେବେ ଆରମ୍ଭ ହୁଏ, କେଉଁଠି ଶେଷ ହୁଏ, ସେ ସବୁର କୌଣସି ଗତାନୁଗତିକ ଧରାବନ୍ଧା ନିୟମ ନାହିଁ କିମ୍ୱା ନଥିଲା । ଆଦିବାସୀ ଗାଁରେ ଢୋଲକର ଚମକ, ମାଦଳର ତାଳେ ତାଳେ ନାଚି ନାଚି ସେମାନେ ପରସ୍ପରକୁ ଲୋଡ଼ୁଥିଲେ । ପୁଣି କୌଣସି ଅବସ୍ଥାର ଚାପରେ ପଡ଼ି ବିଚ୍ଛେଦ ଘଟିଥିଲା–‘‘ମନରପୁରୁଷ ରହିଗଲା ପରବାସରେ’’ । ହୁଏତ ପରର ଦାସତ୍ୱ ବି ସ୍ୱୀକାର କରିଗଲା । କିନ୍ତୁ କିଏ କାହାକୁ କେଉଁଠି କେବେ କାହିଁକି ଖରାପ କରିଦେଲା ? କାହିଁକି ଶୁଭ୍ର, ସତେଜ ପୁଷ୍ପକୁ କିଏ ହଠାତ୍‌ ଆଘ୍ରାଣ କରିଦେଲା ?

କେହି କାହାକୁ ହରାଇ ପାରିଲେ ନାହିଁ ? କେହି କାହାକୁ ଦିଗ୍‌ବିଜୟ କରେଇ ପାରିଲେ ନାହିଁ । କେହି କଳା, ଧଳା, ତନୁପାତଳୀ, ରଜାପରି ଚେହେରା, ଅମାପଭରା ବିଦ୍ୟା ଟୋକେଇ ଟୋକେଇ ଜ୍ଞାନର କଳନା କଲେ ନାହିଁ । କିମ୍ୱା ବିଚାର କଲେ ନାହିଁ ଯେ ତନୁପାତଳୀଟିର ବୟସ ମାତ୍ର ଷୋହଳପୂରି ସତର ଛୁଇଁବା ଉପରେ–କିନ୍ତୁ ତା’ର ତ୍ରାଣକର୍ତ୍ତା ମାତ୍ର ପାଞ୍ଚଟି ଦଶକ ଅତିବାହିତ କରି ଆଉ କେତୋଟି ଦଶକର ଅପେକ୍ଷାରେ–

ବୟସରେ କିଏ କାହାଠାରୁ ବଡ଼ ? କେତେ ବଡ଼ ? ବୟସର ସୀମାରେଖାତ ଷୋହଳଠାରୁ ଷାଠିଏଯାଏ ପରିବ୍ୟାପ୍ତ । ଏଇ ସରଳରେଖାରେ କେତେ ବିନ୍ଦୁ । ସେଇ ବିନ୍ଦୁମାନଙ୍କର ଇତିହାସ ତ ତମ ଜୀବନର ସ୍ମାରକୀ ଆଉ ମୋ ଜୀବନର ଇତିହାସ । ସେମାନେ ଯଦି ତମ ଜୀବନରେ ରାମ, ଗୋବିନ୍ଦ, ଭଜାନନ୍ଦ, ଏନାୟତୁଲ୍ଲା, ଡେଭିଡ ଫ୍ରାଙ୍କଲିନ ତ ସେମାନେ ମୋ ଜୀବନର ହାରାମଣି, ଚେମିବୋଉ, କୁନ୍ଦଅପା, ଶରଧା ଭାଉଜ, ଲିଣ୍ତା, ବେଥ୍‌, ମମତା, ଜାହାନ୍ମରା, ରାଜେଶ୍ୱରୀ, ଗୋପା, ରୁକ୍ମିଣୀ ଓ ଏବେ ମୋର ‘‘ପତିପରମ ଗୁରୁ’’ ବ୍ରୋଚ୍‌ ପିନ୍ଧିଥିବା ମୋର କନ୍ୟାମାନଙ୍କର ଜନନୀ । ହଁ ସେ ମୋର ସନ୍ତାନମାନଙ୍କର ଜନନୀ ଓ ମଧ୍ୟ ମୋର ଜାୟା । ପୂର୍ବରୁ ଯେଉଁମାନଙ୍କ କଥା କହୁଥିଲି ସେମାନେ ଠିକ୍‌ ଜାୟା ନ ଥିଲେ, ଥିଲେ ଯୋ ଆୟା ସୋ ଗୟା । ଔର ବାକିସବୁ ଏବେ ଆଉ କାହାର ଜାୟା ଓ ଜଜନୀ । ସେମାନେ ସେମାନଙ୍କର ଅତୀତକୁ କବର ପକେଇ ଏବେ ସୁଗୃହିଣୀ, ଶୁଦ୍ଧ ସୁବର୍ଣ୍ଣ । ବାକି ତମେ କାହିଁକି ବେଙ୍ଗିପିତ୍ତଳ ହେବ । ତୁମକୁ କାହିଁକି କୁଳଟା କହି, ପରଦାର ପ୍ରାଣା କହି ମୁଁ ଶ୍ରୀରାଧାଙ୍କ ସହିତ ତୁଳନା କରିବି । ସୁକ୍ରୁଜାନୀ, ଲିଣ୍ତା, ରୁଥ୍‌, କାମଦା ଯଦି କୁଳଟା ନୁହନ୍ତି, ତମେ ବି ନୁହଁ । କାରଣ ତମେ ନାରୀ–ମାତୃଶକ୍ତିର ପ୍ରତୀକ । ପୂଜା ତୁମର ପ୍ରାପ୍ୟ–ଯା ଦେବୀ ସର୍ବ ଭୂତେଷୁ...ତମେ ମୋ ‘ଭୂତରେ’ ପ୍ରବେଶ କରିଥିଲେ ବି ତମେ ଦେବୀ, କୁଳଟା ହେବ କିପରି ?

 

ମୁଁ କିନ୍ତୁ ଜଣେ ‘ନଷ୍ଟ ପୁରୁଷ’ । କାରଣ ମୁଁ ଶିବ । ଅହଙ୍କାରୀ ନୀଳକଣ୍ଠ । ମୁଁ କୃଷ୍ଣ–ଯମୁନା ପୁଳୀନର କୃଷ୍ଣ ଓ ଅଫିସର୍ସ କ୍ଲବର ନାୟକ, କର୍ମକର୍ତ୍ତା ରାଧାନାଥ, ଧାଙ୍ଗଡ଼ା ଗୃହର ବଡ଼ଚାଟ ଗୋପୀନାଥ, ଯାତ୍ରାପାର୍ଟିର ଓସ୍ତାଦ ଶଚିକାନ୍ତ...ତେଣୁ ମୁଁ ଜଣେ ‘‘ନଷ୍ଟପୁରୁଷ’’ ।

 

କ’ଣ ମୁଁ ନଷ୍ଟ କରିଛି ? ମୋର ଚରିତ୍ର ? ସେ ଚିଜଟି କିଭଳି ? କିଭଳି ତାରି ରୂପ ? ହେ ଔପନ୍ୟାସିକ, କଥାକାର, ଗାଳ୍ପିକ କବି ସାହିତ୍ୟିକ, କହିପାରିବ ତମେ, ବୁଝେଇ ପାରିବ ତମେ ଚରିତ୍ର କାହାକୁ କହନ୍ତି ?

 

କେଉଁଟି ପୁଣି ଆଦର୍ଶ ଓ କେଉଁଟି ପୁଣି ବାସ୍ତବ । କେଉଁଟି ଆଲୋକରେ ଆଦର୍ଶ ଓ ଅନ୍ଧକାରରେ ବାସ୍ତବ, କେଉଁଟି ଗୋଧୂଳି ଲଗନରେ ବାସ୍ତବ ତ କେଉଁଠି ରାତ୍ରୀର ଗଭୀର ଅନ୍ଧକାରରେ ଆଦର୍ଶ । କେଉଁଟି ଶୁଦ୍ଧ, କେଉଁଟି ଅଶୁଦ୍ଧ ଓ କେଉଁଟି ଦ୍ୱୈତାଦ୍ୱୈତ୍ୟର ଉର୍ଦ୍ଧ୍ୱରେ ବିଶୁଦ୍ଧାନନ୍ଦ, ପ୍ରକୃତି ଓ ପୁରୁଷର ଲୀଳା ।

 

ମିଥ୍ୟା ମାୟା ଏ ସଂସାର । ମିଥ୍ୟା ସେଇଭଳି ଏଇ ଚରିତ୍ରର ସଂଜ୍ଞା, ମୂଲ୍ୟବୋଧ ଆଉ ତମର ବିଚାରଣା । ମିଥ୍ୟା ବି ତମର କୁଳଟାର ଅନ୍ୱେଷଣ ।

 

ତମେ ଏକ ରୁଦ୍ଧ ସମାଜ କଥା କହୁଛ ? ଏକ ପ୍ରାକ୍‌ ନଗରୀ ସଭ୍ୟତା କଥା କହୁଛ, ଯେଉଁଠି ଚେମୀବୋଉ, ବିଚାରା ବିଂଶବର୍ଷିୟା ବୟସ୍କା ବିଧବାର ତନୁମନ ଉପରେ ତମେ ଜାହିର କରିଥିଲ ନିଷେଧାଜ୍ଞା । ସେ ନିଷେଧାଜ୍ଞାକୁ ଭାଙ୍ଗି ଯଦି ସେ କୁଳଟା ବୋଲେଇଲା, ତମେ ଆଜି ସହରୀ ସଭ୍ୟତାରେ, ଆଧୁନିକତାର ପୋଷାକ ତଳେ, ଶିଳ୍ପ ସଭ୍ୟତାର, ଚାକଚକ୍ୟ ଭିତରେ ନିଜର ‘‘ପରିଚୟ’’ର ଚାବିଟିକୁ ଦୃଢ଼ ହସ୍ତରେ ଧରି କେତେ ଘର ଖୋଜି ବି ସନ୍ତୁଷ୍ଟ ନୁହଁ । ତେଣୁ ସେ ତା’ର ପରିବେଶ ଭିତରେ କୁଳଟା ନଥିଲା, ତୁମେ ବି କୁଳଟା ନୁହଁ । କାରଣ ତମେ କୁଳତ୍ୟାଗ କରି ନଥିଲ ପାଶୋରି ଦେଇଥିଲ ମୁହୂର୍ତ୍ତଟିକ ।

 

ମୁଁ କିନ୍ତୁ ଜଣେ ନଷ୍ଟପୁରୁଷ । କାରଣ ମୋର ପୌରୁଷକୁ ନଷ୍ଟକରିବାପାଇଁ ମୋ ସହିତ ଦୁଷ୍ଟାମିରେ ମାତି ରହିବାକୁ ତମେମାନେ ସମସ୍ତେ ଆସିଛ । ମତେ ଆଲିଙ୍ଗନ କରିଛ, ବାହାବା ଶୁଣେଇଛ, ଭିକ୍ଷା କରିଛ, କାକୁତି ମିନତି କରିଛ, ଧମକ ଦେଇଛ । କେତେବେଳେ ମୁଁ ଜେତାର ଆନନ୍ଦ ଉପଭୋଗ କରିଛି ତ ଆଉ କେତେବେଳେ ପରାଜିତର ଛଳନା କରିଛି । ଅନ୍ୟ କେତେବେଳେ ମୁଁ ଶୁଣାଇଛି ଗୀତାର ବାଣୀ, ଭାଗବତର ପଂକ୍ତି, ବାଇବେଲର ଇତିବୃତ୍ତି, କୋରାନ୍‌ର ମର୍ମାନୁବାଦ ବା ଆମ ‘ଆଦିବାସୀ’ ‘ସମାଜର ପରମ୍ପରା’–‘ଘୋଟୁଲ’ ଗୃହରେ ।

 

ତେଣୁ ମୁଁ ଯଦି ନଷ୍ଟ ତେବେ ତମେମାନେ ହିଁ ମତେ ନଷ୍ଟ କରିଛ । କିନ୍ତୁ ତମେମାନେ ମତେ ନଷ୍ଟ କରିବାକୁ କିଏ ? ମୁଁ କ’ଣ ମତେ ରକ୍ଷା କରିପାରିଲି ନାହିଁ ? କରିପାରିବି ନାହିଁ ? ସତେ କ’ଣ ମୋର ଗୋଡ଼ ଖସିଗଲା । ସତେ କ’ଣ ମୋର ‘ପତନ’ ହୋଇଗଲା । ତମେ ଯଦି ‘ପତିତା’ ଆଖ୍ୟା ପାଇଲ, ତେବେ ମୁଁ ତ ପତିତ–କିନ୍ତୁ ମୁଁ ତ ହରିଜନ ନୁହେଁ–ମୁଁ ବ୍ରାହ୍ମଣ...ବ୍ରହ୍ମଂ ଜାନାତି ଇତି ବ୍ରାହ୍ମଣ ।

 

ତମରିମାନଙ୍କ ସାନିଧ୍ୟ, ପରଶ, ସହବାସ, ସହଯୋଗରେ ମୁଁ ବ୍ରହ୍ମ ଉପଲବ୍ଧି କରିଛି । ତମେ ମତେ ‘ପତିତ’ କହିବ କେମିତି ? ତମେ ମତେ ବ୍ରାହ୍ମଣ କରିଛ । ଶତଶତ ବାର ତମେମାନେ ମତେ ତମେ ଶତ ଶତରୂପରେ ଜନ୍ମ ଦେଇଛ କେବଳ ଦ୍ୱିଜ ଭାବରେ ନୁହେଁ ।

 

ତଥାପି କିନ୍ତୁ ମୁଁ ଜଣେ ‘‘ନଷ୍ଟପୁରୁଷ’’ । କିନ୍ତୁ ତମ ସଂଜ୍ଞାର ‘‘ନଷ୍ଟାମୀ’’ ପାଇ ମୁଁ ‘ନଷ୍ଟ’ ନୁହେଁ–ମୁଁ ନଷ୍ଟପୁରୁଷ କାରଣ ମୋ ପୌରୁଷର ସେଇ କେତୋଟି ମୁହୂର୍ତ୍ତ ମୁଁ ନଷ୍ଟ କରିଛି ତୁମରିମାନଙ୍କ ପାଇଁ–ସତ୍ୟର ଉପଲବ୍‌ଧିପାଇଁ ବ୍ରହ୍ମାନନ୍ଦ ସହୋଦରକୁ ଚିହ୍ନିବାପାଇଁ, ବ୍ରହ୍ମର ଅନୁଭୂତି ପାଇଁ–ବ୍ରାହ୍ମଣ ହେବାପାଇଁ । ସେଇଥି ପାଇଁ ମୋର ଏ ‘‘ନଷ୍ଟମୁହୂର୍ତ୍ତ’’ଗୁଡ଼ିକ ଅତୀତର ହେଲେ ବି ତାହା ସତ୍ୟ ଓ ସେଇ ସରଳରେଖାର ଗତି ପଥରେ ‘‘ଫେଡ଼ି ଚିନ୍ତାର ଲୋଚନ’’ କରୁ କରୁ ନିରୀକ୍ଷଣ ମୁଁ ଦେଖୁଛି–ମୁଁ ସେହି ଆତ୍ମନ୍‌–ଜଣେ ପୁରୁଷ ସମ୍ରାଟ, ‘‘ନଷ୍ଟପୁରୁଷ’’ ।

 

ତୁମେ କୁଳଟା ନୁହଁ, ମୁଁ ଜଣେ ‘‘ନଷ୍ଟପୁରୁଷ’’ । ତୁମ ସମାଜର ମୂଲ୍ୟବୋଧରେ ପରିବର୍ତ୍ତନ ଆଣିବା ପାଇଁ, ତମ ଶବ୍ଦ ସମ୍ପଦର ଆଭିଧାନିକ ଅର୍ଥରେ ବୈପ୍ଳବିକ ଆଭିମୁଖ୍ୟ ଆଣିବାପାଇଁ ନିଜକୁ ଜଣେ ‘‘ନଷ୍ଟପୁରୁଷ’’ ଭାବରେ ଘୋଷଣା କରୁଛି ।

 

ତେଣୁ ହେ ‘‘X X’’ କ୍ରୋମୋଜମ୍‌ର ବଂଶଧର କୁଳଟା ନାରୀଗଣ, ମୁଁ ତୁମର ସମସ୍ତ କଳଙ୍କ ଓ କାଳିମାକୁ ଆଦରି ନେଇ ‘‘XY’’ କ୍ରୋମୋଜମ୍‌ର ବଂଶଧର ଭାବରେ ସାଜିବି ଜଣେ ‘‘ନଷ୍ଟପୁରୁଷ’’ । ମୋର ଏ ଅଭିନୟ ତମକୁ ଭଲ ଲାଗୁ ବା ନଲାଗୁ–ମୁଁ ଜଣେ ‘‘ନଷ୍ଟପୁରୁଷ’’–ତୁମେ ଏବେ କୁଳକୁ ଫେରି କୁଳବଧୂ ସାଜ । ମୁଁ ତମକୁ ଜଣେ ନଷ୍ଟପୁରୁଷ ଭାବରେ ଜବାବ ଦେଉଛି ଯେ ତମର ଅବଗୁଣ୍ଠନ ଫେଡ଼ି, ‘‘ସ୍ତନ ଉତ୍ତରୀ ଖୋଲିଦିଅ ପ୍ରିୟା ଦିଅ ଖୋଲି’’ ବୋଲି କାରୁଣ୍ୟ ପ୍ରକାଶ କରି, ମୁଁ ମୋର ଚପଳତା ଦେଖାଇବି ନାହିଁ । କାରଣ ମୁଁ ଏବେ ସିଦ୍ଧ, ଜଣେ ପୋଖତ ନଷ୍ଟପୁରୁଷ, ଚିନ୍ମୟାନନ୍ଦ, ବ୍ରହ୍ମର ପରିପ୍ରକାଶ, ଜଣେ ବ୍ରାହ୍ମଣ ।

 

(ଆସନ୍ତାକାଲି, ୧୯୭୬)

Image

 

ମୁଁ ଜଣେ ଆଇଁଷିଣିଆ ଲୋକ

 

ବୟସ ଆସି ମୋର ଚଉବନ ହେଲା । ମୋ ଝିଅ ପୁଅ, ନାତି ନାତୁଣୀଙ୍କ ସଂଖ୍ୟା ଅଠର ଜଣ । ଚମନବାହାର, ଧୂଳିଗୁଣ୍ତି, ନେହେରୁ ପତି ଦିଆ ଅଖଇରିଆ ପାନ ଦିନକୁ ଖାଏ ତିରିଶି ଚାଳିଶ ଖଣ୍ତ । ତା’ଛଡ଼ା ଦିନକୁ ୫/୭ କପ୍‌ ଚା’ ଓ ଦୁଇ ତିନି ପ୍ୟାକେଟ୍‌ ସିଗାରେଟ୍‌ । ସିଗାରେଟ୍‌ ନ ମିଳିଲେ ଚନ୍ଦନି ବିଡ଼ିରେ ବି କାମ ଚଲେଇ ନିଏ । ସକାଳୁ ସନ୍ଧ୍ୟା ଦୁଇଥର ଆକବର ଖାଁଙ୍କର ଗୁଡ଼ାଖୁ ନ ହେଲେ ମୋର ଚଳେନାହିଁ । ଆଉ ପ୍ରତିଦିନ ସନ୍ଧ୍ୟାବେଳେ ମୁଁ ମଦନାନନ୍ଦ ମୋଦକଟିଏ ଖାଏ ।

 

ମୋ ସ୍ତ୍ରୀଙ୍କ ବୟସ ଆପଣଙ୍କୁ କହିନି । କହିବାକୁ ବି ମନ ନାହିଁ । ଶାସ୍ତ୍ର ମନା କରିଛି । ତେବେ ମୋ ବଡ଼ ଝିଅର ବୟସ ୨୫ ବର୍ଷ । ସେ ତା’ ଜୋଇଁ ସାଙ୍ଗରେ ଏବେ ଲେନିନ୍‌ଗ୍ରାଡ଼ରେ ରହୁଛି । ଏଇଥିରୁ ଆପଣ ଅନୁମାନ କରିନେବେ ମୋ ସ୍ତ୍ରୀଙ୍କ ବୟସ । କିନ୍ତୁ ସେଥିରୁ ଆପଣଙ୍କୁ କ’ଣ ବା ମିଳିବ । ସେ ତ ସେ ଯୁଗର ସାବିତ୍ରୀ, ଏ ଯୁଗର ସୁନନ୍ଦା ବା କାମଦା ନୁହନ୍ତି ।

 

ଏ ବୟସରେ ଦିନେ ଖବର କାଗଜ ପଢ଼ୁ ପଢ଼ୁ ଗୋଟାଏ ଖବର ମୋ ମନକୁ ଭାରୀ ଛୁଇଁଲା । ଏବେ ଦେଶରୁ ଅଶ୍ଳୀଳତା ଦୂରୀକରଣ ପାଇଁ ଆଇନ ଗଢ଼ା ଚାଲିଛି । ଖାସା କଥା ୟେ । ଏମିତିକା ନିୟନ୍ତ୍ରଣ ତ କାହିଁ କେତେ ଆଗରୁ ଦରକାର ଥିଲା । ମୋ ମନକୁ କିନ୍ତୁ କଥାଟା ଭାରୀ ପାଇଲା । ଯାହାହେଉ ମୋର ପୂର୍ବ ପ୍ରକୃତି ବଦଳିବାରେ ୟେ ସାହାଯ୍ୟ କରିପାରେ । ଏଣିକି ମୁଁ ଅତିମାନସ କଥା ଭାବି ପାରିବି । ଆଉ ମୋର ସ୍ତ୍ରୀ, ସେ ବି ମତେ ଏ ଦିଗରେ ସାହାଯ୍ୟ କରିପାରନ୍ତି । କାରଣ ସେ ସେ ଯୁଗର ସାବିତ୍ରୀ, ଏ ଯୁଗର ସୁନନ୍ଦା କି କାମଦା ନୁହନ୍ତି । କେଡ଼େ କଥାଟାଏ ହେଲା ଅଶ୍ଳୀଳତା ଦୂରୀକରଣ ! ତା’ରି ତଳକୁ ଛୋଟିଆ ଖବରଟିଏ ବାହାରିଥିଲା । ଏଣିକି ଚଳଚ୍ଚିତ୍ରରେ ଚୁମ୍ୱନ ଦେବା ଆଇନାନୁମୋଦିତ ହୋଇଗଲା । ପୁଣି ପରିବାର ନିୟନ୍ତ୍ରଣ ପାଇଁ ବଡ଼ ବଡ଼ ଅକ୍ଷରରେ ପୋଷ୍ଟର ଛପା ହୋଇ ରାସ୍ତା ଘାଟରେ ମରା ହେଲା ‘‘ଛୋଟ ପରିବାର ସୁଖୀ ପରିବାର’’ । ଅଶ୍ଳୀଳତାର ନିୟନ୍ତ୍ରଣ ହୋଇଗଲା । କି ବ୍ୟବସ୍ଥା ସବୁ ! କିନ୍ତୁ ଆପଣ ବୋଧହୁଏ ଜାଣନ୍ତି ନାହିଁ ଏ ଖବର ସାଙ୍ଗରେ ସମାଜ ବିଜ୍ଞାନୀଏ ଏବେ ଗୋଟାଏ ହିସାବ ପ୍ରକାଶ କରିଛନ୍ତି । ପୃଥିବୀରେ କୋଡ଼ିଏ କୋଟି ଲୋକ ଯୌନ ରୋଗରେ ଆକ୍ରାନ୍ତ । ସେଥିରୁ ସାତକୋଟି ଲୋକ ଭାରତ ବର୍ଷରେ ବାସ କରନ୍ତି । ଏମାନଙ୍କ ଭିତରୁ କୋଡ଼ିଏ ବର୍ଷରୁ କମ୍‌ ବୟସର ତରୁଣ ତରୁଣୀଙ୍କ ସଂଖ୍ୟା ସବୁଠୁ ବେଶି ।

 

କିନ୍ତୁ ମତେ ଏବେ ଚଉବନ ବର୍ଷ ହେଲା । ମୁଁ ଭୁବନେଶ୍ୱରରେ ଚାକିରି କରେ । ମାସରେ ଚାରି ପାଞ୍ଚଥର ଗାଁକୁ ଯାଏ । ଯେତେହେଲେ ଜମିବାଡ଼ି ତଦାରଖ କରିବାକୁ ପଡ଼ିବ । ହଁ ମୋ ସ୍ତ୍ରୀଙ୍କ ନାଁ ହେଉଛି ସୁଭଦ୍ରା । ସେ ଗାଁରେ ରହନ୍ତି । ମୋର ପାଞ୍ଚଟି କନ୍ୟା ଓ ତିନୋଟି ପୁତ୍ର । ମୋ ସାନ ମଝିଆ ପୁଅର ଚେହେରାଟି ତା’ କକେଇ ଚେହେରା ସାଙ୍ଗରେ ଖୁବ୍‌ ମିଶିଯାଏ । ସେଇଥି ପାଇଁ ସେ ପୁଅ ହେଇଯାଇଛି ତାଙ୍କର । ତେଣୁ ମୋର ରହିଲେ ଗାଏ ମୋଟ ସାତଜଣ ।

 

ଏବେ ମୁଁ ଜନ୍ମ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରି ନେଇଛି । କେତେ ଉଶ୍ୱାସ ଲାଗୁଛି । କେତେ ସ୍ୱାଧୀନ ଓ ମୁକ୍ତ ଲାଗୁଛି । କିନ୍ତୁ ମୋର ସ୍ତ୍ରୀ ତାଙ୍କର ବ୍ୟବସ୍ଥା କରିବାକୁ ଏବେ ବି ମୋ ସାଙ୍ଗରେ ଲଗେଇଛନ୍ତି । କାଳେ କ’ଣ ଭୁଲ ହୋଇଯିବ ?

 

ଏମିତି ମଝିରେ ମଝିରେ ମୁଁ ଗାଁକୁ ଯାଏ । ସେଦିନ ସେମିତି ବାହାରିଥିଲି ଗାଁକୁ । ନୟାଗଡ଼ ପାଖରେ ମୋ ଗାଁ । ଭଗବାନ ବଡ଼ ଜାଣିବା ଶୁଣିବା ଲୋକ । ତେଣୁ ବସରେ ପହଞ୍ଚୁ ନ ପହଞ୍ଚୁଣୁ, ମୋ ସାଙ୍ଗରେ ଭେଟହେଲେ ଦୁଇଜଣ ନାରୀ । ସେମାନେ ବି ତାଙ୍କ ଗାଁକୁ ଯାଉଥିଲେ । ଏକାଠି ଆମେ ଗୋଟିଏ ସିଟରେ ବସିଲୁ । କଥାବାର୍ତ୍ତା ହୋଇଗଲୁ । ମୋ ପାଖରେ ବସିଥିବା ନାରୀ ଜଣକଙ୍କ ପଣତକାନି ମୋ ଦେହରେ ବାଜି ଯାଉଥିଲା । କେତେବେଳେ କିମିତି ବି ମୋ ଦିହ ତାଙ୍କ ଦିହରେ ବାଜି ଯାଉଥିଲା । ତାଙ୍କ ମୁହଁରେ ବିରକ୍ତି ଭାବ ଫୁଟି ଉଠୁଥିଲା । ତାଙ୍କୁ ମୁଁ ସତେ ଯିମିତି ‘ମିଣିପି ମିଣିପି’ ଗନ୍ଧଉଥିଲି । ହେ...ହେ...ହେ...ଭଗବାନ ବଡ଼ଲୋକ ! ଆହାରେ ବ୍ୟବହାରେ ଚ ତ୍ୟକ୍ତ ଲଜ୍ଜ ସୁଖୀ ଭବେତ୍‌ । ମୋର ସୁଖୀ ପରିବାର ଲୋଡ଼ା–

 

ମତେ ଏବେ ଚଉବନ ବର୍ଷ ହେଲା । ହେ...ହେ...ହେ...ମୋ ସ୍ତ୍ରୀ ସୁଭଦ୍ରା ଦେବୀ ବେଶି ସୁନ୍ଦର ଦେଖାଯାଉଛନ୍ତି । ମୁଁ ଗାଁକୁ ମଝିରେ ଯାଏ । ଜମିବାଡ଼ି ତଦାରଖ କରିବାକୁ ପଡ଼େ କିନା ! କିନ୍ତୁ ପ୍ରତ୍ୟହ ସନ୍ଧ୍ୟାରେ ମଦନାନନ୍ଦ ମୋଦକଟିଏ ଖାଏ । ହେ...ହେ...ହେ...ଅଶ୍ଳୀଳତା ନିବାରଣ ହୋଇଗଲା । ଭଲକଥା ହେଲା । ଖାସା କଥା ହେଲା । ତା’ ନ ହେଲେ ଏ ଦେଶକୁ ପାରିହୋଇ ନ ଥାନ୍ତା । ମୋ ସାନ ମଝିଆ ପୁଅ ତା’ କକେଇର ପୁଅ ହେଇଗଲା । ଭଲ ହେଲା । ନ ହେଲେ ଏ ଆଠଜଣଙ୍କୁ ଏ କାଳ ମହରଗ ଯୁଗରେ ପୋଷନ୍ତି କିମିତି । ମୋ ସ୍ତ୍ରୀଙ୍କର ଜୟହେଉ । ଯାହାହଉ ସେ ମୋ କଥା ବୁଝିପାରି ଟୁକୁନାକୁ ଆମର ପୁଅ କରି ଦେଇଛନ୍ତି ।

 

ଅଶ୍ଳୀଳତା ଦୂରୀକରଣର ଜୟ ହେଉ । ହଁ ! ମୁଁ ପ୍ରତ୍ୟହ ମଦନାନନ୍ଦ ମୋଦକଟିଏ ଏବେ ବି ଖାଏ । ମତେ ଏବେ ଚଉବନ ବର୍ଷ ହେଲା । ଏ ଜନ୍ମ ନିୟନ୍ତ୍ରଣ କଥାଟା ଖୁବ୍‌ ଭଲ ହେଉଛି ଆଜ୍ଞା । ଏଣିକି ଟିକେ ମଣିଷ ସ୍ୱାଧୀନ ହେଇଗଲା, ମୁକ୍ତ ହେଇଗଲା ।

 

ହଁ ! ସେଦିନ ଗୋଟାଏ ତନ୍ତ୍ର ବହି ପଢ଼ୁଥିଲି । ସେଥିରେ ଲେଖାଅଛି ଯେ ସକଳ କାର୍ଯ୍ୟ ପବିତ୍ର କାର୍ଯ୍ୟ । ଏପରିକି ଯୌନକ୍ରିୟା ପ୍ରାର୍ଥନା ସହିତ ସମାନ । ଅଧାର୍ମିକ ଲୋକେ ଯୌନ କ୍ରିୟାକୁ ଅପବିତ୍ର କହନ୍ତି । ଧାର୍ମିକ ଲୋକେ କିଛିଟା ପବିତ୍ର ଓ କିଛିଟା ଅପବିତ୍ର ଭାବନ୍ତି । କିନ୍ତୁ ତାନ୍ତ୍ରିକ ମତରେ ସବୁଟା ପବିତ୍ର କାର୍ଯ୍ୟ । ହେ...ହେ...ହେ...ମୋତେ ଏବେ ଚଉବନ ବର୍ଷ ହେଲା । ମୁଁ ପ୍ରତ୍ୟହ ସନ୍ଧ୍ୟାରେ ମଦନାନନ୍ଦ ମୋଦକଟିଏ ଖାଏ । ଗାଁକୁ ମାସରେ ଦୁଇ ଚାରିଥର ଯାଏ ।

 

ଏବେ ମୁଁ ଗାନ୍ଧୀଙ୍କର ‘‘ସଂଯମ ବନାମ ସ୍ୱେଚ୍ଛାଚାର’’ ବହିଟି ପଢ଼ୁଛି । ବାତ୍ସାୟନଙ୍କ ‘କାମଶାସ୍ତ୍ର’ ବହିଟି ପାଖରେ ଆଣି ରଖିଛି । ମୋ ଘର ସାମନାରେ ‘‘ଛୋଟ ପରିବାର ସୁଖୀ ପରିବାର’’ ପୋଷ୍ଟର ଖଣ୍ତିଏ ମାରିଛି ଓ ମୁଁ ଏବେ ଜଣେ ତାନ୍ତ୍ରିକ ହେବାକୁ ସାଧନା କରୁଛି ।

 

ମୁଁ ଜଣେ ଆଇଁଷିଣିଆ ଲୋକ ବୋଲି ମୋ ସାଙ୍ଗସାଥୀଏ କହନ୍ତି । ଆଉ ସେ ଦିନ ବସରେ ମୋ ପାଖରେ ଯିଏ ବସି ଯାଉଥିଲେ, ତାଙ୍କ କଥା ମନରୁ ପାଶୋର ଯାଇ ନାହିଁ । ତାଙ୍କୁ ବି କ’ଣ ମୁଁ ଆଇଁଷିଣିଆ ଗନ୍ଧଉଥିଲି ? କେଜାଣି ହେଇଥିବ ଅବା ?

 

ମତେ ଏବେ ଚଉବନ ବର୍ଷ ହେଲା । ଅଶ୍ଳୀଳତା ଦୂରୀକରଣ ଦଶନ୍ଧି ଚାଲିଛି ଏବେ । ଚାଲୁ । ୟେ ଦଶନ୍ଧି ସରିବା ବେଳକୁ ମତେ ଚଉଷଠି ହେଇଥିବ । ଆଉ ସେତେବେଳକୁ ମୁଁ ଏକ ପୋଖତ ତାନ୍ତ୍ରିକ ହେଇ ସାରିଥିବି । ହେ...ହେ...ହେ ମୁଁ ଏବେ ଗାନ୍ଧିଜୀଙ୍କର ‘ସଂଯମ ବନାମ ସ୍ୱେଚ୍ଛାଚାର’ ବହି ପଢ଼ୁଛି । ପଢ଼ି ସାରିବାବେଳକୁ ମତେ ଚଉଷଠୀ ବର୍ଷ ହୋଇଥିବ । ସେତିକିବେଳେ ବାତ୍ସାୟନଙ୍କ ବହି ଖଣ୍ତିକ ପଢ଼ିବି । ଆଉ ସେତେବେଳକୁ ମୋ ସ୍ତ୍ରୀଙ୍କୁ କେତେବର୍ଷ ହେଇଥିବ କହିବାକୁ ଶାସ୍ତ୍ରରେ ମନାଅଛି । ହେ...ହେ...ସେ ଯଦି ଆଗରୁ ‘ଚାଲିଯାନ୍ତି’ ଏ ସାତୁଟା ପିଲାଙ୍କୁ ସମ୍ଭାଳିବ କିଏ ସେ ?

 

ହେ...ହେ...ହେ...ମତେ ଏବେ ଚଉବନ ବର୍ଷ ହେଲା । ମୁଁ ଜଣେ ଆଇଁଷିଣିଆ ଲୋକ ଓ ଅଶ୍ଳୀଳତା ଦୂରୀକରଣ ଦଶନ୍ଧିର ଜଣେ ପୋଖତ ସମର୍ଥକ । ସେଇଥି ପାଇଁ ମୋ ଘର କାନ୍ଥରେ ‘‘ଛୋଟ ପରିବାର ସୁଖୀ ପରିବାର’’ ପୋଷ୍ଟରଟିଏ ଲଗେଇଛି ।

 

ହେ...ହେ...ମୁଁ ଜଣେ ଆଇଁଷିଣିଆ ଲୋକ ।

 

(ବାଇଶି ପାହାଚ, ଜାନୁୟାରୀ, ୧୯୭୭)

Image

 

Unknown

ମୁଁ ଜଣେ ମାର୍କସିଷ୍ଟ ବ୍ରାହ୍ମଣ

 

ମୁଁ ଜଣେ ମାର୍କସିଷ୍ଟ ଓ ମୁଁ ଜଣେ ବ୍ରାହ୍ମଣ । ମାର୍କସବାଦ ବା ମାର୍କସିଷ୍ଟ ଚିନ୍ତାଧାର ସହିତ ମୋର କୌଣସି ପରିଚିତି ନ ଥାଇ ମଧ୍ୟ ମୁଁ ଜଣେ ମାର୍କସିଷ୍ଟ ଓ ବ୍ରହ୍ମଙ୍କୁ ଆଦୌ ନ ଜାଣି ମଧ୍ୟ ମୁଁ ଜଣେ ବ୍ରାହ୍ମଣ (ଶାସ୍ତ୍ର କହୁଛି ବ୍ରହ୍ମଂ ଜାନାତି ଇତି ବ୍ରାହ୍ମଣ) । କିମ୍ୱା ଅନ୍ୟ ଅର୍ଥରେ କହିଲେ ମୁଁ ମାର୍କସିଷ୍ଟ ନୁହେଁ, କିମ୍ୱା ବ୍ରାହ୍ମଣ ନୁହେଁ । ଏ କେବଳ ମୋର ଆତ୍ମ-ପରିଚିତିର ପାଲା । ଖୋଳପିନ୍ଧା, ଘୁଙ୍ଗୁରପିନ୍ଧା, ଚଅଁର ଢିହର ଭେଳିକି । ଏଇ ଭେଳିକି ମୁଁ ଯେତିକି ଦେଖାଇ ପାରିବି ମୋ ପାଲା ବା ଗାଆଣପଣିଆର ସେତିକି କାଟ୍‌ତି, ସେତିକି ମେଡ଼ାଲପ୍ରାପ୍ତି ବା ଆଧୁନିକ ଭାରତବର୍ଷରେ ଗୋଟାଏ ଦୁଇଟା ବିଶ୍ୱବିଦ୍ୟାଳୟରୁ ‘‘ସମ୍ମାନସୂଚକ’’ ଡକ୍ଟରେଟ ଉପାଧିଲାଭ । ଏଇ ସମ୍ମାନ ସୂଚକ ଡକ୍ଟରେଟ ବ୍ୟବହାର କରିବା ପାଇଁ ଶାସ୍ତ୍ରୀୟ ନିଷେଧ ଥିଲେ ମଧ୍ୟ ମୁଁ ତାହା ବ୍ୟବହାର କରିବାରେ କେବଳ ଆଗ୍ରହ ପ୍ରକାଶ କରେ ନାହିଁ, କେହି ମୋ ନାମ ଆଗରେ ତାହା ବ୍ୟବହାର ନ କଲେ ମୁଁ ନାସିକା କୁଞ୍ଚନ କରେ !

 

ମୋର ‘‘ପଦ୍ମଭୂଷଣ’’ ଉପାଧି ଏବେ ‘‘ଭୂତପୂର୍ବ ପଦ୍ମଭୂଷଣ’’ ହୋଇଯାଇଥିବାରୁ ଏଇ ଡକ୍ଟରେଟ ଉପାଧିଟାକୁ ମୁଁ ଜାବୁଡ଼ି ଧରିବାକୁ ଚାହେଁ । (ଏ ପୁଣି ସମ୍ବିଧାନ ସଂଶୋଧନରେ ହାତରୁ ଖସିନଗଲେ ରକ୍ଷା ।) ସେଇଥି ପାଇଁ ମୁଁ ତାକୁ ମୋ କାଗଜରେ ବାରମ୍ୱାର ଛପେଇ ଆତ୍ମଗର୍ବ ଅନୁଭବ କରେ । କାରଣ ମୁଁ ଜଣେ ମାର୍କସିଷ୍ଟ ବ୍ରାହ୍ମଣ ଥିଲି ଓ ରହିବି ।

 

ମୁଁ କାହିଁକି ନିଜକୁ ମାର୍କସିଷ୍ଟ ବୋଲି ବିଚାର କରେ ? ତା’ର ଏକ ହେତୁ ରହିଛି । ସେ ହେତୁଟି ହେଉଛି ମାର୍କସଙ୍କର ‘‘ଜଡ଼ବାଦୀ’’ ଦର୍ଶନ ପ୍ରତି ମୋର ଅଗାଧ ଶ୍ରଦ୍ଧା (ଲୋକଶାସ୍ତ୍ର କହୁଛି ଆଲୋ ମଉସା ଜଡ଼ ପଇସା) । ପୁଣି ଆମ ଭାରତୀୟ ସଂସ୍କୃତିରେ ‘‘ଅର୍ଥ’’ ଉପରେ ଯେଉଁ ପ୍ରାଧାନ୍ୟ ଦିଆଯାଇଛି ତାକୁ ମୁଁ ଭୁଲିବି କିପରି (କିନ୍ତୁ ସେ ସଂସ୍କୃତିରେ ହିସାବ ବହିର୍ଭୂତ ଅର୍ଥ କଥା କୋଉଠି ଥିବାର ମୁଁ ପଢ଼ିନି) । ସେଇଥି ପାଇଁ ମୁଁ ଖାଣ୍ଟି ମାର୍କସିଷ୍ଟ ଥିଲି, ଅଛି ଓ ରହିବି । ଏହାଛଡ଼ା ମୁଁ ‘‘ତଥାକଥିତ’’ ମାର୍କସିଷ୍ଟ ଚିନ୍ତାଧାରାର ଜଣେ ପ୍ରଗଳ୍‌ଭ ସମର୍ଥକ ଭାବରେ ସବୁ ‘‘ଦେବଦେବୀଙ୍କୁ ଘୃଣା କରେ’’ । ଯୌବନର ଉଦ୍ଦାମତାରେ ମାର୍କସ ଏମାନଙ୍କୁ ଘୃଣା କରୁଥିଲେ ବୋଲି ଲୋକ ଅପବାଦ ରହିଛି । ଆଉ ଯେହେତୁ ମୁଁ ‘‘ବ୍ରହ୍ମଂ ଜାନାତି ଇତି ବ୍ରାହ୍ମଣ’’ ଦର୍ଶନରେ ବିଶ୍ୱାସ କରେ, ତେଣୁ ସବୁ ଦେବଦେବୀଙ୍କୁ ହତାଦର କରିବା ସ୍ୱାଭାବିକ । ବ୍ରହ୍ମ ହିଁ ତ ଏକମାତ୍ର ସତ୍ୟ । ମୁଁ ଚନ୍ଦ୍ର ସୁର୍ଯ୍ୟଙ୍କୁ ସାକ୍ଷୀ ରଖି ପଇତା ଛୁଇଁ ଏବେ ଶପଥ କରୁଛି ଯେ ମୁଁ ସବୁ ଦେବ-ଦେବୀଙ୍କୁ ଘୃଣା କରେ-। କାରଣ ମୁଁ ସୋଽହଂ । ଜଗତ ଯେଣୁ ମିଥ୍ୟା, ମୁଁ ଜଣେ ମାର୍କସିଷ୍ଟ ବାହ୍ମଣ, ଏହା ମଧ୍ୟ ସେଇ ନ୍ୟାୟରେ ମିଥ୍ୟା ।

 

ଏଇ ମିଥ୍ୟା ହେଲା–ମୁଁ ଜଣେ ଭାରତୀୟ ମାର୍କସିଷ୍ଟ, ଓଡ଼ିଶୀ ମାର୍କସିଷ୍ଟ ଓ ଜଣେ ବ୍ରାହ୍ମଣ ମାର୍କସିଷ୍ଟ । ମୁଁ ଜାଣିଛି ଯେ ୧୮୦-୪୧ରେ ମାର୍କସ ଗୋଟାଏ ଥେସିସ୍‌ ଲେଖି ଡକ୍ଟରେଟ ପାଇଥିଲେ । ସେ ଥେସିସ୍‌ର ନାମ ହେଉଛି–The difference between the Natural Philosophy by Democritus and the Natural Philosophy of Epicrus ମୁଁ ଡେମୋକ୍ରିଟସ୍‌ଙ୍କୁ ଜାଣି ନାହିଁ କି ଚିହ୍ନି ନାହିଁ, ଏପିକ୍ୟୁରସଙ୍କୁ ମଧ୍ୟ ଚିହ୍ନି ନାହିଁ । କିନ୍ତୁ ଚାର୍ବାକଙ୍କ କଥା ଲୋକମୁଖରେ ଶୁଣିଛି । ମାର୍କସଙ୍କୁ କିଛିଟା ପଢ଼ିଛି ଓ ସେଇ କିଛିଟା ପଢ଼ିବା ଅଳ୍ପ ମାତ୍ରାରେ ଜାଣି ମୁଁ ନିଜକୁ କେବଳ ମାର୍କସିଷ୍ଟ ବୋଲାଇଛି । ମାର୍କସଙ୍କ ରାଜ୍ୟରେ ଅଲଗା ପ୍ରକାର ‘‘ଜାତି’’ ଥିଲା, ତେଣୁ ସେଠି ବ୍ରାହ୍ମଣ ମାର୍କସିଷ୍ଟ ପାଇବା ସମ୍ଭବ ନୁହେଁ । କିନ୍ତୁ ଏଠି ତ ଚାତୁର୍ବଣ୍ୟଂମୟା ସୃଷ୍ଟଂର ସଂସ୍କୃତି । ସେଇଥି ପାଇଁ ମୁଁ ଜଣେ ମାର୍କସିଷ୍ଟ ବ୍ରାହ୍ମଣ । ‘ବର୍ଣ୍ଣ’ରେ ମୁଁ ବ୍ରାହ୍ମଣ, ଜାତିରେ ନୁହେଁ ।

୧୮୪୦-୪୧ ମସିହାରେ ଡକ୍ଟରେଟ ପାଇଥିବା କାର୍ଲ ମାର୍କସଙ୍କ ନାଁ ଆଗରେ କେହି ଡକ୍ଟରେଟ ଲେଖିଲେ ବା ନ ଲେଖିଲେ ମାର୍କସଙ୍କର ଉତ୍ତରାଧିକାରୀ ବଂଶଧରମାନେ କ୍ଷୁବ୍‌ଧ ହୁଅନ୍ତି କି ନାହିଁ ମୁଁ କହିପାରିବି ନାହିଁ । କିନ୍ତୁ ମୋ ନାଁ ଆଗରେ କେହି ଡକ୍ଟରେଟ ନ ଲେଖିଲେ (ଯଦିଓ ଏଇଟା ମୋର ସମ୍ମାନ ସୂଚକ ଉପାଧି) ମତେ କିମିତିଆ କିମିତିଆ ଲାଗେ । କାରଣ ମୁଁ ଜଣେ ମାର୍କସିଷ୍ଟ ହେଲେ ବି ବ୍ରାହ୍ମଣ (ଓ ଲୋଭୀ ବ୍ରାହ୍ମଣ) ଓ ବ୍ରାହ୍ମଣ ହୋଇ ବି ମାର୍କସିଷ୍ଟ (କାରଣ ମୁଁ ଜଡ଼ବାଦରେ ବିଶ୍ୱାସୀ) । ଅବଶ୍ୟ ବ୍ରହ୍ମଂ ନ ଜାନାତି ବ୍ରାହ୍ମଣ ! ଦର୍ଶନ ସମ୍ପର୍କରେ ମାର୍କସ ତାଙ୍କ ଡକ୍ଟରେଟ ନିବନ୍ଧରେ ଗୋଟାଏଠାରେ ଲେଖିଥିଲେ ଯେ ‘‘ଦର୍ଶନ ଶାସ୍ତ୍ର କୌଣସି କଥା ଲୁଚେଇ ରଖେ ନାହିଁ ।’’ ତେଣୁ ମୋର ଏ ସ୍ୱୀକାରୋକ୍ତି । ମାର୍କସୀୟ ଭାଷାରେ କହିଲେ ‘‘କନଫେସନ୍‌’’ ।

ପ୍ରୋମିଥିଅସ ସ୍ୱୀକାର କରିଥିଲେ ଯେ ମୁଁ ସବୁ ଦେବତାଙ୍କୁ ଘୃଣା କରେ । ଏଇ ସ୍ୱୀକୃତି ସ୍ୱର୍ଗ ଓ ମର୍ତ୍ତ୍ୟର ଦେବତାଙ୍କ ବିରୁଦ୍ଧରେ ମୋର ବିପ୍ଳବ । ଆଉ ମାର୍କସ ବି କହୁଥିଲେ ଯେ ସର୍ବୋଚ୍ଚ ଦେବତା (Supreme deity) ହେଉଛି ମଣିଷର ଆତ୍ମଚେତନା । ଯିଏ ମଣିଷର ଏଇ ଆତ୍ମଚେତନାକୁ ସର୍ବୋଚ୍ଚ ଆସନ ନ ଦିଏ ମୁଁ ତାକୁ ଘୃଣା କରେ । ଏଇ ଆତ୍ମଚେତନା ବ୍ୟତିରେକ ଅନ୍ୟ କୌଣସି ଦୈବଶକ୍ତିକୁ ମୁଁ ବିଚାରକୁ ନିଏ ନାହିଁ । ଏ ଚିନ୍ତାଧାରା ଥିଲା ଯୁବକ ମାର୍କସଙ୍କର କାର୍ଲମାର୍କସଙ୍କର ଓ ଡକ୍ଟର କାର୍ଲମାର୍କସଙ୍କର । (ପ୍ରଥମେ ଜର୍ମାନ ଭାଷାରେ ଲିଖିତ, ଇଂରେଜୀରେ ଅନୂଦିତ ଓ ଏବେ ମୁଁ ଓଡ଼ିଆରେ ତର୍ଜମା କରୁଛି) । କିନ୍ତୁ ମୁଁ ଜର୍ମାନ ନୁହେଁ, ୟୁରୋପୀୟ ନୁହେଁ, ସୋଭିଏତ ୟୁନିୟନରେ ଜନ୍ମଲାଭ କରିନାହିଁ । କିମ୍ୱା ଚୀନ ଦେଖି ନାହିଁ, ଯଦିଓ ‘ପେକିଂ ଡାଏରୀ, ପଢ଼ିଛି । ମୁଁ ଜଣେ ଭାରତୀୟ, ପୁଣି ଓଡ଼ିଆ ଭାରତୀୟ ଓ ‘ଜାତି’ରେ ମୁଁ ଜଣେ କାନ୍ୟକୁବ୍‍ଜି ବ୍ରାହ୍ମଣ-। ବ୍ରହ୍ମକୁ ନଜାଣି ମୁଁ ଯେମିତି ଜଣେ ବ୍ରାହ୍ମଣ, ମାନବିକ ଆତ୍ମଚେତନାକୁ ‘‘ସର୍ବୋଚ୍ଚ ଆସନ’’ ନଦେଇ ମଧ୍ୟ ମୁଁ ସେମିତି ଜଣେ ମାର୍କସିଷ୍ଟ ଓ କୌଣସି ଡକ୍ଟରେଟ ନିବନ୍ଧ ନଲେଖି ମଧ୍ୟ ମୁଁ ମୋ ନାମକୁ ଡକ୍ଟର ଗୋପୀବଲ୍ଲଭ ଦାଶ ଶର୍ମା ଲେଖିବାକୁ ଭଲ ପାଏ । (‘ଦାଶଟାରେ ‘ଶ’ ନ ଲେଖିଲେ ମତେ ଚିହ୍ନିବେ କେମିତି ?) । ପୁଣି ମୁଁ ଜଣେ ଓଡ଼ିଆ ବ୍ରାହ୍ମଣ ଓ ୧୯୭୭ ମସିହାରେ ବି ଜଣେ ମାର୍କସିଷ୍ଟ ବ୍ରାହ୍ମଣ ଭାବରେ ନିଜକୁ ପରିଚିତ କରେଇବାକୁ ଚାହେଁ । ଉପାଧିରେ ଜଡ଼ିତ ଉପାଧିଜଡ଼ିତେ ମତେ ଏଇ ‘‘ସମ୍ମାନସୂଚକ’’ ଉପାଧିରେ ଜଡ଼ିତ କରିବାରୁ ମୁଁ ସେମାନଙ୍କ ପ୍ରତି ଯେତିକି କୃତଜ୍ଞତା ପ୍ରକାଶ ନ କରେ, ମୋ ନାଁ ଆଗରେ ସେଇ ‘ଡକ୍ଟରେଟ’ ଉପାଧିଟା ଯୋଡ଼ିବାକୁ ତା’ ଅପେକ୍ଷା ଅଧିକ ଭଲ ପାଏ । କାରଣ ଏଇଟା ମୋର ଏକ ବିଶୁଦ୍ଧ ପାଗଳାମି (ବୋଧହୁଏ ମୁଁ ଜଣେ ଲୋଭୀ ବ୍ରାହ୍ମଣ !) ।

ସେଦିନ ଜଣେ ‘ବ୍ରାହ୍ମଣ’ କର୍ମଚାରୀ ମତେ କହୁଥିଲେ ‘‘ମୁଁ ଜଣେ ବଦ୍ଧ ପାଗଳ’’ । ତାଙ୍କର ପାଗଳମୀ ଥିଲା ସେ ମତେ ପାଗଳ କହିବେ ଓ ମୋର ପାଗାଳାମୀ ହେଉଛି ତାଙ୍କର ଉକ୍ତିକୁ ମାନିନେବା । କାରଣ ମୁଁ ଏବେ ଶୁଣୁଛି ଯେ ଜୀବନଟା କୁଆଡ଼େ ଯୁକ୍ତି ନୁହେଁ । ଜୀବନଟା ଏକ ମୁକ୍ତି । ଯେହେତୁ ସବୁ ଦେବ ଦେବୀଙ୍କୁ ମୁଁ ଘୃଣା କରି ଶିଖି ସାରିଛି, ତେଣୁ ଜୀବନଟା ଆଉ ମୋ ପକ୍ଷରେ ଯୁକ୍ତି ନୁହେଁ ମୁକ୍ତି । ଏବଂ ସେଇଥି ପାଇଁ ମୁଁ ଜଣେ ମାର୍କସିଷ୍ଟ । ଯିଏ ମତେ ପାଗଳ କହିଛି, କହୁଛି ବା କହିବ ବୋଲି ସ୍ଥିର କରି ସାରିଛି, ସେ ମୋ ‘‘ମାନବିକ ଆତ୍ମଚେତନା’’କୁ ଚିହ୍ନି ନାହିଁ । ଏଇ ଚେତନାର ମୂଳମନ୍ତ୍ର ହେଲା ‘‘ସବୁ ଦେବ ଦେବୀଙ୍କୁ ଘୃଣା କରିବା ।’’ କିନ୍ତୁ ‘ଆତ୍ମଚେତନା’କୁ ନୁହେଁ–ସେଇଥି ପାଇଁ ମୁଁ ପାଗଳ, ବଦ୍ଧ ପାଗଳ ଓ ଜଣେ ମାର୍କସିଷ୍ଟ ।ଏଇ ‘ଆତ୍ମଚେତନା’ର ସନ୍ଧାନରତ ମୁଁ ଜଣେ ବ୍ରାହ୍ମଣ । ଏଇ ଆତ୍ମଚେତନା ଓ ବ୍ରହ୍ମତ୍ୱର ଉପଲବ୍‌ଧି ପାଇଁ ମୁଁ ପ୍ରୟାସୀ ଥିବାରୁ ନିଜକୁ ବୈପ୍ଳବିକ ରୀତିରେ ଜଣେ ‘‘ମାର୍କସିଷ୍ଟ-ବ୍ରାହ୍ମଣ’’ ଭାବରେ ଘୋଷଣା କରୁଛି ।

ଏଇ ଘୋଷଣାଟି କରି ସାରିବା ପରେ ମୁଁ ଡକ୍ଟର କାର୍ଲମାର୍କସଙ୍କୁ ମଧ୍ୟ ଘୃଣା କରିବା ଆରମ୍ଭ କରି ଦେଇଛି । କାରଣ ମୁଁ ସ୍ୱର୍ଗ ମର୍ତ୍ତ୍ୟରେ ସବୁ ଦେବ ଦେବୀଙ୍କୁ ମୋର ଦର୍ଶନର ଇଲାକାରୁ ନିର୍ବାସିତ କରିବାକୁ ଚାହେଁ । ଆଉ ଡକ୍ଟର କାର୍ଲମାର୍କସଙ୍କୁ ଦେବତା କରିବି କାହିଁକି ? ଯେହେତୁ କର୍ମ, ଅକର୍ମ ଓ ବିକର୍ମର କୌଣସି ପାର୍ଥକ୍ୟ ନ ବୁଝି ମୁଁ କର୍ମ କରିଯାଏ ଓ ବେଦ ଅବର୍ଣ୍ଣିତ କର୍ମରେ ସଦା ସର୍ବଦା ବ୍ୟାପୃତ ରହେ ତେଣୁ ମୁଁ ନିଜକୁ ଜଣେ ବୈଦିକ ବ୍ରାହ୍ମଣରୂପେ ପ୍ରତିଷ୍ଠିତ କରିବି କିମିତି ?

ଆପଣମାନେ ଏବେ ବୁଝି ପାରିବେ ଯେ ମୁଁ ଆଉ ନିରୁତା ମାର୍କସିଷ୍ଟ ନୁହେଁ, କି ଶୁଦ୍ଧ ସୁବର୍ଣ୍ଣ ବ୍ରାହ୍ମଣ ବି ନୁହେଁ । ‘‘ପେଷା ଏ ଯେ ପୋଷେ କୁଟୁମ୍ୱ ।’’ ଏଇ କୁଟୁମ୍ୱ ପୋଷିବା ପାଇଁ ମୁଁ ଜଣେ ମାର୍କସିଷ୍ଟ-ବ୍ରାହ୍ମଣ ଓ ମୋର ଅନ୍ୟ ନାମ ହେଉଛି ଡକ୍ଟର ଗୋପୀବଲ୍ଲଭ !

ପ୍ରୋମିଥିଅସ ଥରେ ପ୍ରଶ୍ନ କରିଥିଲେ–‘‘ଲୋକଙ୍କ ଆଗରେ ସବୁଠାରୁ ଉଚ୍ଚତର ସୌଭାଗ୍ୟ କ’ଣ ? ଏପିମେଥିଅସ ଉତ୍ତର ଦେଇଥିଲେ–‘‘ଗୋଟିଏ ସୁନ୍ଦରୀ ନାରୀ ଓ ପ୍ରଚୁର ଅର୍ଥ-।’’ ମୋର ଏଭଳି ସୁନ୍ଦରୀ ନାରୀ ଗୋଟିଏ କାହିଁକି ଅନେକ ଅଛନ୍ତି । ସେଇଥି ପାଇଁ ମୋର ନାମ ରାଧାନାଥ ନୁହେଁ, ଗୋପୀବଲ୍ଲଭ । ଆଉ ‘‘ପ୍ରଚୁର ଅର୍ଥ’’ ମୁଁ କିଭଳି ଭାବରେ ଆୟତ୍ତ କରି ପାରିଛି, ସେ ଗୁମରଟି ଫିଟାଇ କହିବାକୁ ଶାସ୍ତ୍ର ନିଷେଧ କରିଛି, କିନ୍ତୁ ମୋ ନିକଟରେ ‘‘ପ୍ରଚୁର ଅର୍ଥ’’ ରହିଛି-। ତେଣୁ ମୋ’ଠାରୁ ସୌଭାଗ୍ୟବାନ ପୁରୁଷ କିଏ ହୋଇପାରେ । ମୁଁ ତ ପୁରୁଷୋତ୍ତମ-

ନିବନ୍ଧ ନ ଲେଖି ମୁଁ ଡକ୍ଟରେଟ ପାଇଛି, ମାର୍କସଙ୍କୁ ନ ପଢ଼ି ମୁଁ ମାର୍କସିଷ୍ଟ ବୋଲେଇଛି, ବ୍ରହ୍ମଙ୍କୁ ନ ଜାଣି ମୁଁ ବ୍ରାହ୍ମଣ । ଏମିତିଆ ସୁଯୋଗ କେତେ ଜଣଙ୍କ ଭାଗ୍ୟରେ ଜୁଟେ । କେବଳ ମୁଁ ହିଁ ସେଇ ସୌଭାଗ୍ୟର ଅଧିକାରୀ ଓ ସେଇଥି ପାଇଁ ମୋର ନାମ ଡକ୍ଟର ଗୋପୀବଲ୍ଲଭ ଦାଶ ଶର୍ମା ଓ ମୁଁ ଜଣେ ଓଡ଼ିଆ ମାର୍କସିଷ୍ଟ-ବ୍ରାହ୍ମଣ । ବହୁଦିନ ତଳେ ‘‘ମାର୍କସଜିମ୍‍-ଅଫିମ’’ରୁ ଟେଳାଏ ଖାଇ ଦେଇଛି । ସେଇ ନିଶାର ଜୋରରେ ମୁଁ ଜଣେ ଓଡ଼ିଆ ମାର୍କସିଷ୍ଟ-ବ୍ରାହ୍ମଣ ।

କୌଣସି ଏକ ଧର୍ମ ସଂସ୍ଥା ସହିତ ସଂପୃକ୍ତ ଜଣେ ଅଧ୍ୟାପକ ଏବେ ମୋତେ ବୁଝେଇବାକୁ ଚେଷ୍ଟା କରୁଥିଲେ ଯେ ‘ମାରପେଞ୍ଚ ନୀତି,’ ‘ନାରୀ-ଆସକ୍ତି’ ଓ ‘ପ୍ରଚୁର ଅର୍ଥର ସହାବସ୍ଥାନ’ ହେଉଛି ଆଧୁନିକ ଭାରତୀୟ ରାଜନୀତି ଦର୍ଶନର ସାର ନିର୍ଯ୍ୟାସ । ଯାହାକୁ ମାର୍କସଙ୍କ ଭାଷାରେ କୁହାଯିବ ‘‘ଏସେନ୍‌ସ’’ । ମଣିଷ ପ୍ରବୃତ୍ତିର ‘‘ସାର ନିର୍ଯାସ’’ ବା ‘‘ଏସେନ୍‌ସ’’ । ଯଦି ଅଧ୍ୟାପକ ବନ୍ଧୁଙ୍କର ଉପରୋକ୍ତ ଉକ୍ତିକୁ ସ୍ୱୀକାର କରି ନିଆଯାଏ, ତେବେ ମୁଁ ତ ଜଣେ ରାଜିନୀତିଜ୍ଞ ହୋଇ ପଡ଼ିଲିଣି । ଆଉ କି ପ୍ରକାର ରାଜନୀତିଜ୍ଞ ବୋଲି ପ୍ରଶ୍ନ କଲେ, ମୁଁ ତ ଉତ୍ତର ଦେଇ ସାରିଛି ଯେ ମୁଁ ଜଣେ ‘‘ମାର୍କସିଷ୍ଟ-ବ୍ରାହ୍ମଣ’’ ।

ମୁଁ ମାନବିକ ଆତ୍ମଚେତନାକୁ ସର୍ବୋଚ୍ଚ ଶ୍ରଦ୍ଧା (Supreme affection) ଜଣେଇ ଆସିଛି । ତେଣୁ ଡକ୍ଟର କାର୍ଲମାର୍କସଙ୍କୁ ଭକ୍ତି ନ ଜଣେଇ ଘୋଷଣା କରୁଛି ଯେ ମୁଁ ତେଣୁ ଜଣେ ମାର୍କସିଷ୍ଟ-ବ୍ରାହ୍ମଣ ଓ ମୋର ଅନ୍ୟ ନାମ ହେଉଛି ଡକ୍ଟର ଗୋପୀବଲ୍ଲଭ ଦାଶ ଶର୍ମା ।

(ଆସନ୍ତାକାଲି, ଅକ୍ଟୋବର, ୧୯୭୭)

Image

 

ମୁଁ ଗୋଟାଏ ପଶୁ

 

ମୋ ନା ‘ଟିପୁ’–ମୁଁ ଗୋଟିଏ କୁକୁର, ‘‘ଶ୍ୱାନଯୋନି’’ରେ ଜନ୍ମ ମୋର, ମୁଁ ପାଦ ଚାଟେ, ଲାଙ୍ଗୁଡ଼ ହଲାଏ, ଚିହ୍ନା ଲୋକଙ୍କ ଦିହରେ ଘଷି ମାଜି ହୁଏ, ଅଚିହ୍ନା ଲୋକଙ୍କୁ ଦେଖିଲେ ଭୋ କରେ-। ମୁଁ ଗୋଟାଏ ପଶୁ ବୋଲକରା ପଶୁ, ଲାଙ୍ଗୁଳ ହଲା ପଶୁ, ଅଇଁଠାଖିଆ ପଶୁ–ପୁଣି ପ୍ରଭୁଭକ୍ତ ପଶୁ-

 

ମୁଁ ଟିପୁ ସୁଲତାନ୍‌ ନୁହେଁ । କିନ୍ତୁ ମୋର ମାଲିକ ମତେ ରାସ୍ତା କଡ଼ରୁ ସାଉଁଟି ଆଣିଲାବେଳେ ଏମିତିଆ ନାଁଟେ ଦେବାକୁ ପସନ୍ଦ କରିଥିଲେ । ସେତେବେଳେ ମୁନିବ ଭାବିଥିଲେ, ମୁଁ ସୁଲତାନ୍‌ଙ୍କ ପରି ତାଙ୍କ ଗଡ଼ ଜଗିବି, ତାଙ୍କ ଘରଦ୍ୱାର, ପାଚିରୀ, ଆମ୍ୱବଗିଚା, ତାଙ୍କ ପୋଖରୀ, ଗାଈ ବଳଦ, ଅମାର ସବୁ ଜଗିବି । ସେଇଥି ପାଇଁ ସେ ମତେ କେତେ ଗେହ୍ଲା କରିଛନ୍ତି । ମୋ ନରମ ଦିହରେ, ମୋ ଭାଲୁଭଳି ଦେହର କେତେ ଯତ୍ନ ନେଇଛନ୍ତି । ପହିଲୁ ପହିଲୁ କିଛିଦିନ ମତେ ତାଙ୍କ ପାଖରେ ନେଇ ଶୋଇବାକୁ ଦେଇଛନ୍ତି । ମୋପେଇଁ ଭଲ ବେକପଟି କିଣି ଆଣିଛନ୍ତି, ଭଲ ଜଞ୍ଜିର କିଣି ଆଣିଛନ୍ତି । ମତେ ବାନ୍ଧି, କେତେ ପ୍ରକାର ଖେଳଣା ଦେଖେଇ ଶିକାରୀ ହବାକୁ ଶିଖେଇଛନ୍ତି । ‘ତୁ’ ‘ତୁ’ ଡାକିଲେ, ମୁଁ କେମିତି ଦଉଡ଼ି ଆସିବି, ସେ କଥା ବତେଇ ଦେଇଛନ୍ତି । ‘ଧ’ କହିଲେ କେମିତି ଖେଙ୍କାରି ଉଠିବାକୁ ପଡ଼ିବ ଓ ଗୋଡ଼େଇ ଯିବାକୁ ହବ ଶିଖେଇଛନ୍ତି । କୋଉ ମଣିଷକୁ ବି ଏତେ ଟ୍ରେନିଂ ଦିଆ ହୋଇଥିବକି ନାହିଁ ସନ୍ଦେହ । କେତେ ଜାତିର ଖାଦ୍ୟ ମତେ ଖୋଇଛନ୍ତି, କିମା, ଦୁଧ, ଜାତି ଜାତି ଭଲ ଜିନିଷ । ୟା’କୁ ଖାଇ ମୁଁ ଭାଲୁପରି ବଢ଼ି ଉଠିଛି । ଆଉ ତା’ ସାଙ୍ଗେ ସାଙ୍ଗେ ମୁଁ କେଜାଣି କେମିତି ଅଳସୁଆ ପାଲଟିଯାଇଛି ।

 

ଏବେ ‘ଟିପୁ କହିଲେ, ‘ତୁ’ ‘ତୁ’ ଡାକମାରିଲେ ମୋର ଏ କାନରେ ପଶି ସେ କାନରେ ବାହାରିଯାଏ । ଚିହ୍ନା ଅଚିହ୍ନା ଲୋକ ଦେଖିଲେ ଲାଙ୍ଗୁଳ ହଲେଇ ମୁଁ ଶୋଇରହେ ଆଉ ‘ଭୋ’ ‘ଭୋ’ କରିବାକୁ ବି ମୋର ଇଚ୍ଛା ହୁଏନି । ମୋ ଦିହଯାକ ଏବେ ଗଦା ଗଦା ଟିଙ୍କ, ରୁମ ସବୁ ଉପୁଡ଼ି ଆସିଲାଣି–ମନରୁ ସରାଗସବୁ ଚାଲିଗଲାଣି ।

 

ମତେ ଏବେ ମୋ ମୁନିବ ବାଡ଼େଇଲେ କି ତଡ଼ିଲେ ବି ମୁଁ ତାଙ୍କ ଘର ଛାଡ଼ିଯିବାକୁ ରାଜି ନୁହଁ–ତେଣୁ ଯାହା ଅଇଁଠା କଣ୍ଟା ମିଳିଲା ସେଇଥିରେ ମୋରି ଦିନ କଟେ । ମୁଁ ଏବେ ପଡ଼ିରହିଛି ଏଠି । ଟିପୁ ସୁଲତାନ୍‌–ଏବେ ଖାଲି ‘‘ଟିପୁ’’ । ଟିପୁକୁ ବାଡ଼େଇଲେବି, ଗୋଡ଼େଇଲେ ବି ଛାଡ଼ିଯିବାକୁ ନାରାଜ–ସେତ ଆଉ ନିଜେ ଗୋଡ଼େଇବା ଅବସ୍ଥାରେ ନାହିଁ, ତେଣୁ ତାକୁ ମାରିଲେ କି ଗାଳି ଫଇଜତ୍‌ କଲେ ବି ସେ ୟେ ଜାଗା ଛାଡ଼ିପାରୁନି, ଯାହା ଅଇଣ୍ଠାକଣ୍ଟା ମିଳୁଛି ସେଇଥିରେ ସନ୍ତୁଷ୍ଟ । ମୋ ନାଁ ଟିପୁ, ମୁଁ ଗୋଟିଏ କୁକୁର, ଶ୍ୱାସ ଯୋନିରେ ଜନ୍ମ ମୋର, ମୁଁ ପାଦ ଚାଟେ, ଲାଙ୍ଗୁଡ଼ ହଲାଏ । ମୁଁ ଗୋଟାଏ ପଶୁ ।

 

(ଏକାମ୍ର ପତ୍ରିକା, ୧୯୭୬)

Image

 

ମୁଁ ଯଦି ପୁଣି ଜନ୍ମନେବି

 

ମୁଁ କ’ଣ ସତରେ ଆଉ ଥରେ ଜନ୍ମନେବି ? କାହିଁକି ଫେରିବି ଏ ପୃଥିବୀକୁ ? କେଉଁ ବେଶରେ, କେଉଁ ରୂପରେ, କି ଉଦ୍ଦେଶ୍ୟରେ । ମତେ କିନ୍ତୁ ଫେରିବାକୁ ହେବ, ୟେ ଯେ ଶାସ୍ତ୍ରୀୟ ନିର୍ଦ୍ଦେଶ । ଦର୍ଶନର ଇତିକଥା । ପୁଣି, ପୁଣି ଫେରିବାକୁ ହେବ ଏ ଧରିତ୍ରୀକୁ । ସର୍ବଂସହା ଧରିତ୍ରୀକୁ, ପାପ କଳୁଷିତ ଧରିତ୍ରୀକୁ, କ୍ଷମାମୟୀ ଧରିତ୍ରୀକୁ । ହେ ଧରିତ୍ରୀ, ତମେ ମତେ କ’ଣ ସହି ପାରିବ ? କୁହ, କୁହ, ତୁମେ କ’ଣ ସତରେ ମତେ ସହିପାରିବ ? ।

 

ମତେ ସହି ନ ପାରି ତୁମେ ଯଦି ଦ୍ୱିଧାବିଭକ୍ତ ହୁଅ, ତେବେ ସେ ଦୋଷ ତ ମୋର ନୁହେଁ । ମୁଁ ତୁମକୁ ବିଭକ୍ତ କରିବାକୁ ଚାହିଁନଥିଲି–କ୍ଷତ ବିକ୍ଷତ କରିବା ମୋର ଉଦ୍ଦେଶ୍ୟ ନଥିଲା । ତମେ ତମ ନିଜ ହିଂସାର ଶରବ୍ୟ ହୋଇ ମତେ ହତ୍ୟା କରିବାକୁ ପାଗଳ ପ୍ରାୟ ଦଉଡ଼ି ଆସିଥିଲ । ଓଃ । କି ବିକଟାଳ ସେ ମୂର୍ତ୍ତି । କିନ୍ତୁ ତମର ସମସ୍ତ ଶର ତୁମ ନିକଟକୁ ଫେରିଗଲା ସତେ ଯେମିତି ବୁମେରାଂ, ସେହି ଶରରେ ଆହତ ହୋଇ ତମେ ଆଜି ବିଭକ୍ତ । ମୁଁ ଦୁର୍ବାସା ହୋଇଥିଲେ ତୁମକୁ ଅଭିଶାପ ଦେଇଥାନ୍ତି, ତୁମର ଧ୍ୱଂସ ସାଧନ ପାଇଁ କାମନା କରିଥାନ୍ତି । କିନ୍ତୁ ମୁଁ ଯେ ବ୍ରାହ୍ମଣ ନୁହେଁ–ମୁଁ ‘ବର୍ଣ୍ଣ’ରେ ବୈଶ୍ୟ–ଜାତିରେ ‘ବଣିଆ’ । ମୁଁ ଗଢ଼ିବାକୁ ଭଲପାଏ, ଭାଙ୍ଗିବାକୁ ନୁହେଁ । ଏଇ ଗଢ଼ିବାପାଇଁ ଯଦି ଭାଙ୍ଗିବାର ଆବଶ୍ୟକତା ପଡ଼େ ତେବେ ମୁଁ ନାଚାର । କିନ୍ତୁ ବିଶ୍ୱାସ କର ଧରିତ୍ରୀ, ମୁଁ ବ୍ରାହ୍ମଣ ନୁହେଁ, ମୁଁ ବୈଶ୍ୟ । ଏଇ ବୈଶ୍ୟ ପଣିଆରୁ ମୁଁ ଏବେ ‘କ୍ଷତ୍ରିୟ’ ହେବାକୁ ଇଚ୍ଛା ପ୍ରକାଶ କରୁଛି–ୟେ କେବଳ ‘ଇଚ୍ଛା’ । ସବୁ ଇଚ୍ଛା ପୂରଣ ହୁଏନି, ହେବନି, ହୋଇନି । ତେବେ ମୁଁ କାହିଁକି ପୁଣି ଜନ୍ମନେବି ? ହୁଏତ ନେବି, ହୁଏତ ନ ନେଇପାରେ । କିନ୍ତୁ ମୁଁ ତୁମକୁ ‘ବିଭକ୍ତ’ କରିବା ପାଇଁ ଦାୟୀ ନୁହେଁ । ପାପର ଭାଗରେ ତୁମେ ଆଜି ବିଭକ୍ତ ହୋଇପଡ଼ିଛ ।

 

ମୁଁ କେବଳ ‘ବଣିଆ’ ନଥିଲି ମୁଁ ମଧ୍ୟ ଥିଲି ଜୈନ ପରମ୍ପରାର ଧାରକ, ବାହକ ଓ ସମର୍ଥକ । ସେଥିପାଇଁ ତମେ ମତେ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବି ମୁଁ ମୌନତା ଅବଲମ୍ୱନ କରିଥିଲି । ତୁମର ଲକ୍ଷ୍ୟ ଓ ପନ୍ଥା ଭିତରେ କୌଣସି ସମ୍ପର୍କ ନ ଥିବାର ମୁଁ ଲକ୍ଷ୍ୟ କରିଥିଲି । ସେଇଥି ପାଇଁ ମୁଁ ତୁମକୁ ବାରମ୍ୱାର ସାବଧାନ କରି ଦେଇଥିଲି । କିନ୍ତୁ ତୁମେ କ୍ଷତ୍ରିୟର ଗର୍ବ ନେଇ ଏ ସତର୍କବାଣୀକୁ ଅସ୍ୱୀକାର କରିଥିଲ । ବିନା ଯୁଦ୍ଧେ ସୁଚ୍ୟଗ୍ର ମେଦିନୀ ଦେବାକୁ ନାସ୍ତି କରିଦେଇଥିଲ ।

 

ଏବେ ତୁମେ ତୁମର ଭୁଲ୍‌ ବୁଝିପାରୁଛ ସେଇଥି ପାଇଁ ତୁମେ ମୋଠୁଁ ସମୟ ମାଗିଛ । ମୁଁ ‘ବଣିଆ’ କୁଳରେ ଜନ୍ମ ହୋଇଥିଲେ ବି ବେଳେବେଳେ ବ୍ରାହ୍ମଣର କର୍ତ୍ତବ୍ୟ କରିଆସିଛି । ପ୍ରତିଦାନର ଆଶା ନ ରଖି ଦାନ କରିଆସିଛି । ତେଣୁ ତମକୁ ହତାଶ କରିବି କିପରି ?

 

ତମର ସାମ୍ରାଜ୍ୟ ଆଜି ଚାରିଆଡ଼ୁ ଭୁଷୁଡ଼ି ପଡ଼ୁଛି । ସେଇଥି ପାଇଁ ତୁମେ ମୋ ସହିତ ହାତ ମିଳାଇବାକୁ ଇଚ୍ଛା ପ୍ରକାଶ କରିଛ । କିନ୍ତୁ ୟେ କ’ଣ ସମ୍ଭବ ? ନା, ୟେ ସମ୍ଭବ ହୁଅନ୍ତା ନାହିଁ ଯଦି ମୁଁ ‘ବଣିଆ’ ଜାତିରେ ମରିବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ମୁଁ ତ ଏବେ କ୍ଷତ୍ରିୟ ହେବାକୁ ଇଚ୍ଛା କରୁଛି । ତେଣୁ କ୍ଷତ୍ରିୟୋଚିତ ଧର୍ମ ମତେ ଗ୍ରହଣ କରିବାକୁ ପଡ଼ିବ । ସେଇଥି ପାଇଁ, ଖାସ୍‌ ସେଇଥି ପାଇଁ ମୁଁ ତୁମକୁ ‘‘ସମୟ ଦେଇଛି’’ ଓ ତୁମକୁ କ୍ଷତ୍ରିୟୋଚିତ ଧର୍ମାନୁସରଣ କରି ମୋର ସେନାବଳ ସାହାଯ୍ୟରେ କିଛିକାଳ ସମର୍ଥନ କରିପାରେ । କାରଣ ତମେ ଆଜି ଭିକ୍ଷୁକ, କିନ୍ତୁ ଦିନେ ତମେ ସାମ୍ରାଜ୍ଞୀ ଥିଲ । ସେଇଥି ପାଇଁ ମୁଁ ତମପ୍ରତି କେବଳ ଅନୁଗ୍ରହ ଦେଖାଉଛି, କ୍ଷତ୍ରିୟ କ୍ଷତ୍ରିୟ ମଧ୍ୟରେ ଯୁଦ୍ଧର ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ନପାରେ । ସେଇଥି ପାଇଁ ମୁଁ ତୁମକୁ ସମୟ ଦେଇଛି ଓ ଦେବାକୁ ପ୍ରସ୍ତୁତ ଅଛି ।

 

ତେଣୁ ମୁଁ ଯଦି ପୁଣି ଜନ୍ମନେବି, ସେ ତମର ମୁକାବିଲା ପାଇଁ ନୁହେଁ, ଦୁଇକୋଟି ଲୋକଙ୍କ ପାଇଁ, ଯେଉଁମାନେ ମୋର ଆତ୍ମୀୟ । ଏଇ ଯେଉଁ ପୃଥିବୀ, ସେଇ ମୋର ପ୍ରିୟ ଭୂମି । ଆଉ ପ୍ରିୟତର ଓ ପ୍ରିୟତମ ଏଇ ଦୁଇକୋଟି ମଣିଷ । ସେଇମାନଙ୍କ ପାଇଁ ମୁଁ ଯଦି ପୁଣି ଜନ୍ମ ନିଏ, ତେବେ ତମେ ମତେ ସହିପାରିବ ତ ? ।

 

ମୁଁ ଯଦି ପୁଣି ଜନ୍ମ ନିଏ, ତୁମେ ସହିପାରିବ ତ ? କୁହ ସହିପାରିବ ତ ? ଧରିତ୍ରୀ । ମୁଁ ତୁମକୁ ଏ ଶେଷ ପ୍ରଶ୍ନ ପଚାରିନିଏ, ତୁମେ ସହିପାରିବ ତ ମୋର ‘କାମନା’ ? ଏଇ ‘କାମନା’ର ବିନାଶରେ ହିଁ ଦୁଃଖର ବିନାଶ । ମୁଁ ଯଦି ପୁଣି ଜନ୍ମ ନିଏ ତେବେ ଏଇ ‘କାମନା’ର ବିନାଶ କରିବା ପାଇଁ, ଦୁଃଖର ବିନାଶ ପାଇଁ ସଯତ୍ନ ରହିବି । ୟେ ମୋର କାମନା ନୁହେଁ–ମୋର ଦୁଃଖ ନୁହେଁ, ଦୁଇକୋଟି ମଣିଷଙ୍କର କାମନା ଓ ଦୁଃଖ । ମୁଁ କେବଳ ପ୍ରତୀକ ବା ପ୍ରତିନିଧି । ମତେ ଏଇ ପ୍ରତିନିଧିତ୍ୱ କରିବାକୁ ପଡ଼ିବ । ତମେ ଆଉ ପ୍ରତିରୋଧ କରିପାରିବ ନାହିଁ । କାରଣ ତମେ ଆଜି ଜଣେ ଭିକ୍ଷୁକ ।

 

ମୁଁ ଯଦି ପୁଣି ଜନ୍ମ ନିଏ, ମୁଁ ତମ କଥା ଭୁଲି ଯାଇଥିବି । ତମ ହିଂସାକୁ ମୁଁ ପରିଣତ କରିବି ସ୍ନେହରେ, ପ୍ରେମରେ । ତମେ କ’ଣ ଏଇ ସ୍ନେହ ଓ ପ୍ରେମ ସହ୍ୟ କରିପାରିବ ? ତମେ କର ନ କର ମୁଁ ଯଦି ପୁଣି ଜନ୍ମ ନିଏ, ତେବେ ମୁଁ କ୍ଷତ୍ରିୟ କୁଳରେ ହିଁ ଜନ୍ମନେବି, ଆଉ ଜଣେ ବୈଶ୍ୟ ଭାବରେ ନୁହେଁ ।

 

ହଁ । ମୁଁ ଯଦି ପୁଣି ଜନ୍ମ ନିଏ, ତମେ ସହିପାରିବ ତ ? ତୁମେ ସହିପାର ବା ନ ପାର ମୁଁ କ୍ଷତ୍ରିୟ କୁଳରେ ହିଁ ଜନ୍ମନେବି, ହଁ, ମୁଁ ଯଦି ପୁଣି ଜନ୍ମ ନିଏ ?

 

ହେ ଧରିତ୍ରୀ, ତୁମେ ତୁମକୁ ପ୍ରସ୍ତୁତ କରିପାରିବ ତ ? ମୁଁ କିନ୍ତୁ ଯଦି ପୁଣି ଜନ୍ମ ନିଏ ମୁଁ କ୍ଷତ୍ରିୟ କୁଳରେ ହିଁ ଜନ୍ମନେବି ।

 

(ସମାବେଶ, ୧୯୭୫)

Image

 

ମୁଁ ଜଣେ ଟାଉଟର

 

ମୁଁ ଜଣେ ଟାଉଟର, ହଁ ଜଣେ ଟାଉଟର । ଏକଥା ଜାଣିଶୁଣି କହୁଛି, ବୁଝିସୁଝି କହୁଛି, ହଜାରବାର ଚିନ୍ତାକରି କହୁଛି । ଏଥିରେ ମୋର ତିଳେ ହେଲେ ଦୁଃଖ ନାହିଁ, ଶୋକ ନାହିଁ, ଅବସାଦ ନାହିଁ, । କାରଣ ମୁଁ ଜଣେ ଟାଉଟର ଓ ଏହାହିଁ ମୋର ପେଷା । ସେ ହିସାବରେ ମୁଁ ଜଣେ ପେଷାଦାରୀ ଟାଉଟର, ସୌଖୀନ ନୁହେଁ । ଏଇ ଟାଉଟରି ବିଦ୍ୟା ମୁଁ ଆପଣମାନଙ୍କଠାରୁ ଶିଖିଛି, ଜୀବନ ବିଦ୍ୟାଳୟରୁ ଶିଖିଛି, ପାରିବାରିକ ବିଦ୍ୟାଳୟରୁ ଶିଖିଛି, ସାମାଜିକ ବିଦ୍ୟାଳୟରୁ ଶିଖିଛି ଓ ମୋର ଶିକ୍ଷାର ଗୁରୁଭାଇମାନଙ୍କର ସଂଖ୍ୟା ଅଗଣିତ । ଯେଉଁମାନେ ମତେ ମୋର ଏଇ ଜୀବିକାଟି ଶିଖେଇ ଦେଇଛନ୍ତି, ସେମାନଙ୍କୁ ଶତ ସହସ୍ରବାର ପ୍ରଣିପାତ ଜଣାଉଛି ।

 

ମୁଁ ବ୍ୟବସାୟ କରିବାକୁ ଚାହେଁ, ଚାକିରି ଖୋଜୁଛି, ମୋର ନୋଟ ଦରକାର ଓ ‘ଭୋଟ ଦରକାର’ ମୁଁ ଘୋଡ଼ା ଦୌଡ଼ରେ, ଜୁଆ ଖେଳରେ, ପଶା ଖେଳରେ ପାଞ୍ଚ ଟଙ୍କା ଦଶ ଟଙ୍କାଠାରୁ ଆରମ୍ଭ କରି ଦ୍ରୌପଦୀ ବି ପଣ ରଖିପାରେ (ଦ୍ରୌପଦୀ ମୋ ‘‘ବିବାହିତା’’ ସ୍ତ୍ରୀଙ୍କର ନାମ) । ଏସବୁ ମୋର ଖେଳ, ଟାଉଟରି ଖେଳ । ବିନା ମୂଳଧନରେ ବ୍ୟବସାୟ କରିବାକୁ ଇଚ୍ଛା, ବିନା ଯୋଗ୍ୟତାରେ ଚାକିରି ଲୋଡ଼ା, ବିନା ପରିଶ୍ରମରେ ନୋଟ ସଞ୍ଚୟ ଦରକାର, ଭୋଟ ସଂଗ୍ରହ କରି ଜାଣେ ଓ ଘୋଡ଼ା ଦୌଡ଼ରେ ବାଜିରଖି ମୁଁ ହାରି ଯାଇପାରେ, ଜିତି ବି ଯାଇପାରେ । ଦ୍ରୌପଦୀ ଯଦି ମୋ କଥାରୁ ବାହାରି ଯାଆନ୍ତି, ତେବେ ମୁଁ ପାଞ୍ଚାଳୀକୁ, ପାର୍ବତୀକୁ ବା ସେଇଭଳି ଆଉ ଆଉ ଧର୍ମପତ୍ନୀମାନଙ୍କୁ ପଣ ରଖିପାରେ । ତେଣୁ ମୁଁ ଜଣେ ଟାଉଟର ଓ ଜଣେ ପ୍ରତିଭାସମ୍ପନ୍ନ ଟାଉଟର ।

 

ଅନ୍ୟଠାରୁ ଯେନ ତେନ ପ୍ରକାରେଣ ସମ୍ୱାଦ ସଂଗ୍ରହ କରିବା ବିଦ୍ୟାରେ ମୁଁ ନିପୁଣ, ସିଦ୍ଧହସ୍ତ । ଏଇ ସମ୍ୱାଦକୁ ଭିତ୍ତି କରି ମୁଁ ବାଜିମାରେ, କେତେବେଳେ ଜିତେ କେତେବେଳେ ହାରେ-। ମୁଁ ଅବଶ୍ୟ ଜାଣେ ଯେ ଏଇ ସମ୍ୱାଦ କେତେବେଳେ ‘‘ଖାଣ୍ଟି’’, ମନଗଢ଼ା ଗପ, ମୋର ଅବଦମିତ ଇଚ୍ଛାର ଭାଷାନ୍ତରିତ ରୂପ, ଅନ୍ୟର ଇଚ୍ଛାକୁ ମୋର କରିବାର ମନୋବୃତ୍ତି, ସତକଥା, କେତେବେଳେ ବା ଗାଲୁ ତ ଅନ୍ୟ କେତେବେଳେ ଗପ ହେଲେ ବି ସତ । ଏଇ ଭାଷାର ବେଉସା ମୋର ଟାଉଟରି ବିଦ୍ୟାର, କଳାର, କୁଶଳପଣିଆର ମୂଳଧନ । ସେଇଥି ପାଇଁ ବିନା ଲକ୍ଷ୍ୟରେ ମୁଁ ଲକ୍ଷପତି, ବିନା ମୂଳଧନରେ ମୁଁ ମହାଜନ, ବିନା ପରିଶ୍ରମରେ ମୁଁ ଅଜ୍ଞାନ ପାମର । ସେଇଥି ପାଇଁ ମୁଁ ଘୋଷଣା କରୁଛି ଯେ ମୁଁ ଜଣେ ଟାଉଟର ଓ ଜଣେ ରାଜନୈତିକ ନେତା । ପ୍ରଥମେ ମୁଁ ଜଣେ କର୍ମୀ ଥିଲି । ଟାଉଟରି କର୍ମ ମୋର ବେଉସା ଥିଲା । ଏବେ ମୁଁ ଜଣେ ନେତା, ଜନନାୟକ, ଲୋକଙ୍କର ବନ୍ଧୁ, ପର ଦୁଃଖରେ ମୋର ହୃଦୟ କାନ୍ଦେ, କାରଣ ମୋର ନୋଟ ଦରକାର, ଭୋଟ ଦରକାର । ତେଣୁ ମୁଁ ଜଣେ ରାଜନୈତିକ ନେତା । ଟାଉଟରରୁ ମୁଁ ନେତା ହୋଇଛି । ଅବଶ୍ୟ ମୁଁ ସ୍ୱୀକାର କରୁଛି ଯେ କେହି କେହି ନେତାଗିରିରୁ ଟାଉଟରି ଶିଖନ୍ତି । କିନ୍ତୁ ମୁଁ ଟାଉଟରିରୁ ନେତା ପଣିଆ ଶିଖିଛି ।

 

କାହାଘର ହାଣ୍ତିରେ କେତେବେଳେ ସୋରିଷ ଫୁଟେ ମୁଁ ସେ ଖବର ସଂଗ୍ରହ କରେ ଓ କେତେବେଳେ ଗୁପ୍ତଚରମାନଙ୍କ ଜରିଆରେ ମୁଁ ସେ ଖବର ସଂଗ୍ରହ କରେ । ଏଇ ଗୁପ୍ତଚରମାନଙ୍କଦ୍ୱାରା ଗୁପ୍ତରେ ସଂଗୃହୀତ ଗୁପ୍ତ ଖବରକୁ ମୁଁ ଗୁପ୍ତରେ ବ୍ୟବହାରର କରି ଜାଣେ । କିନ୍ତୁ ବାହାର ଲୋକ ଜାଣିବାକୁ ମୋର ହୃଦୟ ସର୍ବଦା ଖୋଲା, ପକେଟ ସବୁବେଳେ ଖାଲି (କାରଣ ମୁଁ କି ଜାଣେ ଟଙ୍କା ଫଙ୍କା...) ।

 

ମୁଁ କେତେବେଳେ କିମିତି ଅନ୍ୟକୁ ହଇରାଣ କରିପାରିଲେ ଆନନ୍ଦରେ ଆତ୍ମହରା ହୋଇପଡ଼େ । ଅନ୍ୟର ଦୁଃଖରେ କୁମ୍ଭୀର କାନ୍ଦଣା କାନ୍ଦିପାରିଲେ ହିଁ ମୁଁ ମୋର ଟାଉଟରି ବିଦ୍ୟାକୁ ବଜାୟ ରଖିପାରେ ଓ ସେଇ ମୂଳଧନ ହିଁ ମୋର ସମସ୍ତ ଉନ୍ନତିର ଚାବିକାଠି । ମୋର ଯଦି କେବେ ଅବନତି ଘଟେ, ତେବେ ସେହି ଟାଉଟରି ବିଦ୍ୟା ହିଁ ମୋର ପତନ ପାଇଁ, ଅଧଃପତନ ପାଇଁ ଦାୟୀ ।

 

କିନ୍ତୁ ମୁଁ ଏ ବ୍ୟବସାୟ ଛାଡ଼ି ପାରି ନାହିଁ; ପାରିବି ନାହିଁ, କାରଣ ‘‘ବୃତ୍ତି ଏ ଯେ ପୋଷେ କୁଟୁମ୍ୱ’’ । ଅବଶ୍ୟ ଏକଥା ମୁଁ ଜାଣେ ଯେ ମୋର ପତ୍ନୀ, କନ୍ୟା କେହି ମୋ କଥାରେ ରାଜି ନୁହଁନ୍ତି; ଓ ତାଙ୍କୁ ମୁଁ ରାଜି କରାଇ ପାରିବି ନାହିଁ । ମୁଁ ଦସ୍ୟୁ ରତ୍ନାକର ହେଲେ ହିଁ ସେମାନଙ୍କର ଆନନ୍ଦ । ମୁଁ ବାଲ୍ମିକୀ ସାଜିଲେ ସେମାନେ ବା କାହିଁକି ଖୁସି ହୁଅନ୍ତେ ।

 

ସେମାନଙ୍କୁ ସନ୍ତୁଷ୍ଟ କରିବାକୁ, ମୋ ନିଜ ମନକୁ ସନ୍ତୁଷ୍ଟ କରିବାକୁ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ, ଲକ୍ଷପତି ହେବାପାଇଁ, ବୋଲାଇବା ପାଇଁ ମୁଁ ଟାଉଟରି ବିଦ୍ୟା ଭଲପାଏ । ତେଣୁ ମୋ ବେଉସାକୁ ମୁଁ ଘୃଣାକରି ପାରିବି ନାହିଁ । ଆପଣମାନଙ୍କ ମଧ୍ୟରୁ କେହି ଡାକ୍ତର, କେହି ଇଞ୍ଜିନିୟର, କେହି କୃଷକ, କେହି ବା ପଇତା ନଥାଇ ବ୍ରାହଣ (ଅବଶ୍ୟ ଚିହ୍ନା ବ୍ରାହ୍ମଣର ପଇତା ଲୋଡ଼ା ହୁଏ ନାହିଁ) । ବା ଅଥବା କେହି ବ୍ରାହ୍ମଣ ନ ହୋଇ ମଧ୍ୟ ପଇତା ପକାଇବାକୁ ପସନ୍ଦ କରନ୍ତି-। ୟେ ହେଉଛି ଆମ ବେଉସା–ଭିନ୍ନ ଭିନ୍ନ ପ୍ରକାର ବୃତ୍ତି । ସ୍ୱାର୍ଥ ପାଇଁ ଏ ବୃତ୍ତି, ସ୍ୱାର୍ଥ ନିମିତ୍ତ ଏଇ ବୃତ୍ତି ସ୍ୱାର୍ଥ ଦ୍ୱାରାହିଁ ଏଇବୃତ୍ତି ସଂଘଟିତ ପୁଣି ସଙ୍ଗଠିତ, ଏଇ ସ୍ୱାର୍ଥ, ସ୍ୱ ଅର୍ଥ ଆମ ବେଉସାର ନିୟାମକ । ତେଣୁ ମୁଁ ବିଶ୍ୱାସ କରୁଛି ଯେ ଆପଣମାନେ ମୋତେ ଟାଉଟର ବୋଲି ଏଣିକି ଆଉ ଘୃଣା କରିବେ ନାହିଁ । ଏଇଟା ମୋର ବୃତ୍ତି, ବେଉସା । ଯେପରି ଆପଣ ବ୍ରାହ୍ମଣ ବା କରଣ କୁଳ ତିଳକ ଓ ସେଇଟା ଆପଣଙ୍କର ପରିଚୟ ପତ୍ର । ସେଇପରି ଭାବରେ ବିଚାର କଲେ ମୁଁ ଜଣେ ଟାଉଟର । ଏହା ମୋର ବେଉସା । ବିନା ମୂଳଧନରେ ଏ ବେଉସା ଭଲ ଚଳିପାରେ ବୋଲି, ମୁଁ ଏ ବେଉସାକୁ ପସନ୍ଦ କରେ ଓ ସେଇଥି ପାଇଁ ମୁଁ ବେଉସା ଆରମ୍ଭ କରିଛି, ଖୁବ୍‌ ଭଲ ଚାଲିଛି, ଓ ଭଲ ଚାଲିଛି ବୋଲି ବିଶ୍ୱାସ ବି ଅଛି । ଯଦିବା କେବେ ଫେଲ୍‌ ମାରିଯାଏ ତେବେ ମୂଳଧନ ବୁଡ଼ିଯିବାର ଆଶଙ୍କା ନାହିଁ । ଏ ମୋ ବିଚାରରେ ଗୁପ୍ତରେ ଏକ ଭଲ ବ୍ୟବସାୟ । ତେଣୁ ଏ ବେଉସାକୁ ମୁଁ ଚାଲୁରଖିବି ଓ ଜଣେ ଟାଉଟର ରହିବାକୁ ପସନ୍ଦ କରେ, କରୁଛି ଓ କରିବି ।

 

ମୁଁ ଗଣତନ୍ତ୍ରରେ ବିଶ୍ୱାସ କରେ, ସମାଜବାଦରେ ବିଶ୍ୱାସ କରେ ଓ ଧର୍ମ ନିରପେକ୍ଷତାରେ ବିଶ୍ୱାସ କରେ । ତେଣୁ ଜନତାର ଦରବାରରେ ଲୋକ କଂଗ୍ରେସର ଢିଙ୍କିଶାଳରେ, ଗଣତନ୍ତ୍ରପାଇଁ ମିଳନୀର ଢେଙ୍କାନାଳୀ ଇଲାକାରେ ଓ କଂଗ୍ରେସର ମହାସ୍ରୋତରେ, ଭାରତୀୟ ଜନ ଦଳରେ, ସାମ୍ୟବାଦୀ ରଙ୍ଗମଞ୍ଚରେ ଅଭିନୟ କରି କରି ଚାଲିଛି । କାରଣ ଜନତା ଜନାର୍ଦ୍ଦନଙ୍କ ଆଉ ମୋର ଏଇ ‘‘ଅନ୍ତର କାନ୍ଦିବା’’ ଏକ ବେଉସା । କାରଣ ମୁଁ ଜଣେ ଟାଉଟର । ହଁ । ମୁଁ ଜଣେ ଟାଉଟର । ଟାଉଟର ଥିଲି, ଅଛି ଓ ରହିବି । କାରଣ ଏ ବେଉସାକୁ ମୁଁ ଖୁବ୍‌ ଭଲପାଏ ।

 

ଆପଣମାନେ ମତେ ଯେତେ ଘୃଣା କଲେ ବି ମୁଁ ମୋର ବେଉସା ଛାଡ଼ିବି କିମିତି ? ତେଣୁ ମୁଁ ଏବେ ନାଗରା ବଜେଇ ଜଣେଇ ଦଉଛି ଯେ ମୁଁ ଜଣେ ଟାଉଟର ଓ ଜାଣେ ପୋଖତ ଟାଉଟର । ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ ଏହା ମୋର ବିଜ୍ଞପ୍ତି, ମୋର ପରିଚୟ ପତ୍ର ଓ ମୋର ବେଉସା । ଏବେ ମୁଁ ତ୍ରିବାର ସତ୍ୟ କରି କହୁଛି ମୁଁ ଜଣେ ଟାଉଟର, ମୁଁ ଜଣେ ଟାଉଟର; ମୁଁ ଜଣେ ଟାଉଟର । ସ୍ୱାର୍ଥ ପାଇଁ ହିଁ ମୁଁ ଟାଉଟର ସାଜିଛି, କାରଣ ସ୍ୱାର୍ଥ, ସ୍ୱ+ଅର୍ଥ ହିଁ ଆଦିମ ସତ୍ୟ । ମୁଁ ଜଣେ ଟାଉଟର ଓ ମୋର ନାମ ଶ୍ରୀଯୁକ୍ତ ରାମଚନ୍ଦ୍ର ମଙ୍ଗରାଜ ଓ ମୋର ଅଧର୍ମ ପତ୍ନୀଙ୍କ ନାମ ଶ୍ରୀଯୁକ୍ତା ଚମ୍ପା ଦେବୀ ।

 

(ପ୍ରଗତିବାଦୀ, ୧୯୭୭)

Image

 

ମୁଁ ପାଠ ପଢ଼ି ହେଲି ନାଶ

 

‘‘ନିଶ ଉଠା ପାଠ, ପାଠ ନୁହେଁ’’–ପୁରୁଷ ଅଧ୍ୟୁଷିତ ସମାଜରେ ଏକଥା କେହି କେହି କହିଥିବା ଶୁଣିଛି । ବୋଧହୁଏ ଲୋକୋକ୍ତିଟିଏ । ଲୋକଙ୍କର ଉକ୍ତି ବଡ଼ଲୋକଙ୍କର ନୁହେଁ । ଅତି ସାଧାରଣ ବଚନିକାଟିଏ । ଏ ‘ପ୍ରବଚନ’ କି ନୁହେଁ କହି ପାରିବିନି । ବଡ଼ ବଡ଼ ଯେଉଁଠି ବେସର ବାଟି ଗଲେଣି, ଏ ଗାଉଁଲି ନିପଟ ‘ମଫ’ ଲୋକଟିଏ ‘ପ୍ରବଚନ’ ଗାଇବ ? ଧଣ୍ତା ପାଇବା, ହାତରେ ଡେଉଁରିଆ ବାନ୍ଧିବା, କୋଉ ନାକରେ ନିଶ୍ୱାସ ଯାଉଛି ଦେଖି ସେଇ ପାଦଟି ଆଗକୁ ପକେଇବା, ଗୁରୁବାରରେ ଆମୀଷ ଭକ୍ଷଣ ନିଷେଧ ମାନିବା, କିଛି ନୂଆ କରିବାକୁ ନ ଥିଲେ ‘‘ସ୍ତ୍ରୀକୁ ଧରି ବାଡ଼େଇବା’’ ଏଗୁଡ଼ିକ ସେମିତି ଗୁଡ଼ିଏ ଲୋକୋକ୍ତି–ଲୋକ ବିଶ୍ୱାସର ନମୁନା । ଏହି ଉକ୍ତି ଗୁଡ଼ିକର ସାରବତ୍ତା ଅଛି କି ନାହିଁ, ସେ ବିଷୟରେ ‘‘ବୁଦ୍ଧିଜୀବୀ’’ମାନେ ତୁମୂଳ ତୋଫାନ ସୃଷ୍ଟି କରିବେ । ‘ବୁଦ୍ଧିଜୀବୀ’ କିଏ ? ଯେଉଁମାନେ ନିଶ ଉଠା ପାଠ ପଢ଼ି ଗୁଡ଼ାଏ ପୁସ୍ତକର ଭାବରାଶିକୁ ଗଳାଦ୍ଧକରଣ କରିଛନ୍ତି ଓ ତାକୁ ଶୁକବତ୍‌ ଘୋଷି ଚାଲିଛନ୍ତି, ସେଇମାନେ କ’ଣ ବୁଦ୍ଧିଜୀବୀ ?

 

ବୁଦ୍ଧିକୁ ଜୀବିକା ରୂପେ ଗ୍ରହଣ କରିଥିବା ଲୋକଙ୍କ ସଂଖ୍ୟା କେତେ ? ବାକି ଯେଉଁମାନେ ଏହାକୁ ଜୀବିକାରୂପେ ଗ୍ରହଣ କରିନାହାନ୍ତି (ଯଦି ଏହା ସତ୍ୟ ହୋଇଥାଏ ?) ସେମାନଙ୍କ ସଂଖ୍ୟା କେତେ ? ଆଉ ‘ବୁଦ୍ଧିଦାନ’ କରେ କିଏ ? ତେବେ କ’ଣ ଏଇ ଅଗଣିତ ଲୋକେ ନିହାତି ନିର୍ବୁଦ୍ଧିଆ, ଗୁଡ଼ିଏ ମୂର୍ଖ ଆଉ ଏମାନେ କ’ଣ ସତରେ ଅଶିକ୍ଷିତ । ଏମାନେ ହୁଏତ ଲିପି ଚିହ୍ନି ନାହାନ୍ତି, ଦିପୁଡ଼ା ଲେଖି ପାରନ୍ତି ନାହିଁ, କିମ୍ୱା ପଢ଼ି ପାରନ୍ତି ନାହିଁ । ଏହାର ଅର୍ଥ କେଉଁଠୁ ବାହାରିଲା ଯେ ସେମାନେ ଅଶିକ୍ଷିତ ଓ ବାକିତକ ସୁଶିକ୍ଷିତ । ଯଦି ଏଭଳି ଏକ ସଂଜ୍ଞାକୁ ଆପଣ ଗ୍ରହଣ କରି ଆସିଛନ୍ତି, ତେବେ ଆପଣମାନେ ଇତିହାସକୁ କେବଳ ଉପେକ୍ଷା କରି ନାହାନ୍ତି, ଇତିହାସ ଉପରେ ପଦାଘାତ କରିବାକୁ ବାରମ୍ୱାର ଚେଷ୍ଟା କରି ଆସିଛନ୍ତି । ଆଜି ଯେତେବେଳେ ଆମେ ସମସ୍ତେ ଇତିହାସର ଉପାନ୍ତରେ ପହଞ୍ଚିଛେ, ସେତେବେଳେ ଗାଁ ମଜଲିସ୍‌ର ବୁଦ୍ଧି, ଶିକ୍ଷା, ଅଭିଜ୍ଞତାକୁ ନଦାରଦ୍‌ କରିବାର କି ଅଧିକାର ଆମର ରହିଛି ? ସେଇ ଆମର ମୂଳଦୁଆ, ବୁନିୟାଦୀ ଓ ଇତିହାସ ।

 

ତେଣୁ ନିଶ ଉଠା ପାଠ ପାଠ ନୁହେଁ–ଏକ ଖାଣ୍ଟି କଥା–କାରଣ ଏ ପାଠ ବହିପାଠ, ଅନ୍ୟର କଥା, ଶୁକ୍‌ବତ ଘୋଷା ପାଠ । ଏ ଦିହଲଗା ପାଠ ନୁହେଁ, ଅଭିଜ୍ଞତାର ପାଠ ନୁହେଁ । ଇଂରେଜୀରେ ଆମେ ଯାହାକୁ ବେସିକ୍‌ ଏଜୁକେସନ ବା work Education କହୁ, ସେ ଏ ପାଠ ନୁହେଁ । ପ୍ରକୃତ ପକ୍ଷେ ‘ନିଶ’ ଉଠିବା ପୂର୍ବରୁ ଯେଉଁ ପାଠ ଆମେ ସମସ୍ତେ ପଢ଼ିଛୁ ମା’ ପାଖରୁ ବାପ ପାଖରୁ, ସାଇ ପଡ଼ିଶାରୁ ଦାଦି ବୁଢ଼ା ପାଖରୁ କି ଭାଉଜ, ପିଇସା, ମଉସାଙ୍କ ପାଖରୁ ସେ ପାଠ ଆମ ଜୀବନକୁ ଯେମିତି ନିୟନ୍ତ୍ରିତ କରେ, ଷୋହଳ ବର୍ଷ ଟପିଲେ ସେଇ ପାଠ ହିଁ ଆମକୁ ପିତା ପୁତ୍ରର ସମ୍ପର୍କକୁ ‘‘ମିତ୍ର’’ର ସମ୍ପର୍କ କିମ୍ୱା ଅନ୍ୟ କୌଣସି ସମ୍ପର୍କରେ ପର୍ଯ୍ୟବସିତ କରେ । ନିଶ ଉଠିବା ପରେ ଯେଉଁ ପାଠ ସେ ଗୁଡ଼ାକ ‘ଶାଠ’ । ବେଉସା ଚଳେଇବା ବିଦ୍ୟା ।

 

ଏଠି ଜଣେ ଶିକ୍ଷକଙ୍କ କଥା କହୁଛି । ସେ ଶିକ୍ଷକ ଜଣକ ‘ପଣ୍ତିତ’ ବ୍ୟକ୍ତି । ପଣ୍ତିତ ହୁଅନ୍ତୁ ନ ହୁଅନ୍ତୁ, ବିଶ୍ୱବିଦ୍ୟାଳୟ ତାଙ୍କୁ ଗୁଡ଼ିଏ ଡିଗ୍ରୀ ଦେଇଛି । ତେଣୁ ସେଇ ମୟୂର ଚନ୍ଦ୍ରିକାଗୁଡ଼ିକ ମୁଣ୍ତରେ ଖୋସି ସେ ସଭା ସମିତିକୁ ଯାଆନ୍ତି, ସାଇ ପଡ଼ିଶାରେ ବୁଲନ୍ତି, ଏମିତିକି କ୍ଲାସକୁ ମଧ୍ୟ ଯାଆନ୍ତି । ଛାତ୍ରମାନେ ତାଙ୍କୁ କାହିଁକି ପଢ଼ାଉ ନାହାନ୍ତି କହିଲେ; ସେ ଉତ୍ତର ଦେଇଥାନ୍ତି ଯେ ସରକାର ମତେ ପଢ଼ାଇବାକୁ ତ ଦରମା ଦିଅନ୍ତି ନାହିଁ ମୁଁ ‘ପଢ଼ିଛି’ ବୋଲି । ୟେ ସେଇ ନିଶ ଉଠା ପାଠର ବିଦ୍‌ବତ୍ତା । ଏଠି ବେଉସା ଚଳେଇବାକୁ ମଧ୍ୟ ସେ ପ୍ରସ୍ତୁତ ନୁହନ୍ତି । ତେଣୁ ଅନୁଶାସନ କେଉଁଠୁ ଆମ୍ଭେ କରିବେ ? ଆତ୍ମଶାସନ ସମୀକ୍ଷା କେଉଁଠୁ ଆରମ୍ଭ କରିବେ ? ୟେ ତ ଗୋଟାଯାକ କମ୍ୱଳ । ଏଇ କମ୍ୱଳଟି ଘୋଡ଼ି ହୋଇ ଶୋଇ ପଡ଼ିବା ଭଲ । ଏଥିରୁ କେତେ ବାଛିବ ? ବାଛୁବାଛୁତ ସବୁ ନିଶଯାକ ଉପୁଡ଼ିଯିବ । ଧୋଉ ଧୋଉ ସବୁ ସାଫ୍‌ ।

 

ବିନୋବାଜୀ ଏ ଅନୁଶାସନ କଥା କହିବା ପୂର୍ବରୁ ପ୍ରଥମେ ତାଙ୍କ ଡିଗ୍ରୀ କାଗଜଗୁଡ଼ାକ ପୋଡ଼ି ଦେଇଥିଲେ । ସେଇ ଡିଗ୍ରୀ ପଢ଼ାର ସାରକଥା ଗୁଡ଼ାକୁ ନିଜ work Experience ବା କର୍ମଯୋଗ ସହିତ ମିଳେଇ ଏବେ ଯେଉଁ ‘ପ୍ରବଚନ’ ଦେଇ ଚାଲିଛନ୍ତି, ତାକୁତ ପୁଣି ଆମେ ଘୋଷ ବିଦ୍ୟାରେ ପରିଣତ କରିବା ଆରମ୍ଭ କରି ଦେଲୁଣି ।

 

ଆମେ ପାଠ ପଢ଼ିବୁ କାହିଁକି ? ରାଜନୀତି ବିଜ୍ଞାନ ପଢ଼ନ୍ତୁ ସଂସ୍କୃତ ପଢ଼ନ୍ତୁ ବା ଅର୍ଥନୀତି ପଢ଼ନ୍ତୁ, ଏସବୁ ପଢ଼ି ସାରିଲେ ବି ଯଦି ଆମେ ଆମଘର କଳି ଭାଙ୍ଗି ପାରୁନୁ ଆମ ଜୀବନରେ ‘‘ସଂସ୍କୃତ-ସଂସ୍କୃତି’’ ଓ ‘‘ଅପାଠୁଆ (?) ସଂସ୍କୃତି’’ ଭିତରେ ଭାରସାମ୍ୟ ଆଣି ପାରୁ ନାହେଁ, କାକ ହୋଇ ମୟୂର ସାଜିବାର ଯୋଜନା କରି ଚାଲିଛୁ; ଆମଘର; ଆମ ଗାଁ, ଆମ ପ୍ରଦେଶ, ଆମ ବିଶ୍ୱ, ଆମ ପଡ଼ୋଶୀଙ୍କ ନୀତି, ଅନୀତି, ଅର୍ଥନୀତି, ଦୁର୍ନୀତି, ସମାଜ ନୀତି ବିଶ୍ଳେଷଣ କରିବା ପାଇଁ, ଅନୁଧ୍ୟାନ କରିବା ପାଇଁ ମନ ବଳେଇ ପାରୁ ନାହୁଁ ତେବେ ତ ଆମ ‘ନିଶ ଉଠା ପାଠ ପାଠ ନୁହେଁ’–ଅପାଠ, ଯେମିତି ଦବିଦ୍ୟା ।

 

‘ଯେମିତି ଚୂନାକୁ ସେତିକି ପିଠା’ । ଏଇ ପିଠା ଖାଇବାକୁ ଆମର ଲୋଭ ରହିଛି । ଏ ଲୋଭ ସ୍ୱାଭାବିକ । କିନ୍ତୁ ତାକୁ ହଜମ କରିବା ପାଇଁ ଯେଉଁ ଶକ୍ତି ଦରକାର ସେ ଶକ୍ତିକୁ ବଢ଼େଇବାକୁ ପଡ଼ିବ, ନିୟନ୍ତ୍ରିତ କରିବାକୁ ପଡ଼ିବ । ଅନୁଶାସିତ କରିବାକୁ ପଡ଼ିବ । ଏଇଟା କରିବା ଉଚିତ, ସେଇଟା କରିବା ଉଚିତ–ଏ ଉକ୍ତି ଆଉ କେତେ ଦିନ ଗଡ଼ି ଚାଲିବ ?

 

ଉଚିତ; କରଣୀୟ, ଅବଶ୍ୟ କର୍ତ୍ତବ୍ୟ ଇତ୍ୟାଦି ତତ୍ତ୍ୱ, ଦର୍ଶନ ଓ ତତ୍ତ୍ୱ-ଦର୍ଶନ । ଏହା ତଥ୍ୟ ନୁହେଁ । ତଥ୍ୟଟି ହେଉଛି ଯେତିକି ଚୂନାକୁ ସେତିକି ପିଠା । ଚୂନାର ପରିମାଣ, ଜୀବନୀ ଶକ୍ତି, ଆମ ଅର୍ଥନୀତିର ମୂଳ ଉପାଦାନ, ତଥ୍ୟ ଓ ବାଡ଼ି ବାଇଗଣ ।

 

ପର ଲୁଗା ପିନ୍ଧି ଯାତକୁ ଯିବାରେ ଆନନ୍ଦ ରହିଛି । ଆମ ଭିତରେ ଥିବା ‘ଅହଂବାଦ’କୁ ପ୍ରକାଶ କରିବାରେ ଆନନ୍ଦ ରହିଛି । କିମ୍ୱା ମନୋଜ ଦାସଙ୍କ ଭାଷାରେ ‘ଜୀବନ ସମୁଦ୍ର ତୀରେ’ ଜୀବନ ଓ ମୃତ୍ୟୁର ସ୍ଥୂଳ ପରିଚୟ ଖୋଜିବାରେ ଆମେ ଏବେ ବି ମନ ବଳେଇ ପାରି ନାହୁଁ, ତେଣୁ ସୂକ୍ଷ୍ମ ଦର୍ଶନ ଆମକୁ ଆନନ୍ଦ ଦେଉଛି । ଏ ‘ଆନନ୍ଦ’କୁ ପ୍ରତ୍ୟାଖ୍ୟାନ କରିବା କଷ୍ଟକର । କାରଣ ଏହା ବି ସେଇ ପରିସଂଖ୍ୟାନଗତ ତଥ୍ୟ । ଏ ତଥ୍ୟକୁ ‘ଅ-ପାଠୁଆ’ଙ୍କ ତଥ୍ୟ ସହିତ ମିଳେଇ ପଢ଼ିବାକୁ ‘ଯୋଗ’ର ଆବଶ୍ୟକତା ରହିଛି–

 

ଏ ଯୋଗର ଅପର ନାମ ସମନ୍ୱୟ–ମିଳନ, ମେଳଣ । ଭାଗବତ ବାଣୀ ଯାହାକୁ କହିଛି ‘ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼ଇ ଭଲେ ।’

 

ଅହଂବାଦ ବା ଅହଙ୍କାରକୁ ଛାଡ଼ିବା କଷ୍ଟକର । କାରଣ ଏହା ମଣିଷ ପ୍ରକୃତି । ମୋ ଛୋଟି ଝିଅ ଖୁସିର ୩।୪ ବର୍ଷିଆ ଅହଂ, ତା’ର କଣ୍ଢେଇ ତା’ର ବହି, ତା’ର ଜାମା ଯୋତା–ପୁଣି ମୋର ଅହଂ, ୪୪ ବର୍ଷିଆ ଅହଂ, ପ୍ରଜ୍ଞାର, ବୁଦ୍ଧିର, ବହି ପାଠର, ଜ୍ଞାନ ଗାରିମାର; ଦେଶ ଦର୍ଶନର, ଗାଉଁଲିମନର, ମାଲଭାଇ ଖୋଜାର, ଏସବୁ ବି ଅହଂ । ଶରଣାପନ୍ନ ବ୍ୟକ୍ତିର, ‘ଦାସ’ର ଅହଂ ଓ ଶରଣହୀନ ବ୍ୟକ୍ତିର, ‘ମୁକ୍ତ’ ମଣିଷର ଅହଂ–ଏ ଭିତରେ ମାତ୍ରାର ଫରକ୍‌ ରହିଛି ।

 

ଏଇ ବିଭିନ୍ନତାକୁ ଏକାଠି କରି ସାଧାରଣ ଗୁଣିତକ ବାହାର କରି ପାରିଲେ ସିନା ନିୟନ୍ତ୍ରଣ କରିବା ଶିଖି ହବ । ନିୟନ୍ତ୍ରଣ ହେଉ ନ ହେଉ, ଅନ୍ତତଃ ଚେଷ୍ଟା ତ ହବ । ସେଇ ଚେଷ୍ଟାକୁ ଆମ ବାଡ଼ିରେ ଫଳ ଫଳେଇବା କଥା । ପ୍ରୟୋଗାତ୍ମକ ବିଦ୍ୟା ଇଂରେଜୀରେ ଯାହାକୁ କହନ୍ତି Applied Knowledge–ବାକି ଗୁଡ଼ାକ theory, thesis, Basic Knowledge ବା ପୋଥି ବାଇଗଣ ।

 

ତେବେ ନିଶଉଠା ପାଠ ପାଠ ନୁହେଁ–ଏହା ଯଦି ସେଇଭଳି ପରିସଂଖ୍ୟାନ ଗତ ତଥ୍ୟ, ତେବେ ନିଶ ନ ଉଠିବା ପୂର୍ବରୁ ଯେଉଁ ପାଠ ଆମେ ପଢ଼ିଥାଇଁ, ସେଇତକର ନିୟନ୍ତ୍ରଣ ପହିଲୁ ଦରକାର–ସଙ୍ଗଠିତ ଭାବରେ, ସାମାଜିକ ଦୃଷ୍ଟି କୋଣରୁ ତାହାର ଉପାଦେୟତା କଥା ଚିନ୍ତା କରି । ସ୍ୱପ୍ନ ବିନା ଯୋଜନା ଅସମ୍ଭବ, ଯୋଜନା ବିନା ସ୍ୱପ୍ନକୁ ସତ୍ୟରେ ପରିଣତ କରିବା ସମ୍ଭବ ନୁହେଁ । ଖାଲି ସ୍ୱପ୍ନ ଦେଖିବା ନିଶ ଉଠା ପାଠ । ଖାଲି ଯୋଜନା କରିବା ହିସାବ ସମୀକ୍ଷା, ଖାତା ଫଡ଼ା । ସ୍ୱପ୍ନକୁ, ଖାତା ଫଡ଼ାକୁ ଓ ଶ୍ରୀ ଗଣେଶାୟ ନମଃକୁ ଏକାଠି ଫେଣ୍ଟିଫାଣ୍ଟି ଚିତ୍ର ଆଙ୍କି ବସିଲେ, ‘ସତକହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’–ଏ ସୂକ୍ଷ୍ମ ଦର୍ଶନ ଓ ‘ଟାଇଲି ଛପର ଘର, ନିଆଁକୁ ନଥିବ ଡର’–ସ୍ଥୂଳ ପରିଚୟ ସମ୍ଭବ ହେବ । କିନ୍ତୁ ଏବେ କଥା ହଉଚି ସତ ତ ନିଆଁକୁ ଯଦି ନ ଡରିବ, ତେବେ ସତକୁ ଡରିବ କିଆଁ ? ନିଆଁ ପାଖରେ ସବୁ ତରଳେ; ପୋଡ଼ି ଭସ୍ମ ହୋଇଯାଏ । ଆଉ ସତ ? ପୁଣି ଅପ୍ରିୟ ସତ ?

 

ତେବେ ଟାଇଲ ଛପର ଘର ହବ କି, କରୋଗେଟେଡ଼ ସିଟ୍‌ ଘର ହବ, କି ଆର, ସି, ବା ଆର, ବି ହବ, ସେତ ଚୂନା ଉପରେ ନିର୍ଭର କରୁଛି–ଯେତିକି ଚୂନାକୁ ସେତିକି ପିଠା । ‘ଚୂନା’ ଧାର ଆଣିଲେ ଚଳିବ । କିନ୍ତୁ ଧାର କରା ତିଅଣ ତ ସୋଡ଼କାଏ । କେତେ ଦିନ ଧାର କରିବ, ପୁଣି କେତେ ଧାର କରିବ ? ପୁଣି ସେ ଧାରକୁ ଶୁଝିବ କି ନାହିଁ । ଯଦି ନ ଶୁଝିବ ତ ‘ଧାର’ ନ କରି ତମେ ‘ଭିକ’ ମାଗୁଛ । ଭିକମାଗି କେହି କେବେ ଯୋଜନା କରେ ନାହିଁ, ଜାତି ଗଠନ କରେ ନାହିଁ । ଯଦି ‘ଋଣଂକୃତ୍ୱା ଘୃତଂ ପୀବେତ୍‌’ ଆମର ଆଦର୍ଶ ବୋଲି ବିଚାର କରାଯାଏ, ତେବେ ସେଥିରେ ଦ୍ୱିମତ ହେବାର ନାହିଁ । କିନ୍ତୁ ଏଇ ଘୃତ ପିଇବା ପାଇଁ ଏତେ କାମନା କାହିଁକି ? ଅନ୍ୟ ଯଦି କିଏ ପିଉଛନ୍ତି, ତେବେ ସେ କମେଇଛନ୍ତି; ଖରଚା କରୁଛନ୍ତି; ବଦ୍‌ ଖରଚ ବି କରୁଛନ୍ତି । ଆମେ କମେଇଲେ ସିନା ଖରଚା କରିବା । ତେଣୁ କମେଇବାକୁ ଯୋଉ ପାଠ, ସେ ନିଶ ନ ଉଠା ପାଠ । ନିଶ ଉଠିଲା ପରେ ଖରଚା କରିବା କଥା ଆଉ କମେଇବା କଥା ନୁହଁ, ଗମେଇବା କଥା ।

 

ଏବେ ଜଣେ ସ୍କୁଲ ଶିକ୍ଷକଙ୍କ କଥା ମନେ ପଡ଼ୁଛି । ତାଙ୍କ ଶାସନ ଶୃଙ୍ଖଳା ବିସ୍ତାରର ନମୁନାଟିଏ ଦଉଛି । ଏଇ ନମୁନା ବା ପ୍ରତୀକରୁ ତ ମହାଭାରତ ସୃଷ୍ଟ ହୁଏ–ଯେମିତି ଝିମିଟି ଖେଳରୁ ବି ହୋଇଥିଲା ଓ ଯେମିତି ଦ୍ରୌପଦୀଙ୍କୁ ବି ପଣ ରଖାଯାଇ ପାରିଥିଲା ପଶା ଖେଳରେ । ଆଉ ସେଇ ଦ୍ରୌପଦୀ ତ ପଞ୍ଚସତୀଙ୍କ ଭିତରୁ ଅନ୍ୟତମା ।

 

ପିଲାବେଳ କଥା । ନୂଆ ନୂଆ ‘ବାବୁଗିରି’ କରିବା ଆରମ୍ଭ ହୋଇଥାଏ । ବାବୁଗିରିର ପହିଲୁ କେତୋଟି ଲକ୍ଷଣ ହେଲା, ଗୋଡ଼ ଫରକଟା କରି ଶିଖିବା, ଧୂମ୍ରପାନ ଶିଖିବା, ଭଲ ଜାମାଯୋଡ଼ ହୋଇ ଶିଖିବା । ଏମିତି ଦିନେ ଆମ ପିଲାବେଳେ ଆମେ ଖଣ୍ତିଏ ସିଗାରେଟ୍‌ ଧରି ଜୋର ସେ–‘ପିନ୍‌ ପିନ୍‌ ଜୋରରେ’ ସାଇକେଲ ଛାଡ଼ି ଦେଇଥିଲୁ କାଠଯୋଡ଼ି କୂଳରେ । ସାମନାରେ ଆଖିପଡ଼ିଲା ଗୋଟାଏ ହାତଟଣା ରିକ୍‍ସା । ତା’ ଉପରେ ଉପବିଷ୍ଟ ଆମର ଶିକ୍ଷକ ରେଭେନ୍‍ସା କଲିଜିଏଟ ସ୍କୁଲର ତତ୍‌କାଳୀନ ଉପ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପତି । ଚଷମା ଫାଙ୍କରେ ସେ ଆମକୁ ଚାହିଁଦେଇ ମୁହଁ ବୁଲେଇ ନେଲେ । ଆମେ କୋକୁଆ ଭୟରେ ସିଗାରେଟ୍‌ ଖଣ୍ତକ ସାଇକଲ ହାଣ୍ତଲରେ ପୂରେଇ ଦଉ ଦଉ ମୁହଁରୁ ବାହାରି ପଡ଼ିଲା ଧୂଆଁ ।

 

ନିଆଁ ନଥିଲେ କ’ଣ ଧୂଆଁ ବାହାରେ ? ପରଦିନ କ୍ଲାସରେ ପ୍ରଶ୍ନ ହେଲା–‘ବାବୁମାନେ କିଏ ଆଜିକାଲି ଧୂଆଁ ଖାଇବା ଆରମ୍ଭ କଲଣି, ଟିକେ ଠିଆହୋଇ ପଡ଼ିଲ ?’ ନିଆଁକୁ ଡର, ସତକୁ ଡର । ସାହସ କୁଳେଇଲା ନାହିଁ–କଲିଜା କଞ୍ଚାପାଣି ।

 

ପରଦିନ ଡାକରା ପଡ଼ିଲା ଘରକୁ । ଯାଇ ପହଞ୍ଚିଲୁ । ଅତି ଗମ୍ଭୀର ଭାବରେ ନିର୍ଦ୍ଦେଶ ମିଳିଲା–‘ବସନ୍ତୁ’ । ହଠାତ୍‌ ଏ ‘ବସ୍‌’ରୁ ‘ବସନ୍ତୁ କାହିଁକି’ ? ପାନ ମଗା ହେଲା, ପୁଅ ଆଣି ପାନ ଧରି ପହଞ୍ଚିଲା । ତାକୁ ଆଦେଶ ଦିଆଗଲା–‘ବାବୁଙ୍କୁ ଦିଅ’ । ହଁ ବାବୁ । ଆଉ କେତେଦିନ ଗଲେ ରାଣୀହାଟ ପୋଲ ଡେଇଁବ, ପାନ ଖଣ୍ତିଏ ଖାଆ ଓ ସେଥିରୁ ପାନ କରିବା ଆଡ଼କୁ ଗତି କରିବା ଶିଖିବ, ଧୂମ୍ରପାନ ତ ମାମୁଲି କଥା ।’

 

ଏ ନିଶ ନ ଉଠିବା ବେଳର ପାଠ । ଏ ପାଠ କିଛିଟା ଅନୁସରଣ କରା ସମ୍ଭବ ହୋଇଛି–କିଛିଟା ହୋଇନି । କିନ୍ତୁ ଅନୁଶାସନର ଏଇ ନମୁନାଟି ମନରୁ ଉଭେଇ ହୋଇନାହିଁ, ପୋଛି ହେଇ ହୋଇନାହିଁ । ଅଯଥା ସ୍ୱପ୍ନ ଦେଖିଲେ, କାମନାର ଅଭିବୃଦ୍ଧି ଘଟିଲେ, ଏଇ ‘ନିଶ ନ ଉଠା ପାଠ’ ବେଳେ ବେଳେ, ବହୁ ସମୟରେ କାମ ଦେଖଉଛି, ଦେଖେଇଛି, ନିଜକୁ ନିୟନ୍ତ୍ରିତ କରୁଛି ।

 

ତା’ପରେ କେତେ ପାଠ ପଢ଼ା ହେଲାଣି ଶାଠ ଶିଖା ହେଲାଣି । ତରିକା ଜଣାଗଲାଣି, କିନ୍ତୁ ଏସବୁ ତ ନିଶ ଉଠା ପାଠ । ସେ ପାଠ ବେଉସା ଚଳେଇବା ପାଇଁ ବେଳେ ବେଳେ ଦରକାର ହଉଛି । ଲଢ଼େଇରେ କଦବା କିମିତି ଦରକାର ହଉଛି । କିନ୍ତୁ ତାକୁ ବାଡ଼ି ବାଇଗଣ କରି ହଉନାହିଁ, ସେ Applied Knowledgeରେ ପ୍ରୟୋଗାତ୍ମକ ବିଦ୍ୟାରେ ରୂପାନ୍ତରିତ ହୋଇ ପାରୁନାହିଁ । କାରଣ ସେ କାଳ ସହିତ ତାଳ ଦେଇ ପାରୁନାହିଁ । କିମ୍ୱା ହୁଏତ ନିଜ କାମନାର ଚୌହଦୀ, ସୀମା ସରହଦ ପ୍ରଚଳିତ ତଥ୍ୟର ସୀମା ସରହଦକୁ ଟପି ଯାଉଛି । ସ୍ୱପ୍ନ ବଳି ପଡ଼ୁଛି ସତ୍ୟ ଠାରୁ–ତଥ୍ୟ ଠାରୁ, ବାସ୍ତବ ଠାରୁ ।

 

ତେବେ ସ୍ୱପ୍ନକୁ ଛାଡ଼ିବେ ବା ସତ୍ୟକୁ ନା ତଥ୍ୟକୁ ଛାଡ଼ିବେ । ନା ସ୍ୱପ୍ନକୁ ଓ ତଥ୍ୟକୁ ମିଳେଉ ପଢ଼ି ନୂଆ ସ୍ୱପ୍ନ ଓ ନୂଆ ତଥ୍ୟ ତିଆରି କରିବେ । ୟେ ପୁଣି, କେଉଁ ମାର୍ଗରେ ହେବ ? ସେ ମାର୍ଗ ମୋର ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପତିଙ୍କର ମାର୍ଗ ନା ବିନୋବାଙ୍କ ମାର୍ଗ ନା ନିଜ ମାର୍ଗ ।

 

ଲକ୍ଷ୍ୟ କ’ଣ ଓ ପନ୍ଥା କ’ଣ ? ଲକ୍ଷ୍ୟକୁ ପନ୍ଥା କରିବ ନା ପନ୍ଥାକୁ ଲକ୍ଷ୍ୟ କରିବ ପୁଣି ନୂଆ ଲକ୍ଷ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ । ୟେ କ’ଣ କ୍ଷମତା ଜରିଆରେ ସମ୍ଭବ ? କ୍ଷମତା ତ Power ନୁହେଁ । Power ଏକ ଯାନ୍ତ୍ରିକତାରୁ (Machination)ରୁ ଜାତ । ନିଶ ଉଠା ପାଠ–ଚାକିରି ଭିତ୍ତିକ ଶିକ୍ଷା । ଅହଂବାଦର ଅପର ନାମ । ‘କ୍ଷମତା’ କ୍ଷମାରୁ ସମ୍ଭୁତ । ବାଳ କାଳ ଶିକ୍ଷା । ‘ଯାହା ନ ହୋଇଛି ବାଳକାଳେ ତାହା କି ହୋଇବ ପାଚିଲା ବାଳେ ।’

 

ଏବେ ବାଳ ପାଚି ଆସିଲାଣି । ତେଣୁ ମନେହଉଛି–ମୁଁ ତ ପାଠ ପଢ଼ି ହେଲି ନାଶ’ । ଏଇ ନଷ୍ଟି’ ମୋ ପାଠର–ନିଶ । ଉଠା ପାଠର ମୋ ଡିଗ୍ରୀର, ‘ଡକ୍‌ଟରେଟ୍‌, ବା ଡିଗ୍ରୀ’ ଭାବରେ (ବା ରୂପରେ) ବିଶୃଙ୍ଗଳିତ ବ୍ୟବହାର ‘ଆଇ ଏ ଏସ’ ବା ଓ, ଏ, ସ’ର, ମୟୂର ଚନ୍ଦ୍ରିକାର...କାକ ଦେହରେ ।

 

କିନ୍ତୁ ବାଳ କାଳର ଶିକ୍ଷା କ’ଣ ବାଟ କଢ଼େଇ ପାରିବ ? ଏ କଥା ମୁଁ କହି କହି ପାରିବି ନାହିଁ–ହୁଏତ କହିବେ ମୋର ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପତି, କିମ୍ୱା ସନ୍ଥ ବିନୋବା, ବିପ୍ଳବୀ ଜୟପ୍ରକାଶ କିମ୍ୱା ମଦର ଟେରସା...ବା ଆଉ କେହି । ତେଣୁ ମନ କହୁଛି ଓ ବୁଝିହେଲାଣି ଯେ ମୁଁ ପାଠ ପଢ଼ି ହେଲି ନାଶ’’ । ଏପାଠ ପାଇଁ ନିଆରା ଥାନ ଲୋଡ଼ା–ଦେଉଳକୁ ମୁଖଶାଳା ବଳି ପଡ଼ିଲାଣି–

Image

 

ଗୁଲାଚ ଗାଲେ ତବ୍‌ ଗୁଲାଲ୍ ଚୁମାଟିଏ ମାଗୁଛି

 

ବଡ଼ ମାୟାବୀ ଜୀବ ନୁହେଁ କାହାରି । ଦିନେ ହେଲେ ବିୁ ମୁଁ ରାମ, ଶ୍ରୀହରି ଭଜି ପାରିଲି ନାହିଁ । କାରଣ ମୁଁ ମୋକ୍ଷ କାମନା କରି ନାହିଁ । ମୁଁ ଚାହିଁଛି, ଚାହୁଁଛି ଓ ଚାହୁଁଥିବି । ଏ ଚିନ୍ତାରୁ ତମେ ମତେ ମୁକ୍ତି ଦେଇପାରିବ ? ହେ ସାମ୍ରାଜ୍ଞୀ–ମୁଁ ସେଇ ଉଜବେକୀ ସ୍ଥାନର ଶିଳ୍ପୀ...ଭିନ୍ନ ରୂପରେ, ଭିନ୍ନ କାର୍ଯ୍ୟରେ ମୋର ନିହାଣ କାର୍ଯ୍ୟ କରି ଚାଲିଛି, ଚାଲୁଛି ଓ ଚାଲୁଥିବ ।

 

ଭୟଙ୍କର ମୋର ବାସନା, ଭୟଙ୍କର ମୋର କାମନା । ଏଇ କାମନା ଓ ବାସନା ଦେହର, ମନର, ପୁଣି ଦେହାତୀତର, ମନର ପରପାରିର । ମୁଁ ଏ ଯେଉଁ ସୌଧ ଗଢ଼ିବାର କଳ୍ପନା କରି ଚାଲିଛି, ତା’ର ଶେଷ ନାହିଁ, କାରଣ ମୁଁ ବିବି ଖାନୁନ୍‌ଙ୍କୁ ମୋର ଅନ୍ତରର ବାଣୀ ଶୁଣାଇଥିଲି । ମୋର କାମନାକୁ ସେ ପୂରଣ କରି ମତେ ଉଜବେକୀ ସ୍ଥାନରୁ ମୁକ୍ତି ଦେଇଥିଲେ । ସେଇ ଦିନୁଁ ମୁଁ ବୁଲୁଛି ଓ ବୁଲୁଛି । ଉଜବେକୀ ସ୍ଥାନରୁ ମୋର ଅତୃପ୍ତ ଆତ୍ମା ଆଜି ଏଠି ଆସି ପହଞ୍ଚିଛି ।

 

ଏଠି ମୁଁ ଏକ ନୂତନ ସୌଧ ଗଠନ କରୁଛି । ଏଇ ସୌଧ ଗଠନ କରିବା ପାଇଁ ତ ତମେ ମତେ ଡାକି ଆଣିଥିଲ ସାମ୍ରାଜ୍ଞୀ–ଏବେ ତମେ ନୂତନ ଶିଳ୍ପୀ ଖୋଜିଲେ ବି, ମୁଁ କିପରି ମୋର କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ରଖିପାରିବି ?

 

ହେ ସାମ୍ରାଜ୍ଞୀ...ତମେ ବିବି ଖାନୁନ୍‌ ନୁହଁ । ତେଣୁ ବାଦଶାହାଙ୍କର ବିଜୟ ପାଳନ ପାଇଁ, ତାଙ୍କର ମନ ତୁଷ୍ଟି ପାଇଁ ତମେ ଗୋଟିଏ ପଲକରେ ଯେଉଁ ପୁଲକ ଖେଳାଇ ଦେଇଥିଲ ସେ ପୁଲକ ଏବେ ବି ମୋର ଓଷ୍ଠାଗ୍ରରେ ରହିଛି, ସାମ୍ରାଜ୍ଞୀ । କିନ୍ତୁ ତୁମର ରୂପର ପରିବର୍ତ୍ତନ ଘଟିଛି ଓ ତୁମର କାମନାରେ ମଧ୍ୟ ପରିବର୍ତ୍ତନ ଘଟିଛି । ତମେ ବିବି ଖାନୁନ୍‌ ନୁହଁ । ତୁମେ ଆଜି ଆଉ ଏକ ନାରୀ । ଈର୍ଷାରେ ପ୍ରଜ୍ୱଳିତ, ରାଗରେ ମୁହ୍ୟମାଣ ତମେ ଆଜି ଜଣେ ସାମ୍ରାଜ୍ଞୀ । ତମର ବାଦଶାହା ଜଣେ ନୁହନ୍ତି, ଅଗଣିତ । ତେଣୁ ତୁମେ ମୋର କାମନା ପୂରଣ କରିବ କିମିତି ?

 

ମୁଁ ଜଣେ ଶିଳ୍ପୀ । ସେଇ ଉଜବେକୀ ସ୍ଥାନର ଶିଳ୍ପୀ । ସୌଧ ପରେ ସୌଧ ଗଢ଼ି ଚାଲିଛି, ଚାଲୁଛି, ଚାଲୁଥିବି । ମୋର ଜୀବାତ୍ମା ଇହଲୋକରୁ ପରଲୋକକୁ ଓ ପରଲୋକରୁ ଇହଲୋକ ଭିତରେ ଏମିତି ଘୂରି ବୁଲୁଥିବ । ଜୀବନରେ ବାରବାର ମରଣର ଯାତନା ଉପଲବ୍‌ଧି କରୁଥିବ । କାରଣ ମୁଁ ଜଣେ ଖିଆଲୀ ଶିଳ୍ପୀ । ତମେ ମତେ କାନୁନ୍‌ର ଜାଲରେ, ଆଇନର ଫାନ୍ଦରେ ବାନ୍ଧି ପାରିବନି, ପାରିନ, ପାରୁନ । ଏ ଜାଲ ସବୁ ଛିଡ଼ି ଛିଡ଼ି ଚାଲିଛି ଓ ଚାଲିଥିବ । କାରଣ ମୋ ଖିଆଲ ଏକ ଖିଆଲୀ ଶିଳ୍ପୀର । ‘ବଉଦଛୁଆଁ’ ସଉଧ ଗୋଟିଏ ଗଢ଼ି ମୁଁ ଉଜବେକୀ ସ୍ଥାନରେ ରହିପାରିଲି ନାହିଁ । ଦେଶ ଦେଶାନ୍ତର ଘୂରି ଏଇ ସଉଧତୋଳା ମୁଁ କରି ଚାଲିଛି, କାହିଁ କେତେ ହଜାର ବର୍ଷ ଧରି । ହାତଧରି ତମେ ମତେ ଡାକି ଆଣିଥିଲ...ତମର ସୌଧ ଗଢ଼ିବା ପାଇଁ ।

 

ସେ ସଉଧ ମୁଁ ଗଢ଼ି ଚାଲିଛି, ଚାଲୁଛି ଓ ଚାଲୁଥିବି । କିନ୍ତୁ ସେ ସଉଧ ଏବେ ସମ୍ପୂର୍ଣ୍ଣ ହୋଇନାହିଁ । ବୋଧହୁଏ ଅସମ୍ପୂର୍ଣ୍ଣ ରହିଯିବ । କାରଣ ତମେ ତମର ନିର୍ମମ କଳ୍ପନାକୁ ମୋରି ହାତରେ ରୂପ ଦେବାକୁ ଚାହିଁଥିଲ...ୟେ କ’ଣ ଏକ ଖିଆଲୀ ଶିଳ୍ପୀ ପକ୍ଷରେ ସମ୍ଭବ ?

 

ବାରବାର ତମେ ମତେ ବଧେଇ ଜଣାଇଛ । ମୋର କାର୍ଯ୍ୟକୁ ପସନ୍ଦ କରିଛ । କିନ୍ତୁ ତୁମ ରୂପରେ ପରିବର୍ତ୍ତନ ଘଟିଛି...ତମେ ବିବି ଖାନୁନ୍‍ ନୁହଁ, ତମେ ଜଣେ ସାମ୍ରାଜ୍ଞୀ । ତେଣୁ ତୁମେ ଦେଖିଲେ କଥା ନ କୁହ, ନ ଦେଖିଲେ ଭାଳୁଥାଅ । କୁହ ତେବେ...ବନ୍ଦନା ଲାଗି ଜଳୁଛି ଦିପାଳୀ...ଜଳୁଛି କାହିଁ ?

 

ମୋର ଶିଳ୍ପର କି ମୂଲ୍ୟ ଦେବ ତମେ । ହୀରା, ମୋତି, ମାଣିକ୍ୟ, ଉଚ୍ଚପଦବୀ, ଉପଢୌକନ ଆଦିର ମୂଲ୍ୟ ମୋ ପାଖରେ କିଛି ନୁହେଁ । କାରଣ ତମେ ମତେ ଅର୍ଥର ଜାଲରେ ବାନ୍ଧି ରଖିବାକୁ ଚାହଁ । ଦିନରେ ମେଣ୍ଢା କରି ରାତିରେ ଭେଣ୍ଢା ସଜେଇବାକୁ ଚାହଁ । ମୁଁ କିନ୍ତୁ ଏ ପୀରତିର ରୀତିକୁ ପସନ୍ଦ କରି ପାରି ନାହିଁ, ପାରୁନାହିଁ, ପାରିବି ନାହିଁ ।

 

ତମର ମନେଥିବ, ବିବି ଖାନୁନ୍‌ ଭାବରେ ତମେ ଲୋକୋପବାଦରୁ ମୁକ୍ତ ପାଇବା ପାଇଁ ହୀରା ମୁଦି ଶୋଷି ପ୍ରାଣତ୍ୟାଗ କରିଥିଲ । କିନ୍ତୁ ଏବେ...ତମେ ମାଲ୍ୟାଣୀ ସାଜିଛ, ଯଦିଓ ତମେ ସାମ୍ରାଜ୍ଞୀ ।

 

ତେଣୁ ହେ ମୋର ସାମ୍ରାଜ୍ଞୀ...ମୁଁ ଖାଲି ତୁମକୁ ଚେତେଇ ଦବାକୁ ଚାହେଁ, ବଡ଼ ମାୟାବୀ ଜୀବ ନୁହେଁ କାହାରି । ମୁଁ ଶ୍ରୀରାମ, ଶ୍ରୀହରି ଭଜି ପାରିନାହିଁ, ପାରୁନାହିଁ, ପାରିବି ନାହିଁ । କାରଣ ରତିରୁ ମୁଁ ଏବେ ବି ବିରତି ନେଇ ନାହିଁ । ଉଜବେକୀ ସ୍ଥାନରୁ ମୁଁ କାହିଁ କେତେ ଦେଶ ବୁଲି ବୁଲି, ଏଇଠି ତମରି ଦେଶରେ ରହିଲିଣି ଏଇ କେତେ ବର୍ଷ ହେବ । ମୁଁ ଏଠିକି ଆସିଥିଲି ତମରି ଅନୁରୋଧରେ ସାମ୍ରାଜ୍ଞୀ... ତମରି ସୌଧ ଗଢ଼ିବା ପାଇଁ । ସେ ସୌଧ ମୋର ଏବେ ବି ଅସମ୍ପୂର୍ଣ୍ଣ ରହିଛି...କାରଣ ତମେ ଏ ଖିଆଲୀ ଶିଳ୍ପୀର ଅନ୍ତର ବୁଝି ପାରିଲ ନାହିଁ । ତମେ କାନୁନ୍‌ର କର୍ତ୍ତୃତ୍ୱରେ ଖିଆଲୀ ମନକୁ ବାନ୍ଧି ପାରିନାହଁ, ପାରିଲ ନାହିଁ, ପାରିବ ନାହିଁ ।

 

ମୋର ବାସନା ଅତି ଭୟଙ୍କର ସାମ୍ରାଜ୍ଞୀ...ସେଇଥି ପାଇଁ ମୁଁ ଜୀବନରେ ମରଣର ଯାତନା ଭୋଗୁଛି । କିନ୍ତୁ ସେଥିପାଇଁ ଦୁଃଖ ନାହିଁ, କାରଣ ମୁଁ ଜଣେ ଖିଆଲୀ ଶିଳ୍ପୀ । ଗୋଟିଏ ପଲକରେ ତମେ ମତେ ବାନ୍ଧି ନେଇ ପାରିବ ଓ...ସୌଧ ଗଢ଼ିବା ମୋର ସମ୍ପୂର୍ଣ୍ଣ ହୋଇଯିବ । ପ୍ରତିଦାନରେ ତୁମେ କ’ଣ ସତରେ ଦେଇ ପାରିବ ମୁଁ ଯାହା ଚାହୁଁଛି ? ମନେରଖ, ମୁଁ ଜଣେ ଶିଳ୍ପୀ...ଖିଆଲୀ ଶିଳ୍ପୀ । ତେଣୁ ହେ ମୋର ସାମ୍ରାଜ୍ଞୀ...ଆଉ ଡେରି କରନାହିଁ...ସୌଧ ଅସମ୍ପୂର୍ଣ୍ଣ ରହିଯିବ...କଳା କଳଙ୍କରେ ରୂପାନ୍ତରିତ ହେବ । ତେଣୁ ମୋର ସାମାନ୍ୟ ଅନୁରୋଧଟି ଗ୍ରହଣ କଲେ ମୁଁ ଖୁସିହେବି । ଆଉ ତମର ସୌଧ ସମ୍ପୂର୍ଣ୍ଣ ହେବ ମୋରି ହାତରେ, ମୋରି ନିହାଣ ସ୍ପର୍ଶରେ କଳଙ୍କ ସାଜିବ କଳା ।

 

ହେ ମୋର ସାମ୍ରାଜ୍ଞୀ...ଏଇ ଭବଜଳରେ ନାବ କୂଳରେ ଲାଗିବ...ନାଉରିଆ ଚାଲିଯିବ...ଖିଆଲୀ ଶିଳ୍ପୀ ଚାଲିଯିବ । କିନ୍ତୁ ଶିଳ୍ପ ରହିଯିବ ସୌଧ ସମ୍ପୂର୍ଣ୍ଣ ହୋଇଯିବ । ତେଣୁ ହେ ମୋର ସାମ୍ରାଜ୍ଞୀ...‘‘ଗୁଲାବ୍‌ ଗାଲେ ତବ ଗୁଲାଲ୍‌ ଚୁମାଟିଏ ମାଗୁଛି ।’’ ଏ ଭୟଙ୍କର ବାସନା ତମେ ପୂରଣ କରିପାରିବ ତ ? ସତ କୁହ ସାମ୍ରାଜ୍ଞୀ...ମୋର ବେଳ ଏବେ ଉଛୁର ହେଉଛି । ବଡ଼ ମାୟାବୀ ଏ ଜୀବ କାହାରି ନୁହେଁ, ତୁମର ହୋଇପାରିନି, ପାରୁନି...ପାରିବିନି ।

 

ହଁ । ମୁଁ ଜଣେ ଶିଳ୍ପୀ ଓ ଖିଆଲୀ ଶିଳ୍ପୀ... ସେଇଥି ପାଇଁ ଉଜବେକୀ ସ୍ଥାନରୁ ମୁଁ ଆସିଥିଲି ଏଠିକି...କେବଳ ସେଇଥି ପାଇଁ ‘‘ଗୁଲାବ୍‌ ଗାଲେ ତବ ଗୁଲାଲ୍‍ ଚୁମାଟିଏ ମାଗୁଛି’’ । କ’ଣ ମଞ୍ଜୁର କରିପାରିବ ମୋର ଏହି କାମନା ?

 

ହେ ମୋର ସାମ୍ରାଜ୍ଞୀ...କୁହ...କୁହ...ନିରୁତ୍ତର କେତେଦିନ ରହିବ ଆଉ ?

 

ମୁଁ ଅନଙ୍ଗ, ପ୍ରଦ୍ୟୁମ୍ନ, ଦର୍ପକ, କାମଦେବ । ହଁ, ମୁଁ ଜଣେ ଶିଳ୍ପୀ... ସେଇ ଉଜବେକୀ ସ୍ଥାନର ଖିଆଲୀ ଶିଳ୍ପୀ । ‘‘ଗୁଲାବ୍‌ ଗାଲେ ତବ ଗୁଲାଲ୍‍ ଚୁମାଟିଏ ମାଗୁଛି ।’’

 

ଅରବିନ୍ଦ ଅଶୋକମ୍‌ଚ ଚୂତଂ ନବ ମଲ୍ଲୀକା

ନୀଳୋତ୍ପଳଂଚ ପଞ୍ଚୈତେ

ପଞ୍ଚବାଣସ୍ୟ ଶାୟକଃ ।

 

ମୁଁ ଜଣେ ଶିଳ୍ପୀ, ‘‘ସାମ୍ରାଜ୍ଞୀ’’ । ମୁଁ ଜଣେ ଶିଳ୍ପୀ...ବଡ଼ ମାୟାବୀ ଜୀବ ନୁହେଁ କାହାରି ।

 

(ପ୍ରଗତିବାଦୀ, ୧୯୭୬)

Image

 

ଧ୍ୱନିର ସଙ୍ଗୀତ

 

ହେ ମୋର ପ୍ରିୟ ଦେଶବାସୀ–ମୁଁ ଏଇଠି ବସି ରହିଛି । ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଛନ୍ତି । ପୃଥିବୀ ଘୂରୁଛି । ସେଇ ଘୂରୁଛି । ସେଇ ଘୂର୍ଣ୍ଣନ ସଙ୍ଗେ ସଙ୍ଗେ ମୋର ଭାଗ୍ୟ ମଧ୍ୟ ଘୂରି ଚାଲିଛି । ଯେଉଁମାନେ ମୋର ଭାଗ୍ୟ ଓ ମୋର ଭବିଷ୍ୟତ ନେଇ ଖେଳା କରୁଛନ୍ତି, ସେମାନଙ୍କର ଭାଗ୍ୟ ବି ଘୂରି ଚାଲିଛି । କିଏ କାହାକୁ ଖେଳଉଛି, କିଏ କାହାକୁ ନଚଉଛି ? କିଏ ବା କାହା ସହିତ ତାଳ ଦେଇ ନାଚୁଛି ।

 

ଜୀବନ ଏକ ସଂଘର୍ଷର ଇତିହାସ । ଏସଂଘର୍ଷ ବଞ୍ଚିବା ପାଇଁ–ମଣିଷ ଭଳି । ଏ ସଂଘର୍ଷ ବଞ୍ଚେଇବା ପାଇଁ ଅନ୍ୟମାନଙ୍କୁ । ଶସ୍ତା ତୋଷାମଦ, ପ୍ରଶଂସା ମୁଖର ମଣିଷଙ୍କୁ ନେଇ କେହି କେବେ ସମାଜ ବଦଳାଏ ନାହିଁ । ସମାଜର, ସମ୍ୱିଧାନର ପରିବର୍ତ୍ତନ ଆଣେ ନାହିଁ । ପରିବର୍ତ୍ତନ ଆଇନକାନୁନ ଜରିଆରେ ସମ୍ଭବ । କିନ୍ତୁ ମଣିଷ ଚରିତ୍ର ନ ଗଢ଼ି କେହି ଆଇନ ଜରିଆରେ ମଣିଷ ତିଆରି କରେ ନାହିଁ, କରିପାରେ ନାହିଁ ।

 

ମଣିଷ ତିଆରି କରିବା ଏକ ନିଶା । ୟା’କୁ ବେଉସା କଲେ ପେଷା କଲେ, ତିଆରି ହୁଅନ୍ତି ମଣିଷଙ୍କର ପୂର୍ବ ପୁରୁଷ (?) ମାଙ୍କଡ଼ ! ମାଙ୍କଡ଼ାମି କରିବାକୁ ଆମେ ସମସ୍ତେ ପ୍ରସ୍ତୁତ । ମଣିଷ ଗଢ଼ିବ କିଏ ? କଳା ମଣିଷ, ନାଲିଆ ମଣିଷ, ଗୋରା ମଣିଷ, ବାଙ୍ଗରା ମଣିଷ, ଡେଙ୍ଗାମଣିଷ । ଏଇ ମଣିଷମାନଙ୍କୁ ନେଇ ‘ଗୋଟାଏ’ ଗୋଟାଏ ଜାତି ସୃଷ୍ଟି ହୁଏ । ସେ ବି ପୁଣି କେତେ ‘ବର୍ଣ୍ଣ’ରେ ରଞ୍ଜିତ । ପୁଣି ‘ଭାଷାଗତ’ ଜାତି । ଯେମିତି ‘ଓଡ଼ିଆ ଜାତି’ । ଜନ୍ମନା ଜାୟତେ ଶୁଦ୍ର...ସଂସ୍କାରାତ୍‌ କେହି ବ୍ରାହ୍ମଣ ହୁଏ ?

 

ପୁଣି ଏଇ ବ୍ରାହ୍ମଣ । ଏଇ ହରିଜନ, ଏଇ କରଣ, ପରଜା, ସାନ୍ତାଳ, ହୋ ମୁସଲମାନ, ଖ୍ରୀଷ୍ଟିଆନ–ଏମାନଙ୍କ ସମାହାରରେ ଦୁଇ କୋଟି ମଣିଷ, ପୁଣି ଏକ ଜାତି–‘‘ଓଡ଼ିଆ ଜାତି’’ । ଏଇ ଓଡ଼ିଆ ମଣିଷ, ବଙ୍ଗାଳୀ ମଣିଷ, ଗୁଜରାଟୀ ମଣିଷ ମିଶି ପୁଣି ଗୋଟାଏ ଜାତି–‘ଭାରତୀୟ’ । ପୁଣି ଭାରତୀୟ, ଆରବୀୟ, ଆମେରିକାନ୍‌, ରସିଆନ୍‌, ଇଂଲିଶ, ସୁଇସ ଇତ୍ୟାଦିଙ୍କୁ ନେଇ ମଣିଷମାନେ–

 

ଏଇ ଜାତିଆ ମଣିଷଙ୍କୁ ନେଇ ପୃଥିବୀର, ଗୋଲୋକର, ଭୂପୃଷ୍ଠର ସୃଷ୍ଟି । ଏଇ ସୃଷ୍ଟିରେ ପୁଣି ବୟସ ଭେଦରେ, ରୋଗ ବୈରାଗ୍ୟ ଭେଦରେ ଭାଷା ଭେଦରେ କେଶୀ ଭେଦରେ...ଏମିତିଆ ଭେଦା ଭେଦରେ ପୁଣି ସେଇ ମଣିଷ ଜାତି । ଭେଦ, ଅଭେଦ, ଭେଦାଭେଦ ନେଇ କିଏ କ୍ୟାପିଟାଲିଷ୍ଟ, କିଏ ସୋସ୍‌ଲିଷ୍ଟ, କିଏ କମ୍ୟୁନିଷ୍ଟ ତ ଆଉ କିଏ ଫାସିଷ୍ଟ । ଏମାନେ ନିଆରା ଲୋକ ନୁହନ୍ତି । ଜୈବିକ ଦୃଷ୍ଟିରୁ ଏମାନେ ମଣିଷ...ରକ୍ତରେ ଫରକ୍‍ ରହିଛି, ଭାଷାରେ ଫରକ୍‍ ରହିଛି, ଚଳଣିରେ ଫରକ୍ ରହିଛି, ବେଶଭୂଷାରେ ଫରକ୍‍ ଅଛି, ଦେଖା ଚାହାଁରେ ଫରକ୍‌ ରହିଛି–କିନ୍ତୁ ଏମାନେ ସମସ୍ତେ ମଣିଷ । ହଁ ! ମଣିଷ–ନାରୀ ପୁରୁଷ ଭେଦରେ ମଣିଷ ।

 

ମୁଁ ଏଇଠି ବସି ଏଇ ମଣିଷମାନଙ୍କର ମୁକ୍ତି’ ଚିନ୍ତା କରୁଛି । କିନ୍ତୁ ସେମାନଙ୍କୁ କ’ଣ ସତରେ ମୁଁ ମୁକ୍ତ କରି ପାରିବି ? ସେମାନେ ବନ୍ଦୀ ରହିବାକୁ ଚାହାନ୍ତି । ସ୍ତ୍ରୀ ସହିତ, ପିଲାଝିଲାଙ୍କ ସହିତ, ଗ୍ରାମ ସହିତ, ଦେଶ ସହିତ ମୋହ ପାଶରେ ବନ୍ଦୀ । ଏଇ ମୋହଗ୍ରସ୍ତ ମଣିଷଙ୍କ ସଂଖ୍ୟା, ଜୀବନକୁ ଯେନତେନ ପ୍ରକାରେଣ ବଞ୍ଚେଇ ରଖିବାକୁ ଚାହୁଁଥିବା ମଣିଷମାନଙ୍କୁ ଆପଣ ମୁକ୍ତ କରି ପାରିବେ ନାହିଁ । ‘ମୁକ୍ତି’ ଏକ ଚେତନା, ଏକ ସ୍ୱପ୍ନ । ଏହା ‘‘ସତ’’ କିନ୍ତୁ ବାସ୍ତବ ସତ୍ୟ ନୁହେଁ–ତଥ୍ୟ ନୁହେଁ ତତ୍ତ୍ୱ । ଏଇ ମୁକ୍ତି ପଛରେ ଧାଇଁବାରେ ପାଗଳାମି ଅଛି, କାରଣ ୟେ ଏକ ଆଦର୍ଶ । କିନ୍ତୁ ବନ୍ଦୀ ହେବା, ବନ୍ଦୀ ରହିବା, ବନ୍ଦୀ କରିବା–ଶସ୍ତା ସୁନ୍ଦର ଓ ମଜବୁତ୍‌ ।

 

ତେଣୁ ମୁକ୍ତିର ପଥ ଦର୍ଶନ ନୁହେଁ । ମୁକ୍ତିର ପଥ କର୍ମର ପଥ । କର୍ମ ବିନା ମୁକ୍ତି ସମ୍ଭବ ନୁହେଁ । ଏଇ କାମ କେତେ ପରକାର–ଦେହର ମନର, ହାତଗୋଡ଼ର ଚିନ୍ତାର ଚୈତନ୍ୟର । ଏଇ ମଣିଷମାନଙ୍କର । ଏକାଠି କଲେ, ଯୋଜନା କଲେ, ସେ ହୁଏ ବିଶ୍ୱର କାମ, ଦେଶର କାମ ପ୍ରଦେଶର କାମ, ଭାଷାଭାଷୀର କାମ, ସାଇ ପଡ଼ିଶାଙ୍କ କାମ, ଘରୋଇ କର୍ମ, ବ୍ୟକ୍ତିର କର୍ମ–ଓଲଟ ମାର୍ଗରେ ଗତି କଲେ ବ୍ୟକ୍ତିରୁ–ବିଶ୍ୱ । ପୁଣି ଏଇ ବ୍ୟକ୍ତି ହିଁ ବିଶ୍ୱ ରୂପ ଦର୍ଶନ କରେ । ବିଶ୍ୱହିଁ ବ୍ୟକ୍ତି ଗଢ଼େ । ତାକୁ ବିଶ୍ୱରୂପ ଦର୍ଶନରେ ସାହାଯ୍ୟ କରେ ।

 

ଶବ୍ଦ, ଶବ୍ଦ, ଶବ୍ଦର ସମାହାର ଏଇ ମଣିଷ । ମୌନତାର ସମାହାର ଏଇ ମଣିଷ । କୋଳାହଳର ସମାହାର ଏଇ ମଣିଷ । ୟାକୁ ନିୟନ୍ତ୍ରିତ କରିବ କିଏ ? ଦମନ, ନିର୍ଯ୍ୟାତନା, ଦୁଃଶାସନ ୟା’କୁ ନିୟନ୍ତ୍ରିତ କରେ ନାହିଁ–ଅନୁଶାସିତ କରେ ନାହିଁ, କରେ ପ୍ରଜ୍ୱଳିତ । ଏଇ ଜ୍ୱଳନ, ଏଇ ପ୍ରଜ୍ୱଳନରୁ ମୁକ୍ତିରପଥ, ସ୍ୱାଧୀନତାର ପଥ ଉନ୍ମୁକ୍ତ ହୁଏ । ପୁଣି ହୁଏ ମଣିଷ ବନ୍ଦୀ, ନିଜ ଭାବ ରାଶିରେ, ନିଜ ଭାଷା ସମ୍ପଦରେ, ନିଜ ଅହମିକାରେ, ନିଜି ପରିବେଶରେ, ନିଜଠାରେ । ପୁଣି ଲୋଡ଼ା ପଡ଼େ କର୍ମର ମୁକ୍ତି ପାଇଁ । ଏଇ କର୍ମର ସଂଜ୍ଞା ବଦଳିଛି ଓ ବଦଳେ । ଏଇ କର୍ମ, ଧର୍ମ, ପ୍ରେମର ସମନ୍ୱୟରେ ପୁଣି ଗଢ଼ା ଚାଲେ ମଣିଷ, ମଣିଷ, ମଣିଷ–ପୁଣି ନୂଆ ସମାଜର ସ୍ୱପ୍ନ–ନୂଆ ପ୍ରୟୋଜନା ।

 

ହେ ମୋର ଦେଶବାସୀ ! ଏ ବିପୁଳତା ଭିତରେ ନିଜକୁ ନିୟନ୍ତ୍ରିତ କରିବା, ନିଜର ମାର୍ଗକୁ ସ୍ଥିରୀକୃତ କରିବା, ନିଜକୁ ରାଗ ରଞ୍ଜିତ କରିବା ସ୍ୱପ୍ନ ନୁହେଁ, କର୍ମ ।

 

ଏଇ ‘କର୍ମଯୋଗ’ ହିଁ ପ୍ରଧାନ ଯୋଗ । ଏକମାତ୍ର ଯୋଗ । ବାକି ଗୁଡ଼ାକ ଶବ୍ଦର ଚମକ-। ଚିତ୍ତରଞ୍ଜନ, ସମାଜ ରଞ୍ଜନ ନୁହେଁ । ମନୁଷ୍ୟ ରଞ୍ଜନ ନୁହେଁ । ତେଣୁ ହେ ମୋର ପ୍ରିୟ ଦେଶବାସୀ–ତମେ ମୁକ୍ତିର ପଥ ଖୋଜନାହିଁ, ଖୋଜ କର୍ମର ପଥ, ବାଛିନିଅ କର୍ମର ପଥ । ଏଇ କର୍ମରୁ ହିଁ ପ୍ରେମ ଓ ଏଇ ପ୍ରେମରୁ ହିଁ ‘ସ୍ୱଧର୍ମ’ର ରାସ୍ତା ଖୋଜି ପାଇବା ସମ୍ଭବ ଓ ଏଇ ସ୍ୱଧର୍ମରୁ ବ୍ୟକ୍ତି ରୂପରୁ, ବିଶ୍ୱ ରୂପ ଦର୍ଶନ ସମ୍ଭବ ।

 

ୟେ କର୍ମର ସଙ୍ଗୀତ, ଗୀତାର ସଙ୍ଗୀତ । ଧର୍ମର ସଙ୍ଗୀତ; ମନୁଷ୍ୟର ସଙ୍ଗୀତ, ଅପୌରୁଷେୟ ସଙ୍ଗୀତ । ଏଇ ସଙ୍ଗୀତର ତାଳେ ତାଳେ ତୁମେ ନାଚି ପାରିବ । ଗାଇ ପାରିବ ସେଇ ସଙ୍ଗୀତ–କର୍ମର ସଙ୍ଗୀତ, ଧର୍ମର ସଙ୍ଗୀତ, ପ୍ରେମର ସଙ୍ଗୀତ । ତେବେ ତୁମର ମୁକ୍ତିର ପଥ ତୁମ ହାତ ମୁଠାରେ, ଏବେ ମୁଠା ଖୋଲି ଦେଖି ନିଅ, ବାଛିନିଅ ତୁମର ପଥ ।

 

ମୁଁ ଏବେ ଚାଲିଲି । ପୁଣି ହୁଏତ କେବେ ଫେରିବି, ନ ଫେରି ବି ପାରେ । କାରଣ ଆସିବା ଯିବା ବି ଏଇ କର୍ମର ସଙ୍ଗୀତ, ଧର୍ମର ସଙ୍ଗୀତ, ପ୍ରେମର ସଙ୍ଗୀତ । ମାନବିକତାର ସଙ୍ଗୀତ-। କାନ, ଆଖି, ପାଟି ବନ୍ଦ କରି ମୁଁ ଏବେ ସେଇ ପ୍ରଣବର ସଙ୍ଗୀତ ଗାଇବି–‘ଧ୍ୱନି’ର ସଙ୍ଗୀତ ଗାଇବି–

 

‘‘ଶୁଣରେ ମଣିଷ ଭାଇ, ଝୁରି ମରିବାକୁ, ବୁଡ଼ି ମରିବାକୁ ମଣିଷ ଜନମ ନାହିଁ ।’’ ତେଣୁ ଏବେ ଉଡ଼ି ବୁଲିବି ଗ୍ରହରୁ ଗ୍ରହକୁ, ଗ୍ରହାନ୍ତରକୁ ।

 

‘‘ଅପଥେ ମୁଁ ଯିବି, ଅପଥେ ମୁଁ ଯିବି କର ପଛେ ମତେ ତିରସ୍କାର’’... ‘‘ନେପଥ୍ୟେ ଅଛି ଯେତେ ଯାହା ସବୁ’’ ମୁଁ ତାହା ଆବିଷ୍କାର କରିବି ହିଁ କରିବି । ସବୁ ‘‘ମାନ ଅପମାନକୁ’’ ‘‘ମଥା ପୋତି ନେବି’’ ଓ ସବୁ ‘ଝଞ୍ଜା-ତୋଫାନକୁ’ ବୁକୁପାତି ନେବି–କାରଣ ‘ମଣିଷ’ ତିଆରି କରିବା ମୋର ଏକ ନିଶା–ବେଉସା ନୁହେଁ, ପେଷା ନୁହେଁ । ମୁଁ ମଣିଷକୁ ମାଙ୍କଡ଼ କରି ପାରିବିନି ।

 

(ନବରବି, ୧୯୭୬)

Image

 

ଟିକେଟ୍‍ ମିଲିଲା ନାହିଁ

 

ଟିକେଟ୍‍ ଖଣ୍ତିଏ କିଣିବା ପାଇଁ ମୁଁ କେତେଦିନରୁ ଯୋଗାଡ଼ କରି ଚାଲିଛି । ଏଇ ଟିକେଟ୍‌ ଖଣ୍ତିଏ ପାଇଲେ ତପ୍ତ ବୈତରଣୀ ପାରିହେଇଯିବି । ସେ ଶ୍ୱାନ ହେଉ ବା ଶୃଗାଳ ହେଉ ତା’ରି ପୁଚ୍ଛଧରି ତତ୍ପ ବୈତରଣୀ ପାରି ହବାକୁ ପଡ଼ିବ । ଏଇ ବୈତରଣୀ ସୋପାରିରେ ଲୋକସଭା ବସିଛି ସ୍ୱର୍ଗ ରାଜ୍ୟରେ । ସେଇ ସଭାରେ ଇନ୍ଦ୍ର, ଚନ୍ଦ୍ର, ବରୁଣ ହେବାକୁ ପଡ଼ିବ । ସଚୀପତି ନ ହୋଇ ପାରିଲେ ଏ ଜୀବନରେ ଆଉ କୋଉ ‘ମୁକ୍ତି’ ମିଳିଲା ? ସଚୀ ତ ସେମିତି କେତେ ଅଛନ୍ତି, କାହିଁ କେତେକାଳ ହେଲା–ପତି ବି ତାଙ୍କର କେତେ ଆସିଛନ୍ତି, ଯାଇଛନ୍ତି, ପୁଣି ଆସିବେ ଓ ଯିବେ-। କିନ୍ତୁ ଇନ୍ଦ୍ରପଦ ଲୋଡ଼ା । ସେଇଥି ପାଇଁ ଟିକେଟ୍‍ ଖଣ୍ତିଏ ଲୋଡ଼ା ।

 

ସେଇ ଟିକଟ୍‌ ଖଣ୍ତିଏ ପାଇବା ପାଇଁ ମୁଁ ରେଲ ଷ୍ଟେସନରେ ପହଞ୍ଚିଗଲି । ପ୍ରଥମେ ଲୋକଗହଳି ଦେଖି ଆବାକାବା ହେଇ ପଡ଼ିଲି । ଏତେ ଲୋକ ଏଠି ଭଭା ହେଉଛନ୍ତି । ଆସନ ପାଇଁକି ଲାଗିଛି କଜିଆ । ଟିକଟ ଖଣ୍ତିଏ ମିଳିବ ନାହିଁ ବୋଧହୁଏ । ବହୁ ଧସ୍ତାଧସ୍ତି ଠେଲାପେଲା ଭିତରେ ଟିକଟ୍‍ ଖଣ୍ତିଏ ମିଳିଗଲା । ତା’କୁ କୁଞ୍ଚକାନିରେ ବାନ୍ଧି ଘରକୁ ଦଉଡ଼ିଲି । ଏବେ ୨।୪ ଦିନ ପାଇଁ ଖୋରାକ ପୋଷାକ ଯୋଗାଡ଼ କରିବାକୁ ପଡ଼ିବ । ଅଣ୍ଟାରେ ବି କିଛି ଧନ ଥିବା ଦରକାର । ଟିକେଟ୍‍ ତ ମିଳିଗଲା । ଗାଡ଼ି କିନ୍ତୁ ଆସିବାକୁ ଡେରି ଅଛି । ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ । ତରବର ହେଇ ପହଞ୍ଚି ଦେଖିଲା ବେଳକୁ ଗାଡ଼ି ଆସି ଚାଲିଗଲାଣି ପନ୍ଦର ମିନିଟ ହେବ । ଶେଷକୁ ଟିକଟ୍‍ ଖଣ୍ତିକର ଦାମ୍ ଫେରସ୍ତ ମିଳିବ କି ନାହିଁ ବୁଝିବାକୁ ବଡ଼ ବାବୁଙ୍କ ପାଖରେ ପହଞ୍ଚିଲି । ବାବୁ ଜାଣିବା ଶୁଣିବା ଲୋକ । କହିଲେ ହଇହୋ ପଧାନେ, ତମେ କିରା କଥା କହିବାର । ଟିକଟ ଖଣ୍ତିକ ଗାଞ୍ଜିଆରେ ରଖି ଦେଇଥା । ଗୋଟାକ ବେଳ ଗାଡ଼ିସିନା ଚାଲିଗଲା । ତିନିଟା ପାଞ୍ଚରେ ପୁଣି ଗୋଟାଏ ଗାଡ଼ି ଆସିବ, ସେଇଥିରେ ଯିବ । ଯଦି ବି ସେ ଗାଡ଼ିଟାରେ ଫେଲୁ ମାରିଗଲ, ତେବେ ସନ୍ତକ କରି ରଖିଦବ ‘ଟିକଟ୍‍’ ଖଣ୍ତିକ । ତମ ପିଲାକବିଲା ତ ଜାଣିବେ, ତମେ ଟିକେଟ୍‍ ପାଇଥେଲ ବୋଲି । କେହି ତ କହି ପାରିବେନି ତମେ ବିନା ଟିକଟରେ ଗାଡ଼ି ଚଢ଼ୁଥିଲେ ବୋଲି । ଗାଡ଼ି ଏବେ ଆଗରୁ ଆସି ଚାଲିଗଲା, ସେଥେରେ ତମର କିରା ଦୋଷ ରହିଲା ।

 

ସତକୁ ସତ ତିନିଟା ପାଞ୍ଚରେ ଗାଡ଼ି ଆଇଲା । ଜନତା ଗାଡ଼ିକି ମୋର ବି ଜନତା ଟିକଟ୍‍-। କିନ୍ତୁ ଗାଡ଼ି ଭିତରେ ପଶିବା ନୋହିଲା । ଟିକଟ୍‍ ଖଣ୍ତିକ ଏବେ ବି ସାଇତା ରହିଛି । ଏବେ କେତେ କାଳ ବହିଗଲାଣି । ମତେ ଉମର ୬୬ବର୍ଷ । ତେଣୁ ଟିକେଟ୍‌ ଖଣ୍ତିକ ଆଉ କାମରେ ଲାଗିବନି, ସେଇଟା ପୁରୁଣା ହେଇଗଲାଣି । ଜନତା ଗାଡ଼ିରେ ଚେଷ୍ଟାକଲେ ଚଳନ୍ତା ଯେ ସେ ଗାଡ଼ିଟା କେନ୍ଦ୍ରାପଡ଼ା ରୋଡ଼ରୁ ଢେଙ୍କାନାଳରେ ପହଞ୍ଚିବାକୁ ବି ଯୁଗ ଲାଗିଯିବ । ଆଉ ସେ ଗାଡ଼ିରେ ଯୋଉ ଧସ୍ତାଧସ୍ତି, ଏ ବୁଢ଼ା ବୟସରେ ସେଠି ଚଢ଼ିବାକୁ ଅଣ୍ଟାରେ ତାକତ ନାହିଁ । ତେଣୁ ପିଲେଙ୍କ ପେଇଁ ଟିକଟ୍‍ ଖଣ୍ତିକ ‘ସନ୍ତକ’ ରହିଲା । ଯେତେହେଲେ ସିଏ ତ କହିବେ ଯେ ବାପାଙ୍କୁ ଆମର ଟିକଟ୍‍ ମିଳିଥିଲା ଯେ ସେ ଗାଡ଼ି ଫେଲ ହେଇଗଲେ । ଆଉ ତମେ ଯେତିକ ବାଳୁଙ୍ଗା ବାସ୍ତୁରା ପାଟି କରୁଥା ‘‘ଟିକଟ ମିଳିଲା ନାହିଁ’’ ‘‘ଟିକଟ ମିଳିଲା ନାହିଁ’’–କିଏ ତମ କଥା ଶୁଣୁଛି । ଦେଖ, ହେଇ, ମୋ ପାଖରେ ଟିକଟ୍‍ ଅଛି–ଗାଡ଼ି କିନ୍ତୁ ମୁଁ ଫେଲ ହେଇଗଲି–ଦି’ଦିଟା ଗାଡ଼ି ରାଜଧାନୀ ଏକ୍‌ସପ୍ରେସ୍‌, ଆଉ ଜନତା ଏକ୍‌ସପ୍ରେସ୍‌ । ହାଁ କଥାଟା ହେଜ ରଖିଥିବ ଏକା ।

 

(ପ୍ରଗତିବାଦୀ, ୧୯୭୭)

Image

 

କିଏ କ’ଣ କହୁଛନ୍ତି ?

(ଭାଷାତତ୍ତ୍ୱି ପରିପ୍ରେକ୍ଷୀରେ)

 

କେହି କେହି ଭାବନ୍ତି ମୁଁ ଗୋଟା ହୀନ ବ୍ୟକ୍ତିର ଚକ୍ରାନ୍ତରେ, ଗୋଟାଏ ହୀନମନ୍ୟ ଦେଶରେ, ପ୍ରାଣ ବିକଳରେ ଘରେ ବସି ରହିଛି । ଆଉ କେହି କେହି କହନ୍ତି, ‘‘ଡରିଲେ ଚଳିବ ନାହିଁ’’, କେହି କେହି ବା କହନ୍ତି ‘‘ଅନ୍ୟ ଦେଶକୁ ପଳାଅ’’ ‘ଅନ୍ୟ ପ୍ରଦେଶକୁ ପଳାଅ’ ‘‘ବିଜୟୀ ହୁଅ ତୁମ ଯୁଦ୍ଧରେ’’ । ଏଇ ଉଦ୍ଧୃତାଂଶଗୁଡ଼ାକ ଶୁଭେଚ୍ଛା । ଶୁଭେଚ୍ଛା ଓ ସୁମନାସ ଭିନ୍ନ ରୂପରେ ଭିନ୍ନ କାରଣରୁ ବିଭିନ୍ନ ଭାବରେ ପ୍ରେରିତ । ସେମାନଙ୍କ ଭିତରୁ ଥୋକେ ଚାହାଁନ୍ତି ମୋର କେଶରାଶି ଝୋଟ ହେବା ପର୍ଯ୍ୟନ୍ତ, ପଳିତ ଚର୍ମ ହେବା ପର୍ଯ୍ୟନ୍ତ ମୋର ବଞ୍ଚିରହିବାର ଆବଶ୍ୟକତା ରହିଛି । ଆଉ କେହି ଭାବନ୍ତି, ମୋର ପିଲା ମାନେ ଛୋଟ, ତେଣୁ ସେମାନଙ୍କ ଦାୟିତ୍ୱ କଟିବା ପର୍ଯ୍ୟନ୍ତ ମୁଁ ଜୀବନ ବଞ୍ଚେଇ ନୌକରି କରି ନେବା ଭଲ । ଏତେ ଲୋକଙ୍କର ଏତେ ଉପଦେଶ, ସଦ୍ଦିଚ୍ଛାକୁ ବେଖାତିର କରି ମୁଁ ବଞ୍ଚିରହିଛି, ରକ୍ତଚାପ ଭୋଗୁଛି, ସମୟେ ସମୟେ ଛାତିରେ ଯନ୍ତ୍ରଣା ଅନୁଭବ କରୁଛି, ସମୟେ ସମୟେ ଚିନ୍ତାରେ ମସ୍ତିଷ୍କ ପାଗଳ ହେଉଛି । ଚିନ୍ତାଗୁଡ଼ାକ ଚିତାପରି ହୁତୁ ହୁତୁ ହେଇ ଜଳୁଛି ।

 

ଏ ନିଶ୍ଚିତ ଏକ ପାଗଳାମି । କ୍ଷମତାକୁ ଜାବୁଡ଼ି ଧରି ତା’କୁ ଅପବ୍ୟବହାର କରିବା ଯେପରି ଏକ ପାଗଳାମି, କ୍ଷମତାକୁ ପ୍ରତ୍ୟାଖ୍ୟାନ କରି ‘‘ଆଦର୍ଶବାଦୀ’’ ଭାବରେ ଜୀବନ କଟେଇବା ସେମିତି ଏକ ପାଗଳାମି । ଏଇ ଦୁଇ ପାଗଳାମି ଭିତରେ ଯେଉଁ ଯୁଦ୍ଧ ସେଥିରେ ଲର୍ଡ଼ ମାଉଣ୍ଟବ୍ୟାଟେନ ଜିତନ୍ତି, ଜିନ୍ନା ଜିତନ୍ତି, ହାରିଯାନ୍ତି ଗାନ୍ଧିଜୀ, ଜୟ ପ୍ରକାଶ–ଆଉ ସାଲିସ କରନ୍ତି ବିନୋବା ବାଭେ । ଏହା କେବଳ ଭାରତବର୍ଷର ପରମ୍ପରା ନୁହେଁ । ସମଗ୍ର ମାନବ ସମାଜରେ, ବିଭିନ୍ନ ଭାଷାଭାଷୀ ଲୋକଙ୍କ ଭିତରେ ଏଭଳି ପନ୍ଥା କାର୍ଯ୍ୟ କରି ଆସିଛି । ମନୁଙ୍କ କାଳରୁ କି ଆହୁରି ଆଗରୁ । ପୃଥିବୀରେ ବୋଧହୁଏ ଏଭଳି କୌଣସି ଯୁଦ୍ଧ ଘଟିନାହିଁ, ସଂଘର୍ଷ ହୋଇନାହିଁ, ଯେଉଁଥିରେ କୌଣସି ଗୋଟିଏ ପକ୍ଷ ଜିତିଛି । ବ୍ୟକ୍ତି ବ୍ୟକ୍ତି ଭିତରେ ଯୁଦ୍ଧ, ଆଦର୍ଶ ଆଦର୍ଶ ଭିତରେ ଯୁଦ୍ଧ, ଦେଶ ଦେଶ ମଧ୍ୟରେ ଯୁଦ୍ଧ, ସବୁ କାଳରେ ସବୁ ସମୟରେ କିଛିକାଳ ଚାଲିଛି, ପ୍ରକୃତି ଏତିକି କରେଇଛି, ଅହଙ୍କାର ଏତିକି କରେଇଛି । କ୍ଷମତାର ନିଶା, ପାୱାରର ଆଭିଜାତ୍ୟ ଏତକ କରେଇଛି ଓ ଏଇ ସବୁ ସଂଘର୍ଷରେ ମଣିଷର ପ୍ରଧାନ ଶତ୍ରୁ ହେଉଛି ‘ଭାଷା’ । ଏଇ ‘ଭାଷା’ର ବ୍ୟବହାର (ଲିଖିତ ହେଉ ବା କଥିତ ହେଉ) ସବୁ ସଂଘର୍ଷର ମୂଳ କାରଣ । ଯେହେତୁ ଏହା ମଣିଷମାନଙ୍କର, ସଭ୍ୟମାନଙ୍କର, ଶିକ୍ଷିତମାନଙ୍କର, କ୍ଷମତାଲିପ୍‌ସୁମାନଙ୍କର ଏକ ଅସ୍ତ୍ର । ସେ ଅସ୍ତ୍ରକୁ ପଜେଇ ଧାର ଦେଇ, ଶାଣଦେଇ ଯିଏ ଯେମିତି ବ୍ୟବହାର କରି ଶିଖିଛି, ସେ ସେମିତି ଜିତାପଟ ନେଇଛି ବା ସେ ସେମିତି ହାରିବାର ଉପକ୍ରମ କରିଛି ।

 

ଏଇ ଜିତିବା ଓ ହାରିବାର ଅନ୍ୟ କୌଣସି ଅର୍ଥ ଥାଉ କି ନ ଥାଉ, ଗୋଟିଏ କଥା ନିହାତି ସତ୍ୟ ଯେ ମଣିଷ ସଭ୍ୟତାର ପ୍ରାକ୍‌କାଳରୁ ଏ ପର୍ଯ୍ୟନ୍ତ କେବଳ ଏଇ ଭାଷାର ଯୁଦ୍ଧ ଚାଲି ଆସିଛି । ସ୍ୱାମୀ ସ୍ତ୍ରୀ ଭିତରେ ଏଇ ଯୁଦ୍ଧରୁ ପ୍ରେମ ଉପୁଜେ ପୁଣି ବିଚ୍ଛେଦ ଘଟେ । ଠିକ୍‌ ସେମିତି ଆନ୍ତଃରାଷ୍ଟ୍ରୀୟ ସ୍ତରରେ, କୂଟନୀତିକ ସଂଯୋଗ ରକ୍ଷା କ୍ଷେତ୍ରରେ ଏଇ ଭାଷାର ବ୍ୟବହାର ବନ୍ଧୁତା ଅର୍ଜେ, ଶତ୍ରୁତା ସୃଷ୍ଟିକରେ ।

 

ଏଇଥିରୁ ଗୋଷ୍ଠୀର ଆବଶ୍ୟକତା ଅନୁଭୂତ ହୁଏ । ଯୁଦ୍ଧ କରିବାକୁ ଥିଲେ ଭାଇ ବିରାଦରଙ୍କର ଆବଶ୍ୟକତା ପଡ଼େ, ଯେପରି ଦୁଧ ଖାଇବାକୁ ଇଚ୍ଛା ଥିଲେ ଗାଈଟିଏ ରଖିବା ଆବଶ୍ୟକତା ପଡ଼େ । ଏଇ ଗୋଷ୍ଠୀ ଜୀବନ ଭିତରେ ବି ସଂଘର୍ଷ ଲାଗେ, ଭାଷା ପାଇଁ, ଧର୍ମଧାରଣା ପାଇଁ, ଚିନ୍ତନର ପ୍ରଭେଦ ପାଇଁ–ଚିନ୍ତନ ବା ଭାବ–ଏଇ ଭାବରୁ ଭାଷା ଓ ଏଇ ଭାଷାରୁ ସଂଘର୍ଷ ପୁଣି ସନ୍ଧି ଓ ଶାନ୍ତି ସ୍ଥାପନ । ୟେ ପୁଣି ବେଳେ ବେଳେ ଭାଷାର ଶାନ୍ତି, ଭାବର ଶାନ୍ତି; ପୁଣି କର୍ମର ଶାନ୍ତି । ଆମେ କର୍ମର ଶାନ୍ତି ପ୍ରତିଷ୍ଠା କଥା ଚିନ୍ତା କଲାବେଳେ ପ୍ରଥମେ ଚିନ୍ତନରୁ ଚୈତନ୍ୟରୁ, ମନରୁ ଶାନ୍ତିର ସୂତ୍ରପାତ ନ କରି ପାରିଲେ କର୍ମରେ, ଘରେ, ବାହାରେ, ଗୋଷ୍ଠୀ ଜୀବନରେ, ଦେଶ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପୋଥିବାଇଗଣ ହୋଇଯାଏ, ବାଡ଼ିବାଇଗଣ ହୋଇପାରେ ନାହିଁ ।

 

ସେଇଥି ପାଇଁ ଏଇ ଭାଷାକୁ ସଂଯତ କରିବା ପାଇଁ ବିଭିନ୍ନ ଚଳଣିରେ, ଧର୍ମ ଧାରଣାରେ ବିଭିନ୍ନ ଉପାୟ ବତେଇ ଦିଆ ହୋଇଛି । ଯେ ଭଳି ମୌନତା–ମୌନ ରହିବାର ଅର୍ଥ ନୁହେଁ ଯେ ପାଟି ବନ୍ଦ କରିଦେଲେ ଶାନ୍ତି ବିରାଜମାନ ହୋଇଯିବ । ୟେ ଏକ ଗଭୀର ଚେଷ୍ଟା, ଗହୀରିଆ ପାଠ, ଉଚ୍ଚକୋଟୀର ସାଧନା, ତା’ପରେ ସିନା ସିଦ୍ଧି ସମ୍ଭବ । ତା’ ନ କରି ମୌନତାକୁ ‘‘ସିଦ୍ଧି’’ ଭାବରେ ପାନ କରିଦେଲେ ମୌନତା ହୁଏତ ଲୋକ ଦେଖାଣିଆ ଭାବରେ ସମ୍ଭବ, ସେ ମୌନତା ଶାନ୍ତିର ନୁହେଁ–ଅଶାନ୍ତିରୁ ଦୂରେଇ ରହିବା ପାଇଁ ଏକ କୌଶଳ । କିଏ ମୌନତାକୁ କୌଶଳ ରୂପେ ପ୍ରୟୋଗ କରୁଛି ତ କିଏ ଶାନ୍ତି ପାଇବା ପାଇଁ କରୁଛି । ଏଇଟି ନିର୍ଭର କରୁଛି କିଏ କେଉଁ ଧାତୁରେ ଗଢ଼ା । ଇଂରାଜୀରେ ବିଜ୍ଞାନୀମାନେ ତାହାକୁ ‘‘Gene’’ରୁ ଖୋଜୁଛନ୍ତି, ‘‘Genetic’’ କ୍ରିୟା କଳାପ କଥା ଆଲୋଚନା କରୁଛନ୍ତି । ସେଇଟା ଆମ ମୂର୍ଖ ଓଡ଼ିଆଙ୍କ ଭାଷାରେ କିଏ କେଉଁ ଧାତୁରେ ଗଢ଼ା ।

 

ଏ ‘ଧାତୁଟି’ ଯାହାର ଯିମିତି ତା’ର ଚରିତ୍ରଟି ସିମିତି, ତା’ କଥାବାର୍ତ୍ତା, ଭାବଭଙ୍ଗୀ ଚଳଣିଟି ସେମିତି ? ଏଇ ରୂପ କାହାକୁ କେମିତି ଲାଗିଲା ନ ଲାଗିଲା ତା’ ଉପରେ ରୂପର ସ୍ଥିତି ନିର୍ଭର କରୁନାହିଁ । ରୂପଟିଏ ଅଛି, ଥିଲା ଓ ରହିବ । କିନ୍ତୁ ଏଇ ରୂପମାନଙ୍କୁ ନେଇ ଯେତେବେଳେ ନଚେଇବା ଆରମ୍ଭ କରା ହେବ, ନାଟକରେ, ତାମସାରେ, ଯାତ୍ରାରେ, ଘରେ, ବାହାରେ, ରାଜନୀତି ରଣାଙ୍ଗନରେ, ସେଠି କିଏ କିମିତି ନାଚିବା ଉପରେ ହିଁ କାହାଣୀଟି ସୃଷ୍ଟି ହେବ । ଲେଖକ ବିଚାରା, ନାଟ୍ୟକାର ହେଉ, କାହାଣୀକାର ହେଉ, ଏମିତିଆ ଗୁଡ଼ାଏ ରୂପକୁ ନେଇ, ତାଙ୍କର ଭାଷାକୁ ନେଇ, ତାଙ୍କର ଚେହେରା, ବେଶ ଭୂଷାକୁ ନେଇ ନଚେଇବା ଆରମ୍ଭ କରେ । ଏଇ ନାଚୁ ନାଚୁ କେହି ଅତି ବେହିଆ ହୋଇଯାଏ, ବେସରମ ହୋଇଯାଏ, ପୁଣି କେହି ସଲ୍ଲଜ ବଦନରେ ଚୁପି ଚୁପି କଥା କହେ । କିନ୍ତୁ ଏ ସମସ୍ତଙ୍କୁ ନିୟନ୍ତ୍ରଣ କରେ, ଲେଖକ ତା’ ଅନୁଶାସନ ଜରିଆରେ । ସେମିତି ରାଜନୀତି କ୍ଷେତ୍ରରେ ମଧ୍ୟ ଏମିତି ମୁରବି ପଣିଆ ଦରକାର ହୁଏ । ଯଦି ମୁରବିଟି ବାଳୁଙ୍ଗା ବା ବାସ୍ତୁରା ହୁଏ, ତେବେ ଘର ଯିମିତି ଭାଙ୍ଗିପଡ଼େ, ରାଜନୈତିକ ଦଳରେ ସେମିତି ଘଟେ–ପଞ୍ଝାଏ ଦଳ ଛାଡ଼ନ୍ତି, ଅନ୍ୟ ଦଳ ଖୋଜନ୍ତି, ପଞ୍ଝାଙ୍କୁ ଦଳରୁ ନିକାଲି ଦିଆଯାଏ । ଯେମିତି ଏକାଠି ମନ ମିଳେଇ ଘର ନ କରି ପାରିଲେ ସ୍ୱାମୀ ଆଉ ସ୍ତ୍ରୀଟିଏ ଖୋଜେ ବା ସ୍ତ୍ରୀ ଅନ୍ୟ ସ୍ୱାମୀଟିଏ ଖୋଜେ–କିଏ ଦୁତୀୟ ହୋଇଯାଏ ତ କିଏ ତୃତୀୟ, ଚତୁର୍ଥ ଖୋଜି ବି ମନର ଓରିମାନା ମେଣ୍ଟେନି । ପୁଣି କିଏ ସେଇ ଗୋଟିକୁ ନେଇ ଜୀବନ କାଳଟି କଟେଇ ଦିଏ ।

 

ଓଡ଼ିଆରେ କଥାଟିଏ ଅଛି ଯେ ଯୋଉ ଘରେ ନାରୀ ମୁରବି, ପିଲାଏ ମୁରବି ବା ବହୁ ମୁରବି ସେ ଘର ଘର ନୁହେଁ । ଏଠି ନାରୀମାନଙ୍କର ‘ଧାତୁଗତ’ ବା Genetic ପାର୍ଥକ୍ୟ ଯୋଗୁଁ ତାଙ୍କୁ ଦୁର୍ବଳସ୍ତରରେ ଘେନା ଯାଇଛି । ସେମାନେ ମୁରବି ପଣିଆକୁ ନ ପାରିବା ଶାସ୍ତ୍ର ଉକ୍ତି ନୁହେଁ, ସାଧାନରଣ ଅଭିଜ୍ଞତାର ଏକ ସାର ଗର୍ଭକ ଅନୁସିଦ୍ଧାନ୍ତ । ଏଥିରେ ‘ବ୍ୟତିକ୍ରମ’ ଯେ ନାହିଁ ସେ କଥା ନୁହେଁ । ଗୋଟିଏ ଗୋଟିଏ ନାରୀ ଘରକୁ ଯେମିତି ଚଳେଇ ପାରନ୍ତି, ସେମାନଙ୍କର ପୁଂବାଚକ ସ୍ୱାମୀ ପୁଙ୍ଗବମାନେ ସେଭଳି ପାରନ୍ତି ନାହିଁ । ତେଣୁ ଏଠି ସେହି ନାରୀ ବ୍ୟକ୍ତିଟି ବା ତା’ର ବ୍ୟକ୍ତିତ୍ୱ ବା ସେ ଯେଉଁ ଧାତୁରେ ଗଢ଼ା ତା’ରି ଉପରେ ନିର୍ଭର କରେ ତା’ର ମୁରବି ପଣିଆ । କିନ୍ତୁ ସାଧାରଣ ଅଭିଜ୍ଞତାର ଅନୁସିଦ୍ଧାନ୍ତ (Generalisation) କହେ ଯେ ଯେଉଁ ଘରେ ନାରୀ ମୁରବି, ସେ ଘର ‘‘ଘର ନୁହେଁ’’–ଯଦିଓ ଘର ଛାଡ଼ି ପଳେଇବାକୁ ଚାରା ନାହିଁ । ଅବଶ୍ୟ ବାଆଜି ନ ହେଲେହେଲା ।

 

ରାଜନୀତି କ୍ଷେତ୍ରରେ, ବିଶେଷତଃ ଗଣତାନ୍ତ୍ରିକ ପଦ୍ଧତିରେ ଏମିତିଆ ମୁରବି ପଣିଆ ଦରକାର, କର୍ତ୍ତୃତ୍ୱ ଦରକାର ଏଇ କର୍ତ୍ତୃତ୍ୱଟି ଠିକ୍‌ ଏକଛତ୍ରବାଦ ନୁହେଁ; Dictatorship ନୁହେଁ–ଏହା କର୍ତ୍ତ୍ରୀ ବା କର୍ତ୍ତାଙ୍କର ମୁରବି ପଣିଆ ଘର ଚଳେଇବା ବିଦ୍ୟା–ଇଂରେଜୀରେ କହିଲେ Authoritative ଶାସନ Authoritarian ବେମୁରବି ଶାସନ, ନୁହେଁ–ଏଇ ମୁରବି ପଣିଆ ଯଦି authoritative ସୀମା ତ୍ୟାଗ କରିଦିଏ ତେବେ authoritarian ହେଉ ହେଉ dictatorship ବା ଏକଛତ୍ରବାଦରେ ପରିଣତ ହୋଇଯାଏ । ସେଇଠି ଘରବାଲାଏ, ଦଳବାଲାଏ, ମୁରବିଟିକୁ କିମିତି ଅଟକେଇ ରଖିନ୍ତି, କେମିତି ଶୃଙ୍ଖଳିତ କରି ପାରନ୍ତି, ତା’ରି ଉପରେ ମୁରବିଟିର ଚରିତ୍ର ବା ରୂପ ନିର୍ଭର କରେ । ଲଗାମ ଛାଡ଼ିଦେଲେ ଏକଛତ୍ରବାଦ, ଲଗାମ ଲଗେଇ, ବେଳକାଳ ଦେଖି କାଳବେଳ ଉଣ୍ତି ଲଗାମ ଖିଞ୍ଚି ନେଲେ ମୁରବିଟି authoritative ପାହାଚରୁ ପାଦେ ବି ଆଗକୁ ଆଗେଇ ପାରେ ନାହିଁ । ସେ ପଚାରେ ସ୍ତ୍ରୀକୁ ବା ସ୍ୱାମୀକୁ, ପିଲାମାନଙ୍କୁ ଚାକର ବାକରଙ୍କୁ, ସାଇ ପଡ଼ିଶାଙ୍କୁ ଓ ଶେଷକୁ ସିଦ୍ଧାନ୍ତଟିଏ ନିଏ ଯାହା ‘‘ବହୁଜନ ହିତାୟ’’ । ଏଇ ଲଗାମଟି ହୁଗୁଳା ହୋଇଗଲେ ଦରକାର ପଡ଼େ ପେଟେଣ୍ଟ ମେଡ଼ିସିନ ବା ସେମିତିଆ କିଛି ଅସ୍ତ୍ର–‘‘ହା ଯୋଗଣୀଖିଆ, ହା ବାଡ଼ି ପଶାଏ...’’ । ବା ୟାରି ପରିମାର୍ଜିତ ରୂପ, ସଭ୍ୟ ଭାଷାରେ ‘‘ବିନା ଯୁଦ୍ଧେ ନ ଦେବି ମୁଁ ସୂଚ୍ୟଗ୍ରମେଦିନୀ’’ ବା ଶେଷକୁ detente ବା matter of mutual interest. ।

 

ଏଇ ଭାଷା ହିଁ ସବୁ ସମସ୍ୟାର ମୂଳ ଓ ଏଇ ଭାଷା ବି ସବୁ ଲୋକଙ୍କର କାଳ । ସେଇଥି ପାଇଁ silence is golden ବା ମୌନତା ହିଁ ବିଜ୍ଞତାର ଲକ୍ଷଣ ବୋଲି କୁହାଯାଉଛି । ଏଇ ଭାଷାର ବ୍ୟବହାର ଯିଏ ଯେତେ କମ୍‌ କରିପାରେ ଓ କର୍ମର ପ୍ରଚୋଦନା ଯିଏ ଯେତିକି ବଢ଼େଇ ପାରେ, ସେଠି ଶାନ୍ତି ଅଧିକ, ସଂଘର୍ଷ କମ୍‌ । ସେଇଥି ପାଇଁ ଗାନ୍ଧିଜୀ କହିଥିଲେ–‘‘My work is my message’’–Mcluhan ତାକୁ କହୁଛନ୍ତି ‘‘medium is the message’’ । ଏଇ ‘‘medium’’ ବା ‘‘ମାଧ୍ୟମ’’ ବା କାହା ଜରିଆରେ କୁହାହେଲା, ବା କେଉଁ ଅସ୍ତ୍ରଟି ବ୍ୟବହାର କରାଗଲା, ତା’ର ଉପରେ messageଟି ବା ବକ୍ତବ୍ୟଟି ଓ ଶାନ୍ତି ନିର୍ଭର କରୁଛି । ସେଇ ଅସ୍ତ୍ରଟି କିଭଳି ଭାବରେ ବ୍ୟବହାର କରାଗଲା, ଭାଷାଟିକୁ କିମିତି ପ୍ରୟୋଗ କରାଗଲା, ସେଇଟି ହିଁ ସୂଚେଇ ଦିଏ ବକ୍ତବ୍ୟଟି କ’ଣ ? ଗାନ୍ଧିଙ୍କ କ୍ଷେତ୍ରରେ ସେ ମାଧ୍ୟମଟି ହେଲା ତାଙ୍କର ଜୀବନ ଅର୍ଥାତ୍‌ ତାଙ୍କର ‘‘କର୍ମ’’ ।

 

ତେଣୁ ‘‘କର୍ମଟି’’ ବକ୍ତବ୍ୟ ଶୁଣାଏ, କେବଳ ଭାଷା ନୁହେଁ କିମ୍ୱା ଭାବ ବ୍ୟଞ୍ଜନା ନୁହେଁ । ରାଜନୀତି କ୍ଷେତ୍ରରେ ମଧ୍ୟ ସେଇ କର୍ମଟି ହିଁ ସୂଚେଇ ଦିଏ, ମପେଇ ନିଏ କିଏ କେତେ ପାରିଲା ପଣିଆର, ମୁରବି ପଣିଆର, କର୍ତ୍ତୃତ୍ୱର ବା କିଏ କେଉଁ ଧାତୁରେ ଗଢ଼ା, ତା’ର genetic characteristics.

 

ୟା’କୁଇ କହନ୍ତି ‘‘କିଏ କ’ଣ କହୁଛନ୍ତି ?’’ କାହିଁକି କହୁଛନ୍ତି, କେମିତି କହୁଛନ୍ତି ଯଦି ଏମିତି କହୁଛନ୍ତି ତ କାହିଁକି ସେମିତି ନ କହି ଏମିତି କହୁଛନ୍ତି ? ଅର୍ଥାତ୍‍ ଏଇ ଭିନ୍ନ ଧାତୁରେ ଗଢ଼ା ଲୋକଗୁଡ଼ିକଙ୍କର (ସ୍ତ୍ରୀ ପୁରୁଷ; ବାଳକ ନିର୍ବିଶେଷରେ) ଏ ଭିନ୍ନ ରୀତିରେ କହିବା ରହିଛି ଓ ରହିବ–ତା’କୁ କିଏ କିମିତିଆ ମୁରବି ପଣିଆରେ ଚଳଉଛି, ତା’ରି ଉପରେ ଘର କରିବା, ଘର ରହିବା ଯେମିତି ନିର୍ଭର କରୁଛି, ଦଳ ଗଢ଼ିବା, ଦଳ ଛାଡ଼ିବା ସେମିତି ନିର୍ଭର କରୁଛି । ତେଣୁ ମୂଳ କଥାଟି ହଉଛି ମୁରବି ପଣିଆର । ସେଇ ମୁରବି ପଣିଆଟି ଯୋଉ ଧାତୁରେ ଗଢ଼ା, କ୍ଷମତା ପ୍ରୟୋଗଟି ସେମିତି ଦରକାର । ଖାଲି ‘‘ଅଣ୍ତିରୀ ପିଲାଟିଏ’’ କି ‘‘ମାଈ ପିଲାଟିଏ’’ ଭେଦରେ ଏ ମୁରବି ପଣିଆ ହାସଲ କରାଯାଏ ନାହିଁ ।

 

ଯିଏ ଯେଉଁ ଧାତୁରେ ଗଢ଼ା ସେ ମେମିତି ଆଚରଣ କରେ, ସେମିତିଆ ଆଚରଣରୁ ଜଣାପଡ଼େ ବା ପଡ଼ିଯାଏ ଯେ ତା’ର ମୁରବି ପଣିଆର କିମ୍ମତ କେତେ ? ବା କିଏ କ’ଣ କହୁଛନ୍ତି ତା’ ବିଷୟରେ, ଘରେ, ବାହାରେ ବା ସମାଜ ଜୀବନରେ । ରାଜନୀତି ରଣାଙ୍ଗନରେ ବି ସେଇ କଥା–କୋଉଟା ଗାଲୁ ଗପ, କୋଉଟା ନିରୁତା ଖାଣ୍ଟି ତଥ୍ୟ, ଏକଥା କିଏ କହିବ ? ଯିଏ ଜାଣିଥିବ ସିନା, ମରମ ତା’ର ଦହିବ ।

 

(ପ୍ରଗତିବାଦୀ, ୧୯୭୬)

Image

 

ମୁଁ ଜଣେ ଖାଣ୍ଟି ଓଡ଼ିଆ

 

ମାଗି ଆଣିଲା ତିଅଣ ସୋଡ଼କାଏ । କିନ୍ତୁ ଧାରକରା ବୁଦ୍ଧି କେତେ ବାଟ ଚଲାଏ, ସେ କଥା ଅଙ୍ଗେ ନିଭେଇଥିବା ଲୋକେ କହିବେ । କିନ୍ତୁ ମୋର ଗୋଟା ଜୀବନର ଇତିହାସ ଏଇ ମାଗିଆଣିଲା ତିଅଣ ଓ ଧାର କରା ବୁଦ୍ଧିର ସମାହାର । କିନ୍ତୁ ଏତେ ଧାର ଉଧାର କରି ଏ ପିଣ୍ଡଟି ଗଢ଼ା ହୋଇଥିଲେ ବି, ସାରା ବ୍ରହ୍ମାଣ୍ତର ଚିନ୍ତା ଚୈତନ୍ୟକୁ ଏକାଠି କରି ମୋ ଜୀବନ ଯାତ୍ରାର ପଥଟିକୁ ନିରୂପିତ କରିପାରୁଥିଲେ ବି ମୁଁ ଏବେ ଜଣେ ଉତ୍କଳୀୟ–କିନ୍ତୁ ଜଣେ ବିଶୁଦ୍ଧ ଭାରତୀୟ ନାଗରିକ ।

 

ମୋର ପୂର୍ବପୁରୁଷ କାସ୍ପିୟାନ ହ୍ରଦ କୂଳ ଦେଇ କେଉଁ ଏକ ଅଜ୍ଞାତ ଶତାବ୍ଦୀରେ ଭାରତ ଭୂମିରେ ପଦାର୍ପଣ କରିଥିଲେ । ସେତେବେଳେ ଭାରତ ଥିଲା ରାଜାରାଜୁଡ଼ାଙ୍କ ଦେଶ । ଶ୍ରାଦ୍ଧରେ ପିଣ୍ତ ବାଢ଼ିଲା ବେଳେ ମୋର ପୂର୍ବପୁରୁଷ ଯେ କାନ୍ୟକୁବ୍‌ଜରୁ ଆସିଥିଲେ ସେ କଥା ଆମଘର ପୁରୋହିତ ବର୍ଷକେ ଥରେ ଅଧେ ମନେ ପକେଇ ଦିଅନ୍ତି । କେବେ ସେମାନେ କାନ୍ୟକୁବ୍‌ଜ୍‌ ଛାଡ଼ି ଦର୍ପଣୀ ରାଜାଙ୍କ ରାଜ୍ୟକୁ ଆସିଲେ ତା’ର କୌଣସି ହିସାବ ନିକାଶ ମିଳେ ନାହିଁ । କିନ୍ତୁ ସେମାନେ ଯେ ସେଇଠି ଆସି ପ୍ରଥମେ ବସତି ସ୍ଥାପନ କରିଥିଲେ ଓ ରାଜଦରବାରର ସଭାପଣ୍ତିତ ଥିଲେ, ତା’ର କିଛିଟା ପ୍ରମାଣ ଲୋକମୁଖରେ ଓ କିଛିଟା ପ୍ରମାଣ ଦଲିଲ ଦସ୍ତାବିଜରେ ମିଳେ । ସଂସ୍କୃତିରେ ଅଗାଧ ପାଣ୍ତିତ୍ୟ ଥିବା ମୋର ଏହି ପୂର୍ବ ପୁରୁଷମାନେ ହିନ୍ଦୀଭାଷୀ ଥିଲେ–କାଳକ୍ରମେ ସେମାନେ ଓଡ଼ିଆଭାଷା ଶିଖିଲେ ଓ ସେମାନଙ୍କ ଭିତରୁ କେହି ଜଣେ ସଂସ୍କୃତ ଭାଷାର ଗୀତାକୁ ଓଡ଼ିଆ ଟୀକା କରିଥିବାର ଜନଶ୍ରୁତି ରହିଛି । କାଳକ୍ରମେ ସେମାନେ ଓଡ଼ିଆ ହୋଇଗଲେ । କିନ୍ତୁ ଓଡ଼ିଆ ଭାଷା ଓ ସାହିତ୍ୟରେ ବିଶେଷ ବ୍ୟୁତ୍ପତ୍ତି ଲାଭ କରି ପାରି ନଥିଲେ ।

 

ଏବେ ମୁଁ ଜଣେ ଓଡ଼ିଆ ବୋଲି ପରିଚିତ । କାରଣ ମୁଁ ପିଲାଦିନରୁ ଓଡ଼ିଆ କହିବା ଆରମ୍ଭ କରିଥିଲି, ଓଡ଼ିଶା ସମାଜରେ ବଢ଼ିଉଠିଲି । କିନ୍ତୁ ପୂର୍ବପୁରୁଷଙ୍କ ଭାଷା ହିହୀକୁ କିଛିଟା ଶିଖି ନେଇଥିଲି ହିନ୍ଦୀର ପୁନରୁତ୍‍ଥାନ ସମୟରେ । ଏହା ଭିତରେ ଇଂରେଜୀମାନେ କେତେକାଳ ଶାସନ କରିଗଲେ । ଗୁଡ଼ାଏ ରାଜା ଜମିଦାରଙ୍କର ରାଜ୍ୟଗୁଡ଼ିକୁ ମିଶେଇ ଗୋଟାଏ ଭାରତ କରିଗଲେ ଓ ଶେଷକୁ ୧୯୪୭ ମସିହାବେଳକୁ ଏଇ ରାଜ୍ୟଗୁଡ଼ାକ ଗୋଟାଏ ରାଷ୍ଟ୍ର ହୋଇଗଲା ।

 

ଏହି ରାଷ୍ଟ୍ରର ଗୋଟାଏ ରାଜ୍ୟ ଓଡ଼ିଶା–ଆଗରୁ ଏହାକୁ ପ୍ରଦେଶ କୁହାଯାଉଥିଲା କାରଣ ଭାରତଟା ଥିଲା ଗୋଟାଏ ଦେଶ । ଏବେ ଭାରତ ଗୋଟାଏ ରାଷ୍ଟ୍ର ଓ ଓଡ଼ିଶା ଗୋଟାଏ ରାଜ୍ୟ ଓ ତା’ରି ରଜଧାନୀରେ ମୁଁ ବାସ କରୁଛି । ତେବେ ମୁଁ ଓଡ଼ିଆ ନାଁ ଭାରତୀୟ । ରାଜନୈତିକ ଓ ପ୍ରଶାସନିକ ସଂଜ୍ଞା ଦୃଷ୍ଟିରୁ ମୁଁ ଏ ରାଷ୍ଟ୍ରର ଏକ ବିଶୁଦ୍ଧ ନାଗରିକ । କିନ୍ତୁ ଭାଷା, ସଂସ୍କୃତି ଓ ଚଳଣି ଦୃଷ୍ଟିରୁ ମୁଁ ଜଣେ ଓଡ଼ିଆ । ଯଦିଓ ମୋର ପୂର୍ବପୁରୁଷ କାନ୍ୟୁକୁବ୍‌ଜ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲେ । ୟେତ ଗଲା ଇତିହାସର ଧାରା–ଯେଉଁ ଧାରାରେ କେତେ ଉପାଧାରର ସମ୍ମିଶ୍ରଣ ଘଟିଛି ।

 

ଏବେ ମୁଁ ମୋର ନିତିଦିନିଆ ଜୀବନର କାହାଣୀ କହିବି । ସେଇଥିରୁ ଆପଣମାନେ ବୁଝି ପାରିବେ ଯେ ମୁଁ କେତେ ଘାଟରେ ପାଣି ପିଇଛି କେତେ ତୁଠରେ ସ୍ନାହାନ କରିଛି ଓ କେତେ ମଠରେ ବାବାଜି ରହି ଆସିଛି–ତଥାପି ମୋର ପରିଚିତି ଯେ ମୁଁ ଜଣେ ଓଡ଼ିଆ–ଜଣେ ଭାରତୀୟ ଓଡ଼ିଆ । ଯେମିତି କେତେ ଆମେରିକାନ୍‌ ଓଡ଼ିଆ ଅଛନ୍ତି, କେତେ ଇଣ୍ତୋନେସିଆନ–କ୍ଲିଙ୍ଗ ଅଛନ୍ତି । ବା ଯେମିତି କେତେ ଲାଟିନ୍‌ ଆମେରିକାନ ଓଡ଼ିଆ, ଇରାକ–ଓଡ଼ିଆ ବା କାନ୍ୟକୁବ୍‌ଜି ଓଡ଼ିଆ ଅଛନ୍ତି । ତେବେ ଏ ଯେଉଁ ସଂଘର୍ଷ ସେ ମୋ ସଂସ୍କୃତିର ନୁହେଁ, ଚଳଣିର ନୁହଁ, ଭୌଗଳିକ ସୀମାର ନୁହଁ–ୟେ ଏକ ପ୍ରଶାସନିକ ରାଷ୍ଟ୍ରନୀତିକ ପ୍ରଶ୍ନ । ଯାହାର ଉତ୍ତର ସମ୍ୱିଧାନ ଦେଇ ସାରିଛି–ମୁଁ ଜଣେ ଭାରତୀୟ ଓଡ଼ିଆ । ଆଗରୁ କାନ୍ୟକୁବ୍‌ଜି ଓଡ଼ିଆ ଥିଲି, ପରେ ଦର୍ପଣୀଗଡ଼ ଓଡ଼ିଆ ହେଲି, ପୁଣି କେବେ ଓଡ଼ିଶା ପ୍ରଦେଶ-ଓଡ଼ିଆ ହେଲି; କିନ୍ତୁ ଏବେ ଭାରତୀୟ, ଓଡ଼ିଶା ରାଜ୍ୟର ଓଡ଼ିଆ । ଯଦି ଏ ଭାଷାରେ ମୁଁ କିଛିଦିନ କଥା ନ କହିବି, କିଛି ନ ଲେଖିବି କିଛି ନ ପଢ଼ିବି–ତେବେ କ’ଣ ମୁଁ ଓଡ଼ିଆ ରହିପାରିବି ? ଏ ପ୍ରଶ୍ନର ଉତ୍ତର–ମୁଁ ଓଡ଼ିଆ ରହିପାରିବି ନାହିଁ–କାରଣ ମୁଁ ହୁଏତ ଆଉ କ’ଣ ହୋଇଯିବି । ଯେମିତି ଗୋବିନ୍ଦ ରଥେ ବର୍ତ୍ତମାନ ହିନ୍ଦୀଭାଷୀ କିମ୍ୱା ପାଣ୍ତା ମହାଶୟ ପଣ୍ତା ବା ମାଇତି ମହାଶୟ ମହାନ୍ତି ଥିଲେ ବୋଲି ଭୁଲିଗଲେଣି । ତେବେ ଏ ଯେଉଁ ପରିଚିତି ସେଥିପାଇଁ ଏତେ ଦ୍ୱନ୍ଦ୍ୱ କାହିଁକି ? ଭେଙ୍କଟ ରମଣ ମଧ୍ୟ କିଛି ଦିନ ପରେ ପରେ ଓଡ଼ିଆ ହୋଇପାରନ୍ତି କିମ୍ୱା ପଟ୍ଟନାୟକ ବାବୁ ମଧ୍ୟ ପଟ୍ଟନାୟକ ଗାରୁ ହୋଇପାରନ୍ତି । ତେଣୁ ଇତିହାସର ଏ ଧାରାକୁ ଅସ୍ୱୀକାର କରିବା ମୋ ପକ୍ଷରେ ଯେପରି ଦୋଷାବହ–ଅନ୍ୟମାନଙ୍କ ପକ୍ଷରେ ମଧ୍ୟ ସେପରି ଦୋଷଦୁଷ୍ଟ ।

 

ମୁଁ ଏବେ ଭୁବନେଶ୍ୱରରେ ରହୁଛି । ମୁଁ ଯେଉଁ ଖଟରେ ଶୁଏ, ସେ ଖଟ ପ୍ରଥମେ ଏହି ପ୍ରାଚ୍ୟ ଜଗତରେ ଆବିଷ୍କୃତ ହୋଇଥିବାର ପ୍ରମାଣ ଥିଲେ ମଧ୍ୟ ଉତ୍ତର ୟୁରୋପରେ ଏହି ଖଟ ଗଠନ ପ୍ରଣାଳୀକୁ ପରିମାର୍ଜିତ କରାଯାଇଥିଲା । କେବେ ତାହା ଓଡ଼ିଶାରେ ପ୍ରବେଶ କଲା ସେ କଥା କେବଳ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧ୍ୟକ୍ଷ କହିପାରିବେ–ଅବଶ୍ୟ ଯଦି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯେଉଁ ଖଟ ଓ ପଲଙ୍କ ସବୁର ବିଭିନ୍ନ କିସମର ତିଆରି ପ୍ରଣାଳୀ ରହିଛି, ତାହା ଯଦି କେହି ଅନୁଧ୍ୟାନ କରିଥାନ୍ତି ।

 

ଶୀତ ରାତିର ପାହାନ୍ତି ପହରରେ ମୁଁ ଯେଉଁ ରେଜେଇଟି ଘୋଡ଼ି ହୋଇ ଶୋଇପଡ଼େ ସେଇଟି ଅବଶ୍ୟ ପ୍ରଥମେ ଭାରତ ବର୍ଷରେ (ରାଷ୍ଟ୍ରନୁହେଁ ।) ଆବିଷ୍କୃତ ହୋଇଥିଲା । ମନେହୁଏ ଉତ୍ତର ଭାରତରେ ହିଁ ଏହା ପ୍ରଥମେ ଆବିଷ୍କାର କରାଯାଇଥିବ । ମୋର ପୂର୍ବପୁରୁଷ ଯେଉଁ ସିଲ୍‍କ ଚଦର ବ୍ୟବହାର କରୁଥିଲେ ତାହା ପ୍ରଥମେ ଚୀନ ଦେଶରେ ଆବିଷ୍କୃତ ହୋଇଥିଲା; କିନ୍ତୁ ମୁଁ ମଧ୍ୟେ ମଧ୍ୟେ ଯେଉଁ ଯେଉଁ ସିଲ୍‌କି ପଞ୍ଜାବୀଟି ପିନ୍ଧେ, ତାହାର ତିଆରି–ପ୍ରଣାଳୀ ଉତ୍ତର ଭାରତରେ ହିଁ ସୃଷ୍ଟ । ମୋ ପୂର୍ବପୁରୁଷର ଲୋକମାନେ ଆଗେ ଶିଂଘଚୁଳିଆ କଠଉ, ପିନ୍ଧୁଥିଲେ ମୋ ବେଳକୁ ସେ ଶିଂଘଚୁଳିଆ କଠଉ, ପିନ୍ଧୁଥିଲେ–ମୋ ବେଳକୁ ସେ ଶିଂଘଚୁଳିଆ ଫିତା ଲଗା ହେଇଗଲା–ଏବେ ସେ କଠଉ, କେବଳ କେହି କେହି ଘରୋଇ ଭାବରେ ବ୍ୟବହାର କରନ୍ତି ସିନା କିନ୍ତୁ ଯେଉଁ ଚମଡ଼ା ଯୋତା, ଚପଲ ପିନ୍ଧି ଆମେ ସମସ୍ତେ ଓଡ଼ିଆ, ତାହା ପ୍ରଥମେ ଲୋହିତ ଭାରତୀଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା ।

 

ସକାଳୁ ଉଠି ମୁଁ ଯେଉଁ ଗୃହରେ ଶୌଚ କାର୍ଯ୍ୟ ସମାପନ କରେ, ତାହାର ଗଠନ ପ୍ରଣାଳୀ ଓ ସେହି ଘର ଭିତରେ ଲାଗିଥିବା ସମସ୍ତ ସରଞ୍ଜାମ ତ ୟୁରୋପୀୟ ବା ଆମେରିକାମ୍‌ । ମୁଁ ଆଗେ ଲୁଙ୍ଗି ପିନ୍ଧୁଥିଲି–ଯାହା ମୋଗଲମାନଙ୍କର ଅବଦାନ । କିନ୍ତୁ ମୋର ପୂର୍ବପୁରୁଷ ଯେଉଁ ତ୍ରିକଛି ମାରୁଥିଲେ, ତାହା ଉତ୍ତର ଭାରତୀୟ । ଏବେ ମୁଁ ପାଇଜାମା ପିନ୍ଧା ଓଡ଼ିଆ–ଅବଶ୍ୟ ଏହାର ପ୍ରଥମ ବ୍ୟବହାର ଭାରତରେ ହୋଇଥିବାର ପ୍ରମାଣ ମିଳେ । କିନ୍ତୁ ଶୌଚାଗାରରେ ମୁଁ ଯେଉଁ ସାବୁନ୍‌ ବ୍ୟବହାର କରେ, ତାହା ପ୍ରାଚୀନ ଗଲ୍‌ ରାଜ୍ୟରେ ପ୍ରଥମେ ବ୍ୟବହାର କରାଯାଉଥିଲା ଓ ଏବେ ମଧ୍ୟ ମୁଁ ଯେଉଁ ସାବୁନ୍‌ ବ୍ୟବହାର କରୁଛି, ତାହା ଓଡ଼ିଶା ରାଜ୍ୟରେ ତିଆରି ହେଉନାହିଁ ।

 

ମୋର ପୂର୍ବପୁରୁଷମାନେ ଆଗେ ନିଶଦାଢ଼ି କାଟୁନଥିଲେ । ପୁଣି ନିଶ ରଖିବା ପାଇଁ ମୋ ପୂର୍ବରୁ ପଣ୍ତିତ ନୀଳକଣ୍ଠ ଆନ୍ଦୋଳନ କରିଗଲେ । କିନ୍ତୁ ମୁଁ ନିଶ ରଖିଲି–ଆଉ ହୁଏତ ଅନେକ ରଖିଲେ ନାହିଁ । କିନ୍ତୁ କ୍ଷୌର ହେବା ବା ନିଶ କତୁରିବାର ଯେଉଁ ବ୍ୟବସ୍ଥା ପ୍ରତ୍ୟହ ବ୍ରାହ୍ମମୁହୂର୍ତ୍ତରେ ମୁଁ ସମାପନ କରୁଛି, ତାହା ପ୍ରଥମେ ପ୍ରାଚୀନ ଇଜିପଟରେ ଆରମ୍ଭ ହୋଇଥିବା କଥା ଇତିହାସକାରମାନେ କହନ୍ତି–ଯଦିଓ ଲୌହର ଆବିଷ୍କାର ପ୍ରଥମେ ଭାରତରେ ହୋଇଥିବାର ପ୍ରମାଣ ମିଳେ ।

ମୁଁ ରାଜପଥରେ ବା ଜନପଥରେ ବୁଲି ବାହାରିବାବେଳେ ଯେଉଁ ସୁଟ୍‌ଟାଇ ପିନ୍ଧା ଓଡ଼ିଆଙ୍କୁ ଦେଖେ ସେମାନେ ଜାଣନ୍ତି ନାହିଁ ଯେ ‘‘ଟାଇ’’ଟା ସପ୍ତଦଶ ଶତାବ୍ଦୀରେ କ୍ରୋଏସିଆନ୍‌ମାନେହିଁ ବ୍ୟବହାର କରୁଥିଲେ ।

ଏବେ ମୁଁ ପ୍ରାତଃ ଭୋଜନ ପାଇଁ ପ୍ରସ୍ତୁତ ହୋଇଗଲି–ମୋର ଗୃହର ଝରକାରେ ଯେଉଁ କାଚ ଲାଗିଛି ତା’ରି ଭିତରେ ମୁଁ ବାଳ ସୂର୍ଯ୍ୟଙ୍କୁ ଦର୍ଶନ କରି ପାରିଛି । କିନ୍ତୁ ଯେଉଁ କାଚ ଝରକା ଭିତର ଦେଇ ମୁଁ ବିଶ୍ୱ ବ୍ରହ୍ମାଣ୍ତକୁ ସନ୍ଦର୍ଶନ କରୁଛି ତାହା ଇଜିପଟରେ ପ୍ରଥମେ ଆବିଷ୍କୃତ ହୋଇଥିଲା–କିନ୍ତୁ ମୋର କଣ୍ଠରେ ‘‘ଜବାକୁସୁମ ସଂକାଶଂ କାଶ୍ୟପେୟଂ ମହାଦ୍ୟୁତିଂ’’–ଏକ ସଂସ୍କୃତ ପ୍ରାର୍ଥନା ।

ପ୍ରାର୍ଥନା ସରିଗଲା । ଏବେ ପ୍ରାତଃକାଳୀନ ଭ୍ରମଣରେ ନ ବାହାରିଲେ ମୁଁ ରକ୍ତ ଚାପରେ ଆକ୍ରାନ୍ତ ହୋଇପାରେ–କାରଣ ମୋର ବୟସ ଏବେ ବଢ଼ିଚାଲିଛି କିନ୍ତୁ ବାହାରେ ବର୍ଷା । ତେଣୁ ମତେ ରବର ଜୋତା ପିନ୍ଧିବାକୁ ପଡ଼ିବ । ଏହା କିନ୍ତୁ ପ୍ରଥମେ ମଧ୍ୟଆମେରିକାର ଲୋହିତ ଭାରତୀୟମାନେ ବ୍ୟବହାର କରିଥିବାର ପ୍ରମାଣ ମିଳେ ହାତରେ ଛତାଟିଏ ନେବାକୁ ପଡ଼ିବ–ଏହା ପ୍ରଥମେ ବ୍ୟବହୃତ ହେଉଥିଲା ଦକ୍ଷିଣପୂର୍ବ ଏସିଆରେ । ଯଦିଓ ବରଡ଼ା ପତର ତିଆରି ‘‘ପଖିଆ’’ ବା ଚକୁଳିଆ ପଣ୍ତାଙ୍କ ବରଡ଼ା ପତର ଛତା ମୋ ପିଲାବେଳେ ବ୍ୟବହାର ହେଉଥିଲା ଆମ ଗାଁରେ–ଯାହାର ଭିଟାମାଟି ମୁଁ ହସ୍ତାନ୍ତର କରି ସାରିଛି । ଏବେ ହୁଏତ ସେ ଗାଁରେ କିଛି ଓଡ଼ିଆଏ ଥିବେ ଯେଉଁମାନେ ‘‘ପଖିଆ’’ ବ୍ୟବହାର କରୁଥିବେ–‘ଛତା’ ତାଙ୍କ ପାଖରେ ପହଞ୍ଚିବା ବେଳକୁ ଏକବିଂଶ ଶତାବ୍ଦୀ ହୋଇ ଯାଇପାରେ ।

ଝିପି ଝିପି ବର୍ଷାରେ ଓଦାହୋଇ ମୁଁ ଘରକୁ ଫେରିଲି । ବାଟରେ ‘‘ହକର’’ଟି ମତେ ଖଣ୍ତିଏ ଖବରକାଗଜ ଧରେଇ ଦେଲେ–ଓଡ଼ିଆ, ଇଂରାଜୀମିଶା ଛାପାରେ ଭର୍ତ୍ତି । ସେ ଛାପା ଅକ୍ଷର ଓ କାଗଜ ତ ନିଶ୍ଚିତ ଭାବରେ ଓଡ଼ିଶାରେ ଆବିଷ୍କୃତ ହୋଇ ନଥିଲା ।

ଏବେ ମତେ ଭୁବନେଶ୍ୱର ଘରେ ‘‘ଡାଇନିଂ ଟେବୁଲ’’ ପାଖରେ ଭୋଜନ କରିବାକୁ ପଡ଼ିବ । ଆଉ ତଳେ ଚକାମାଉଲୀ ପକେଇ ବରଡ଼ା ପତର ଆସନରେ ବା କୁଶାସନରେ ବସିବାକୁ ପଡ଼ୁନାହିଁ । ମୋ ସାମନାରେ ଯେଉଁ ପ୍ଲେଟ ଥୁଆ ହୋଇଛି, ସେଇଟି ପ୍ରଥମେ ଚୀନରେ ଆବିଷ୍କାର କରାଯାଇଥିଲା ଯେଉଁ, ଛୁରିଟି ମୋ ସାମନାରେ ଥୁଆ ହୋଇଛି ସେଇଟି ପ୍ରଥମେ ତିଆରି ହୋଇଥିଲା ଦକ୍ଷିଣ ଭାରତରେ । ଯେଉଁ କଣ୍ଟାଚାମୁଚ ମତେ ବ୍ୟବହାର କରିବାକୁ ପଡ଼ିବ ସେଇଟି ଆବିଷ୍କୃତ ହୋଇଥିଲା ଇଟାଲୀରେ ଓ ଯେଉଁ ଚାମୁଚଟି ମୁଁ ବ୍ୟବହାର କରୁଛି ତାହା ଆବିଷ୍କୃତ ହୋଇଥିଲା ରୋମ୍‌ ନଗରୀରେ । ପ୍ରଥମେ ମତେ ଗୋଟିଏ କମଳା ଲେମ୍ୱୁ ଦିଆଗଲା । ପ୍ରଥମେ ଏହା ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା କଥା ଉଦ୍ଭିଦବିଜ୍ଞାନୀମାନେ କହନ୍ତି । ଖରାଦିନେ ମୁଁ ଯେଉଁ ତରଭୁଜ ଖଣ୍ତିଏ ଖାଇ ମୋର ପ୍ରାତଃଭୋଜନ ଆରମ୍ଭ କରେ ତାହା ପ୍ରଥମେ ଆଫ୍ରିକାରେ ହିଁ ଚାଷ କରାଯାଉଥିଲା ।

ଏବେ କିଛି ବିସ୍କୁଟ ବା ପାଉଁରୁଟି ଖାଇବାକୁ ପଡ଼ିବ । ଏହାର ତିଆରି ପ୍ରଣାଳୀ ପ୍ରଥମେ ସ୍କାଣ୍ତିନେଭିଆନ ରାଜ୍ୟରେ ଆବିଷ୍କୃତ ହୋଇଥିଲା ଓ ଯେଉଁ ଗହମଜାତୀୟ ପଦାର୍ଥରେ ଏହା ତିଆରି ତାହା ପ୍ରଥମେ ଟର୍କୀରେ ଚାଷ ହେଉଥିବାର ପ୍ରମାଣ ମିଳେ । ଏବେ କଫି ପ୍ରସ୍ତୁତ । କଫି ଆବିସିନିୟା ରାଜ୍ୟରେ ପ୍ରଥମେ ବ୍ୟବହାର କରାଯାଉଥିଲା । ଯେଉଁ ଦୁଗ୍‌ଧ ସେଥିରେ ବ୍ୟବହାର କରାଯାଇଛି । ତାହା ଗୋଦୁଗ୍‌ଧ । କିନ୍ତୁ ଗୋରୁଙ୍କୁ ଗୃହ ପାଳିତ ପଶୁରେ ପରିଣତ କରି ତାଙ୍କଠାରୁ ଦୁଗ୍‌ଧ ଉତ୍ପାଦନ କରିବା ଦକ୍ଷିଣ ପୂର୍ବ ଏସିଆରେ ଆରମ୍ଭ କରାଯାଇଥିଲା । ଅବଶ୍ୟ ଚିନିର ବ୍ୟବହାର ପ୍ରଥମେ ଭାରତରେ ହିଁ କରାଯାଇଥିବାର ପ୍ରମାଣ ମିଳେ । କିନ୍ତୁ ‘‘କଫି’’ ଶେଷ କରିବା ପୂର୍ବରୁ ଗୋଟିଏ ‘‘ଆମଲେଟ୍’’ ମୋ ଟେବୁଲ ଉପରେ ଥୁଆ ହୋଇଗଲା । ପିଲାବେଳେ ଏହି ଅଣ୍ତା ଆମ ଗାଁ ଖଞ୍ଜାଭିତରେ ପଶିପାରୁ ନଥିଲା–ସିଝା ହେଉଥିଲା ଢେଙ୍କିଶାଳରେ । କିନ୍ତୁ ପଇତା ନଥିବା ଏ ବ୍ରାହ୍ମଣ ଏବେ ଜାଣୁଛି ଯେ କୁକୁଡ଼ା ଚାଷ ପ୍ରଥମେ ଇଣ୍ତୋଚୀନରେ କରାଯାଇଥିଲା । କଫି ପିଆ ସରିଗଲା ।

ଏବେ ମୁଁ ସିଗାରେଟ୍‌ ଖଣ୍ତିଏ ଲଗେଇଲି । ଏହାର ପୂର୍ବପୁରୁଷ ପିକା କେଉଁଠି ପ୍ରଥମେ ବ୍ୟବହାର କରାଯାଉଥିଲା କହିପାରିବି ନାହିଁ–କିନ୍ତୁ ବିଡ଼ିଟି ବୋଧହୁଏ ଓଡ଼ିଶୀ–କେନ୍ଦୁପତ୍ର ବ୍ୟବସାୟତ ଏବେ ସମ୍ପୂର୍ଣ୍ଣ ଓଡ଼ିଶୀ ।

ଏବେ ସାଙ୍ଗରେ ଆଣିଥିବା ଖବରକାଗଜଟିଏ ପଢ଼ିବାକୁ ଆରମ୍ଭ କରିବାକୁ ପଡ଼ିବ–କାରଣ ଦିନ ତମାମ୍‌ ଆଉ ବେଳ ମିଳିବ ନାହିଁ । ପ୍ରଥମେ ଛପା ପ୍ରଣାଳୀ ଚୀନ ଦେଶରେ ଆବିଷ୍କୃତ ହୋଇଥିଲା–ଓ ମୁଦ୍ରାଯନ୍ତ୍ରରେ ଯେଉଁ ଭାବରେ ତାହା ଛପା ହୋଇଛି, ସେ ପ୍ରଣାଳୀ ଜର୍ମାନ ଦେଶରୁ ଆସିଥିବାର ସୂଚନା ମିଳେ ।

ଏବେ ଉତ୍କଳ ଦିବସ ଉପଲକ୍ଷେ ପ୍ରକାଶ ପାଇଥିବା ବାର୍ତ୍ତା, ସନ୍ଦେଶ ଓ ପ୍ରବନ୍ଧମାନ ପଢ଼ୁଛି । ଓଡ଼ିଆଙ୍କ ଗୌରବ, କୀର୍ତ୍ତି ଓ ସ୍ୱପ୍ନ ଉପରେ କେତେ କବିତା ଗଳ୍ପ । କେତେ ଭାବପ୍ରବଣତାର ଉଚ୍ଛ୍ୱାସ । କିନ୍ତୁ ସେ ଆଡ଼େ ଇରାନରେ ଆମେରିକାନ୍‌ ବନ୍ଦୀ, ଆଫଗାନିସ୍ଥାନରେ ରୂଷୀୟ ଅନୁପ୍ରବେଶ ଉପରେ ବିତର୍କ ଓ ଆଫ୍ରିକାରେ କେଉଁ ଅଞ୍ଚଳରେ କଳା ଲୋକେ ଶାସନ କଳକୁ ଦଖଲ କରିନେଲେ–ପୁଣି ସକ୍‌ଧର ମହାଶୟ କହିଲେଣି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆସନ୍ନ ପ୍ରାୟ । ଓଡ଼ିଶାର ୧୪୭ ଜଣ ନୂଆ ବିଧାୟକ ନିର୍ବାଚନ ପାଇଁ କେତେ ଢଙ୍ଗରେ ରଙ୍ଗରେ କେତେ ମଞ୍ଚରେ ଉଭା ହୋଇଗଲେଣି ।

ମୁଁ ଏବେ ଭାରତୀୟ ସମ୍ୱିଧାନ ଖଣ୍ତିକ ଧରି ଶ୍ରେଣୀ ପାଇଁ ପ୍ରସ୍ତୁତ ହେଉଛି ପଢ଼ାଇବାକୁ ପଡ଼ିବ–ଭାରତର ସମ୍ୱିଧାନ । ତା’ର ଧାରା-ଉପଧାରା କେଉଁ–କେଉଁ ସୂତ୍ରରୁ ଧାର କରାହୋଇ ଆସିଛି ସେ କଥା ସମ୍ୱିଧାନ ବିଶେଷଜ୍ଞମାନେ କହିବେ । ମୁଁ କେବଳ ଭଗବାନଙ୍କୁ ଧନ୍ୟବାଦ ଦେବା କଥା ଯେ ମୁଁ ଜଣେ ଭାରତୀୟ ଓଡ଼ିଆ ହୋଇ ରହିଛି, ଏବେ ବି ଭୁବନେଶ୍ୱରରେ । ୟେତ ଆଜିର କଥା–ଉତ୍କଳ ଦିବସର ଅନୁଚିନ୍ତା । ଆସନ୍ତା କାଲି କ’ଣ ହେବ କିଏ କହିବ ?

 

(ଅନନ୍ୟ, ମାର୍ଚ୍ଚ, ୧୯୮୦)

Image

 

ମୁଁ ଜଣେ ନାରୀ, କବି ଓ ରାଜନୀତିଜ୍ଞ

 

ମୁଁ ଜଣେ ନାରୀ, କବି ଓ ଜଣେ ରାଜନୀତିଜ୍ଞ । ମୋର କେବେ ମୃତ୍ୟୁ ହୋଇଥିଲା, ଅଥବା ମୁଁ କେବେ ଜନ୍ମଗ୍ରହଣ କରିଥିଲି ସେ କଥା କୌଣସି ଐତିହାସିକ ଏ ଯାବତ୍‌ ସଠିକ୍‍ ଭାବରେ କାଳ ନିରୂପଣ କରି ପାରି ନାହାନ୍ତି ।

 

ମୋର ମଧ୍ୟ ଏଇ ଦିନ କାଳର ଇତିହାସଗୁଡ଼ାକ ସଠିକ୍‍ ମନେ ରହେ ନାହିଁ । ବେଳେ ବେଳେ ମନେହୁଏ, ମୁଁ ବୋଧହୁଏ ମଧ୍ୟ ଯୁଗରେ ଜନ୍ମଗ୍ରହଣ କରିଥିଲି । ବହୁକାଳ ମୁଁ ସବାକ୍‌ ରହୁଥିଲି । କିଛିକାଳ ନିର୍ବାକ ରହିଗଲି । ଏବେ ଜାନୁୟାରୀ ୨୬ ପୁଣିଥରେ ଆସି ଯିବାରୁ ମୁଁ ବୋଧହୁଏ ଆଉ ଆତ୍ମ ସମ୍ୱରଣ କରି ପାରିଲି ନାହିଁ । ଏହାର କାରଣ ବୋଧହୁଏ ମନୋବିଜ୍ଞାନୀଙ୍କ ଅପେକ୍ଷା ଭାଷାବିଜ୍ଞାନୀମାନେ ସଫଳ ଭାବରେ ଅଳୁଶୀଳନ କରି ପାରିବେ । କାରଣ ଭାଷାରୁ ହିଁ ମୋର ଜନ୍ମ ଓ ଭାଷାର ଅନୁଶୀଳନ ହିଁ ମୋ ବ୍ୟକ୍ତିତ୍ୱର ମାପକାଠି ଓ ଜୀବନଚର୍ଯ୍ୟାର ସେହି ଇତିହାସ ଭାଷାର ଇତିହାସ । ବୋଧହୁଏ ମୁଁ ଓ ଭାଷା ଏକ ଓ ଅଭିନ୍ନଃ ଭାବ ତ ଆସେ ଓ ଯାଏ । କିନ୍ତୁ ଭାଷା ରହିଯାଏ ବହୁକାଳ । ଓ ଠିକ୍‌ ସେଇଥି ପାଇଁ ମଧ୍ୟଯୁଗୁରୁ ଜନ୍ମ ହୋଇ ମଧ୍ୟ ମୁଁ ଏ ଯାବତ୍‌ ବଞ୍ଚି ରହିପାରିଛି । କେବଳ ଏଇଥିପାଇଁ ଯେ ମୋର ଭାଷା ବା ମୋର ଇତିହାସ ‘‘ଆପେକ୍ଷିକବାଦ’’ରେ ବିଶ୍ୱାସ କରେ । ଏଠି କିଛି ସ୍ଥିର ସିଦ୍ଧାନ୍ତ ନାହିଁ କିମ୍ୱା କିଛି ବିଧି ନିର୍ଦ୍ଦେଶ ନାହିଁ କିମ୍ୱା ଚିରନ୍ତନ ବୋଲି, ଶାଶ୍ୱତ ବୋଲି ଗର୍ବ କରିବାର କୌଣସି କାରଣ ନାହିଁ । କାରଣ ମୋର ଜୀବନ ଚିର ଚଞ୍ଚଳ । ଏହା ଏକ ସ୍ରୋତ ମାତ୍ର–ଯାହାର ଅତୀତ ବର୍ତ୍ତମା ଓ ଭବିଷ୍ୟତ ସବୁ ଏକ ପ୍ରବାହମାନ ଧାରା ।

 

ସମାଜର ଗତି ପ୍ରବାହରେ କେଉଁ ପାରମ୍ପରିକ ମୁଖା ପିନ୍ଧି ସମସ୍ତେ ସବାକ୍‍ ହୁଅନ୍ତି, ମୁଁ ସେହି ମୁଖା ପିନ୍ଧିଛି ବହୁକାଳ ମଧ୍ୟ-ଯୁଗରୁ ଏ ଅବଧି । ଏହି ମୁଖା ପିନ୍ଧିଥିବାରୁ ମୁଁ କାର୍ଯ୍ୟ କାରଣ ସମ୍ପର୍କୀୟ ଘଟଣାବଳୀର, ପରିବେଶର ତାଡ଼ନାରେ କବିତା ଲେଖେ, କବି ପାଲଟେ । ପୁଣି ନାରୀ ଭାବରେ ପାରମ୍ପରିକ ସମାଜର ସମସ୍ତ ସୁଯୋଗକୁ ଅବାଧ ଭାବରେ ବିନିଯୋଗ କରିପାରେ । ତେଣୁ ମୁଁ କେତେବେଳେ ଚାଟକବି ତ ଅନ୍ୟ ସମୟରେ ଭାଟ କବି । କିନ୍ତୁ ମୁଁ କବି ଓ ନାରୀ ।

 

କିନ୍ତୁ ଏହା ମୋ ଜୀବନର ଦୀର୍ଘ ଯାତ୍ରା ପଥର ସମସ୍ତ ଇତିହାସ ନୁହେଁ । ତେଣୁ ସମାଜରେ ଯେଉଁ ଘଟଣାଗୁଡ଼ିକ ଘଟିଯାଏ, ତାହା ସହିତ ମୋର ଯେଉଁ ଆତ୍ମିକ ସଂଯୋଗ ରହିଛି ଓ ଯେଉଁ ନୀତି ପ୍ରତି ମୋର ଯେଭଳି ମମତା ରହିଛି ତାହାରି ଉପରେ ଭିତ୍ତି କରି ମୁଁ ଅନୁସନ୍ଧାନ କରେ, ସଂଘର୍ଷକରେ, ସମାଧାନ କରେ । ପୁଣି କେତେବେଳେ ଅବା ମୁଁ ଅନ୍ୟକୁ ସତର୍କ କରାଏ, ଉନ୍ମାଦିତ କରାଏ, ସମାଲୋଚନା କରିପାରେ କିମ୍ୱା ପ୍ରଶଂସା ବି କରିପାରେ । କାରଣ ମୁଁ ଜଣେ ସାଧାରଣ ମଣିଷ ନୁହେଁ–କିମ୍ୱା ଅସାଧାରଣ ବ୍ୟକ୍ତିତ୍ୱ ସମ୍ପନ୍ନ ଜଣେ ମହାମାନବ ନୁହେଁ । ମୁଁ ଜଣେ ପେଷାଦାର ରାଜନୀତିଜ୍ଞ । ଏହା କେବଳ ମୋର ପେଷା ନୁହେଁ ବେଉସା ମଧ୍ୟ । ଏ ଦୃଷ୍ଟିରୁ ମୁଁ ଜଣେ ପୋଖତ ସାମ୍ୱାଦିକ । ଏଇ ସାମ୍ୱାଦିକତାର ନିଗୂଢ଼ ତଥ୍ୟସହିତ ପରିଚିତ ହୋଇନଥିଲେ, ଭାଷାକୁ, ସମ୍ୱାଦିକିତାର ଭାଷାକୁ ମୁଁ ମୋର କର୍ତ୍ତୃତ୍ୱ ଜରିଆରେ ନିୟନ୍ତ୍ରିତ କରି ପାରୁ ନଥିଲେ ମୁଁ ରାଜନୀତିଜ୍ଞ ଭାବରେ ଜନ୍ମ ଗ୍ରହଣ କରି ନଥାନ୍ତି । ହୁଏତ କେବଳ ଜଣେ ନାରୀ ଭାବରେ ବା କବି ଭାବରେ ହିଁ ମୋର ଜୀବନର ଯାତ୍ରାପଥ ଏକ ସରଳ ରାସ୍ତାରେ ଗଡ଼ି ଚାଲିଥାନ୍ତା–।

 

ମୁଁ ଜାଣେ ଯେ ଜଣେ କବି ଭାବରେ ମୁଁ ଏଇ ପୃଥିବୀର ଚିରାଚରିତ ମାନଚିତ୍ରକୁ ବଦଳାଇଦେଇ ପାରିବି ନାହିଁ । ମୁଁ ଏକଥା ମଧ୍ୟ ଜାଣେ ଯେ ଜଣେ ସାମ୍ୱାଦିକ ଭାବରେ ମୁଁ ମଣିଷ ଚରିତ୍ରରେ ପରିବର୍ତ୍ତନ ଆଣି ପାରିବି ନାହିଁ । କିନ୍ତୁ ଏକଥା ବୋଧହୁଏ ନିଶ୍ଚିତ ଯେ ମୁଁ ଅନ୍ୟମାନଙ୍କ ଭିତରେ ଥିବା ଦୋଷ ଦୁର୍ବଳତାକୁ ଏଭଳି ଭାବରେ ପ୍ରକାଶ କରିପାରିବି ଯାହା ଫଳରେ ତାହା ‘ମାରାତ୍ମକ’ କରିସ୍ଥିତି ସୃଷ୍ଟି କରିବ ନାହିଁ, ବରଂ ଏହି ଦୋଷ ଦୁର୍ବଳତାର ପ୍ରକାଶ ଫଳରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଅଧିକ ଦୃଢ଼ ହୋଇ ପାରିବ । ଏହା ମୋର ରାଜନୈତିକ ମାର୍ଗର ଗୋଟିଏ ମାତ୍ର ଦିଗ ।

 

ତେଣୁ ‘‘ହେ ଜାନୁୟାରୀ ୨୬’’, ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ । ମୁଁ ଯଦି ମୋର ଆରେଣକୁ ଅଧିକ ପ୍ରକାଶକ୍ଷମ କରି ପାରନ୍ତି, ତେବେ ତାହା ଅତ୍ୟନ୍ତ ଆନନ୍ଦର କଥା ହୁଅନ୍ତା, କିନ୍ତୁ ତାହା ସମ୍ଭବନୁହେଁ । ତେଣୁ ତୁମକୁ ମୋର ଅଧିକ କିଛି କହିବାର ନାହିଁ । ବୋଧହୁଏ ଏତିକି କହିଲେ ଯଥେଷ୍ଟ ହେବ ଯେ ମୁଁ ତୁମକୁ ଯେତେ ନିବିଡ଼ ଭାବରେ ଭଲ ପାଇ ଆସିଛି, ସେଇ କଥା ଚିନ୍ତା କଲାବେଳେ, ମୋର ଦୁଃଖ ହୁଏ, କଷ୍ଟ ହୁଏ ଓ ଯନ୍ତ୍ରଣାରେ ମୁଁ ବିଚଳିତ ହୋଇ ପଡ଼େ–କାରଣ ମୁଁ ଜଣେ ନାରୀ, କବି ଓ ରାଜନୀତିଜ୍ଞ ।

 

(ପ୍ରଗତିବାଦୀ, ୧୯୮୦)

Image

 

ମୁଁ ନାଚୁଚି ସାତତାଳ ପଙ୍କର ଭିତରେ

 

ମୁଁ ନାଚୁଛି, ନାଚୁଛି; ନାଚିବି; ପୁଣି ନଚେଇବି । ତମ ସ୍ୱରର ତାଳେ ତାଳେ ମୁଁ ନାଚିବି ମୁଁ ନାଚିବି ତାଥେଇ ତାଥେଇ–ଥେଇ...ଥେଇ...ତା ଥେଇ ତାଥେଇ...ଧିନ୍‌ ତାକ୍‌–ଧିନ୍‌ ଧିନ୍‌ ।

 

ମୁଁ ନାଚିବି ସାଜି କଳା ଭଅଁରଟେ–ଉଡ଼ି ଉଡ଼ି ଫୁଲରୁ ଫୁଲକୁ...ଦଂଶି, ପୁଣି ଚୁମା ଦେଇ, ରକ୍ତ ଶୋଷି, ବୋକ ଦେଇ, ରୋଷି ଲହୁ, ମୁଁ ନାଚିବି ତାଥେଇ ତାଥେଇ । ସେ କୋଉ କାଳର, ସେ ଯେ ସାତତାଳ ପାଣି, ସାତତାଳ ପାଣି ତଳେ ସାତ ତାଳ ପଙ୍କ, ସାତ ତାଳ ପଙ୍କ ତଳେ ସପ୍ତମୁଖୀ ଶଙ୍ଖମଧ୍ୟେ, ତାରକସି କମକୂଟ ଚାନ୍ଦି ଫରୁଆର ଗହ୍ୱର ମଧ୍ୟରେ, ଶୋଇ ରହି ଜୀବନ ନାଟିକା, ନଚାଉଛି ମତେ–ମୁଁ ନାଚିବି ତାଥେଇ ତାଥେଇ ।

 

ମୁଁ ପିନ୍ଧିଛି ଇଚ୍ଛାର ମୁକୁଟ–ଅନେକ ରଙ୍ଗର, ଭରି ତହିଁ ସୂକ୍ଷ୍ମ କାରୁକଳା, ମୁଁ ଖୋସିଛି କୃଷ୍ଣଚୂଡ଼ା ମୋ ମଥାରେ–ଲାଲ୍‌ ଲାଲେ ଲାଲ । ଏ ମୁକୁଟ, ଏଇ କୃଷ୍ଣଚୂଡ଼ା ନାଚିବେ ମୋ ସାଥେ–ତାଥେଇ ତାଥେଇ ।

 

ମୁଁ ନଙ୍ଗଳା, ମୁଁ ଆଦାମ୍‌–ମନୁପୁତ୍ର...ମୁଁ ମଣିଷ...ନାଚିବି ଓ ନଚାଇବି...ରଚିବି ତାଣ୍ତବ, ତମ ଲାସ୍ୟ ସାଥେ ।

 

ତୁମେ ମୋର ସ୍ୱର୍ଣ୍ଣଗୋରୀ...ସୁବର୍ଣ୍ଣ ପ୍ରତିମା...ତମେ ମୋର ସ୍ୱପ୍ନେ ଆସ ହଜିଯାଅ ଦିନ ଦ୍ୱିପ୍ରହରେ । ତମ ଲାସ୍ୟ, ତମ ହାସ୍ୟ ତମ ଚାରୁଭାଷା...ଆହେ ଚାରୁକେଶୀ...ମତେ ତମେ ନଚାଇଛ, ନଚାଇବ, ଥେଇ ଥେଇ ତାଥେଇ ତାଥେଇ ।

 

ଅନ୍ତୁଡ଼ିଶାଳରେ ତମେ ସେକିଲଣି ମତେ, ଯେତେ ପରକାରେ, ଯେତେ ସ୍ନେହ ଯେତେ ଶରଧାରେ...ସେ ସବୁର ପ୍ରତିଦାନେ ମୁଁ ନାଚିବି ତାଥେଇ ତାଥେଇ । ଧିନ୍‍ ତାକ୍‌...ଧିନାଧିନ୍‌...ମୁଁ ନାଚିବି ତାଥେଇ ତାଥେଇ ।

 

ଛଳନାର ମାୟାମୃଗ ପଛେ ମୁଁ ଧାଇଁଛି କେତେକାଳ...ଆଉ ବୋଧେ ଧାଇଁ ପାରିବିନି । ବାରବାର ତମେ ଆସି ଠିଆ ହୁଅ ମୋ ରାସ୍ତା ମଝିରେ...ବାଟ ଓଗାଳୁଛ...ତୁମ ଦେହେ ଦେହ ଘଷି ମୁଁ ଚାଲିବି ଆଗକୁ...ଆଗକୁ,...ଭାଙ୍ଗି ତମ ଈର୍ଷାର ପାଚେରୀ... ।

 

ତମ ଈର୍ଷା, ମୋର ରକ୍ତ...ତମ ସହ ରକ୍ତର ସମ୍ପର୍କ, ଏସବୁ ତ ପିଲାଳିଆ ଚିହ୍ନା...ବସ୍ତି ପରିଚୟ...ଏ ସବୁକୁ କାଟିକୁଟି, ବାଟିବୁଟି ମାଡ଼ିଯିବ ମୋ ବେଦନା ନଈ ।

 

ମୁଁ ଦିନେ ପ୍ରେମ କରୁଥିଲି...ସ୍ନେହ କରୁଥିଲି...ମିଛ ତୁମ ଆଶ୍ୱାସନା ସତ ମଣିଥିଲି । ଏବେ କିନ୍ତୁ ସୂର୍ଯ୍ୟର ସତ୍ୟରେ, ସେ ସତର ଯଚାଇ କରୁଛି । ଏବେ ମୁଁ ବୁଝୁଛି, ନୁହେଁ ତାହା ଅୟସ୍କାନ୍ତ ମଣି । ଦହନର ପ୍ରତ୍ୟେକ ବିନ୍ଦୁରେ–ତାହା ଖାଲି ସିନ୍ଧୁର ହିଁ ଗର୍ଜନ ତୋଳୁଛି । ବାଟ ଛାଡ଼...ବିବସ୍ତ୍ର ପବନ ସାଥେ ମୁଁ ନାଚିବି ତାଥେଇ ତାଥେଇ...ଯମୁନାର ତୀରେ ।

 

ଫିଙ୍ଗିଦେଇ ଏ ମୁକୁଟ, ଫିଙ୍ଗିଦେଇ ମୟୂରର ପଚ୍ଛ, ଫିଙ୍ଗିଦେଇ କୃଷ୍ଣ-ଚୋରା ପ୍ରୀତି, ମୁଁ ଆଜି ରତିରେ ପାଗଳ । ସ୍ତବ୍ଧ କରି ମୁଁ ନାଚିବି ତାଥେଇ ତାଥେଇ ।

 

ହେ ମୋର ଶବରୀ, ମୁଁ ନାଚିବି ତାଥେଇ ତାଥେଇ... ସାତତାଳ ପଙ୍କ ମଧ୍ୟେ ମୁଁ ନାଚୁଚି... ଥେଇ ଥେଇ ଥେଇ... ତାଥେଇ...ତାଥେଇ ।

 

ମୃତ୍ୟୁ ଏବେ ପରାହତ...ମୋ ଦୟାର ପାତ୍ର ।

 

ମୁଁ ନାଚିବି, ଥେଇ, ଥେଇ, ଥେଇ, ତାଥେଇ, ତାଥେଇ ।

 

(ଚୁମ୍ୱକ, ୧୯୭୬)

Image